Spread the love

ପ୍ରଥମାଷ୍ଟମୀ

  ଆମ ଓଡିଶା ଏକ ପର୍ବ ବହୁଳ ରାଜ୍ୟ l ଓଡ଼ିଆର ପରମ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଭଳି ତାର ମଧ୍ୟ ବାର ମାସରେ ତେର ପର୍ବ l ଏ ପର୍ବମାନଙ୍କ ଭିତରୁ ଏକ ପ୍ରମୁଖ ପର୍ବ ହେଉଛି ପ୍ରଥମାଷ୍ଟମୀ l ମାର୍ଗଶୀର ମାସର କୃଷ୍ଣ ପକ୍ଷର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ l ଓଡିଶାରେ ପ୍ରଚଳିତ ପଞ୍ଜିକା ଅନୁସାରେ ମାର୍ଗଶୀରମାସ ବର୍ଷର ଆଦ୍ୟ ମାସ ଭାବରେ ଗଣନା କରା ଯାଏ l ସେଥିପାଇଁ ମାର୍ଗଶୀର ମାସକୁ ‘ଅଗ୍ରହାୟଣ ମାସ’ କୁହାଯାଇ ଥାଏ l 

ପ୍ରଥମାଷ୍ଟମୀର ଅନ୍ୟନାମ ପଢୁଆଁଅଷ୍ଟମୀ ବା ପୋଢ଼ୁଁଆ ଅଷ୍ଟମୀ l ଗ୍ରାମୀଣ ଭାଷାରେ କେହି କେହି ଅଷ୍ଟମୀକୁ ଅଷ୍ଟେଇଁ ମଧ୍ୟ କହି ଥାନ୍ତି l ଏହା ପୂର୍ବରୁ ଘରେ କୌଣସି ପର୍ବ ଅନୁଷ୍ଠିତ ହୁଏ ନାହିଁ l ଏପରିକି ପ୍ରଥମାଷ୍ଟମୀ ପୂର୍ବରୁ ପଡୁଥିବା ଗୁରୁବାର ମାଣ ବସା ଲକ୍ଷ୍ମୀ ପୂଜାକୁ ନିଷିଦ୍ଧ କରା ଯାଇଛି l ଲକ୍ଷ୍ମୀ ପୁରାଣରେ କୁହାଯାଇଛି :-

ଅଷ୍ଟମୀ ନୋହୁଁଣୁ ଯେବେ ଗୁରୁବାର ହୋଇ l
ପୂଜିଲେ ହେଁ ମହାଲକ୍ଷ୍ମୀ ପୂଜା ନ ଘେନଇ ll

ମାର୍ଗଶୀର ମାସ ଏକ ପବିତ୍ର ମାସ ଭାବେ ଜଣା l ଭଗବାନ ମାର୍ଗଶୀର ମାସର ମହତ୍ଵ ପ୍ରତିପାଦନ କରି ମୁଁ ନିଜେ ମାର୍ଗଶୀର ମାସ ବୋଲି କହିଛନ୍ତି l

ଵୃହସ୍ତାମ ତଥା ସାମ୍ନାମ୍,ଗାୟତ୍ରୀ ଛନ୍ଦସାମହଂ l
ମାସାନାଂ ମାର୍ଗଶୀର୍ଷହମ୍ ଋତୁନାମ୍
କୁସୁମାକରଃ ll ( ଭ.ଗୀ.10:35)

