Spread the love

ପଣ୍ଡୁ ପୂର୍ଣ୍ଣିମା : ପଣ୍ଡୁ ନୃସିଂହ ବିଜେ

ମାର୍ଗଶିର ପୂର୍ଣ୍ଣିମାର ଅନ୍ୟନାମ ପଣ୍ଡୁ ପୂର୍ଣ୍ଣିମା। ଲୋକମୁଖରେ ଏହା ‘ପଣ୍ଡୁ ପୂନେଇଁ’। ଏହିଦିନ ଶ୍ରୀମନ୍ଦିରରେ ‘ପଣ୍ଡୁ ନୃସିଂହ’ଙ୍କର ପୂଜା ହୋଇଥାଏ। ଏହି ପୂଜା ବା ଉତ୍ସବର ଅଙ୍ଗ ରୂପେ, ଶ୍ରୀମନ୍ଦିରର ଦକ୍ଷିଣୀ ଘରେ ଥିବା ଅଷ୍ଟଭୁଜ ଉଗ୍ରନୃସିଂହ ମୂର୍ତ୍ତି ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀକ୍ଷେତ୍ରର ଚାରିଆଶ୍ରମ ଭ୍ରମଣ କରିଥାଆନ୍ତି।

‘କଣ୍ଡୁ ଆଶ୍ରମ’ ଏହି ଚାରି ଆଶ୍ରମ ମଧ୍ୟରୁ ଗୋଟିଏ। ‘ବାଲ୍ମୀକି ରାମାୟଣ’, ‘ବ୍ରହ୍ମପୁରାଣ’ ଓ ‘ବିଷ୍ଣୁ ପୁରାଣ’ ଆଦିରେ କଣ୍ଡୁ ମୁନିଙ୍କର ଉପାଖ୍ୟାନ ଅଛି। ଗୋମତୀ ନଦୀ ତଟରେ ସେ ଆଶ୍ରମଟିଏ କରି ସେଠାରେ କଠୋର ତପସ୍ୟା କରୁଥିଲେ। ଗ୍ରୀଷ୍ମ କାଳରେ ପଞ୍ଚାଗ୍ନି ମଧ୍ୟରେ ରହି ଏବଂ ଶୀତକାଳରେ ଶୀତଳ ଜଳରେ ବୁଡ଼ି ତପ କରିବା ତାହାର ଅନ୍ତର୍ଭୁକ୍ତ ଥିଲା। ତାଙ୍କର ସେହି ତପସ୍ୟାରେ ଭୟଭୀତ ହୋଇ ଦେବରାଜ ଇନ୍ଦ୍ର ପ୍ରମ୍ଲୋଚା ନାମ୍ନୀ ଜଣେ ଅପ୍ସରୀଙ୍କୁ ତାଙ୍କର ତପଭଙ୍ଗ ପାଇଁ ପଠାଇଲେ। ପ୍ରମ୍ଲୋଚା ବହୁ ଉଦ୍ୟମ କରି ମୁନିଙ୍କର ତପ ଭଙ୍ଗ କଲା। କଣ୍ଡୁ ତପ ବଳରେ ନିଜର ବୟସକୁ ୧୬ ବର୍ଷକୁ କମାଇ ଦେଇ ତା’ ସହିତ ପ୍ରେମରସରେ ବୁଡ଼ି ରହିଲେ।
ସେହିପରି ଭାବରେ ଅନେକ ବର୍ଷ ବିତିଗଲା। ଦିନେ ସଂଧ୍ୟା ସମୟରେ କଣ୍ଡୁଙ୍କର ସଂଧ୍ୟା ଗାୟତ୍ରୀ କରିବା କଥା ମନେ ପଡ଼ିଗଲା। କାଳେ ସୂର୍ଯ୍ୟ ଅସ୍ତ ହୋଇଯିବେ, ସେଥିପାଇଁ ସେ ତରବରରେ ଆଶ୍ରମରୁ ବାହାରିଲେ। ପ୍ରମ୍ଲୋଚା ତାହା ଦେଖି ତାଙ୍କୁ ତାତ୍ସଲ୍ୟ କରି କହିଲେ- ଏତେଗୁଡ଼ାଏ ବର୍ଷ ତ ବିତିଗଲାଣି; ଆଜି ଏଇ ଗୋଟିଏ ସଂଧ୍ୟା ବିତିଗଲେ କ’ଣ ବା ଅଶୁଦ୍ଧ ହୋଇଯିବ?

ତାହା କଣ୍ଡୁଙ୍କୁ ନିଜର କୃତକର୍ମ ସଂପର୍କରେ ସଚେତନ କଲା। ସେ ନିଜର ଭୁଲ୍ ବୁଝିପାରିଲେ ଏବଂ ପ୍ରମ୍ଲୋଚାଙ୍କୁ କ୍ରୋଧରେ ଚାହିଁଲେ। ସେଥିରେ ପ୍ରମ୍ଲୋଚା ଡରିଯାଇ ଆଶ୍ରମ ଛାଡ଼ି ସ୍ୱର୍ଗରାଜ୍ୟକୁ ଚାଲିଗଲେ।

ତାହାପରେ କଣ୍ଡୁ ମୁନି ନିଜର ପାପ ପ୍ରକ୍ଷାଳନ ପାଇଁ ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ଚାଲିଆସିଲେ। ଏଠାରେ ଆଶ୍ରମ ସ୍ଥାପନ କରି ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ, ପୁନଶ୍ଚ କଠୋର ତପସ୍ୟା କରି ମୋକ୍ଷ ଲାଭ କଲେ।

କଣ୍ଡୁ ମୁନି ଥିଲେ ଶ୍ରୀନୃସିଂହଙ୍କର ଉପାସକ। ତେଣୁ ତାଙ୍କ ଆଶ୍ରମରେ ଉପାସିତ ନୃସିଂହ ‘କଣ୍ଡୁ ନୃସିଂହ’ ନାମରେ ପରିଚିତ। କିନ୍ତୁ ଲୋକମୁଖରେ ସେ ‘ପଣ୍ଡୁ ନୃସିଂହ’ ହୋଇ ଯାଇଛନ୍ତି। ଶ୍ରୀମନ୍ଦିରରେ ପଣ୍ଡୁପୂର୍ଣ୍ଣିମା ଦିନରେ ତାଙ୍କର ପୂଜା ହୋଇଥାଏ।

କିନ୍ତୁ କଣ୍ଡୁ ମୁନିଙ୍କର ଏ କାହାଣୀ ଆମକୁ ସୂଚାଏ- ଜଣେ କୌଣସି କାରଣରୁ ତପଭ୍ରଷ୍ଟ ହେଲେ ମଧ୍ୟ, ଚେଷ୍ଟା କଲେ ପୁଣି ନିଜର ପୂର୍ବସ୍ଥିତି ପାଇପାରେ।

Related Post

Leave a Reply

Your email address will not be published. Required fields are marked *