Spread the love

ବଡ଼ବିଲ ମହୋତ୍ସବ ଉଦଘାଟିତ:
ମିନି-ଭାରତ ଆମ ବଡ଼ବିଲ ସହରର ଭାଇଚାରା, ସଂସ୍କୃତି ଓ ପରମ୍ପରା ଅନନ୍ୟ- ମାନ୍ୟବର ମୁଖ୍ୟମନ୍ତ୍ରୀ

ବଡ଼ବିଲ, ୧୫.୦୧.୨୦୨୫ଦର୍ଶନ ସମୀକ୍ଷା :
ବଡ଼ବିଲ ମହୋତ୍ସବ ପଡ଼ିଆଠାରେ ଆୟୋଜିତ ହେଉଥିବା ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟିତ ହେଇଯାଇଛି ।

ଉଦଘାଟନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଚମ୍ପୁଆ ଶ୍ରୀ ସନାତନ ମହାକୁଡ଼, ମାନ୍ୟବର ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ମାନ୍ୟବର ବିଧାୟକ ପାଟଣା ଶ୍ରୀ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ମହୋତ୍ସବ କାର୍ଯ୍ୟକାରୀ କମିଟି ସଭାପତି ଶ୍ରୀ ଚନ୍ଦ୍ରଗୁପ୍ତ ପ୍ରସାଦ, ସମ୍ପାଦକ ଶ୍ରୀ ନୀଳମଣି ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ନିଜ ଅଭିଭାଷଣ ଆରମ୍ଭରେ ଉପସ୍ଥିତ ଜନତାଙ୍କୁ ନୂତନ ବର୍ଷ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦୁଝର ଜିଲ୍ଲା ତଥା ବଡବିଲ୍ ଅଞ୍ଚଳର ଗୌରବମୟ ଐତିହ୍ୟ, ପରମ୍ପରା, କଳା, ସଂସ୍କୃତି ଓ ବିକାଶର ନିଚ୍ଛକ ପ୍ରତିଛବି ବହନ କରୁଥିବା ବଡବିଲ୍ ମହୋତ୍ସବର ରୌପ୍ୟ ଜୟନ୍ତୀ ଅବସରରେ ଯୋଗ ଦେଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ।
ବଡବିଲ୍ ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ, ବ୍ୟବସାୟୀ, ସ୍ୱୟଂ ସହାୟକ ଗୋଷ୍ଠୀ, କଲେଜ ଛାତ୍ରଛାତ୍ରୀ ସମସ୍ତଙ୍କ ଅତୁଳନୀୟ ସହଯୋଗ ଏହି ମହୋତ୍ସବକୁ ଆକର୍ଷଣୀୟ ଓ ସରସ ସୁନ୍ଦର କରିବା ସହିତ ଜିଲ୍ଲାର ଏକ ଅଗ୍ରଣୀ ମହୋତ୍ସବରେ ପରିଣତ କରିପାରିଛି ଏବଂ କେନ୍ଦୁଝର ମାଟିର ସଂସ୍କୃତି, ପରମ୍ପରା, ଜୀବନ ଶୈଳୀ ଅନନ୍ୟ, ଅନୁପମ ବୋଲି କହିଥିଲେ ।
ଆହୁରିମଧ୍ୟ ମାନନୀୟ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ରତ୍ନଗର୍ଭା ବଡବିଲ୍  ଏକ ବ୍ୟସ୍ତବହୁଳ ସହର ଭାବେ ଅବିହିତ କରିବା ସହ ବୋଧହୁଏ ଏହି ଅଞ୍ଚଳରେ ବିଶ୍ୱର ସବୁଠାରୁ ଅଧିକ ଲୁହାପଥର ଓ ମାଙ୍ଗାନିଜ୍ ରେ ଭରପୁର ରହିଛି ଯାହାଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହା ପ୍ରମୁଖ ରାଜସ୍ୱ ଉତ୍ସ ବୋଲି କହିଥିଲେ ।
ଏଥିସହିତ ଭାରତ ବର୍ଷର ପ୍ରତ୍ୟେକ ରାଜ୍ୟର ଅଧିବାସୀ ଏଠାରେ ଜୀବିକା ଅର୍ଜନ ପାଇଁ ଆସି ବସବାସ କରିଥାନ୍ତି । ଏହି ସହରକୁ ଏକ ମିନି-ଭାରତ କହିଲେ ଅତ୍ଯୁକ୍ତି ହେବନାହିଁ ।  ବଡବିଲ୍ ହେଉଛି ସାଂପ୍ରଦାୟିକ ସଦ୍‌ଭାବ ଓ ଭାଇଚାରାର ଅଞ୍ଚଳ ।ଏଠାକାର ଅଧିବାସୀମାନେ ଜୀବନ ଜୀବିକା ପାଇଁ ଦିନରାତି ଏକାକାର କରି ଦେଇଥାନ୍ତି । ବ୍ୟସ୍ତ ମଣିଷର ବ୍ୟସ୍ତତା ଭିତରେ ମନରେ ଟିକିଏ ଖୁସି ଆଣିବା ପାଇଁ ୧୯୯୯ ମସିହାରେ ପ୍ରଥମ କରି ଆରମ୍ଭ ହୋଇଥିଲା ଏହି ବଡବିଲ୍ ମହୋତ୍ସବ । ଅଞ୍ଚଳର ଅଧିବାସୀଙ୍କ ସକ୍ରିୟ ଅଂଶ ଗ୍ରହଣରେ ସ୍ଥାନୀୟ କଳା, ସଂସ୍କୃତି ଓ ପ୍ରତିଭାର ପ୍ରଦର୍ଶନ ଥିଲା ଏହି ମହୋତ୍ସବ ଆୟୋଜନର ମୂଳ ଉଦ୍ଦେଶ୍ୟ । ଏହି ମହୋତ୍ସବ ଆରମ୍ଭ ପାଇଁ ବିଶିଷ୍ଟ ସମାଜସେବୀ ଶ୍ରୀ ବିଜୟ ମହାନ୍ତି, ଅଧ୍ୟାପକ ଶ୍ରୀ ଅଶ୍ୱିନୀ କୁମାର ସାହୁ,  ବିଶିଷ୍ଟ ବ୍ୟବସାୟୀ ରାଜୁ ମେହେଟ୍ଟା, ଆସ୍ଥା ମହିଳା ସମିତିର ସଦସ୍ୟା ଏବଂ ରକ୍ସି ଯୁବକ ସଂଘ ପ୍ରଭୃତିଙ୍କ ପ୍ରମୁଖ ଅବଦାନ ରହିଥିଲା । ରୌପ୍ୟ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେମାନଙ୍କୁ ସ୍ମରଣ କରିବା ସହ ଆନ୍ତରିକ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ ।