Spread the love

ଦେବଗଡ଼ : ଗତ ଜୁଲାଇ ୧ ତାରିଖ ଦିନ କେନ୍ଦ୍ରୀୟ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ର ମିକୁ ସୁନେଲର ଅସ୍ୱାଭାବିକ ମୃତ୍ୟୁ ଘଟଣାର ପର୍ଦାଫାଶ କରିଛି ପୁଲିସ । ଏ ନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଓ ଥାନା ଅଧିକାରୀ ସରୋଜ କୁମାର ସେଠି ସ୍ପଷ୍ଟ କରିଛନ୍ତି । ମୃତ ଛାତ୍ରର ଘରର ପରିପାର୍ଶ୍ଵିକ ସ୍ଥିତି ଓ ବ୍ୟବଛେଦ ରିପୋର୍ଟ ଆଧାରରେ ଛାତ୍ର ମୃତ୍ୟୁ ଘଟଣାରେ ଖୋଦ ଜନ୍ମ ଦାତ୍ରୀ ମା ହତ୍ୟାକାରୀ ସାଜିଥିବା ପୁଲିସ ସ୍ପଷ୍ଟ କରିଛି ।
ଏଥିସହ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତ ମା ଲିଲି ସୁନେଲକୁ କୋର୍ଟ ଚାଲାଣ କରିଛି ପୁଲିସ। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ପୁତ୍ର ହନ୍ତା ମା କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁଯାଇ ଦେବଗଡ଼ ପୌରାଞ୍ଚଳ ଚର୍ଚ୍ଚ ସାହି ରେ ରହୁଥିବା କୁଳମଣି ସୁନେଲଙ୍କ ପତ୍ନୀ ଲିଲି ସୁନେଲ ଅନ୍ୟ ଦିନ ମାନଙ୍କ ଭଳି ଗତ ଜୁଲାଇ ପହିଲା ଦିନ ନିଜ ଦୁଇ ସନ୍ତାନଙ୍କୁ ସ୍କୁଲ ଯିବା ପାଇଁ ପ୍ରସ୍ତୁତି କରିଥିବା ବେଳେ ଝିଅ କୁ ପ୍ରଥମେ ଚିନ୍ମୟ ବିଦ୍ୟାଳୟରେ ଛାଡି ଆସିବା ପରେ ପୁଅ ମିକୁକୁ କେନ୍ଦ୍ରୀୟ ବିଦ୍ୟାଳୟରେ ଛାଡିବା କଥା ମାତ୍ର ଝିଅକୁ ସ୍କୁଲରେ ଛାଡି ଆସିବା ପରେ ପୁଅ ମିକୁ ଘରେ ଅଚେତ ପଡ଼ିଥିବା ଦେଖି ପଡୋଶୀଙ୍କ ସହାୟତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ ମଧ୍ୟ ଡାକ୍ତର ମିକୁକୁ ମୃତ ଘୋଷଣା କରିଥିଲେ । ଏ ନେଇ ସୁଦୂର ଚେନ୍ନାଇରେ ରହୁଥିବା ମିକୁର ପିତା କୁଳମଣୀଙ୍କୁ ଲିଲି ଫୋନ ଯୋଗେ ସୂଚନା ଦେଇଥିଲେ ।

ସୂଚନା ପାଇ କୁଳମଣି ଚେନ୍ନାଇରୁ ଆସିବା ପର୍ଯ୍ୟନ୍ତ ମିକୁର ମୃତ ଶରୀର ଶବାଗାରରେ ସଂରକ୍ଷିତ କରି ରଖିବା ପାଇଁ କହିଥିଲେ। ପରଦିନ କୁଳମଣି ଆସିବା ପରେ ପୁଲିସ ଓ ପରିବାର ଲୋକଙ୍କ ଉପସ୍ଥିତିରେ ପୁଲିସ ମୃତ ଶରୀର ପଞ୍ଚନାମା କରି ବ୍ୟବଛେଦ ପାଇଁ ପଠାଇଥିଲା । ଅନ୍ୟ ପକ୍ଷରେ ପୁଅର ମୃତ ଦେହ ଦେଖିବା ପରେ ପିତା କୁଳମଣି ଓ ପିଉସା ପ୍ରମୋଦ ନାଏକ ମିକୁକୁ ହତ୍ୟା କରାଯଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ସନ୍ଧନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପାଲଲହଡା ଥାନା ଗୁରୁଜାଙ୍ଗ ଗ୍ରାମର ରଞ୍ଜନ ନାଏକ ନାମକ ଯୁବକ ସହ ଦୁଇ ସନ୍ତାନର ଜନନୀ ଲିଲିର ଅନୈତିକ ସମ୍ପର୍କକୁ ପୁଅ ମିକୁ ଦେଖିଥିବା କଥା ଜଣାପଡିଥିଲା। ଏଥି ସହିତ ମିକୁ ମଧ୍ୟ ନିଜ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ଫୋନରେ କଥାବାର୍ତ୍ତାକୁ ମା ଲିଲି ବାରଣ କରିବାକୁ ଯାଇ ମିକୁକୁ ମୃତ୍ୟୁର କିଛି ଦିନପୂର୍ବରୁ ସ୍କୁଲ ଯିବାକୁ ମନା କରିଥିବା ଜାଣିବାକୁ ମିଳିଥିଲା ।

ତେବେ ଘଟଣା ଦିନ ସ୍କୁଲ କବାଡି ଦଳର ଚୟନ ହେବାକୁ ଥିବାରୁ ମିକୁ ସ୍କୁଲ ଯିବାକୁ ମା ଲିଲିକୁ ବାଧ୍ୟ କରିଥିଲା ।

Leave a Reply

Your email address will not be published. Required fields are marked *