ପ୍ରଥମାଷ୍ଟମୀ ଦିନ ସମଗ୍ର ଓଡ଼ିଶାରେ ପ୍ରତ୍ୟେକ ପରିବାରର ଜ୍ୟେଷ୍ଠସନ୍ତାନଙ୍କୁ ପଢୁଆଁ କରାଯାଏ l ଜ୍ୟେଷ୍ଠ ସନ୍ତାନ ନୂତନ ବଂଶଧରଙ୍କ ଆଦର୍ଶ ଏବଂ ବନ୍ଦନୀୟ l ବଂଶରକ୍ଷା ସହିତ ବଂଶ ପରମ୍ପରାର ଉତ୍ତର ଦାୟିତ୍ୱ ତାହାରି ଉପରେ ନ୍ୟସ୍ତ l ଜ୍ୟେଷ୍ଠ ସନ୍ତାନର ସୁଖସମୃଦ୍ଧି ଓ ଦୀର୍ଘ ନିରାମୟ ଜୀବନ ପାଇଁ ଏଥିରେ ସ୍ଵତନ୍ତ୍ର ପୂଜାବିଧି ଅନୁଷ୍ଠାନ ହୋଇ ଥାଏ l ବଡ଼ପୁଅ ବା ଝିଅର ତ୍ୟାଗ ଓ ପରିବାରର ଅନ୍ୟମାନଙ୍କୁ ଗଢ଼ିବା ପାଇଁ ସଂକଳ୍ପର ବନ୍ଦାପନା ପର୍ବ ହେଉଛି ପ୍ରଥମାଷ୍ଟମୀ l ଆମର ବିଭିନ୍ନ ଶାସ୍ତ୍ର ମାନଙ୍କରେ ପ୍ରଥମ ବା ଜ୍ୟେଷ୍ଠ ସନ୍ତାନର ମହତ୍ୱ ପ୍ରତିପାଦନ କରା ଯାଇଛି l ଜ୍ୟେଷ୍ଠ ଭ୍ରାତା ପ୍ରଭୁ ଶ୍ରୀବଳରାମଙ୍କୁ ଶ୍ରୀକୃଷ୍ଣ ସବୁବେଳେ ସମ୍ମାନ କରୁ ଥିଲେ l ବଡ଼ ଦେଉଳରେ ବଳଦେବଙ୍କୁ ମହାପ୍ରଭୁ ଜଗନ୍ନାଥ ସବୁବେଳେ ସମ୍ମାନ ପ୍ରଦର୍ଶନ କରନ୍ତି l ପ୍ରଭୁ ଶ୍ରୀରାମଙ୍କୁ ଭରତ ଆଦି କନିଷ୍ଟ ଭ୍ରାତାମାନେ ପିତୃତୁଲ୍ୟ ଭକ୍ତି କରୁଥିଲେl ମହାଭାରତରେ ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ଜ୍ୟେଷ୍ଟଭ୍ରାତା ଯୁଧିଷ୍ଠିରଙ୍କୁ ପାଣ୍ଡଵ ମାନେ କେବେ ହେଲେ ଅବଜ୍ଞା କରି ନାହାଁନ୍ତି l ଜ୍ୟେଷ୍ଠର ମହତ୍ୱ ପ୍ରତିଷ୍ଠା ପାଇଁ ଏହି ପ୍ରଥମାଷ୍ଟମୀ ପର୍ବ l ପରିବାର ମଧ୍ୟରେ ଦାୟିତ୍ୱ, କର୍ତ୍ତବ୍ୟ, ସ୍ନେହ ଏବଂ ଶ୍ରଦ୍ଧାଶୀଳ ହେବାପାଇଁ ଜ୍ୟେଷ୍ଠ ସନ୍ତାନକୁ ସଚେତନ କରାଇ ଦେବା ଏହି ପର୍ବର ଉଦ୍ଦେଶ୍ୟ l
ଏହିଦିନ ପ୍ରାତଃକାଳରେ ଘରର ଜ୍ୟେଷ୍ଠ ପୁତ୍ର ବା କନ୍ୟା ସ୍ନାନ ସମାପନ ଅନ୍ତେ ନବବସ୍ତ୍ର ପରିଧାନ କରନ୍ତି ଓ ମାଆ ମାନେ ତାଙ୍କୁ ବନ୍ଦାପନା କରନ୍ତି l ଏହି ଅବସରରେ ପଞ୍ଚ ପଲ୍ଲବ ଓ ପଞ୍ଚ ଶସ୍ୟରେ ବରୁଣ ପୂଜା କରା ଯାଇଥାଏ l ପ୍ରଥମାଷ୍ଟମୀର ବିଶେଷତ୍ୱ ଏଣ୍ଡୁରି ପିଠା l ରଜ ପର୍ବରେ ଯେପରି ପୋଡ଼ପିଠା, ଅନନ୍ତ ବ୍ରତରେ ଲଡୁ କାକରା, ବଡ଼ ଓଷାରେ ମଣ୍ଡାପିଠା, ଚିତାଲାଗି ଅମାବାସ୍ୟାରେ ଚିତୋଉ ପିଠା, ମକରସଂକ୍ରାନ୍ତିରେ ମକରଚାଉଳ, ଧନୁ ସଂକ୍ରାନ୍ତିର ଧନୁମୁଆଁ, ମହାବିଷୁବ ସଂକ୍ରାନ୍ତିରେ ଛତୁ-ପଣା, ଶାମ୍ବ ଦଶମୀରେ ବୁଢ଼ା ଚକୁଳି ପ୍ରଭୃତି ଓଡ଼ିଆଘରର ଗୋଟିଏଗୋଟିଏ ବିଶେଷତ୍ଵ, ସେହି ପରି ପ୍ରଥମାଷ୍ଟମୀର ବିଶେଷତ୍ୱ ହେଉଛି ଏଣ୍ଡୁରୀ ପିଠା l ଛେନା, ଗୁଡ଼ ଏବଂ ନଡ଼ିଆରେ ପ୍ରସ୍ତୁତ ପୁର ଦିଆଯାଇ ଉଆ ପକ୍ଷିଆ ଚାଉଳ ଓ ବିରିରେ ଏହି ଏଣ୍ଡୁରୀପିଠା ତିଆରି କରାଯାଏ l ପିଠାକୁ ହଳଦୀ ପତ୍ର ଗୁଡ଼ାଇ ଅଥାର ସିଝା କରି ପ୍ରସ୍ତୁତ କରାଯାଇ ଥାଏ l ତେଣୁ ଏହି ପିଠା ଅତ୍ୟନ୍ତ ସୁସ୍ବାଦୁ ହେବା ସହ ରୁଚିକର ଓ ସୁବାସିତ ହୋଇଥାଏ l ହଳଦୀ ପତ୍ରରେ ପ୍ରସ୍ତୁତ ହେଉ ଥିବାରୁ ଏହା ବହୁ ଔଷଧି ଗୁଣ ବହନ କରେ l ପ୍ରଥମାଷ୍ଟମୀ, ରଜ, ମାଣବସା ଭଳି ଓଡ଼ିଶାର ନିଜସ୍ଵ ପର୍ବ l ଓଡ଼ିଶା ବ୍ୟତୀତ ବା ଓଡ଼ିଆ ଘରକୁ ଛାଡ଼ି ଦେଲେ ଅନ୍ୟ କେଉଁଠାରେ ଏହି ପର୍ବ ପାଳିତ ହେବା ଦେଖା ଯାଇ ନ ଥାଏ l ଓଡ଼ିଶାର ଏହା ଏକ ସ୍ଵତନ୍ତ୍ର ପାରିବାରିକ ପର୍ବ l ଏହି ଦିନ ମାତୁଳ କୁଳର ଭୂମିକା ଗୁରୁତ୍ୱ ପୂର୍ଣ୍ଣ l ମଉଳା ଶ୍ରାଦ୍ଧରେ ଜ୍ୟେଷ୍ଠ ସନ୍ତାନ ମାତୁଳ କୂଳକୁ ଶ୍ରଦ୍ଧା ନିବେଦନ କରି ଥାନ୍ତି l ପ୍ରଥମାଷ୍ଟମୀ ଦିନ ମାତୁଳ କୂଳରୁ ସେହି ଶ୍ରଦ୍ଧାର ପ୍ରତିଦାନ ସ୍ୱରୂପେ ଭାଗୀନେୟକୁ ସମ୍ବର୍ଦ୍ଧନା କରା ଯାଇ ଥାଏ l ଏହି ଦିନ ମାମୁଁମାନେ ନୂଆ ବସ୍ତ୍ର, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ମାନ ଆଣି ଭଣଜା ଭାଣିଜୀଙ୍କୁ ପଢୁଆଁ କରିବାର ପରମ୍ପରା ରହିଛି l ଏଥି ପାଇଁ ମାମୁଁଙ୍କୁ ‘ଅଷ୍ଟମୀ ବନ୍ଧୁ’ କୁହାଯାଏ l ଆମମାନଙ୍କର ମାମୁଁ ଘର ଭଳି ପୁରାଣବର୍ଣ୍ଣିତ ଦେବାଦେବୀ ମାନଙ୍କର ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ମାମୁଁ ଘର ରହି ଥିବାର ସୂଚନା ମିଳେ l

