ଗଙ୍ଗା ମାତାଙ୍କର ଧରାବତରଣ ଗଙ୍ଗା ଦଶହରା କଥା
ଜ୍ୟେଷ୍ଠ ଶୁକ୍ଳ ଦଶମୀ, ଗଙ୍ଗା ମାତାଙ୍କର ଜନ୍ମ ଦିବସ l ଏହା ଗଙ୍ଗା ଜୟନ୍ତୀ ନାମେ ବିଦିତ l ଏହି ଦିନଟି ଗଙ୍ଗା ମାତାଙ୍କୁ କେନ୍ଦ୍ର କରି ଗଙ୍ଗା ଦଶହରା ଭାବେ ପାଳନ କରାଯାଏ l ଭଗବତୀ ଗଙ୍ଗା ଆଜି ପ୍ରଥମ ଥର ଭାଗିରଥିଙ୍କ ତପସ୍ୟା ରେ ସନ୍ତୁଷ୍ଟ ହେଇ ଧରାପୃଷ୍ଠକୁ ଆଗମନ କରିଥିଲେ l ଏହି ଦିନ ଗଙ୍ଗାଙ୍କ ପୂଜନ କଲେ ଦଶ ପ୍ରକାରର ପାପ ନାଶ ହୋଇଥାଏ ବୋଲି “ଗଙ୍ଗା ଦଶହରା” ବୋଲି କୁହାଯାଏ |
ଶାରୀରିକ ପାପ ଯଥା (୧) କିଛି ନ ଦେଇ ଅନ୍ୟର ବସ୍ତୁକୁ ଗ୍ରହଣ କରିବା l (୨) ଶାସ୍ତ୍ର ବର୍ଜିତ ହିଁସା କରିବା l (୩) ପରସ୍ତ୍ରୀ ଗମନ କରିବା l ବାଚିକ ପାପ ଯଥା (୪)କଟୁ କଥା କହିବା l (୫)ମିଛ କହିବା (୬) ପରେ ଅନ୍ୟର ଦୋଷ କହିବା l (୭) ନିଷ୍ପ୍ରୟୋଜନ କଥା କହିବା l ମାନସିକ ପାପ ଯଥା (୮) ଅନ୍ୟର ଦ୍ରବ୍ୟକୁ ଅନ୍ୟାୟରେ ନେଇ ବିଚାର କରିବା l (୯) ମନରେ ଅନ୍ୟର ଅନିଷ୍ଟ ଚିନ୍ତା କରିବା l (୧୦) ନାସ୍ତିକ ବୁଦ୍ଧି ରଖିବା l
ଇକ୍ଷ୍ବାକୁ ବଂଶରେ ଭଗିରଥ ଜଣେ ପ୍ରଥିତଯଶା ପରାକ୍ରମୀ ରାଜା ଥିଲେ। ସେ ପୁତ୍ରହୀନ ଥିଲେ। କପିଳ ମହର୍ଷିଙ୍କ ଅଭିଶାପରେ ଭସ୍ମରେ ପରିଣତ ହୋଇ ମୁକ୍ତି ନ ପାଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଷାଠିଏ ହଜାର ପୂର୍ବ ପୁରୁଷମାନଙ୍କୁ ଉଦ୍ଧାର କରିବାକୁ ସେ ବଦ୍ଧପରିକର ହେଲେ। ମନ୍ତ୍ରୀମାନଙ୍କୁ ଅଯୋଧ୍ୟାର ଶାସନ ଦାୟିତ୍ଵ ଦେଇ ଘୋର ତପସ୍ୟା କରିବା ଉଦ୍ଦେଶ୍ୟରେ ସେ ହିମାଳୟ ଦିଗରେ ଅଗ୍ରସର ହେଲେ। ଗୋକର୍ଣ୍ଣିକାଠାରେ ପହଞ୍ଚି ସେ ଘୋର ତପସ୍ୟାରେ ମଗ୍ନ ହେଲେ। ଭୀଷଣ ରୌଦ୍ରତାପ, ବର୍ଷା ଓ ଶୀତକୁ ଭୃକ୍ଷେପ ନ କରି, ମାସରେ ଥରେ ମାତ୍ର ଆହାର କରି ସେ କୃଚ୍ଛ୍ର ସାଧନାରେ ବହୁକାଳ ନିଜକୁ ନିୟୋଜିତ କଲେ। ଶେଷରେ ତାଙ୍କୁ ବରଦାନ କରିବା ପାଇଁ ବ୍ରହ୍ମାଙ୍କୁ ଭୂମଣ୍ଡଳକୁ ଅବତରଣ କରିବାକୁ ପଡିଲା। ଭଗିରଥଙ୍କ ସମ୍ମୁଖରେ ଉଭାହୋଇ ବ୍ରହ୍ମଦେବ ପଚାରିଲେ..ଘୋର ତପସ୍ୟାରୁ ବିରତ ହୁଅ ଏବଂ କୁହ ପୁତ୍ର ! କଣ ତୁମର ଇଚ୍ଛା ?
