ଭଗବାନ୍ ଶ୍ରୀକୃଷ୍ଣ କହୁଛନ୍ତି-ସାଧୁସନ୍ଥମାନେ ହେଉଛନ୍ତି ଅତ୍ୟନ୍ତ ସୌଭାଗ୍ୟବାନ୍ ପୁରୁଷ; କାରଣ ସେମାନଙ୍କ ଗହଣରେ ସଦାସର୍ବଦା ମୋରି ଲୀଳାଚରିତର ଚର୍ଚ୍ଚା ଚାଲିଥାଏ । ମୋର ଲୀଳାଚରିତ ମନୁଷ୍ୟମାନଙ୍କ ନିମନ୍ତେ ଅତ୍ୟନ୍ତ ହିତକର । ଯେଉଁମାନେ ତାହା କହିବା ଓ ଶୁଣିବାରେ ଶ୍ରଦ୍ଧା ରଖନ୍ତି, ସେମାନଙ୍କର ସକଳ ପାପ ଧୋଇ ହୋଇଯାଏ । ଯେଉଁମାନେ ଆଦର ଓ ଶ୍ରଦ୍ଧାର ସହିତ ମୋର ଲୀଳା-କଥା ଶ୍ରବଣ, ଗାନ ଓ ଅନୁମୋଦନ କରନ୍ତି, ସେମାନେ ମୋର ପରାୟଣ ହୋଇଯାଆନ୍ତି ଓ ମୋର ପ୍ରେମୀଭକ୍ତ ହୋଇଯାଆନ୍ତି।

ଯଦିଓ ଭଗବାନ ସଂସାରର ସମସ୍ତ ଯୋଜନାର ସ୍ରଷ୍ଟା ଅଟନ୍ତି,ତଥାପି ସେ ଅକର୍ତ୍ତା ଅଟନ୍ତି । ଏହା ବୃଷ୍ଟି ସଦୃଶ ଅଟେ । ବୃଷ୍ଟିଜଳ ଜଙ୍ଗଲର ସର୍ବତ୍ର ସମାନ ଭାବରେ ପଡିଥାଏ,କିନ୍ତୁ କେତେକ ମଞ୍ଜିରୁ ବିଶାଳ ବରଗଛ ଅଙ୍କୁରିତ ହୁଏ ତ ଅନ୍ୟ ମଞ୍ଜିରୁ ସୁନ୍ଦର ଫୁଲ ଫୁଟିଥାଏ, ଏବଂ ଅନ୍ୟ କେତେକରୁ କଣ୍ଟକଯୁକ୍ତ ଗୁଳ୍ମ ବାହାରିଥାଏ । ବର୍ଷା ନିରପେକ୍ଷ ଅଟେ,ଏହିସବୁ ଭିନ୍ନତା ପାଇଁ ସେ ଏଥିପାଇଁ ଦାୟୀ ନୁହେଁ । ସେହିପରି ଭଗବାନ ଜୀବକୁ କର୍ମ କରିବାର ଶକ୍ତି ଦେଇଥାନ୍ତି । ସେହି ଶକ୍ତିର ସେମାନେ କିପରି ଉପଯୋଗ କରିବେ,ସେହି ନିର୍ଣ୍ଣୟ ନେବାରେ ଜୀବ ସ୍ୱତନ୍ତ୍ର ଅଟେ,ତା’ର କାର୍ଯ୍ୟ ପାଇଁ ଭଗବାନ ଦାୟୀ ନୁହନ୍ତି।

"ଯେ ଭଗବାନଙ୍କୁ ମାନନ୍ତି ନାହିଁ, କିନ୍ତୁ ସୁଖ ଚାହାଁନ୍ତି, ଆଉ ଯେଉଁ ବ୍ୟକ୍ତି ସୁଖ ଚାହାଁନ୍ତି ନାହିଁ, କିନ୍ତୁ ଭଗବାନଙ୍କୁ ପାଇବାପାଇଁ ବ୍ୟାକୁଳ, ସେମାନେ ଉଭୟେ ପ୍ରକାରାନ୍ତରେ ଗୋଟିଏ ବସ୍ତୁର ପ୍ରାର୍ଥୀ । କାରଣ ସୁଖସ୍ୱରୂପ ଭଗବାନଙ୍କ ବ୍ୟତୀତ ସୁଖ ଅନ୍ୟ କେଉଁଠାରେ ନାହିଁ । ପୁଣି ଭଗବାନଙ୍କୁ ଲାଭ କରିପାରିଲେ ସୁଖଲାଭ ହୋଇଥାଏ ।"