ମୁକ୍ତିଶିଳା
ବ୍ରହ୍ମାସନଂ ନମସ୍ତୁତେ ସର୍ବ କଳୁଷ ନାଶକଃ
ଯଜ୍ଞାଜ୍ଞ ଭୁଷୁରା ବନ୍ଦେ ବେଦାଜ୍ଞାୟା ନମୋ ନମଃ
ସ୍ୱୟଂ ଶ୍ରୀ ଜଗନ୍ନାଥ ହେଉଛନ୍ତି ମୁକ୍ତିର ମଣିବିଗ୍ରହ. ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ 9ମଣ୍ଡପ,4ଶିଳା, 8ଲିଙ୍ଗ, 8ଶକ୍ତି (ଅଷ୍ଟଶକ୍ତି ), 33କୋଟି ଦେବତା ବିରାଜମାନ କରିଛନ୍ତି. ଶିଳାମାନେ ହେଉଛନ୍ତି ଚିନ୍ମୟ. ତା’ ଉପରେ କ’ଣ ଲେଖା ହୋଇଛି – ଚିନ୍ମୟ ଦୃଷ୍ଟିରେ ଚାହିଁଲେ ତାକୁ ପଢିହୁଏ. ସେହିଭଳି 4 ଗୋଟି ଶିଳା ରହିଛି.
- ମୁକ୍ତିଶୀଳା
- ଯମଶିଳା
- ବ୍ରହ୍ମଶିଳା
- ପିତୃଶିଳା
ମୁକ୍ତିଶିଳା ଶ୍ୱେତଗଙ୍ଗା ନିକଟରେ ବିରାଜମାନ କରିଛନ୍ତି. ମୁକ୍ତିଶିଳା — ମୁକ୍ତି ପ୍ରଦାନ କରନ୍ତି.
ଯମଶିଳା (ଲୌହଶିଳା )କଳା ମୁଗୁନି ପଥର, ବାଇଶି ପାହାଚ ର 2ୟ ପାହାଚରେ ଅବସ୍ଥିତ.
ବ୍ରହ୍ମଶିଳା-କୈବଲ୍ୟ ଶିଳା ବୋଲି କହନ୍ତି
ପିତୃଶିଳା-ବାଲିସାହି ନିକଟରେ ଅବସ୍ଥିତ.
ଶିଳା ଵା ପଥରରେ ଯେମିତି ଲିପିସବୁ ଲେଖା ହୋଇଛି, ଜଗନ୍ନାଥଙ୍କ ବିବରଣୀ ଇତ୍ୟାଦି -ଏହି ଶିଳା ଗୁଡିକ ସେହିପରି ଶିଳା ନୁହନ୍ତି, ଶିଳାଲେଖ ବି ନୁହନ୍ତି. ଏମାନେ ସମସ୍ତେ ସାକ୍ଷାତ ବ୍ରହ୍ମ. ଶ୍ରୀ ଜଗନ୍ନାଥ ଯେପରି ଦାରୁବ୍ରହ୍ମ, ଏହି ଶୀଳା ଗୁଡିକ ସେହିପରି ଶିଳାବ୍ରହ୍ମ. ଶ୍ରୀକ୍ଷେତ୍ରରେ ପଞ୍ଚଜଳ ତୀର୍ଥମାନଙ୍କ ମଧ୍ୟରେ ଶ୍ୱେତଗଙ୍ଗା ଏକ ଅନ୍ୟତମ ତୀର୍ଥ. ଶ୍ୱେତଗଙ୍ଗାରେ ସ୍ନାନ କରି ମୁକ୍ତିଶିଳାକୁ ସ୍ପର୍ଶ କଲେ –ମୁକ୍ତି ମିଳିଥାଏ.
କଅଣ ସେ ମୁକ୍ତିଶିଳା ? ମୁକ୍ତିଶିଳା ପଛର ଇତିହାସ କଅଣ ?
ଭାରତୀୟ ସଂସ୍କୃତି ଉପାସନାର ସଂସ୍କୃତି. ଶିଳା ପୂଜନ ଭାରତୀୟ ସଂସ୍କୃତିରେ ଏକ ପ୍ରାଚୀନ ପରମ୍ପରା. ଉପାସକଗଣ ସ୍ୱଗୃହରେ, ଦେବତା ଗୃହରେ, ପ୍ରତ୍ୟେକ ଦେବ ମନ୍ଦିରରେ ଶିଳା ଅର୍ଥାତ ଶାଳଗ୍ରାମ ପୂଜା କରନ୍ତି. ଏପରିକି ବ୍ରାହ୍ମଣମାନଙ୍କ ଘରେ ଶାଳଗ୍ରାମ ଶିଳା ନଥିଲେ ସେ ଗୃହ ବ୍ରାହ୍ମଣ ଗୃହ ବୋଲି ଗ୍ରହଣ କେହି କରନ୍ତି ନାହିଁ. ଯଦି କେହି ବ୍ରାହ୍ମଣ ପଚାରନ୍ତି.. “ଆପଣଙ୍କ ଘରେ ଶାଳଗ୍ରାମ ଅଛନ୍ତି” ? ଉତ୍ତର “ହଁ” ଆସିଲେ ସେ ବ୍ରାହ୍ମଣ ଘରେ ଅନ୍ନ ଗ୍ରହଣ କରନ୍ତି. ନଚେତ କରନ୍ତି ନାହିଁ.
ଶାଳଗ୍ରାମ ହେଉଛନ୍ତି ସାକ୍ଷାତ ବିଷ୍ଣୁ. ଯେଉଁ ଶୀଳରେ ଗୃହିଣୀମାନେ ପ୍ରତିଦିନ ମସଲା ଇତ୍ୟାଦି ବାଟନ୍ତି, ସେହି ଶୀଳକୁ ଧୋଇ ପରିଷ୍କାର କରି ସାବିତ୍ରୀ ଓଷା, ବୁଧେଇ ଓଷା ମାନଙ୍କରେ ସେହି ଶିଳରେ ହଳଦୀ, କଉଡ଼ି ଲଗେଇ, ବିଗ୍ରହ ତିଆରି କରି ପୂଜା କରନ୍ତି. ଏହା ମଧ୍ୟ ଶିଳା ପୂଜାର ଏକ ଉଦାହରଣ. ଗାଁ ଗହଳିରେ ସାଧାରଣତଃ ପୋଖରୀ, କୂଅ ନିକଟରେ ଥିବା ଗଛ ମୂଳରେ ଖଣ୍ଡେ ପଥର ଥୋଇ ସେଥିରେ ଚୁଆ, ସିନ୍ଦୂର ଲଗେଇ ଗାଁ ବାସେଳୀ, ଗାଁ ମଙ୍ଗଳା କହି ତାଙ୍କୁ ପୂଜା କଲେ ସେହି ପଥର ଵା ଶିଳା ମଧ୍ୟ ଲୋକମାନଙ୍କର ମନୋକାମନା ପରିପୂର୍ଣ୍ଣ କରିଥାନ୍ତି.
ସ୍ତମ୍ଭ ଉପାସନା —ସ୍ତମ୍ଭମାନେ ସାଧାରଣତଃ ଏକ ବଡ଼ ବଡ଼ ଖମ୍ବ ବୋଲି ବୁଝାଯାଏ. ଶିଳାସ୍ତମ୍ଭ, ପ୍ରପନ୍ନ ସ୍ତମ୍ଭ, ସୂର୍ଯ୍ୟ ସ୍ତମ୍ଭ, ଅରୁଣ ସ୍ତମ୍ଭ ପ୍ରଭୃତି ବହୁ ପ୍ରକାର ସ୍ତମ୍ଭ ରହିଛନ୍ତି. ଠିକ ସେହିପରି ଶ୍ରୀକ୍ଷେତ୍ରରେ 4ଟି ଶିଳା ରହିଛନ୍ତି.
- ପିତୃଶିଳା —ବାଲିସାହିରେ ଉଗ୍ରସେନଙ୍କ ମନ୍ଦିର ପାଖରେ, ଭାଇବୋହୁ କୂଅ ନିକଟରେ ପିତୃସ୍ତମ୍ଭ ଅଛି ଯେଉଁଠାରେ ପିତୃ ଲୋକଙ୍କର ଉପାସନା କରାଯାଏ. ସେହି ପିତୃସ୍ତମ୍ଭ ଵା ପିତୃଶିଳା ନିକଟରେ ନିଜର ପିତୃଲୋକଙ୍କର କାମନାର୍ଥେ, ତୃପ୍ତ୍ୟାର୍ଥେ ଲୋକମାନେ ଶ୍ରାଦ୍ଧ ଦେଇଥାନ୍ତି.