କରପତ୍ର ଯୋଡି ଭଗିରଥ କହିଲେ… ଭଗବନ୍ ! ଯଦି ମୋ ଉପରେ ଆପଣ ପ୍ରସନ୍ନ,ତାହେଲେ ମୋ ଦୁଇ ରାଣୀଙ୍କୁ ପୁତ୍ର ସନ୍ତାନ ଲାଭ କରିବା ବର ପ୍ରଦାନ କରନ୍ତୁ।ଏହାଦ୍ବାରା ଇକ୍ଷ୍ବାକୁ ବଂଶ ରକ୍ଷା ପାଇଯିବ। ଦ୍ବିତୀୟରେ କପିଳ ମୁନିଙ୍କ କ୍ରୋଧରେ ଭସ୍ମୀଭୂତ ହୋଇଥିବା ମୋ ପୂର୍ବଜ ମାନଙ୍କୁ ମୁକ୍ତି ଦିଅନ୍ତୁ।ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସେମାନେ।ସେମାନଙ୍କୁ ମୁକ୍ତ ନକରିପାରିବାର ଆତ୍ମଗ୍ଲାନିର ବୋଝ ସୂର୍ଯ୍ୟବଂଶୀମାନଙ୍କ ପାଇଁ ଅସହ୍ୟ ହେଉଛି ପ୍ରଭୁ !
କପିଳ ମୁନିଙ୍କ କୋପାନଳରେ ପାତାଳରେ ଦଗ୍ଧିଭୂତ ମୋ ପୂର୍ବଜ ମାନଙ୍କର ଯେଉଁ ଭସ୍ମସ୍ତୁପ ରହିଛି ପତିତପାବନୀ ଗଙ୍ଗା ଯେବେ ସେହି ସ୍ତୁପକୁ ପ୍ଳାବିତ କରିବେ ତା’ହେଲେ ସେମାନଙ୍କ ଆତ୍ମା ମୁକ୍ତିଲାଭ କରିବେ।ଆପଣ ମାତା ଗଙ୍ଗାଙ୍କୁ ସ୍ଵର୍ଗରୁ ମର୍ତ୍ତ୍ୟଲୋକକୁ ଆଣିବାର ବାଟ ବତାଇ ଦିଅନ୍ତୁ।
ବ୍ରହ୍ମା କହିଲେ..ତୁମ କଠୋର ତପ ସାଧନରେ ଦେବତାମାନେ ସନ୍ତୁଷ୍ଟ।ଗଙ୍ଗାଦେବୀ ଧରାବତରଣ କରିବେ, କିନ୍ତୁ ଯେଉଁ ବେଗରେ ତାଙ୍କର ଅବତରଣ ହେବ ତାହା ପୃଥିବୀ ସହ୍ୟ କରିପାରିବ ନାହିଁ।କେବଳ ଦେବ ଦେବ ମହାଦେବ ହିଁ ସେହି ଶକ୍ତିକୁ ସହ୍ୟ କରି ସ୍ୱାଭାବିକ ରୂପରେ ଧରାବକ୍ଷରେ ତାଙ୍କୁ ପ୍ରବାହିତ କରାଇ ପାରିବେ। ତୁମେ ତପୋବଳରେ ଶିବଙ୍କୁ ସନ୍ତୁଷ୍ଟ କର।
ଭଗିରଥ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘୋର ତପସ୍ୟାରେ ମଗ୍ନ ହେଲେ।ଭଗିରଥଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ କହିଲେ..ବତ୍ସ ! ମୁଁ ପ୍ରସ୍ତୁତ।ମୋ ଶିର ଉପରେ ପତିତ ହୋଇ ଗଙ୍ଗା ତତ୍ପରେ ସ୍ବଭାବିକ ଗତିରେ ଧରାରେ ପଦାର୍ପଣ କରନ୍ତୁ ଏବଂ ତୁମ ମନସ୍କାମନା ପୂର୍ଣ୍ଣ ହେଉ।
ଦେବଦେବ ମହାଦେବଙ୍କ ସମ୍ମତି ପରେ ଆଉ ଏକ ସମସ୍ୟା ଦେଖାଗଲା।ଗଙ୍ଗା ବିଷ୍ଣୁଙ୍କ ନଖ କୋଣରେ ଲୁକ୍କାୟିତ ହୋଇ ରହିଥିଲେ।ବାମନାବତାର ସମୟରେ ଯେତେବେଳେ ବାମନଙ୍କ ଏକ ପାଦ ସମଗ୍ର ସ୍ବର୍ଗକୁ ଆଚ୍ଛାଦିତ କରିଦେଲା,ସେତେବେଳେ ବ୍ରହ୍ମା ଗଙ୍ଗାଜଳରେ ତାଙ୍କ ପଦ ଧୌତ କରିବା ପାଇଁ ପ୍ରୟାସ କଲେ। କିନ୍ତୁ ସେ ତାହା କରିପାରିଲେ ନାହିଁ କାରଣ ଗଙ୍ଗା ବିଷ୍ଣୁଙ୍କ ପାଦର ନଖକୋଣକୁ ନିଅଣ୍ଟ ହେଲେ। ସେହି ଦିନଠାରୁ ବିଷ୍ଣୁଙ୍କ ନଖ କୋଣରେ ହିଁ ରହିଥିଲେ ଗଙ୍ଗା।