  1. ଭଗବାନ ଶ୍ରୀରାମ ଯେଉଁ ସ୍ଥାନରେ ଅହଲ୍ୟା ଉଦ୍ଧାର କରିଥିଲେ ସେ ସ୍ଥାନକୁ ରାମଭକ୍ତ ବୀର ହନୁମାନଙ୍କ ମାମୁଁଘର ବୋଲି କିମ୍ବଦନ୍ତୀ କହେ l ବିହାରର ସାରନ ଜିଲ୍ଲା ତିତିଲଗଞ୍ଜଠାରେ ଏହି ସ୍ଥାନ ଅବସ୍ଥିତ l ଆଉ କେତେକଙ୍କ ମତରେ ଏହା ବକ୍ସର ଜିଲ୍ଲାର ଅହୀରୋଲ l ଏଠାରେ ଗୌତମ ମୁନିଙ୍କ ଆଶ୍ରମରେ ପତ୍ନୀ ଅହଲ୍ୟା, ତାଙ୍କ କନ୍ୟା ତଥା ହନୁମାନଙ୍କ ମାତା ଅଞ୍ଜନା ବାସକରୁଥିଲେ l କନକପୁର ଯିବା ପଥରେ ଶ୍ରୀରାମଙ୍କ ପାଦ ସ୍ପର୍ଶ ପାଇ ପାଷାଣୀ ଅହଲ୍ୟା ଶାପମୁକ୍ତ ହୋଇଥିଲେ l ଭାରତର ଏକମାତ୍ର ଅହଲ୍ୟା ମନ୍ଦିର ଏହିଠାରେ ଅଛି l ଅହଲ୍ୟାଙ୍କ ମନ୍ଦିର ଓ ଆଶ୍ରମ ଥିବା ଯୋଗୁଁ ଏ ସ୍ଥାନର ନାମ ଅହିରୋଲ ହୋଇଛି l ଏଠାରେ ମଧ୍ୟ ଅଞ୍ଜନାସରୋବର ନାମରେ ଗୋଟିଏ ବୃହତ ପୁଷ୍କରିଣୀ ଅଛି l ଶ୍ରୀନାରାୟଣ ଦାସ ନାମା ଜଣେ ରାମଭକ୍ତ ଏ କଥା ଭକ୍ତମାଳି ପୁସ୍ତକରେ ଲିପିବଦ୍ଧ କରିଛନ୍ତି l
  2. ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ଅନ୍ତର୍ଗତ ବିଶରଖ ଗ୍ରାମରେ ରାବଣ ମନ୍ଦିର ଅଛି l ଏହାକୁ ରାବଣର ମାମୁଁଘର ବୋଲି ଅଭିହିତ କରାଯାଏ l ରାବଣର ପିତା ମହର୍ଷି ବିଶ୍ରବାଙ୍କ ନାମାନୁସାରେ ଏ ସ୍ଥାନର ନାମ ପ୍ରଥମେ ବିଶ୍ୱେଶ୍ୱରା ଥିଲା ଯାହା ଅପଭ୍ରଂଶହୋଇ ବିଶରଖ ହୋଇଅଛି l ରାବଣର ମାମୁଁଘର ହୋଇଥିବାରୁ ଏଠାରେ ରାବଣ ପୋଡି ଉତ୍ସବ ପାଳିତ ହୁଏ ନାହିଁ l
  3. ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ୩୦ କିଲୋମିଟର ଦୂର ଆରଙ୍ଗ ନିକଟ ଚାନ୍ଦଖୁରୀ ବା ଚନ୍ଦ୍ରପୁରୀ ଗ୍ରାମ ଶ୍ରୀରାମଙ୍କ ମାତା କୌଶଲ୍ୟାଙ୍କ ଜନ୍ମସ୍ଥାନ ବୋଲି କୁହାଯାଏ l ଛତିଶଗଡ଼ ପୂର୍ବେ ପୌରାଣିକ ଦକ୍ଷିଣ କୋଶଳ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା l ଏଠା ପୁଷ୍କରିଣୀ ଭିତରେ ଏକ ଟାପୁରେ ମାଆ କୌଶଲ୍ୟାଙ୍କ ମନ୍ଦିର ରହିଛି ଯେଉଁଠାରେ କୌଶଲ୍ୟାଙ୍କ କୋଳରେ ଶିଶୁ ଶ୍ରୀରାମଙ୍କୁ ପୂଜା କରାଯାଉଛି l ମନ୍ଦିରଟି ଷଷ୍ଠ ଶତାବ୍ଦୀରେ ନିର୍ମିତ ହୋଇଛି l ଏହା ସମଗ୍ର ଭାରତବର୍ଷରେ ଏକମାତ୍ର କୌଶଲ୍ୟା