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଆଦିବାସୀଙ୍କ ମଧ୍ୟରେ ସାକ୍ଷରତା ପ୍ରସାର କ୍ଷେତ୍ରରେ ଅବଦାନ ପାଇଁ ୨୦୦୧ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମହାନ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ସ୍ମରଣ କରି ଭକ୍ତିପୂତ ସମ୍ମାନ ଜଣାଇଥିଲେ ।
ପୂର୍ବ ଦିଗରେ ଠାକୁରାଣୀ ପାହଡ, ପଶ୍ଚିମରେ ମେଘାଦ୍‌ବୁରୁ ଓ ଉତ୍ତରରେ ସରଣ୍ଡା ଜଙ୍ଗଲର ଶୀତଳ ଛାଇ ସହିତ କିରିବୁରୁ ପାର୍ବତମାଳା ବଡବିଲ୍‌କୁ  ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କରିଛି । ବଡବିଲ୍ ଓ ଯୋଡା ଅଞ୍ଚଳରେ ମିଳୁଥିବା ଖଣିଜ ସମ୍ପଦ ଦେଶ ବିଦେଶର ନାମୀଦାମୀ କମ୍ପାନୀଙ୍କ ଚାହିଦା ମେଣ୍ଟାଇବାରେ ସକ୍ଷମ ହୋଇଛି ବୋଲି ଶ୍ରୀ ମାଝୀ କହିବା ସହ ରାଜ୍ୟର ଖଣିଜ ପଦାର୍ଥକୁ ଉପଯୋଗ କରି ରାଜ୍ୟରେ ଦ୍ରୁତ ଶିଳ୍ପାୟନ କରିବା ସହ ରାଜ୍ୟର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମାଝୀ ଦୃଢୋକ୍ତି ପ୍ରକାଶ କରିଥିଲେ । ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ଵ ଏବଂ ଦିଗ୍ଦର୍ଶନରେ ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଓଡିଶାକୁ ଦେଶର ବିକାଶ ମାନଚିତ୍ରରେ ପ୍ରମୁଖ ସ୍ଥାନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡିଶାରେ ଏବେ ଏକ ସୁଦୃଢ ଭିତ୍ତିଭୂମି ନିର୍ମାଣ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟରେ ନୂଆ ନୂଆ  ରେଳ ଓ ସଡକ ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି । କେନ୍ଦୁଝର ଜିଲ୍ଲାର ଗମନାଗମନ ବ୍ୟବସ୍ଥାକୁ ଆହୁରି ସୁଗମ କରିବା ପାଇଁ ବଡ଼ବିଲରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଶସ୍ତିକରଣ କରାଯାଇ ୬ ଲେନ ବିଶିଷ୍ଟ କରାଯିବ । ଏହାଦ୍ୱାରା ଅଞ୍ଚଳବାସୀଙ୍କ ଗମନାଗମନ ସୁବିଧା ହେବା ସହ ପର୍ଯ୍ୟଟନ ଓ ବ୍ୟବସାୟ ପାଇଁ ବିରାଟ ପଥ ଉନ୍ମୁକ୍ତ ହେବ ବୋଲି କହିବା ସହ ଜନଜାତି ବହୁଳ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ସଦା ସର୍ବଦା ଜନଜାତିଙ୍କ କଲ୍ୟାଣ ପାଇଁ କାର୍ଯ୍ୟରତ ଏବଂ ସେମାନଙ୍କ ସାମାଜିକ, ଆର୍ଥିକ ଏବଂ ରାଜନୈତିକ ସଶକ୍ତିକରଣ ପାଇଁ ଅନେକ ଗୁଡିଏ ଯୋଜନା ସେ ପ୍ରଣୟନ କରାଯାଇଥିବା ଶ୍ରୀ ମାଝୀ ପ୍ରକାଶ କରିଥିଲେ ।ଗତ ସପ୍ତାହରେ ଆମ ରାଜ୍ୟ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ଦିବସ ଭଳି ସମ୍ମାନଜନକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରି ଆମ ରାଜ୍ୟର ବିକାଶ ପାଇଁ ପ୍ରବାସୀ ଭାଇ ଭଉଣୀମାନେ ଆମ ସହିତ ଯୋଡି ହୋଇଥିବା ପ୍ରକାଶ କରିଥିଲେ ।ଆହୁରି ମଧ୍ୟ   ଓଡିଶାକୁ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚଳିତ ଜାନୁଆରୀ ମାସର ଶେଷ ସପ୍ତାହରେ ଭୁବନେଶ୍ଵରରେ ଆୟୋଜିତ ହେବାକୁ ଥିବା ଉତ୍କର୍ଷ ଓଡିଶାରେ ଦେଶ ବିଦେଶରୁ ରେକର୍ଡ ସଂଖ୍ୟକ ଶିଳ୍ପ ଅନୁଷ୍ଠାନ ଅଂଶଗ୍ରହଣ କରିବେ ଯାହାଦ୍ୱାରା ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଘଟିବ  ଏବଂ ଓଡିଶାର ଲକ୍ଷ ଲକ୍ଷ ଯୁବବର୍ଗ ରୋଜଗାର ପାଇବେ ବୋଲି ଆଶାବାଦୀ ଥିବା ଶ୍ରୀ ମାଝୀ ପ୍ରକାଶ କରିଥିଲେ ।
 