ତାଙ୍କୁ ଧରାବତରଣ କରାଇବା ପାଇଁ ଭଗିରଥଙ୍କୁ ଘୋର ତପସ୍ୟାରେ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାପାଇଁ ପଡ଼ିଲା।
ଭଗିରଥଙ୍କ ପୂର୍ବପୁରୁଷଙ୍କ ପ୍ରତି କର୍ତ୍ତବ୍ୟ, ଭକ୍ତି ଓ ସମ୍ମାନ ଆଗରେ ସ୍ବୟଂ ବିଷ୍ଣୁ ମଧ୍ୟ ହାର ମାନିଲେ। ବ୍ରହ୍ମା ଓ ବିଷ୍ଣୁଙ୍କ ଆଦେଶ ପାଇ ଗଙ୍ଗା ଧରାବତରଣ ପାଇଁ ଶିବଙ୍କ ଶିରର ଜଟା ଉପରେ ନିପତିତ ହେଲେ। ଘୋର ଗର୍ଜନରେ ଗଙ୍ଗା ଶିବଙ୍କ ଜଟା ଉପରକୁ ଡେଇଁ ପଡ଼ିବା ସମୟରେ ତାଙ୍କ ମନରେ ଅହଙ୍କାର ଜାତ ହେଲା। ସେ ଭାବିଲେ…ମହାଦେବ କି ଛାର ! ତାଙ୍କ ସ୍ରୋତର ବେଗରେ ଯେଉଁଠି ହିମାଳୟ ଖଣ୍ଡଖଣ୍ଡ ହୋଇଯିବେ, ଛାର ଶିବ ବା କ’ଣ ! ତାଙ୍କୁ ସେ ଭସାଇ ନେଇ ସମୁଦ୍ର ଭିତରେ ଫିଙ୍ଗି ଦେବେ।
ଗଙ୍ଗାଙ୍କର ଏହି ଅହଙ୍କାର ମହାଦେବ ଜାଣି ପାରିଲେ।ସେ ତାଙ୍କ ବିଶାଳ ଜଟା ଭିତରେ ଗଙ୍ଗାଙ୍କୁ ହଜାଇ ଦେଲେ। ଗଙ୍ଗା ଜଟା ଭିତରୁ ବାହାରିବା ପାଇଁ ବାଟ ପାଇଲେ ନାହିଁ। ଏହା ଭଗିରଥଙ୍କ ପାଇଁ ଏକ ନୂତନ ସମସ୍ୟା। ଗଙ୍ଗାଙ୍କୁ ଜଟା-ବନ୍ଦୀଶାଳାରୁ ମୁକ୍ତି କରାଇବା ପାଇଁ ସେ ଶିବଙ୍କ ପାଦତଳେ ଘୋର ତପସ୍ୟାରେ ନିମଗ୍ନ ହେଲେ। ଭଗିରଥଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ଗଙ୍ଗାଙ୍କୁ ଜଟା ଭିତରୁ ମୁକ୍ତି ଦେଲେ। ଶିବଙ୍କ ଜଟାରୁ ମହା ଗର୍ଜନ କରି ଗଙ୍ଗା “ବିନ୍ଦୁସର” ନାମକ ସ୍ଥାନରେ ନିପତିତ ହେଲେ ଏବଂ ସେଠାରୁ ସାତ ଭାଗରେ ବିଭକ୍ତ ହୋଇ ପ୍ରବହମାନ ହେଲେ। ଗଙ୍ଗାଙ୍କର ତିନି ସ୍ରୋତ ପୂର୍ବାଭିମୁଖୀ, ଅନ୍ୟ ତିନି ସ୍ରୋତ ପଶ୍ଚିମାଭିମୁଖୀ ହୋଇ ପ୍ରବହମାନ ହେଲେ।ସପ୍ତମ ସ୍ରୋତ ଭଗିରଥଙ୍କ ଅନୁଗମନ କଲେ।
ମହା ଆନନ୍ଦରେ ଭଗିରଥ ଶଙ୍ଖ ନାଦ କରି, ରଥ ଆରୋହଣ କରି ଆଗେ ଆଗେ ଯାଉଥାନ୍ତି।ପଛେ ପଛେ ଚାଲିଥାନ୍ତି ପତିତପାବନୀ ଗଙ୍ଗା। ନୃତ୍ୟରତା ଗଙ୍ଗା ଯେତେବେଳେ ବିଜୁଳି ଭଳି ଭଗିରଥଙ୍କ ଧାବମାନ ରଥକୁ ଅନୁସରଣ କରୁଥାନ୍ତି ସେ ଅବର୍ଣ୍ଣନୀୟ ଶୋଭା ଦର୍ଶନ କରିବା ପାଇଁ ସ୍ବର୍ଗରୁ ଦେବତା, ଗନ୍ଧର୍ବ, ବିମ୍ବାଧର ଏବଂ ବିମ୍ବାଧରୀମାନେ ଅପଲକ ଦୃଷ୍ଟିରେ ଚାହିଁ ରହିଥାନ୍ତି।