- ଯମଶିଳା—–ଶ୍ରୀମନ୍ଦିର ଭିତରେ ଶ୍ରାଦ୍ଧର ପରମ୍ପରା ନାହିଁ. କାହିଁକି ନା ଶ୍ରୀମନ୍ଦିର ଭିତରକୁ ପିତୃଲୋକମାନେ ପ୍ରବେଶ କରନ୍ତି ନାହିଁ. ବାଇଶି ପାହାଚର 2ୟ ପାହାଚ ପର୍ଯ୍ୟନ୍ତ ପିତୃଲୋକ ମାନେ ଯାଇଥାନ୍ତି. ସେଠାରେ ଗୋଟିଏ ପଥର ପଡିଛି. ତା’ର ଅନ୍ୟ ନାମ —“ସପ୍ତମାତୃକା ଶିଳା”. ସିଂହଦ୍ୱାରର ଟିକିଏ ଆଗକୁ ଅଛନ୍ତି “ସପ୍ତମାତୃକା ଶିଳା”. ଯମଶିଳା ପ୍ରଥମେ ସେଠାରେ ଥିଲେ. ପରବର୍ତ୍ତୀ ସମୟରେ ଯମଶିଳା ଆସି ବାଇଶି ପାହାଚର 2ୟ ପାହାଚରେ ରହିଲେ. ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଗଲାବେଳେ ସେହି ଯମଶିଳା ଉପରେ ପାଦ ରଖି ନୀଳଚକ୍ରକୁ ଦର୍ଶନ କଲେ ସମସ୍ତ ପାପ ଖଣ୍ଡନ ହୋଇଥାଏ. ଯମର ଦୃଷ୍ଟି ମଧ୍ୟ ଭକ୍ତ ଉପରେ ପଡି ନଥାଏ ବୋଲି କୁହାଯାଏ.
- ବ୍ରହ୍ମଶିଳା —– କୈବଲ୍ୟ ଶିଳା ଗର୍ଭଗୃହ ଭିତରେ ଯେଉଁ ମୁରୁଜ ଯନ୍ତ୍ର ପଡି କୈବଲ୍ୟ ଅର୍ପଣ କରାଯାଏ –ତାହା କୈବଲ୍ୟ ଶିଳା.
- ମୁକ୍ତିଶିଳା —–ଶ୍ରୀମନ୍ଦିରର ଦକ୍ଷିଣ ପଟରେ ଦକ୍ଷିଣକାଳୀଙ୍କ ମନ୍ଦିର ଠାରୁ ଟିକିଏ ଆଗରେ, ଶ୍ରୀମନ୍ଦିରଠାରୁ 100 ଵା 150 ମିଟର ଦୂରରେ, ସ୍ୱର୍ଗଦ୍ୱାରକୁ ଯିବା ବାଟରେ ଡାହାଣ ପଟକୁ ଅତ୍ୟନ୍ତ ଗଭୀରାକୃତି ଗୋଟିଏ ପୁଷ୍କରିଣୀ ରହିଛି. ଯାହାର ନାମ —ଶ୍ୱେତଗଙ୍ଗା. ସେହି ଶ୍ୱେତଗଙ୍ଗା ନିକଟରେ ବିରାଜମାନ କରିଛନ୍ତି ଶ୍ୱେତ ମାଧବ. ମାଧବ ଉପାସନା ଭାରତୀୟ ସଂସ୍କୃତିରେ ଉତ୍କଳୀୟ ସଂସ୍କୃତିର ଏକ ପ୍ରାଚୀନ ଉପାସନା. ଏହା ଏକ ସ୍ୱତନ୍ତ୍ର ଉପାସନା. ସେହି ଶ୍ୱେତ ମାଧବଙ୍କ ନିକଟରେ ଗୋଟିଏ ଶିଳା ରହିଛି. ସେଥିରେ ବିଷ୍ଣୁଙ୍କର ପାଦଚିହ୍ନ ମଧ୍ୟ ଅଛି. ଯାହାର ନାମ — ମୁକ୍ତିଶିଳା.
ଶ୍ରୀମନ୍ଦିରର ଅରୁଣସ୍ତମ୍ଭ ଠାରୁ ଦକ୍ଷିଣକୁ ପ୍ରାୟ 200 ରୁ 250 ମିଟର ଯାଇ ପୁଣି ଦକ୍ଷିଣକୁ ଗଲେ ପଡେ ମୁକ୍ତିଶିଳା ମହାଦେବ. ପୁରୀ ଅଞ୍ଚଳବାସୀ ଏହାକୁ “ମୁକ୍ତିଶୀଳା ମହାଦେବ କ୍ଷେତ୍ର” ବୋଲି କହନ୍ତି. କିନ୍ତୁ ଶାସ୍ତ୍ର କେବଳ ଏହାକୁ “ମୁକ୍ତିଶୀଳା” ବୋଲି କହେ.