ଦୀର୍ଘ ଚାରି ଦିନ ଧରି ବଡବିଲ୍ ମହୋତ୍ସବ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର କଳାକାର ଓ ଶିଳ୍ପୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ତଥା ଭାରତର ବିଭିନ୍ନ ରାଜ୍ୟରୁ ଆସୁଥିବା କଳାକାର, ଶିଳ୍ପୀ, କାରିଗରମାନଙ୍କ ସହ ମିଶି ସାଂସ୍କୃତିକ ଓ କଳାତ୍ମକ ଭାବର ଆଦାନ ପ୍ରଦାନ କରିବେ ।ନିଶ୍ଚିତ ଭାବେ ଏହା ଅଞ୍ଚଳର କଳାକାର, ଶିଳ୍ପୀ, କାରିଗରମାନଙ୍କ କଳା ନୈପୁଣ୍ୟତାର ଅଭିବୃଦ୍ଧିରେ ସହାୟକ ହେବ । ଜାତି ବର୍ଣ୍ଣ, ଧର୍ମ ନିର୍ବିଶେଷରେ ବଡବିଲ୍ ଅଞ୍ଚଳର ସମସ୍ତ ଅଧିବାସୀମାନଙ୍କର ଶ୍ରଦ୍ଧା, ପ୍ରେମ ଓ ଆନ୍ତରିକତା ଆଗାମୀ ଦିନରେ ବଡବିଲ୍ ଓ କେନ୍ଦୁଝର ଜିଲ୍ଲାର ଅସ୍ମିତାକୁ ଏକ ନୂତନ ଶିଖରରେ ପହଞ୍ଚାଇବ ବୋଲି କହିବା ସହ ସମସ୍ତେ ମିଳିମିଶି କେନ୍ଦୁଝର ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ବିକଶିତ ଓଡିଶା  ଗଠନର ମୁଖ୍ୟସ୍ରୋତରେ  ସାମିଲ୍ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଥିଲେ ।
 ଅନ୍ୟ ସମସ୍ତ ମଂଚାସୀନ ସମ୍ମାନିତ ଅତିଥି ନିଜ ବକ୍ତବ୍ୟରେ ବଡ଼ବିଲ ମହୋତ୍ସବର ନିରନ୍ତର ଆୟୋଜନ ନିମନ୍ତେ ଆୟୋଜକଙ୍କୁ ସାଧୁବାଦ ଜଣାଇବା ସହ ଏହାର ସର୍ବବିଧ ସଫଳତା କାମନା କରିଥିଲେ ।
ସାଂସ୍କୃତିକ ଵିଚିତ୍ରାର ପ୍ରଥମ ସୋପାନରେ ଚିତ୍ତାକର୍ଷକ ଢେମସା ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ପରେ ପରେ ମହମ୍ମଦ ଡାନିସ ଏବଂ ସାଥୀଙ୍କ ଦ୍ୱାରା ମନମୁଗ୍ଧକର ସଂଗୀତ ପରିବେଷଣ କରାଯାଇଥିଲା ।

Related Post

Leave a Reply

Your email address will not be published. Required fields are marked *

You Missed