Spread the love

ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ, କୋଟିଏରୁ ଅଧିକ ଟଙ୍କାର ପାଇପ ଚୋରି କରିଥିଲେ

RWSSର ପାଣି ପାଇପ ଚୋରି କରି ରାଜ୍ୟ ବାହାରକୁ ଚାଲାଣ କରୁଥିବା ଏକ ବଡ଼ ରାକେଟକୁ ଧରିଛି ଭୁବନେଶ୍ୱର ପୁଲିସ୍। ଏହି ରାକେଟର ୧୧ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ, ଯିଏ ପ୍ରାୟ ଦୁଇ ବର୍ଷ ତଳେ ସୋଶାଲ ମିଡିଆରେ ନିଜ ପ୍ରେମ କାହାଣୀ ପାଇଁ ବେଶ୍ ଚର୍ଚ୍ଚାରେ ରହିଥିଲେ।

ସେହିପରି ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଗ୍ୟାଙ୍ଗର ମୁଖ୍ୟ ସୁଧୀର ବେହେରା ଓ ଦୁଇ ଟ୍ରାନ୍ସପୋର୍ଟର ରମେଶଚନ୍ଦ୍ର ସାହୁ ଏବଂ ସନ୍ଦୀପ ଅଗ୍ରୱାଲ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁଯାୟୀ, ଏହି ରାକେଟ ଯେଉଁ ସବୁ ସ୍ଥାନରେ RWSSର ପାଣି ପାଇପ ସଂଯୋଗ କାର୍ଯ୍ୟ ଚାଲିଥାଏ, ସେହି ସ୍ଥାନଗୁଡ଼ିକୁ ଚିହ୍ନଟ କରି ପାଇପଗୁଡ଼ିକୁ ଚୋରି କରି ଟ୍ରକ୍ ଯୋଗେ ବାହାର ରାଜ୍ୟକୁ ନେଇ ବିକ୍ରି କରି ଦେଉଥିଲେ। କେବଳ ଭୁବନେଶ୍ୱର ନୁହେଁ, ଏମାନେ ରାୟଗଡ଼ା, କନ୍ଧମାଳ, କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଆଦି ଜିଲ୍ଲାରେ ସକ୍ରିୟ ଥିଲେ। ଏସବୁ ସ୍ଥାନରେ ଏମାନଙ୍କ ନାଁରେ ୮ଟି ମାମଲା ରହିଛି।

ପାଇପ୍ ଚୋରି କରିବା ପରେ ଏମାନେ ନକଲି କାଗଜପତ୍ର ତିଆରି କରି ଚାଲାଣ ତିଆରି କରୁଥିଲେ ଓ ବାହାର ରାଜ୍ୟରୁ ଆସୁଥିବା ଯେକୌଣସି ଟ୍ରକ୍ରେ ସେଗୁଡ଼ିକୁ ଲୋଡ୍ କରି ପଠାଇ ଦେଉଥିଲେ। ରାୟପୁର ଓ ଭିଲାଇ ସମେତ ଅନ୍ୟାନ୍ୟ ସ୍ଥାନକୁ ଏମାନେ ଚୋରା ପାଇପ ପଠାଉଥିଲେ,ଯେଉଁଠାରେ ସେଗୁଡ଼ିକୁ ମେଲ୍ଟ କରି ଦିଆଯାଉଥିଲା। ସ୍କ୍ରାପ୍ ଡିଲରଙ୍କ ଜରିଆରେ ସେମାନେ ଏହି କାମ କରି ବେଶ୍ ଭଲ ପଇସା ପାଉଥିଲେ। ଏମାନେ ୧୦୦୦ରୁ ଅଧିକ ପାଇପ ଚୋରି କରିଛନ୍ତି,ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି।

ସେ କହିଛନ୍ତି, ଏହି ରାକେଟର ମୁଖ୍ୟ ହେଉଛି ସୁଧୀର ବେହେରା। ସେ ଚନ୍ଦକା ଅଞ୍ଚଳର ବାସିନ୍ଦା। ସେ ସମସ୍ତଙ୍କୁ ଏକାଠି କରି ପୂରା କାମ କରାଉଥିଲା। ପାଇପ କାମ ହେଉଥିବା ସ୍ଥାନଗୁଡ଼ିକୁ ସେ ହିଁ ଚିହ୍ନଟ କରେ। କେଉଁ ସ୍ଥାନରୁ ଚୋରି କରିବାକୁ ସୁବିଧା ହେବ, ତାହା ବି ସେ ସ୍ଥିର କରେ। ତା’ପରେ ଟ୍ରାନ୍ସପୋର୍ଟରଙ୍କୁ ଠିକ୍ କରୁଥିଲା। ଲେବର ଡାକୁ ଥିଲା ଓ ଗ୍ୟାଙ୍ଗ ସଦସ୍ୟଙ୍କ ସହାୟତାରେ ପାପ୍ ଚୋରି କରି ବାହାର ରାଜ୍ୟକୁ ପଠାଉଥିଲା। ଦୁଇ ଟ୍ରାନ୍ସପୋର୍ଟର ରମେଶଚନ୍ଦ୍ର ସାହୁ ଓ ସନ୍ଦୀପ ଅଗ୍ରୱାଲ ଏମାନଙ୍କ ସହିତ ମିଶି କାମ କରୁଥିଲେ। ତେଣୁ ଟ୍ରକ୍ ଆଦି ଯୋଗାଡ଼ କରିବାରେ ଗ୍ୟାଙ୍ଗକୁ ସୁବିଧା ହେଉଥିଲା। ଆଲୋକ ଭୋଳ ଓରଫ ଟୁଙ୍ଗୁର ଭୋଳ ମଧ୍ୟ ଏହି ରାକେଟ ପାଇଁ କାମ କରୁଥିଲା। ତା’ର ଅଟୋ ଅଛି। ସେହି ଅଟୋରେ ସେ ଶ୍ରମିକମାନଙ୍କୁ ନେବାଆଣିବା କରୁଥିଲା।

ଡିସିପି କହିଛନ୍ତି ଯେ ଏହି ରାକେଟର ଆହୁରି ୪ ଜଣ ସଦସ୍ୟ ଅଛନ୍ତି। ସେମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି। ବାହାର ରାଜ୍ୟରେ ଥିବା ଏମାନଙ୍କର ସହଯୋଗୀଙ୍କୁ ଧରିବାକୁ ପଦକ୍ଷେପ ନିଆଯିବ। ଅଭିଯୁକ୍ତମାନେ ପାଇପ ବିକି ଅର୍ଜନ କରିଥିବା ଟଙ୍କାକୁ ଜବତ କରିବାକୁ ଚେଷ୍ଟା କରାଯିବ। ସେସବୁ ଦିଗରେ ତଦନ୍ତ ଜାରି ରହିଛି। ଦରକାର ପଡ଼ିଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ।

Related Post

Leave a Reply

Your email address will not be published. Required fields are marked *