ମନ୍ଦିର l ପ୍ରଭୁ ଶ୍ରୀରାମ ଏହି ଅଞ୍ଚଳର ଭଣଜା ହୋଇଥିବାରୁ ଲୋକେ ଭଣଜାକୁ ପ୍ରଭୁଙ୍କ ମାନ୍ୟ ଦେଇ ଏଠାରେ ପାଦଛୁଇଁ ପ୍ରଣାମ କରନ୍ତି l ଆଉ କେତେକ କିମ୍ବଦନ୍ତୀରେ ଝାଡ଼ଖଣ୍ଡ ଅନ୍ତର୍ଗତ ଲୋହାରଦାଗା କୌଶଲ୍ୟାଙ୍କ ବାପ ଘର ବୋଲି କୁହାଯାଏ l ଏଠାରେ ମାଟି ତଳୁ ଖଣ୍ଡା, ଧନୁତୀର, ଇଟା ଏବଂ ଗୋଟିଏ ଭଗ୍ନ ଦୁର୍ଗର ଅବଶେଷ ମିଳିଅଛି l
  4. ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାର ବରସୁର ଠାରେ ଏକ ମନ୍ଦିର ଅଛି, ଯାହାର ନାମ ମାମୁଁ ଭଣଜା ମନ୍ଦିର l କିମ୍ବଦନ୍ତୀ ଅନୁଯାୟୀ ଦୁଇଜଣ କାରିଗର ଏ ମନ୍ଦିରକୁ ମାତ୍ର ଗୋଟିଏ ଦିନରେ ନିର୍ମାଣ କରିଥିଲେ l ସେମାନେ ସମ୍ପର୍କରେ ମାମୁଁ ଭଣଜା ଥିଲେ l ଏଣୁ ଏ ମନ୍ଦିରଟିର ନାମ କରଣ ଏପରି ହୋଇଛି l ଆଉ ଏକ କିମ୍ବଦନ୍ତୀ ଅନୁସାରେ ପୂର୍ବେ ଏ ଅଞ୍ଚଳ ଗଙ୍ଗବଂଶୀ ରାଜାଙ୍କ ସାମ୍ରାଜ୍ୟ ଅନ୍ତର୍ଭୁକ୍ତ ଥିଲା l ରାଜାଙ୍କର ଜଣେ କଳା ପ୍ରେମୀ ଭଣଜା ଉତ୍କଳରୁ ଶିଳ୍ପୀ ମାନଙ୍କୁ ନେଇ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରାଇ ଥିଲେ l ବାହାରର ଶିଳ୍ପୀଙ୍କଦ୍ୱାରା ମନ୍ଦିର ନିର୍ମାଣରେ କ୍ରୋଧିତହୋଇ ରାଜା ତାଙ୍କୁ ବହୁତ ଧିକ୍କାର କଲେ l ସେ ରାଜାଙ୍କ ଉପରେ ଉତ୍ୟକ୍ତ ହୋଇ, ଭଣଜା ତାହାଙ୍କୁ ହତ୍ୟା କଲା l ପରେ ପ୍ରାୟଶ୍ଚିତ ନିମନ୍ତେ ମାମୁଁଙ୍କର ମୁଣ୍ଡ ଆକୃତିର ମୂର୍ତ୍ତିଟିଏ ବସାଇ ଭଣଜା ମନ୍ଦିରରେ ପୂଜା କଲା l କ୍ରମେ ଭଣଜାର ମୃତ୍ୟୁପରେ ଲୋକ ମାନେ ଭଣଜାଙ୍କ ମୂର୍ତ୍ତିଟିଏ ମଧ୍ୟ ସେହି ମନ୍ଦିରରେ ସ୍ଥାପନ କଲେ l ମନ୍ଦିରଟି ଏଥିପାଇଁ ମାମୁଁ ଭଣଜା ମନ୍ଦିର ନାମରେ ଜଣା l
    ଓଡ଼ିଶାର ଚିଲିକା ନିକଟରେ ଦୁଇଟି ପାହାଡ଼ ଅଛି ଯାହାକୁ ମାମୁଁଭଣଜା ପାହାଡ଼ ବୋଲି କୁହାଯାଏ l ଏଭଳି ନାମ କରଣ ପଛରେ କିଛି ରହସ୍ୟ ରହି ଥାଇପାରେ l ଗୋଦାବରୀଶ ମିଶ୍ରଙ୍କ କାଳିଜାଇ କବିତାରେ ପାହାଡ଼ ଦୁଇଟିର ବର୍ଣ୍ଣନା ଅଛି :- ଭଲକରି ନାଆ ବାହୁଛି ନାଉରି
    ତଲେଇ କରିଛି ଠିଆ l
    ମାମୁଁ ଭଣଜାର କୋଣରୁ ଆସେ ଲୋ
    ବହି ସୁଲୁସୁଲୁ ବାଆ ll