କିନ୍ତୁ ହଠାତ୍ ଏକ ଅଘଟଣ ଘଟିଲା। ଆଗରେ ଜହ୍ନୁ ମହର୍ଷିଙ୍କ ଆଶ୍ରମ।ଆଶ୍ରମରେ ତପସ୍ୟାରେ ମଗ୍ନ ଥିଲେ ମହର୍ଷି।ନୃତ୍ୟରତା ଗଙ୍ଗା ପ୍ରବଳ ବେଗରେ ଆଶ୍ରମ ଭିତରେ ପ୍ରବେଶ କରି ଜହ୍ନୁଙ୍କର ଯଜ୍ଞପୀଠକୁ ପ୍ଳାବିତ କରି ଧ୍ବସ୍ତ ବିଧ୍ବସ୍ତ କରିଦେଲେ। ମହା କ୍ରୋଧରେ ଜହ୍ନୁ ଗଙ୍ଗାଙ୍କୁ ଚଳୁ କରିଦେଲେ। ନିଶ୍ଚିହ୍ନ ହୋଇଗଲେ ଗଙ୍ଗା।
ମଥା ଯୋଡି ବିଷର୍ଣ୍ଣ ମନରେ ସେଠାରେ ବସିଗଲେ ଭଗିରଥ। ପିତୃ ପୁରୁଷମାନଙ୍କ ପାଇଁ ଜୀବନକୁ ତିଳ ତିଳ କରି ଉତ୍ସର୍ଗ କରିଥିବା ଭଗିରଥଙ୍କ ତପସ୍ୟାର ପରିଣତି ଦେଖି ଏବଂ ଗଙ୍ଗାଙ୍କ ଦୁର୍ଦ୍ଦଶା ଦେଖି ଦେବତାମାନେ ଜହ୍ନୁଙ୍କୁ ଅନୁରୋଧ କଲେ ଗଙ୍ଗାଙ୍କୁ ମୁକ୍ତି ଦେବାପାଇଁ। ଦେବତାମାନଙ୍କର ଅନୁରୋଧ ଫଳପ୍ରଦ ହେଲା। ଜହ୍ନୁ ଦକ୍ଷିଣ କର୍ଣ୍ଣ ପଥ ଦେଇ ଗଙ୍ଗାଙ୍କୁ ମୁକ୍ତି ଦେଲେ। ଜହ୍ନୁଙ୍କ ଶରୀର ମାଧ୍ଯମରେ ବହିର୍ଭୂତ ହୋଇଥିବାରୁ ଗଙ୍ଗାଙ୍କ ଅନ୍ୟ ନାମ ହେଲା ଜାହ୍ନବୀ।
ଏହାପରେ ଗଙ୍ଗାଙ୍କ ଗତିପଥରେ ଆଉ କୌଣସି ବାଧା ଆସିଲା ନାହିଁ। ଗଙ୍ଗା ସାଗରରେ ନିପତିତ ହୋଇ ପାତାଳରେ ପ୍ରବେଶ କଲେ ଏବଂ ଭଗିରଥଙ୍କୁ ଅନୁସରଣ କରି କପିଳ ମହର୍ଷିଙ୍କ ଆଶ୍ରମରେ ପ୍ରବେଶ କଲେ।ସଗରଙ୍କ ଷାଠିଏ ହଜାର ପୁତ୍ରଙ୍କ ପାଉଁଶ ସ୍ତୁପକୁ ଗଙ୍ଗା ପ୍ଲାବିତ କରିବା ପରେ ସଗରଙ୍କ ପୁତ୍ରମାନଙ୍କର ଅତୃପ୍ତ ଆତ୍ମାମାନେ ଶାନ୍ତି ପାଇଲେ। ଭଗିରଥଙ୍କ ପ୍ରଚେଷ୍ଟାରେ ଧରାବତରଣ କରିଥିବାରୁ ଗଙ୍ଗାଙ୍କ ଅନ୍ୟନାମ ହେଲା ଭାଗିରଥି।
ଭଗୀରଥ ଗଙ୍ଗାଙ୍କର ସାଗର ସହିତ ସଙ୍ଗମ ସ୍ଥଳୀ ହିଁ ଗଙ୍ଗାସାଗର | ମକର ସଂକ୍ରାନ୍ତିରେ ଦେବୀ ଗଙ୍ଗାଙ୍କ ଧାରା ସଗରମାନଙ୍କୁ ମୁକ୍ତ କରିଥିଲା ବୋଲି ଏହା ଏକ ପବିତ୍ର ଦିବସ | ଏହାକୁ ଏକ ପୂଣ୍ୟ ତିଥି ମନେ କରି ବିଭିନ୍ନ ନଦ ନଦୀରେ ମକର ବୁଡ଼ ପକାଯାଏ | ଭଗୀରଥଙ୍କ ତପସ୍ୟାରୁ ନାରାୟଣ ଦର୍ଶନ ଓ ପରେ ପଦଧୌତ , ଏହି ପଦଧୌତ ଜଳରାଶିର ଧାରା ହିଁ ଗଙ୍ଗାର ଧାରା | ଏହିଠାରୁ ଆରମ୍ଭ ହୁଏ ଗଙ୍ଗାଙ୍କର ଜନ୍ମବୃତ୍ତାନ୍ତ | ଜ୍ୟେଷ୍ଠ ଶୁକ୍ଳ ଦଶମୀ ଗଙ୍ଗାଙ୍କର ଜନ୍ମ | ଏହି ଦିନଟି ଗଙ୍ଗା ଜୟନ୍ତୀ ନାମେ ବିଦିତ , ସେ ପୁଣି ଦଶ ପାପ ହାରିଣୀ ଏଣୁ ଏହି ଦିବସକୁ ଗଙ୍ଗା ଦଶହରା ବୋଲି କୁହନ୍ତି | ଏହିଦିନ ଗଙ୍ଗା ନାରାୟଣ ନାମରେ ଯେ କୌଣସି ନଦୀ ବା ଜଳାଶୟରେ ସ୍ନାନ ବା ବୁଡ଼ ପକାଇଲେ ସକଳ ପାପ ଦୂରିତ ହୁଏ ବୋଲି ବିଶ୍ୱାସ | କିଛି ନ ହେଲେ ଗଙ୍ଗାଜଳ ଟୋପାଏ ମଥ ସିଞ୍ଚନ ବା ଉଦରସ୍ଥ କରିବା ଏହି ଦିନରେ ଉଚିତ୍ ମନେ କରାଯାଏ ।
ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନଦୀକୁ ମା’ ବୋଲି ସମ୍ବୋଧନ କରାଯାଏ l ଜଳକୁ ପାପ ଧୌତ କରିବାର ଶ୍ରେଷ୍ଠ ମାର୍ଗ ବୋଲି ବିବେଚନା କରାଯାଏ l ପୁରାଣରେ ଗଙ୍ଗାନଦୀକୁ ଗଙ୍ଗାମାତା ବୋଲି କୁହାଯାଇଛି l ଗଙ୍ଗାମାତାଙ୍କୁ ସ୍ମରଣ କଲେ, ଗଙ୍ଗାନଦୀର ଦର୍ଶନ କଲେ ଏବଂ ଏହି ନଦୀର ଜଳକୁ ଗ୍ରହଣ କଲେ ମନୁଷ୍ୟର ଜନ୍ମ ଜନ୍ମର ପାପ କ୍ଷୟ ହେବାସହ ମନୁଷ୍ୟ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଅନେକଙ୍କ ବିଶ୍ୱାସ l କଳିଯୁଗରେ ଗଙ୍ଗାକୁ ହିଁ ପ୍ରଧାନ ତୀର୍ଥ କୁହାଯାଉଛି l ଆଜିର ପବିତ୍ର ଦିବସରେ ଭଗବତୀ ଗଙ୍ଗା ସମସ୍ତ ନଦୀରେ ପ୍ରବାହିତ ହୋଇଥାନ୍ତି l ତେଣୁ ଆଜିର ଦିବସ ରେ ପ୍ରାତଃ କାଳ ରେ ନିଜର ନିତ୍ୟକର୍ମ ସମାପ୍ତ କରି ନିକଟସ୍ଥ ନଦୀ କୁ ଯାଇ ପ୍ରଥମେ ବିଧି ପୂର୍ବକ ଗଙ୍ଗା ପୂଜନ କରିବା ଉଚିତ l
ମାତା ଙ୍କୁ ଦୁଗ୍ଧ , ପଞ୍ଚାମୃତରେ ସ୍ନାନ କରାଇ, ଶ୍ୱେତ ବସ୍ତ୍ର ଦେବା ସହ, ଚନ୍ଦନ, ଶ୍ୱେତ ପୁଷ୍ପ, ଧୂପ, ଦୀପ , ଲିଆ କ୍ଷୀର ନୈବେଦ୍ୟ କରିବା ସହ ବିଧି ପୂର୍ବକ କର୍ପୁର ଆରତୀ କରିବା ଉଚିତ l ତା ପରେ କିଛି ଦକ୍ଷିଣା ନଦୀ ଗର୍ଭରେ ପକାଇ ସ୍ଵୟମ ଆନନ୍ଦ ମନ ରେ ନାରାୟଣଙ୍କୁ ସ୍ମରଣ କରି ସ୍ନାନ କଲେ ଗଙ୍ଗା ସ୍ନାନର ଫଳ ମିଳେ l ଏହିଦିନ ସମ୍ପୂର୍ଣ ହବିଷ ଭୋଜନ କରିବା ଉଚିତ l
l ସ୍ନାନ ମନ୍ତ୍ର l
ଗଙ୍ଗେ ଚ ଯନୁନେ ଚୈବ
ଗୋଦାବରୀ ସରସ୍ବତୀ l
ନର୍ମଦେ ସିନ୍ଧୁ କାବେରୀ
ଜଳେ ଅସ୍ମିନ୍ ସନ୍ନିଧିମ୍ କୁରୁ l
ଶୁଣ ରାଜନ ପରୀକ୍ଷିତ । ସେ ଯଜ୍ଞପୁରୁଷ ଅଚ୍ୟୁତ ॥ ୧
ମାୟାବାମନ ଅବତାର । ତାହାଙ୍କ ବାମ ଯେ ପୟର ॥ ୨
ଯାହା କନିଷ୍ଟଅଙ୍ଗୁଳିରେ । ବ୍ରହ୍ମାଣ୍ତ ଭାଜିଲା ନିର୍ଭରେ ॥ ୩