ଲୋକମାନେ ବିଶ୍ୱାସ କରନ୍ତି, ଯେତେବେଳେ ପ୍ରାକ ମୃତ୍ୟୁ ଯନ୍ତ୍ରଣା ମନୁଷ୍ୟର ଜୀବନକୁ ଜ୍ୱାଳାମୟ କରିଦିଏ ସେତେବେଳେ ମନେ ପଡନ୍ତି ଏହି ମୁକ୍ତିଶିଳା. ବିଶ୍ୱାସ କରାଯାଏ ଏହି ମୁକ୍ତିଶିଳାରେ ପଣା ଭୋଗ କରି ସେହି ପଣାକୁ ଭ୍ରୁଗୁ ଆଶ୍ରମରେ ଥିବା ଉଗ୍ରସେନଙ୍କ ଖଣ୍ଡାରେ ଛୁଆଁଇ ଘରେ ମୃତ୍ୟୁ ଯନ୍ତ୍ରଣା ଭୋଗ କରୁଥିବା ଲୋକକୁ ପିଆଇ ଦେଲେ ତାହାର ତୁରନ୍ତ ମୃତ୍ୟୁ ହୋଇଯାଏ, ମୁକ୍ତି ପାଇଯାଏ.
ମୁକ୍ତିଶୀଳା ଦେଖିବାକୁ କିପରି ? ଏହାର ବିଶେଷତ୍ୱ କଣ ?
ଶ୍ରୀକ୍ଷେତ୍ର ହେଉଛି ମୁକ୍ତିର କ୍ଷେତ୍ର. ଏହି ମୁକ୍ତିର କ୍ଷେତ୍ରରେ ଶ୍ୱେତଗଙ୍ଗା ପୁଷ୍କରିଣୀର ପରିସର ମଧ୍ୟରେ ମୁକ୍ତିଶିଳା ବିଦ୍ୟମାନ. ସେହି ଶିଳାରେ 3 ଜଣ ଋଷିଙ୍କର ଦୁଇ ଦୁଇଟି ପାଦ ଚିହ୍ନ ରହିଛି. ଏହି 3 ଋଷିଙ୍କର ପଦ୍ମପାଦ ଥିବା ଯୋଗୁଁ ସେହି ଶିଳା “ମୁକ୍ତିଶିଳା”. ଏହି ମୁକ୍ତିଶୀଳାର ସଂରକ୍ଷଣ ଦାୟିତ୍ୱରେ ଅଛନ୍ତି ଉଗ୍ରେଶ୍ୱର ଭୈରବ. ସେହି ଶିଳାକୁ ଜଗିଛନ୍ତି ଉଗ୍ରେଶ୍ୱର ଭୈରବ.
ଅନ୍ୟ ଏକ କିମ୍ବଦନ୍ତୀ କହେ ସେହି 6 ଟି ପାଦ ଚିହ୍ନ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କର.
ଯେଉଁ ମୁକ୍ତିଶୀଳା ସମସ୍ତ ସାମର୍ଥ୍ୟ ରଖେ ଯେ କୌଣସି ପାପୀକୁ ମୁକ୍ତି ପ୍ରଦାନ କରିବାରେ, ଯେଉଁ ଶିଳାରେ ଆଜି ମଧ୍ୟ ରହିଛି ମାଧବଙ୍କର ପାଦ ଚିହ୍ନ, ଯେଉଁଠି ଆଜି ବି ପୂଜା ହେଉଛନ୍ତି ଶ୍ୱେତମାଧବ, ସେହି ଶିଳା ହିଁ “ମୁକ୍ତିଶିଳା”.
ସନାତନ ଧର୍ମ କେବଳ କଥାକୁ ବିଶ୍ୱାସ କରେ ନାହିଁ…ଶ୍ରବଣ କର, ପରୀକ୍ଷା କର, ଯାହା ଶୁଣିଲ ଯଦି ତାହା ଠିକ ତେବେ ତାକୁ ଗ୍ରହଣ କର.
ମୁକ୍ତିଶୀଳା ପ୍ରତି ଆମ୍ଭମାନଙ୍କର ଦୃଷ୍ଟିକୋଣ କଅଣ ହେବା ଉଚିତ ?