ଓଡିଶାର ପର୍ବପର୍ବାଣିମାନଙ୍କ ସହ ଏଠାରେ ପୂଜା ହେଉଥିବା ଦେବାଦେବୀଙ୍କ ପୂଜା ନୀତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ l

ପ୍ରଥମାଷ୍ଟମୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ଶ୍ରୀ ଜଗନ୍ନାଥଙ୍କ ମଧ୍ୟ ପ୍ରଥମାଷ୍ଟମୀ ନୀତି ପାଳିତ ହୁଏ l

ଶ୍ରୀଲିଙ୍ଗରାଜଙ୍କ_ପ୍ରଥମାଷ୍ଟମୀ :-

ପ୍ରଥମାଷ୍ଟମୀ ଦିନ ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ତାଙ୍କ ମାମୁଁ ଘର କୁହାଯାଉଥିବା କପାଳୀ ମଠକୁ ଯାତ୍ରା କରନ୍ତି l ମଠରେ ଥିବା ମହାପ୍ରଭୁ ଶ୍ରୀ ବରୁଣେଶ୍ବର ଓ ବନଦେବୀ ଶ୍ରୀଲିଙ୍ଗରାଜଙ୍କ ମାମୁଁ ଓ ମାଇଁ l କପାଳିମଠରେ ପହଞ୍ଚିବା ପରେ ପାପନାଶିନୀ ପୁଷ୍କରିଣୀରେ ସ୍ନାନପରେ ମାମୁଁମାଇଁ ତାଙ୍କୁ ନୂଆ ବସ୍ତ୍ର ପରିଧାନ କରାଇ ଅକ୍ଷତ ଚାଉଳ ଦେଇ ବନ୍ଦାପନା କରିଥାନ୍ତି l