ତହୁଁ ଅଦ୍ଭୁତ ଜଳଧାର । କି ଅବା ଦେବା ପଟାନ୍ତର ॥ ୪
ଦୁରିତ ନାଶଇ ସ୍ମରଣେ । ପ୍ରାଣୀ ତରନ୍ତି ସ୍ନାନପାନେ ॥ ୫
ତହୁଁ ଗଳିଣ ଅତିଖରେ । ପଡ଼ିଲା ତୁଙ୍ଗ-ପର୍ବତରେ ॥ ୬
ଧରାରେ ଅବତୀର୍ଣ୍ଣ ହୋଇ । ଜୀବଙ୍କ କଲ୍ୟାଣ ସାଧଇ ॥ ୭
ଧ୍ରୁବ ପରମଭାଗବତ । ଜାଣିଲେ ବିଷ୍ଣୁ ପଦାମୃତ ॥ ୮
ଭକ୍ତିଯୋଗରେ ବଶ ହୋଇ । ଆନନ୍ଦେ ରୋମ ପୁଲକାଇ ॥ ୯
ମାର୍ଜନ କରିବା ନିମନ୍ତେ । ଶିରରେ ଘେନିଲେ ତୁରିତେ ॥ ୧୦
ତେଣୁ ସପତମୁନିଗଣ । ପ୍ରଭାବ ଜାଣି ତତକ୍ଷଣ ॥ ୧୧
ସକଳଆତ୍ମା-ଭଗବାନେ । ତପ ସମାଧି ଯୋଗଧ୍ୟାନେ ॥ ୧୨
ମୋକ୍ଷ-କାରଣେ ସେ ଭଜନ୍ତି । ପ୍ରଭୁର ମହିମା ଗୁଣନ୍ତି ॥ ୧୩
ସେ ଜଳ ପାଇ ତୁଷ୍ଟ ହୋଇ । ଜଟାରେ ଥୋଇଲେ ସେ ନେଇ ॥ ୧୪
ସେ ଗଙ୍ଗା ସ୍ୱର୍ଗରୁ ଗମିଲା । ଚନ୍ଦ୍ରମଣ୍ତଳ ଆଚ୍ଛାଦିଲା ॥ ୧୫
ତାହାକୁ ଲକ୍ଷ୍ୟ କରି ଗଲା । ବ୍ରହ୍ମ ସଦନେ ସେ ପଡିଲା ॥ ୧୬
ତହୁଁ ସେ ଚାରିଧାରା ହୋଇ । ଚତୁର୍ଦ୍ଧାରୂପକୁ ବହଇ ॥ ୧୭
ଶୁଣ ପରୀକ୍ଷ ନୃପବର । ଏ ନାମ ଚାରିଟି ତାହାର ॥ ୧୮
ସୀତା ଅଳକନନ୍ଦା ଦୁଇ । ଚକ୍ଷୁ ଭଦ୍ରା ନାମକୁ ବହି ॥ ୧୯
ଚାରିଦିଗରେ ଏ ଭ୍ରମନ୍ତି । ସିନ୍ଧୁରେ ପ୍ରବେଶ ହୁଅନ୍ତି ॥ ୨୦
ବ୍ରହ୍ମସଦନୁ ସୀତା ଯାଇ । କେଶରାଚଳେ ସେ ପଡଇ ॥ ୨୧
ଅଧ-ଅଧରେ ଭ୍ରମିଯାଇ । ଗନ୍ଧମାର୍ଦ୍ଦନେ ସେ ପଡ଼ଇ ॥ ୨୨
ତାହାର ଶୃଙ୍ଗରେ ବିହରି । ଭଦ୍ରାଶ୍ୱବର୍ଷ ଶୁଦ୍ଧ କରି ॥ ୨୩
କ୍ଷାରସିନ୍ଧୁର ପୂର୍ବଭାଗେ । ପ୍ରବେଶ କରିଅଛି ବେଗେ ॥ ୨୪
ବ୍ରହ୍ମାସଦନୁ ଚକ୍ଷୁ ଯାଇ । ମାଲ୍ୟବନ୍ତଶିଖେ ପଡ଼ଇ ॥ ୨୫
କେତୁମାଳର ମଧ୍ୟ ଦେଇ । ପଶ୍ଚିମ-ସମୁଦ୍ରେ ମିଶଇ ॥ ୨୬
ମେରୁଶିଖରୁ ଭଦ୍ରା ଯାଇ । ଉତ୍ତରଦିଗେ ସେ ଭ୍ରମଇଁ ॥ ୨୭
ଉତ୍ତରକୁରୁ ବେଢି ଖରେ । ସମୁଦ୍ରେ ମିଶଇ ଉତ୍ତରେ ॥ ୨୮
ଅଳକନନ୍ଦା ନାମ ହୋଇ । ବହୁଗିରିରେ ସେ ଭ୍ରମଇ ॥ ୨୯
ସୁବର୍ଣ୍ଣଗିରି ହିମାଳୟ । ତାହାକୁ କରି ସେ ଆଶ୍ରୟ ॥ ୩୦
ଅତିପ୍ରଖର ବେଗବଶେ । ପଡ଼ଇ ଭାରତ ବରଷେ ॥ ୩୧
ତହୁଁ ଲବଣ-ସିନ୍ଧୁଜଳେ । ପ୍ରବେଶ ହୁଅଇ ନିଶ୍ଚଳେ ॥ ୩୨
ଅନ୍ୟ ଯେ ନଦନଦୀ ଯେତେ । ଶତସହସ୍ର ଯେଥାମତେ ॥ ୩୩
ନାନାଗିରିରୁ ଜାତ ହୋଇ । ସିନ୍ଧୁରେ ପ୍ରବେଶନ୍ତି ଯାଇ ॥
ଭଗୀରଥ ଜନ୍ମ ବୃତ୍ତାନ୍ତ…..
