ମୁଁ ଜୀବନେ ମାଗିନି…..
ମୁଁ ଫୁଲେଇ ଫଗୁଣେ ଫୁଲଟେ ମାଗିନି
ମଳୟର ମଧୁମାସେ
ମୁଁ ଜହ୍ନକୁ ମାଗିନି ଜୋଛନା ଆଞ୍ଜୁଳେ
ଶରତରେ ଯେବେ ହସେ
ମୁଁ ଏମିତି ଶୁଖିଲା ନଈ
ଶ୍ରାବଣରେ ଟିକେ କାନ୍ଦିବା ପାଇଁ ଲୁହ ଟୋପେ ପାଏ ନାହିଁ ।1।
ମୁଁ ମାଟିକୁ ମାଗିନି ତା ବିଭୋର ପଣ
ଆଦ୍ୟ ବରଷା ପରଶେ
ମୁଁ ହୃଦୟ ମାଗିନି ପ୍ରେମିକାକୁ ମୋର
ଲୁହ ହୋଇ ପଛେ ଭାସେ
ମୁଁ ନିଦାଘେ ଯାଇଛି ଜଳି
ତଥାପି ମାଗିନି ଜଳ ଟୋପେ ଦେଇ ଜୀବନ ବଞ୍ଚାଅ ବୋଲି।2।
ମୁଁ ଆକାଶେ ମାଗିନି ତା ନୀଳ ଐଶ୍ୱର୍ଯ୍ୟ
ନୀଳିମାରେ ହଜିବାକୁ
ମୁଁ ଅନଳେ ମାଗିନି ତା ଦୀପ୍ତ କାନ୍ତିକୁ
ଆଲୋକିତ କରିବାକୁ
ମୁଁ ଅନ୍ଧରାତିର ତାରା
ନିଜ ଠିକଣାକୁ ହଜାଇ ଖୋଜୁଛି ଦୂର ବତୀଘର ପରା ।3।
ମୁଁ ପବନେ ମାଗିନି ତା ଉତ୍ତାଳପଣ
ଜୀବନେ ମୋ ବହିବାକୁ
ମୁଁ ଜଳକୁ ମାଗିନି ଶୀତଳପରଶ
ନିଆଁ ମୋ ଲିଭାଇବାକୁ
ମୁଁ ଏମିତି ବରଷା ରାତି
ଜୀବନକୁ ଯେତେ ଭିଜାଇ ଦେଇଛି ଶୁଖି ସେ ଯାଇଛି ନିତି ।4।
ମୁଁ ଫୁଲକୁ ମାଗିନି ତା ମହକ ବାସ
ଜୀବନେ ମୋ ଭରିବାକୁ
ମୁଁ କୋଇଲିକୁ ମାଗିନାହିଁ ମିଠାସୁର
ପ୍ରିୟ ମନ ତୋଷିବାକୁ
ମୁଁ ଅବୁଝା ନଈର ସୁଅ
ନିଜକୁ ବୁଝାଇ ପାରିନି ବୋଲିତ ପିଇଯାଏ ନିଜ ଲୁହ ।5।
ମୁଁ ସମୁଦ୍ରେ ମାଗିନି ତା କଳ କଲ୍ଲୋଳ
ମୋ ଜୀବନେ ନାଚିବାକୁ
ମୁଁ ନଦୀକୁ ମାଗିନି ତାର ମଗ୍ନ ଗତି
ମିଳନ ମୋ ରଚିବାକୁ
ମୁଁ ଯେ ଭଙ୍ଗା ସପନର ଗୀତ
କେଉଁ ସୁରେ ଆଉ ସଜାଡିବି କୁହ ଜୀବନ ହୁଏ ସମାପ୍ତ ।6।
@Ananda C Sahoo
ହୋଇଥାଉ ପଛେ ବ୍ରହ୍ମାଣ୍ଡ ଈଶ୍ୱର
ଐଶ୍ୱର୍ଯ୍ୟ, ବିଭବ, କ୍ଷମତା ଅପାର
ଈଶାରାରେ ପଛେ ଧରା ନାଚୁଥାଉ
କାଳକୁ କବଳ ପଛେ କରିଥାଉ
ସୁଦର୍ଶନ ଚକ୍ର ହସ୍ତେ ପାଉ ଶୋଭା
ଅଷ୍ଟ ପାଟରାଣୀ କରୁଥାନ୍ତୁ ସେବା
ବସିଥାଉ ପଛେ ବୈକୁଣ୍ଠ ଆସନେ
ଦିନ ବିତୁଥାଉ ଚଉବର୍ଗ ଦାନେ
ମାଆଟିଏ ପଡେ ଲୋଡ଼ା
ଯା ପାଦପଙ୍କଜେ ନୂଆଁଇଣ ମଥା
ମାଗିବ ମମତା ପରା।
©Ananda C Sahoo