ଶ୍ରୀମନ୍ଦିରରେ_ପ୍ରଥମାଷ୍ଟମୀ :-

ଶ୍ରୀମନ୍ଦିରରେ ମଧ୍ୟ ପ୍ରଥମାଷ୍ଟମୀ ପର୍ବ ପାରମ୍ପରିକ ରୀତିରେ ପାଳିତ ହୁଏ l ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଆଦିଦେବ ବଡ଼ଠାକୁର l ତାଙ୍କ ଠାରୁ ବଡ଼ କେହି ନାହିଁ l ଶ୍ରୀମଦ୍ ଭଗବଦ୍ ଗୀତାରେ କୁହାଯାଇଛି, ‘ତ୍ବମ୍ ଆଦିଦେବଃ ପୁରୁଷ ପୁରାଣସ୍ତ୍ବ ମସ୍ୟ ବିଶ୍ଵସ୍ୟ ପରଂ ନିଧାନମ’ l ସବୁଠାରୁ ବଡ଼ ଭାବରେ ପ୍ରଥମାଷ୍ଟମୀ ଦିନ ତାଙ୍କର ସ୍ଵତନ୍ତ୍ର ପୂଜା ଶ୍ରୀମନ୍ଦିରରେ ପାଳିତ ହୋଇଥାଏ l ବଡ଼ଠାକୁର ବଡ଼ ଭାଇ ଶ୍ରୀ ବଳଭଦ୍ରଙ୍କୁ ପଢୁଆଁ କରା ଯାଏ l ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ବା ମାର୍ଗଶୀର କୃଷ୍ଣ ଅଷ୍ଟମୀକୁ ଉଦ୍ୟାପିନି ଅଷ୍ଟମୀ ବୋଲି ମଧ୍ୟ କୁହା ଯାଇଥାଏ l ପ୍ରଥମାଷ୍ଟମୀ ପାଳନ ବିଧି ନୀଳାଦ୍ରୀ ମହୋଦୟ ଗ୍ରନ୍ଥରେ ବିସ୍ତୃତ୍ବ ଭାବେ ବର୍ଣ୍ଣିନା କରା ଯାଇଛି l ପ୍ରଥମାଷ୍ଟମୀ ଦିନ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିବାପରେ ତିନିବାଡ଼ରେ ମଇଲମ କରା ଯାଇ ପୂଜାପଣ୍ଡା ସେବକମାନଙ୍କ ଦ୍ଵାରା ମହାସ୍ନାନ ନୀତି ସମ୍ପନ୍ନ ହୋଇଥାଏ l ଏହା ପରେ ପୁଷ୍ପାଳକ ସେବକ ମାନେ ଠାକୁରମାନଙ୍କୁ ନୂଆ ଲୁଗା ଲାଗି କରାନ୍ତି l ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ଚନ୍ଦନ ଲାଗି କରି ଥାନ୍ତି l ଚନ୍ଦନ ଲାଗି ପରେ ଠାକୁର ମାନଙ୍କୁ ବେଶ କରା ଯାଏ l ଏହି ବେଶରେ ଛଅମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ l ଶ୍ରୀବିଗ୍ରହମାନଙ୍କୁ କର୍ପୂରଲାଗି କରି ପୁଷ୍ପାଳକ ମାନେ ରତ୍ନ ସିଂହାସନରୁ ଓହ୍ଲାଇ ଆସିଲା ପରେ ସୁଦୁ ସୁଆର ପୂଜା କରିବା ପରେ ତିନି ବାଡ଼ରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସେବକ ବରୁଣପୂଜା କରିଥାନ୍ତି l ମଧ୍ୟାହ୍ନଧୂପ ପରେ ତିନିବାଡ଼ରେ ମଙ୍ଗଳାର୍ପଣ ବଢ଼ି ଫୁଲପରିଆ, ଖଦି ଛେଦା ପ୍ରସାଦ ଲାଗି କରି ବନ୍ଦାପନା କରାଯାଏ l ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଏଣ୍ଡୁରୀ ପିଠା ସହ ନାଡ଼ୀ, ଧଉଳା, ଖଇରଚୂଳ, ସାନଆରିସା, ସରପୁଳି ପିଠା ଓ ଘିନାଡ଼ୀ, କାନ୍ତ କାକରା, ଗଜା, ବଡ଼ ଡ଼ାଳିମ୍ବ, ଓରିଆ, ମୁଗ, ଖିରୀ ଆଦି ମହାପ୍ରଭୁଙ୍କ ପାଖରେ ଭୋଗ କରାଯାଇ ଥାଏ l ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମାଷ୍ଟମୀ ପର୍ବ ମାନବୀୟ ଲୀଳାର ଅନ୍ୟଏକ ଦୃଷ୍ଟାନ୍ତ l ପରିବାରର ଜ୍ୟେଷ୍ଠସନ୍ତାନ ପରି ସମଗ୍ର ବିଶ୍ଵର ଜ୍ୟେଷ୍ଠ ହିସାବରେ ବଡ଼ଠାକୁରଙ୍କୁ ପଢୁଆଁ କରାଯିବା ନୀତିକୁ ଯେଉଁ ଭକ୍ତଗଣ ଚର୍ମଚକ୍ଷୁରେ ଦର୍ଶନ କରନ୍ତି, ସେମାନଙ୍କର ସମସ୍ତ ପାପତାପ ଖଣ୍ଡିତ ହୋଇ ବୈକୁଣ୍ଠପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି l ଶାସ୍ତ୍ରରେ ଉଲ୍ଲେଖ ଅଛି:-
ପଶ୍ୟେଦ୍ ବା ପରୟା ଭକ୍ତା ମୁକ୍ତ
ସ୍ୟାତପାପବୃନ୍ଦତଃ l
ଅନ୍ତେ ବିଷ୍ଣୁପୁରଂ ଗଚ୍ଛେତ୍
ସର୍ବଶର୍ମପ୍ରବଂ ପରମ୍ ll

