Spread the love

ଯୌଥ ପରିବାରରେ ନାରୀର ଭୂମିକା

ରାମ ଯୁବରାଜ ପଦରେ ଅଭିଷିକ୍ତ ହେବେ। ସମସ୍ତ ଅବଧପୁରୀ ଉତ୍ସବମୁଖର ହୋଇ ପଡ଼ିଲା। ପ୍ରଜାଙ୍କ ଆନନ୍ଦ କହିଲେ ନ ସରେ ; କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର !!!

ରାତି ପାହିଲେ ରାଜା ହେବାକୁ ଯାଉଥିବା ରାମ କୈକେୟୀଙ୍କ ଦୁଇଟି ବରରେ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ବନବାସୀ ହେଲେ। ରାଜା ଦଶରଥ “ହା ରାମ, ହା ରାମ”, କହି ସ୍ବର୍ଗବାସୀ ହେଲେ। ସମସ୍ତ ଉତ୍ସବରେ ଭଟ୍ଟା ପଡ଼ିଗଲା।

ମାମୁଁ ଘରୁ ଫେରି ଆସି ଭରତ ରାଜା ହେବେ କ’ଣ,ସେ *ଚାଲିଲେ ଚିତ୍ରକୁଟ ; ରାମଙ୍କୁ ଫେରାଇ ଆଣିବାକୁ। ମାତ୍ର ସେ ସେଥିରେ ବିଫଳ ହୋଇ ଫେରିଆସିଲେ ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ଘେନି ଓ ତାକୁ ହିଁ ସିଂହାସନରେ ସ୍ଥାପନା କରି ସନ୍ନ୍ୟାସ-ବ୍ରତ ଧାରଣ ପୂର୍ବକ ରାମଙ୍କ ପ୍ରତିନିଧି ରୂପେ ରାଜ୍ୟ ଶାସନ କରିବାକୁ ଲାଗିଲେ। ରାମଙ୍କ ବିନା ଅଯୋଧ୍ୟା ଶ୍ରୀହୀନ ହୋଇ ପଡ଼ିଥାଏ।

ଅଯୋଧ୍ୟାର ଏପରି ଘୋରଦୁର୍ଦ୍ଦିନ ସମୟରେ ଦିନେ ରାଜା ଜନକ ମନକଲେ : ଯାଉଛି ଟିକେ ମୋ’ ଝିଅମାନଙ୍କୁ ଦେଖି ଆସିବି। ଝିଅ ଘର ତ ପିତାଙ୍କ ପାଇଁ ସ୍ବର୍ଗ। ସେ ଆଉ କାଳବିଳମ୍ୱ ନ କରି ଅଯୋଧ୍ୟାରେ ଯାଇ ପହଞ୍ଚିଲେ। ଶୋକାତୁରା ସମୁଦୁଣୀମାନଙ୍କୁ ସାନ୍ତ୍ଵନା ଦେଇ ସେ ଦେଖିଲେ : ଝିଅମାନେ ସମସ୍ତେ ରାଜ ପୁରୀରେ ଯଥାବିଧି,ସମସ୍ତ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି l ଶାଶୁମାନଙ୍କ ଯଥାରୀତି ସେବା କରୁଛନ୍ତି l ଆଉ କ’ଣ ଦରକାର !!! ସେ ନିଜ ଝିଅମାନଙ୍କ ଠାରୁ ଏହା ହିଁ ତ ଆଶା କରୁଥଲେ। ଜନକଙ୍କ ମନ କୁଣ୍ଢେ ମୋଟ ହୋଇଗଲା।

ପ୍ରାଚୀନ ପରମ୍ପରା ଅନୁସାରେ : ଝିଅଘରେ ତ ବେଶି ଦିନ ରହି ହେବ ନାହିଁ। ଏପରିକି ଝିଅ ଘରେ ଜଳ ଗ୍ରହଣ ମଧ୍ୟ ନିଷିଦ୍ଧ।

ମିଥିଳା ପତି ତରତର ହୋଇ ଯାଇ ଝିଅ ମାଣ୍ଡବୀ ଙ୍କୁ କହିଲେ,”ମାଆ ଚାଲ ଟିକେ ମିଥିଳା ବୁଲି ଆସିବୁ,ମନ ପରିବର୍ତ୍ତନ ହୋଇଯିବ। ମନ ଟିକିଏ ହାଲକା ହୋଇଯିବ।”

କେଉଁ ଝିଅ ପୁଣି ବାପଘର ଯିବାକୁ ଚାହିଁବନି ?! କିନ୍ତୁ ମାଣ୍ଡବୀ କହିଲେ, “ବାପା ! ଜ୍ୟେଷ୍ଠ ତ ବଣକୁ ଚାଲିଗଲେ। ତାଙ୍କ ସହ ସୁଧୀର ଲକ୍ଷ୍ମଣ ଓ ଭଉଣୀ ସୀତା ବି ଚାଲି ଗଲେ। ଶୂନ୍ୟ ଅଯୋଧ୍ୟା ପୁରୀରେ ଭରତ ସନ୍ନ୍ୟାସ ଜୀବନ ଯାପନ କରୁଛନ୍ତି। ପୁତ୍ରବିରହୀ ଶାଶୁମାନେ କେତେ କଷ୍ଟରେ ଅଛନ୍ତି। ମୋ ସେବା ହିଁ ତାଙ୍କ ସମ୍ବଳ। ମୁଁ ତାଙ୍କୁ ଛାଡ଼ି କୁଆଡ଼େ ଯାଇପାରିବି ବାପା ! ଥାଉ ମୁଁ ପରେ କେବେ ଯାଇ ବୁଲି ଆସିବି।”

