ବିଜେପିର ଚାର୍ଜସିଟ କାର୍ଯ୍ୟକ୍ରମ; ‘ମହାନଦୀ ଆଖିରେ ଲୁହ’ ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା
ସମ୍ବଲପୁରରେ ମହାନଦୀକୁ ନେଇ ପୁଣି ଚଳଚଞ୍ଚଳ ରାଜନୀତି। ବିଜେପି ଓ ବିଜେଡି ମୁହାଁମୁହିଁ । ମହାନଦୀ ଆଖିରେ ଲୁହ ଶୀର୍ଷକରେ ବିଜେପି ଏକ କାର୍ଯ୍ୟକ୍ରମ ଆୟୋଜନ କରି ବିଜେଡିକୁ ସମାଲୋଚନା କରିଛି । ମହାନଦୀ ପଠାରେ ଚାର୍ଜସିଟ କାର୍ଯ୍ୟକ୍ରମ ଆୟୋଜନ କରିଛି ବିଜେପି ।
ମହାନଦୀର ଜଳ ପ୍ରଦୂଷଣ ସହ ଏବେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଶାସକ ଦଳକୁ ଦାୟୀ କରିଛି ବିଜେପି।
ମହାନଦୀରେ ସରକାର ଗୋଟିଏ ବି ବ୍ୟାରେଜ କଲେ ନାହିଁ ବୋଲି କହିଛି ବିଜେପି। ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିଥିବା ବିବାଦ ବି ସମାଧାନ ହୋଇନାହିଁ । ଗତ ୨୫ବର୍ଷ ମଧ୍ୟରେ ଶାସକ ଦଳ କିଛି କରି ନାହିଁ। ମହାନଦୀ ଏହାର ପ୍ରତିଫଳନ ବୋଲି ବିଜେପି କହିଛି ।
ସେପଟେ ଏକ ସାମ୍ବାଦିକ ସମ୍ମିଳନୀରେ ପାଲଟା ଜବାବ ଦେଇଥିଲା ବିଜେଡି । ମହାନଦୀ ଏବଂ ଓଡିଶା ବିରୋଧରେ ଅତୀତରେ ବିଜେପି କାମ କରିଥିଲା ବୋଲି କହିଛି। ଟ୍ରିବୁନାଲ ଗଠନକୁ ମଧ୍ୟ ବିଜେପି ବିରୋଧ କରିଥିଲା ବୋଲି ଅଭିଯୋଗ କରିଛି ବିଜେଡି ।
ପୂର୍ବରୁ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଚାର୍ଜସିଟ୍ ଆଣିଥିଲା। କେତେଦିନ ସହିବା, ପରିବର୍ତ୍ତନ ଆଣିବା ନାଁରେ ଚାର୍ଜସିଟକୁ ଲୋକାର୍ପିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ୨୫ ବର୍ଷ ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି । ଚାର୍ଜସିଟ୍ରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ଆସିଛି । ଚିଟ୍ଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ଚାର୍ଜସିଟରେ ଉଲ୍ଲେଖ ରହିଛି ।ବିଜେପି କହିଛି, ରାଜ୍ୟ ସରକାର ସବୁ ଯୋଜନାରେ ଫେଲ୍। କାଳିଆ ଯୋଜନା ଓଡ଼ିଶାରେ ବିଫଳ ହୋଇଛି। ଶୀତଳ ଭଣ୍ଡାର ରାଜ୍ୟରେ କାମ କରୁନି।