ଜଳେଶ୍ବର ଶୈବ ପୀଠରୁ ମାଲ୍ୟବନ୍ତ ମହୋତ୍ସବର ହେଲା ଶୁଭାରମ୍ଭ
ମାଲକାନଗିରି, ୨୯/୧୧
କୋରୁକୋଣ୍ଡା ସ୍ଥିତ ଜଳେଶ୍ବର ଶୈବ ପୀଠରୁ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ମାଲ୍ୟବନ୍ତ ମହୋତ୍ସବ ପୋଷ୍ଟର ଓ ପ୍ରୋମୋ ସଙ୍ଗୀତକୁ ମଧ୍ଯ ଉନ୍ମୋଚନ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋରୁକୋଣ୍ଡା ସୁଜିତ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଜଳେଶ୍ବର ଶୈବ ପୀଠ ଠାରେ କଳସ ପୂଜନ ଓ କଳସ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାରେ ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ଶୈବ ପୀଠରୁ କଳସ ଶୋଭାଯାତ୍ରାରେ ନାଚଗୀତ ମାଧ୍ୟମରେ କୋରୁକୁଣ୍ଡା ସ୍ଥିତ ମାଉଲୀ ମନ୍ଦିରକୁ ନିଆଯାଇଥିଲା । ସେହିପରି କୋରୁକୋଣ୍ଡା ଠାରେ ଆଜି ବ୍ଲକ ସ୍ତରୀୟ ମହୋତ୍ସବକୁ ଉଦ୍ଘାଟନ କରାଯାଇଛି । ସେଠାରୁ ଏକ ରଥରେ ସମସ୍ତ କଳସକୁ ସଦର ମହକୁମା ସ୍ଥିତ ଭୈରବ ମନ୍ଦିରକୁ ଅଣାଯାଇଥିଲା। କଳସକୁ ପୂଜାର୍ଚ୍ଚନା କରି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ କଳସ ଗୁଡ଼ିକୁ ରଖାଯାଇଛି। ଏଠାରେ ମଧ୍ଯ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ମନସ୍ୱୀ ସେଠୀ ଓ ଶଶାଙ୍କ ମିଶ୍ରଙ୍କ ସମେତ ମହୋତ୍ସବ କମିଟିର ସଦସ୍ୟ ଉପସ୍ଥିତ ଥିଲେ।