ସୂର୍ଯ୍ୟବଂଶୀ ରାଜା ଭରତ | ତାଙ୍କ ନାମାନୁସାରେ ଆମ ଦେଶର ନାମ ଭାରତ I ସେତେବେଳେ ଭାରତର ରାଜଧାନୀ ଥିଲା ଅଯୋଧ୍ୟା | ଭରତ ଅତ୍ୟନ୍ତ ପରାକ୍ରମୀ ଏବଂ ଧର୍ମଶୀଳ ରାଜା ଥିଲେ କିନ୍ତୁ ତାଙ୍କ ପୁତ୍ର ମହାରାଜ ବାହୁ ଧର୍ମଭୀରୁ ଥିଲେ ମଧ୍ୟ ପରାକ୍ରମୀ ନ ଥିବାରୁ ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହୋଇ ବନଗାମୀ ହେଲେ | ତାଙ୍କର ଦୁଇରାଣୀ ଥିଲେ..ପାରିବାରିକ କଳହରୁ ଜଣେ ବିଷପାନ କରି ପ୍ରାଣ ତ୍ୟାଗ କଲେ. ଅନ୍ୟ ଜଣକ ରାଣୀଠାରୁ ସଗର ଜନ୍ମ ଗ୍ରହଣ କଲେ | ତାଙ୍କର ମଧ୍ୟ ଦୁଇ ପତ୍ନୀ ଥିଲେ | ପ୍ରଥମ ପତ୍ନୀ ସୁମତୀଙ୍କ ଔରସରୁ ୬୦ ହଜାର ପୁତ୍ର ଜନ୍ମ ଗ୍ରହଣ କଲେ | ଦ୍ୱିତୀୟ ରାଣୀ କେଶିନୀଙ୍କ ଗର୍ଭରୁ ଏକମାତ୍ର ପୁତ୍ର ସନ୍ତାନ ଅସମଞ୍ଜ ବା ଅଶମଞ୍ଜସକୁ ଜନ୍ମ ଦେଲେ, କିନ୍ତୁ ସେ ବହୁତ ଦୁଷ୍ଟ ଥିଲା | ସଗର ଅଶ୍ୱମେଧ ଯଜ୍ଞ ନିମନ୍ତେ ଷାଠିଏ ହଜାର ପୁତ୍ରଙ୍କୁ ଅଶ୍ୱକୁ ଅନ୍ୱେଷଣ କରିବାକୁ ନିର୍ଦ୍ଦେଶ ଦେଲେ | କାଳେ ଅଶ୍ୱମେଧ ଯଜ୍ଞ କରି, ସଗର ସ୍ୱର୍ଗର ରାଜା ହୋଇଯିବେ ସେ ଭୟରେ ଇନ୍ଦ୍ର କପଟ କରି ଅଶ୍ୱକୁ ପାତଳପୁରୀ କପିଳମୁନିଙ୍କ ଆଶ୍ରମରେ ବାନ୍ଧି ଦେଲେ | ସଗର ପୁତ୍ରମାନେ ସାଗର ଖୋଳି ଅଶ୍ୱକୁ ଖୋଜି ଖୋଜି ସେଠାରେ ପହଞ୍ଚିଲେ ଏବଂ ମୁନିଙ୍କୁ ଚୋର ବୋଲି କହି ଅପମାନିତ କରିବାରୁ, ସେ ଅଭିଶାପ ଦେଇ ସେମାନଙ୍କୁ ଭସ୍ମ କରିଦେଲେ | ଏମାନେ ନ ଫେରିବାରୁ ସଗର ଦ୍ୱିତୀୟ ପତ୍ନୀଙ୍କ ପୁତ୍ର ଅସମଜ୍ଞ ବା ଅଶମଞ୍ଜସଙ୍କ ପୁତ୍ର ଅର୍ଥାତ୍ ନାତି ଅଂଶୁମାନଙ୍କୁ ସେମାନଙ୍କୁ ଖୋଜିବାକୁ ପଠାଇଲେ ଏବଂ ସେ କପିଳଙ୍କଠାରୁ ଅଶ୍ୱ ଆଣି ଯଜ୍ଞ ସମ୍ପନ୍ନ କଲେ ଓ ପ୍ରକୃତ ଘଟଣାକୁ ସଗରଙ୍କୁ ଜଣାଇଲେ | ତେବେ ପିତୃତ୍ତ୍ୟମାନଙ୍କ ଉଦ୍ଦେଶ୍ୟରେ ଜଳ ତର୍ପଣ କରିବାକୁ ଗଲାବେଳେ, ଗୋଟିଏ ପକ୍ଷୀ ଅଂଶୁମାନଙ୍କୁ କହିଥିଲା ଯେ ଜଳ କି ତିଳ ତର୍ପଣ ନୁହେଁ, ସେମାନଙ୍କର ମୁକ୍ତି ପାଇଁ ଗଙ୍ଗାଙ୍କର ପବିତ୍ର ଧାରାର ସ୍ପର୍ଶ ଦରକାର ଅଛି | ସେଥିପାଇଁ ଅଂଶୁମାନ କଠୋର ତପସ୍ୟା କଲେ ମଧ୍ୟ ତାହା ନିରର୍ଥକ ହେଲା | ତା’ପରେ ତାଙ୍କ ପୁତ୍ର ଦିଲ୍ଲିପ ମଧ୍ୟ ଚେଷ୍ଟା କରି ବିଫଳ ହେଲେ | ସେ ନିଃସନ୍ତାନ ଥିଲେ | ତାଙ୍କର ଦୁଇ ବିଧବା ପତ୍ନୀ ଭଦ୍ରା ଓ ସୁଭଦ୍ରାଙ୍କୁ ବଂଶରକ୍ଷା ନିମନ୍ତେ ପ୍ରେମାବଦ୍ଧ ହେବାକୁ ଐବଋଷି ପରାମର୍ଶ ହେଲେ | ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ହେଲେ ଏବଂ ମାଂସ ପିଣ୍ଡୁଳାଟିଏ ଜନ୍ମ ଦେଲେ | ପୁଣି ଋଷିଙ୍କ ପରାମର୍ଶ କ୍ରମେ ରାଣୀ ତାଙ୍କୁ ରାଜପଥରେ ଶୁଆଇ ଦେଲେ | ସେହି ସମୟରେ ଅଷ୍ଟବକ୍ର ଋଷି ଯାଉଥିବା ବେଳେ ମାଂସ ପିଣ୍ଡୁଳାଟି ଦୃଷ୍ଟିଗୋଚର ହେଲା | ସେହି ମାଂସ ପିଣ୍ଡୁଳାଟିର ଅସ୍ଥିର ରୂପ ଦେଖି କାଳେ ଏହା ତାଙ୍କୁ ବିଦ୍ରୁପ କରୁଛି ବୋଲି ଭାବି ଅଭିଶାପ ଦେଇ କହିଲେ: ଉପହାସ କରୁଥିଲେ ଧ୍ୱଂସ ପାଇଯାଅ, ନୋହିଲେ ଦିବ୍ୟ ପୁରୁଷ ପାଲଟି ଯାଅ | ଅଭିଶାପ ଆଶୀର୍ବାଦ ହେଲା, ସେ ହେଲେ ଭଗୀରଥ | ଭଗୀରଥ ପୂର୍ବପୁରୁଷଙ୍କ କାହାଣୀ ଶୁଣିଲେ ଏବଂ ସେମାନଙ୍କ ପାପଗ୍ରସ୍ତ ଦଗ୍ଧ ଶରୀର ଓ ଆତ୍ମାର ମୁକ୍ତି ନିମନ୍ତେ ସେ ନିର୍ଘାତମୁନି, କପିଳାସ, ପ୍ରଜାପତି, ବୈକୁଣ୍ଠପୁରୀ, ମେରୁଗିରି, ଐରାବତ, ଇନ୍ଦ୍ରପୁରୀ, ଜହ୍ନିଋଷି, ଯମୁନା, ସରସ୍ୱତୀ ଏବଂ ମାଧବ ନାରାୟଣ ଇତ୍ୟାଦି ଧାମରେ ୧୨ବର୍ଷ ଲେଖାଏଁ ଧରି ୧୪୪ବର୍ଷ ତପଶ୍ମାରଣ କରିଛନ୍ତି: ଏହି ଦିବସଟି ଚୈତ୍ର ଶନିବାର କୃଷ୍ଣ ତ୍ରୟୋଦଶୀ ଥିଲା| ଏବେ ବି ଏହି ଦିବସଟିର ବାରୁଣୀ ସ୍ନାନ ବା ବୁଡ଼ ଦୃଷ୍ଟିରୁ ତାତ୍ପର୍ଯ୍ୟ ଅଛି |
ଜୟ ଶ୍ରୀଜଗନ୍ନାଥ