Spread the love

ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଗୁରୁବାର ଭାରତରୁ ଫେରିଯାଇଛନ୍ତି। ସେ ୫ ଦିବସୀୟ ଭାରତ ଯାତ୍ରାରେ ଆସିଥିଲେ। ଫେରିବା ବେଳେ ହୀନ୍ଦ ମହାସାଗର ଦ୍ୱୀପ ସମୂହଙ୍କୁ ନିରନ୍ତର ଆର୍ଥିକ ସହାୟତା ନିମନ୍ତେ ଭାରତକୁ କୃତଜ୍ଞତା ଜଣାଇଛନ୍ତି। ୨୦୨୩ରେ ମାଲଦ୍ୱୀପ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୁଇଜ୍ଜୁଙ୍କ ଏହା ପ୍ରଥମ ଭାରତ ଯାତ୍ରା ଥିଲା। ଏହି ଯାତ୍ରା କାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ବରିଷ୍ଠ ଭାରତୀୟ ଅଧିକାରୀଙ୍କ ସହ ବୈଠକ କରିଛନ୍ତି

ମାଲଦ୍ୱୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଗୁରୁବାର କହିଛି ଯେ ଯାତ୍ରା କାଳରେ ବ୍ୟାପକ ଆର୍ଥିକ ଓ ସାମୁଦ୍ରିକ ସୁରକ୍ଷା ମାମଲାରେ ଚର୍ଚ୍ଚା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଇଜ୍ଜୁଙ୍କ ସାକ୍ଷାତରେ ସାମାଜିକ ଆବାସ, ଭିତ୍ତିଭୂମି ବିକାଶ, କୃଷି ଓ ମତ୍ସ୍ୟପାଳନ, ବ୍ୟବସାୟ ଓ ନିବେଶ, ମାନବ ସମ୍ବଳ ବିକାଶ, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ରିନ୍ୱେବଲ ଏନର୍ଜୀ ଓ ସାମୁଦ୍ରିକ ସୁରକ୍ଷା ସହଯୋଗ ଭଳି କ୍ଷେତ୍ର ଆଲୋଚନାରେ ସ୍ଥାନ ପାଇଥିଲା

ମାଲଦ୍ୱୀପ ରାଷ୍ଟ୍ରପତି ପ୍ରଥମ ମହିଳା ସାଜିଦା ମହମ୍ମଦଙ୍କ ସହିତ ଆଗ୍ରା ଗସ୍ତ ମଧ୍ୟ କରିଥିଲେ। ଏହି ଯାତ୍ରାର ଅଂଶ ସ୍ୱରୂପ ମୁମ୍ବାଇ ଓ ବେଙ୍ଗାଲୁରୁରେ ବ୍ୟବସାୟୀକ ବୈଠକ ମଧ୍ୟ କରିଛନ୍ତି। ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରେ ଆୟୋଜିତ ବ୍ୟବସାୟୀକ ମଞ୍ଚରେ ମୁଇଜ୍ଜୁ ପର୍ଯ୍ୟଟନ ଉଦ୍ୟୋଗ ଲାଗି ମାଲଦ୍ୱୀପର ଅସାଧାରଣ କ୍ଷମତା ଉପରେ ଆଲୋକପାତ କରିଥିଲେ ଓ ଭବିଷ୍ୟତରେ ସହଯୋଗର ରୂପରେଖ ପ୍ରସ୍ତୁତ କରିଥିଲେ

ଏହି ଅବସରରେ ମୁଇଜ୍ଜୁ ଆର୍ଥିକ ସହାୟତା ନିମନ୍ତେ ଭାରତକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଲଦ୍ୱୀପ ରାଜକୀୟ ଯାତ୍ରା ନିମନ୍ତେ ଆମନ୍ତ୍ରଣ କରିଛନ୍ତି। ଉଭୟ ଦେଶ ନିଜର ଦୀର୍ଘକାଳୀକ ସମ୍ପର୍କକୁ ମଜଭୁତ କରିବା ଓ ପାରସ୍ପାରିକ ବିକାଶ ଓ ସମୃଦ୍ଧି ଦିଗରେ କାମ କରିବା ପାଇଁ ନିଜର ସଂକଳ୍ପ ଦୋହରାଇଛନ୍ତି

Leave a Reply

Your email address will not be published. Required fields are marked *