Spread the love

ମଣିଷ କଦାପି ଜାଣିପାରେନା କଣ କେତେବେଳେ କରିବ ଓ ଯାହା କରୁଥାଏ ତାହା କେତେ ଚିରସ୍ତାଇ.କେବଳ ସର୍ବଜ୍ଞ,ସନାତନ, ଆଦିପୁରୁଷ ଭଗବାନ୍ ହିଁ ଜଗତର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ କରିବାକୁ ସମର୍ଥ । ତାହାଙ୍କ ବ୍ୟତୀତ ଅନ୍ୟ ଦେହାଭିମାନୀ ଓ ଯୁଦ୍ଧଲିପସୁ ଆତତାୟୀମାନେ ସବୁବେଳେ ବିଜୟ ଲାଭ କରନ୍ତି ନାହିଁ; ସେମାନେ କେବେ ଜିତନ୍ତି,ତ କେବେ ହାରନ୍ତି ।

ଏ ସମସ୍ତ ଲୋକ ଓ ଲୋକପାଳମାନେ ଜାଲରେ ପଡ଼ିଥିବା ପକ୍ଷୀମାନଙ୍କ ପରି ଯେଉଁ କାଳର ଅଧିନରେ ରହି ସକଳ କର୍ମ କରୁଛନ୍ତି, ସେ ହିଁ ସମସ୍ତଙ୍କର ଜୟ-ପରାଜୟର କାରଣ । ସେହି କାଳ ମନୁଷ୍ୟର ମନୋବଳ,ଇନ୍ଦ୍ରିୟବଳ,ଶରୀରବଳ,ପ୍ରାଣ,ଜୀବନ ଓ ମୃତ୍ୟୁ ରୂପରେ ରହିଥାଏ । ମନୁଷ୍ୟ ତାହା ଜାଣି ନ ଥିବାରୁ ନିଜର ଜଡ଼ଶରୀରକୁ ହିଁ ଜୟ-ପରାଜୟ ଆଦିର କାରଣ ବୋଲି ଭାବିଥାଏ । କାଠକଣ୍ଢେଇ ଓ ଯନ୍ତ୍ର-ହରିଣ ଯେପରି ନଚାଉଥିବା ନଟ ହାତରେ ରହି ନାଚୁଥାନ୍ତି,ସେହିପରି ଜଗତର ସକଳ ପ୍ରାଣୀ ପ୍ରଭୁଙ୍କର ଅଧୀନ ଅଟନ୍ତି ।

ଭଗବାନଙ୍କ କୃପାପ୍ରସାଦ ବିନା ପୁରୁଷ, ପ୍ରକୃତି, ମହତତ୍ତ୍ବ,ଅହଂକାର, ପଞ୍ଚଭୂତ,ଇନ୍ଦ୍ରିୟଗଣ ଓ ଅନଃକରଣ ଚତୁଷ୍ଟୟ – ଏଥିରୁ କେହି ବି ବିଶ୍ବଉତ୍ପତ୍ତି ଆଦି କରିବାକୁ ସମର୍ଥ ହୋଇପାରିବେ ନାହିଁ । ଭଗବାନ୍ ହିଁ ସବୁକିଛି ନିୟନ୍ତ୍ରଣ କରନ୍ତି ବୋଲି ଯେ ଜାଣେ ନାହିଁ ,କେବଳ କେବଳ ସେ ହିଁ ଏହି ପରତନ୍ତ୍ର ଜୀବକୁ ସ୍ବତନ୍ତ୍ର କର୍ତ୍ତା-ଭୋକ୍ତା ବୋଲି ଭାବିଥାଏ ।

ବସ୍ତୁତଃ ସ୍ବୟଂ ଭଗବାନ୍ ହିଁ ପ୍ରାଣୀମାନଙ୍କ ଦ୍ବାରା ପ୍ରାଣୀମାନଙ୍କୁ ସୃଷ୍ଟି ଓ ସଂହାର କରାନ୍ତି । କାଳ ପ୍ରତିକୂଳ ହୋଇଥିଲେ ମନୁଷ୍ୟର ଇଚ୍ଛା ନ ଥିଲେ ମଧ୍ୟ, ତାକୁ ମୃତ୍ୟୁ ଓ ଅପଯଶ ଭୋଗିବାକୁ ପଡେ; କିନ୍ତୁ କାଳ ଯଦି ଅନୁକୂଳ ହୋଇଯାଏ ମନୁଷ୍ୟର ଇଚ୍ଛା ନ ଥିଲେ ବି ତାକୁ ଆୟୁ, ଲକ୍ଷ୍ମୀ, ଯଶ ଓ ଐଶ୍ୱର୍ଯ୍ୟ ଆଦି ଭୋଗ ମଧ୍ୟ ମିଳିଯାଏ ।

ତେଣୁ ଯଶ-ଅପଯଶ,ଜୟ-ପରାଜୟ, ସୁଖ-ଦୁଃଖ, ଜୀବନ-ମରଣ — ଏଭିତରୁ କୌଣସି ଗୋଟିକ ପ୍ରତି ଇଚ୍ଛା ନ ରଖି ଜୀବ ସକଳ ପରିସ୍ଥିତିରେ ସମଭାବରେ ରହିବା ଉଚିତ । ସେ ହର୍ଷ-ଶୋକର ବଶୀଭୂତ ହୋଇଯିବା ଅନୁଚିତ।

Related Post

Leave a Reply

Your email address will not be published. Required fields are marked *