ମହାମାୟାଙ୍କ ମହାଷ୍ଟମୀ ଅବସରରେ ଭୁବନେଶ୍ୱରର ପୂଜା ମଣ୍ଡପ ବୁଲୁଛନ୍ତି ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ । ରାଜଧାନୀ ଭୁବନେଶ୍ବରରେ ୩ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ତେବେ ରସୁଲଗଡରୁ ସକାଳ ସାଢେ ୧୦ଟାରୁ ଆରମ୍ଭ କରିଥିଲେ ଦର୍ଶନ ଯାତ୍ରା ।

ପ୍ରଥମେ ମାଆଙ୍କୁ ଦର୍ଶନ କରିଥିଲେ । ପରେ ସେଠାରେ ଥିବା ଲୋକଙ୍କ ସହ କଥା ହୋଇଥିଲେ ନବୀନ । ପରେ ୧୧ଟା ୩ ମିନିଟରେ ସହିଦନଗର ଦୁର୍ଗାପୂଜା ମଣ୍ଡପ ବୁଲିଥିଲେ ନବୀନ ପଟ୍ଟନାୟକ । ମାଆଙ୍କ ଦର୍ଶନ ସହ ଲୋକଙ୍କ ସହ କଥା ହୋଇଥିଲେ । କଡା ସୁରକ୍ଷା ବଳୟରେ ନବୀନ ଯାଇ ଦର୍ଶନ କରିବା ସହ ଖୁସି ବ୍ୟକ୍ତ କରିଥିଲେ । ଏହା ପରେ ବଡ଼ଗଡ଼ ମଣ୍ଡପରେ ପହଞ୍ଚି ମାଆଙ୍କୁ ଦର୍ଶନ କରିଛନ୍ତି । ପ୍ରାୟ ଘଣ୍ଟାଏ ଯାଏଁ ମଣ୍ଡପ ଯାଇଁ ମାଆଙ୍କୁ ଦର୍ଶନ କରିଛନ୍ତି ସେ ।

ସୂଚନା ଥାଉକି, ମଣ୍ଡପ ବୁଲି ଯିବାକୁ ନବୀନଙ୍କୁ ଟୁଇନସିଟିର ବିଭିନ୍ନ ପୂଜା କମିଟି ନିମନ୍ତ୍ରଣ କରିଥିଲେ । ପୂର୍ବରୁ ଗଣେଶ ପୂଜା ସମୟରେ ମଧ୍ୟ ନବୀନ ମଣ୍ଡପ ବୁଲିବା ସହ ଲୋକଙ୍କ ସହ କଥା ହୋଇଥିଲେ ।