ଆମ୍ଭମାନଙ୍କୁ ମୁକ୍ତ କଣ୍ଠରେ ସ୍ୱୀକାର କରିବାକୁ ହେବ ଯେ, “ଜାତସ୍ୟ ହି ଧ୍ରୁବ ମୃତ୍ୟୁ୍”. ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ. କିନ୍ତୁ ମରଣ ଠାରୁ ଯନ୍ତ୍ରଣାଦାୟକ କିଛି ନାହିଁ. ସଂସାର ଭିତରେ ରକ୍ତ ମାଂସର ଶରୀର ଧାରଣ କରି ରହିଲେ ବିଭିନ୍ନ ପ୍ରକାର ଯାତନା ଆସେ. ପ୍ରତିରୋଧକ ଆସେ. ମଣିଷମାତ୍ରେ ହିଁ କିଛି ଭୁଲ ତ୍ରୁଟି ହୋଇଯାଏ. କିନ୍ତୁ ତ୍ରୁଟିକୁ ମାର୍ଜନା କରିବାକୁ ହୁଏ ତତକ୍ଷଣାତ. ନଚେତ ପରାମର୍ଶ ନେବା ଉଚିତ. ଶ୍ରୀମନ୍ଦିରର କୌଣସି ରିତୀନୀତିରେ, ପ୍ରଥା ପରମ୍ପରାରେ, ପର୍ବପର୍ବାଣୀରେ ମୁକ୍ତିଶୀଳାର କୌଣସି ଭୂମିକା ନାହିଁ.
ମୁକ୍ତିଶୀଳାକୁ ନେଇ କୌଣସି ପ୍ରାଚୀନ ଶାସ୍ତ୍ର ସମୂହ ନିଜର ମନ୍ତବ୍ୟ, ଆପ୍ତବାକ୍ୟ ରଖିଛନ୍ତି କି ?
ବ୍ରହ୍ମପୁରାଣ, ରୁଦ୍ରଯାମଳ ପୁରାଣ, ଶ୍ୱେତମାଧବ ଉପାଖ୍ୟାନ, ଶ୍ୱେତଗଙ୍ଗା ମାହାତ୍ମ୍ୟରେ ପରିପ୍ରକାଶ ହୋଇଛି ଏହି ମୁକ୍ତିଶୀଳାର ମାହାତ୍ମ୍ୟ.
ଶିଳା ପୂଜନ କାଶୀଖଣ୍ଡର ଉପାଖ୍ୟାନରେ ବର୍ଣ୍ଣିତ ଅଛି, ଶିଳା ପୂଜନ କେବଳ ମୁକ୍ତିଶୀଳା ପୁରୀ ଶ୍ରୀକ୍ଷେତ୍ରରେ ସୀମିତ ତାହା ନୁହେଁ, ସମଗ୍ର ଭାରତବର୍ଷ ଆର୍ଯ୍ୟାବର୍ତ୍ତର ପ୍ରତ୍ୟେକ ବ୍ୟକ୍ତି, ଆଧ୍ୟାତ୍ମିକବାଦୀ ବ୍ୟକ୍ତିଗଣ ମୁକ୍ତିଶୀଳା ବିଷୟରେ ଅବଗତ ଅଛନ୍ତି. କଳିକାଳରେ ମୁକ୍ତିଶୀଳାକୁ ଆମେ ବିଶ୍ୱାସ କରୁ ଵା ନକରୁ, ସେହି ଶିଳା ତାହାର କର୍ତ୍ତବ୍ୟ ସଦାସର୍ବଦା କରିବାପାଇଁ ପ୍ରସ୍ତୁତ ରହିଛି. ମୃତ୍ୟୁ କଷ୍ଟରୁ ଉଦ୍ଧାର ପାଇବାକୁ ହେଲେ ମୁକ୍ତିଶୀଳାର ଶ୍ରୀଚରନୋଦକକୁ ପ୍ରାପ୍ତ କରିବାକୁ ପଡିବ. ଏହା ହିଁ ସତ୍ୟ.
ଉକ୍ତ ମୁକ୍ତିଶୀଳା ସହିତ କୌଣସି ଅନ୍ଧବିଶ୍ୱାସ ଯୋଡି ହୋଇନାହିଁ, ଯୋଡି ହୋଇଛି, ଶାସ୍ତ୍ରୀୟ ଆଧାର, ଗୋଟିଏ ଜାତିର ଅଖଣ୍ଡ ବିଶ୍ୱାସ.
“ମୁକ୍ତିଶୀଳା” ଆପଣମାନଙ୍କୁ ମୁକ୍ତି ପ୍ରଦାନ କରୁ.
ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ଚରଣରେ କୋଟି କୋଟି ଦଣ୍ଡବତ ଶୁଭ ସକାଳର ଶୁଭେଚ୍ଛା ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ କୃପା ପ୍ରଦାନ କରନ୍ତୁ ଏହି କାମନା ନେଇ ଆଜିର ଶୁଭ ସକାଳ ଅଧମ ସେବକ ଦେବନନା ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର
ଜୟ ଜଗନ୍ନାଥ