ଏହାପରେ ରାଜା ଜନକ ଯାଇ ଉର୍ମିଳା ଙ୍କ ପାଖରେ ପହଞ୍ଚି କହିଲେ,”ମାଆ ! ଚାଲ,ମୋ ସାଙ୍ଗରେ ଟିକେ ମିଥିଳା ବୁଲି ଆସିବୁ। l ତୋ’ ଦୁଃଖ କଥା ମୁଁ କ’ଣ ବା କହିବି। ଚାଲ,ଟିକିଏ ମନ ଉଶ୍ୱାସ ହୋଇଯିବ।”

ପିତାଙ୍କ କଥା ଶୁଣି ଉର୍ମିଳା କହିଲେ, “ବାପା,ଘରର ଯାବତୀୟ କାମ ତ ମୋର। ତା’ ଛଡ଼ା ରହିଛି ଶାଶୁ ମାନଙ୍କ ସେବା। ମୋର ତ ଏବେ ପ୍ରଥମକାମ : ଏହି ଅଶାନ୍ତ ପରିବାରରେ ପୁଣି ଶାନ୍ତି ଫେରାଇଆଣିବା। ଏ ସବୁ ଛାଡ଼ି ଏହି ଘୋର ଦୁର୍ଦ୍ଦିନରେ କୁଆଡ଼େ ଯିବି ବାପା !? ଥାଉ,କେତେବେଳେ ପରେ ମିଥିଳା ଯାଇ ବୁଲି ଆସିବି। ମାଆଙ୍କୁ ଦେଖି ଆସିବି।”

ଦୁଇଝିଅଙ୍କ ନାସ୍ତି ଶୁଣି ଜନକ ଯାଇ ଝିଅ ଶ୍ରୁତକୀର୍ତ୍ତି ପାଖରେ ପହଞ୍ଚି କହିଲେ,”ମାଆ ଶ୍ରୁତି ! ମିଥିଳା ଯିବା ପାଇଁ ତୋ’ ଦୁଇ ଭଉଣୀ ମନା କରିଦେଲେ। ତୋର ତ କିଛି ଅସୁବିଧା ନାହିଁ। ତୁ ହେଲେ ଟିକେ ଚାଲେ,ମିଥିଳା ବୁଲି ଆସିବୁ।”

ଶ୍ରୁତକୀର୍ତ୍ତି କହିଲେ,”ପିତା ! ଏବେ ଜ୍ୟେଷ୍ଠ ଭାଇ ଭରତଙ୍କ ନିର୍ଦ୍ଧେଶରେ, ଶତ୍ରୁଘ୍ନ ଏ ବିଶାଳ ଅବଧପୁରୀକୁ ଶାସନ କରୁଛନ୍ତି। ତାଙ୍କୁ ଏ ଗୁରୁଦାୟିତ୍ୱ ତୁଲାଇବାରେ ମୋତେ ହିଁ ସାହାଯ୍ୟ କରିବାକୁ ପଡ଼ୁଛି। ତାଙ୍କୁ ଛାଡ଼ି ମୁଁ ଯିବି କିପରି ???”

ଏଥର ଜନକ ବାହାରିଲେ ମିଥିଲା ଫେରି ଯିବାକୁ। ସମସ୍ତ ପୁରବାସୀ, ନର-ନାରୀ ଓ ଝିଅମାନେ ରାଜା ଜନକଙ୍କୁ ଅଶ୍ରୁ-ନୟନରେ ବିଦାୟ ଦେଲେ।

“ଜନକ ଆଜି ଚାଲିଯିବେ”, ଶୁଣି ବିଦାୟ ସମ୍ବର୍ଦ୍ଧନା ଦେବାକୁ ଅଯୋଧ୍ୟାବାସୀ ପ୍ରଜାମାନେ ଆସି ରୁଣ୍ଡ ହୋଇଥାନ୍ତି।

ସମସ୍ତଙ୍କ ଠାରୁ ସମ୍ବର୍ଦ୍ଧନା ଘେନି ମିଥିଳାପତି ଜନକ କହିଲେ,“ଯେଉଁ ପୁରରେ ମୋ ଝିଅମାନେ ଉପସ୍ଥିତ ଅଛନ୍ତି,ସେ ପୁରକୁ,ଚଉଦ ବର୍ଷର ଦୁଃଖ କ’ଣ…ଚଉଦ କୋଟି ବର୍ଷର ଦୁଃଖ ମଧ୍ୟ ବିଚଳିତ କରି ପାରିବ ନାହିଁ।”

ଏପରି କହି ଜନକ ମିଥିଳା ଦିଗରେ ଆଗେଇ ଚାଲିଲେ। ତାଙ୍କ ପଥକୁ ଚାହିଁ ରହିଥିଲେ ଅଯୋଧ୍ୟାର ସମସ୍ତ ଅଧିବାସୀ ଗଣ।

Leave a Reply

Your email address will not be published. Required fields are marked *