ବଡ଼ଭାଇ ବଳଦେବ ତଥା ମହାପ୍ରଭୁଙ୍କ ମାମୁଁ ଘର ଭାବେ ପରିଚିତ ନିଆଳିସ୍ଥ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁଭାର ଆସେ l ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମାନେ କୁହନ୍ତି ଯେ ମହାରାଜା ତୃତୀୟ ଅନଙ୍ଗ ଭୀମଦେବଙ୍କ ଦ୍ୱାରା ୧୨୨୬ ଖ୍ରୀ. ଅ.ରୁ ଶ୍ରୀମାଧବ ମନ୍ଦିରରୁ ପୁରୁଷୋତ୍ତମ କ୍ଷେତ୍ରକୁ ପ୍ରଥମାଷ୍ଟମୀ ପଢୁଆଁଭାର ଯିବା ପରମ୍ପରା ରହିଛିl ୨୦୧୮ ମସିହାରେ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ପ୍ରକାଶିତ ଶ୍ରୀ ମନ୍ଦିର ପତ୍ରିକାରେ ନିଆଳିର ମାଧବାନନ୍ଦ ଜୀଉ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମାମୁଁଘର ବୋଲି ଉଲ୍ଲେଖ କରା ଯାଇଛି l ଶ୍ରୀମନ୍ଦିର ପତ୍ରିକାର ଲିଖିତ ଅଛି ଜନଶ୍ରୁତିରେ ନିଆଳିର ଶ୍ରୀମାଧବାନନ୍ଦ ମନ୍ଦିରକୁ ଶ୍ରୀଜଗନ୍ନାଥଙ୍କ ମାମୁଁ ଘର କୁହାଯାଏ l ପୁଣି ମଧ୍ୟ ଲେଖାଅଛି, ବହୁ ପୂର୍ବେ ପ୍ରଥମାଷ୍ଟମୀ ଦିନ ମାଧବ ମନ୍ଦିରରୁ ଆଜ୍ଞାମାଳ ଏବଂ ଯୋଡବସ୍ତ୍ର ଆଣି ବଡ଼ ଦେଉଳରେ ଶ୍ରୀଜୀଉଙ୍କ ଠାରେ ଲାଗି କରାଯାଉ ଥିଲା l ସମୟକ୍ରମେ ଏହି ପରମ୍ପରା କିଛିଦିନପାଇଁ ବନ୍ଦ ହୋଇଯାଇଥିଲା l ଏବେ ୨୦୧୮ ଠାରୁ ଏ ପରମ୍ପରାକୁ ନିଆଳିର ମାଧବାନନ୍ଦ ଟ୍ରଷ୍ଟ, ଯାଦବ ସମିତି ଏବଂ ଭକ୍ତଗଣଙ୍କ ଉଦ୍ୟମକ୍ରମେ ପୁନର୍ବାର ଉଜ୍ଜିବୀତ କରାଯାଇଛି l ପ୍ରଥମାଷ୍ଟମୀର ପୂର୍ବଦିନ ସଂକୀର୍ତ୍ତନ ମଣ୍ଡଳୀ ସହିତ ପୋଢୁଆଁ ଭାର ନେଇ ସେବକ ଓ ଭକ୍ତ ଶୋଭାଯାତ୍ରାରେ ପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ଯାତ୍ରା କରିଥାନ୍ତି l ବଡ଼ ଠାକୁର ବଳଭଦ୍ରଙ୍କ ପାଇଁ ୭ ଖଣ୍ଡ ପାଟ, ୭ ଖଣ୍ଡ ଖଣ୍ଡୁଆ, ପିଠା ଓ ଫଳମୂଳ ଭାର ଆକାରରେ ପଠାଯାଏ l ନିଆଳିମାଧବ ମନ୍ଦିର ୧୨୦୦ ଖ୍ରୀଷ୍ଟାବ୍ଦରେ ରାଜା ଅନଙ୍ଗ ଭୀମ ଦେବଙ୍କ ଦ୍ୱାରା ନିର୍ମିତ ପ୍ରାଚୀ ନଦୀ ତୀରରେ ଏକ ବହୁ ପୁରାତନ ମନ୍ଦିର l ମନ୍ଦିରର ବର୍ଣ୍ଣନା ସ୍କନ୍ଧପୁରାଣ ପ୍ରାଚୀ ମାହାତ୍ମ୍ୟରେ ରହିଛି l ଶ୍ରୀ ଚୈତନ୍ୟ ମହାପ୍ରଭୁ ଶ୍ରୀକ୍ଷେତ୍ର ଯାତ୍ରା କାଳରେ ଏଠାରେ ଅବସ୍ଥାନ କରି ଥିଲେ ଏବଂ ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରୀକ୍ଷେତ୍ର ଯାତ୍ରା କରିଥିଲେ l ଶାରଳା ମହାଭାରତର ସ୍ଵର୍ଗାରୋହଣ ପର୍ବରେ ଏ ମନ୍ଦିର ଧର୍ମରାଜ ଯୁଧିଷ୍ଠିରଙ୍କ ଦ୍ୱାରା ନିର୍ମିତ ବୋଲି ବର୍ଣ୍ଣନା ରହିଛି l ଭୀମଙ୍କ ଦ୍ୱାରା ଭୌମାସୁର ବଧ ପରେ ଏ ମନ୍ଦିର ପ୍ରତିଷ୍ଠା ହୋଇଥିଲା l ଏଠାରେ ତେଣୁ ମାଘ ଭୌମ ଏକାଦଶୀ ମହା ସମାରୋହ ସହକାରେ ପାଳିତହୁଏ l ଏଠାରେ ବ୍ରାହ୍ମଣ ମାନେ ପଶୁପାଳକ ଭାବେ ଅଭିହିତ ହୋଇଥାନ୍ତି l ପଣ୍ଡିତ ସଦାଶିବ ରଥ ଶର୍ମା ଇନ୍ଦ୍ର ନୀଳମଣୀ ପୁରାଣରୁ ସଂଗ୍ରହ କରି ପୁରୁଷୋତ୍ତମ ଚେତନା ପ୍ରବନ୍ଧରେ କହିଛନ୍ତି ଶ୍ରୀମନ୍ଦିରରେ ପୂଜିତ ଇନ୍ଦ୍ର ନୀଳମଣୀ ଶ୍ରୀମାଧବ ବିଗ୍ରହ ପ୍ରାଚୀ ତୀରସ୍ଥ ଅରୁନ୍ଧତୀପୁର ଠାରେ ଗୋପନ ଭାବରେ ପୂଜିତ ହେଉ ଥିଲେ l ସେହି ଅରୁନ୍ଧତୀ ପୁର ଅଧୁନା ନିଆଳି ନାମରେ ପରିଚିତ l ମାଧବଙ୍କ ମୂଳ ବିଗ୍ରହ ଏହି ନିଆଳି ଠାରେ ଥିବା ହେତୁ ଏହା ମହାପ୍ରଭୁଙ୍କ ମାମୁଁଘର ରୂପେ ବିବେଚିତ ହୁଏ l
ଆମେରିକୀୟ ଐତିହାସିକ ଚାର୍ଲସ ଫବ୍ରିକ ପ୍ରାଚୀ ଅବବାହିକା ସଭ୍ୟତା ଏକ ବହୁ ପ୍ରାଚୀନ ସଭ୍ୟତା ବୋଲି ମତ ବ୍ୟକ୍ତ କରିଛନ୍ତି l ଆମ ସଂସ୍କୃତିରେ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ଶ୍ରୀ ମାଧବଙ୍କୁ ସୁମରଣା କରି ମନ୍ତ୍ର ଉଚ୍ଚାରଣ କରାଯାଏ :-
ମାଧଵୋ ମାଧଵୋ ବିଷ୍ଣୁ,
ମାଧଵୋ ମାଧଵୋ ହରିଃ l
ସ୍ମରନ୍ତି ସାଧଵଃ ନିତ୍ୟ ସର୍ବ
କାର୍ଯ୍ୟେସୁ ମାଧଵଃ ll

ଭଗବତକଥା🙏🚩

ଓଁ ନମୋ ଭଗବତେ ବାସୁଦେବାୟ 🌹🙏

Related Post

Leave a Reply

Your email address will not be published. Required fields are marked *