Spread the love

ମଥା ଯାହା ପାରେ … …

ବିଜ୍ଞାନୀଟେ ଯେବେ କାହିଁ କିଛି ଖୋଜିଚାଲେ,
ତା’ କାମ ସହଜ ଲାଗେ ବାହାରୁ ଦେଖିଲେ।
ମନେହୁଏ କେହି ବି ତ ଏହା କରିପାରେ,
କାମକୁ ଦୋହରାଇଲେ ଏକା ଫଳ ମିଳେ।

ଯେତେ କାମ ଚାଲିଥାଏ ଦେଖାଳି ଆଗରେ,
ତାହା ତା’ର ମଥା ଲାଗି ମଞ୍ଚଟିଏ ତୋଳେ।
ଯାହା ଫଳ ମିଳିଥାଏ ବାହାର ଖୋଜାରେ,
ମଥା ତାକୁ ରାନ୍ଧିଥାଏ ନୂତନ ରୂପରେ।

ମଥା ଯାହା କରିଥାଏ କେ’ ଦେଖି ନ ପାରେ,
ବିଜ୍ଞାନର ମୂଳ ଖୋଜା ଉଧାଏ ମଥାରେ।

ବିଜ୍ଞାନୀଟେ ଯେବେ କାହିଁ କିଛି ଖୋଜିଚାଲେ,
ତା’ କାମ ସହଜ ଲାଗେ ବାହାରୁ ଦେଖିଲେ। (୦)

ଆଖି ଦେଖେ, ହାତ ଖୋଜେ, ମଥା ଚଷିଚାଲେ,
କେତେ ସେ ଘାଣ୍ଟେ ଚକଟେ ତା’ ଚଷିଲାବେଳେ।
ଆଖି ମୁଜି ମଥା ଯେବେ ଅତି ଭାବିଚାଲେ,
ଏ ଧାରାରେ ଝଟ୍-କିନା ବୋଧ ଉଇଁପାରେ।

ଯାଦୁ ପରି ଲାଗିଥାଏ ମଥା ଯାହା କରେ,
ଥିର ଭାବେ ଭାବୁ ଭାବୁ ଫଳ ତାକୁ ମିଳେ।
ଏ ଧାରେ ଭାବିଲାବେଳେ ସିଏ ସବୁ ଭୁଲେ,
ସେ କାଳେ ହିଁ ମୂଳ ସତ ଉଭା ହୋଇପାରେ।

ଯିଏ ପ୍ରାଣ ଢାଳି ଲାଗେ ସେ ହିଁ ସତ ଜାଣେ,
ଅନେକ କାଳରେ ସତ ଆପେ ଉଇଁଚାଲେ।
ବିଜ୍ଞାନୀଟି ଭାବି ଭାବି ଯେବେ ହାରିଯାଏ,
ସତ ଆପେ ଉଭା ହୁଏ ତାହା ସପନରେ।

ପୂରା ହଜିପାରିଲେ ହିଁ ସତଟିକ ମିଳେ,
ଏ ଧାରାରେ ଲାଗିଲେ ହିଁ ବିଜ୍ଞାନ କଅଁଳେ।

ବିଜ୍ଞାନୀଟେ ଯେବେ କାହିଁ କିଛି ଖୋଜିଚାଲେ,
ତା’ କାମ ସହଜ ଲାଗେ ବାହାରୁ ଦେଖିଲେ। (୧)

ଆଖି ଯାହା ଖୋଜେ ଅବା ହାତ ଯାହା କରେ,
ମଣିଷର କୁତୂହଳୀ ରହେ ତା’ ପଛରେ।
ମଥା ଯେତେ ରୁଚିନିଏ ନୂଆ ଜାଣିବାରେ,
କୁତୂହଳୀ ତେଜେ ସେତେ ତାହାରି ମନରେ।

ଆଖି ନିରେଖି ଅନାଏ ଅସରା ଭୋକରେ,
ଦେହ ତା’ର ବଢ଼ିଚାଲେ ଯହିଁ ଯାହା ମିଳେ।
ହାତ ପରଖି ଚାଲଇ ଅତି ଯତନରେ,
ଯାହା ଦିଶେ ତାକୁ ମାପି ହାତ ଟିପି ଚାଲେ।

ବିଜ୍ଞାନରେ ଖୋଜାଚାଲେ ମଥାର ବଳରେ,
ସିଏ ଯାହା କରିପାରେ, କେ’ ଭାବି ନ ପାରେ।
କୁନି ସିନା ଏଇ ମଥା କି’ ଶକତି ଧରେ,
ଜଗତରେ କିଛି ନାହିଁ ଯାହା ସେ ନ କରେ।

ନୂଆ ଏକ ଦୁନିଆକୁ ସିଏ ରଚିପାରେ,
ଅମାପ ଶପଥ ସିଏ ଯାଦୁକରଟିଏ।

ବିଜ୍ଞାନୀଟେ ଯେବେ କାହିଁ କିଛି ଖୋଜିଚାଲେ,
ତା’ କାମ ସହଜ ଲାଗେ ବାହାରୁ ଦେଖିଲେ। (୨)

ରଚନା, ସ୍ୱର ଓ କଣ୍ଠ: ଡ଼. ବିନୟକୃଷ୍ଣ ପଟ୍ଟନାୟକ
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ ୨୦୨୫

Related Post

Leave a Reply

Your email address will not be published. Required fields are marked *