Spread the love

*ନିମନ୍ତ୍ରଣ
ପର୍ବପର୍ବାଣି, ବିବାହ,ବ୍ରତୋପନୟନ,ଗୃହ ପ୍ରତିଷ୍ଠା,ଗୃହ ପ୍ରବେଶ,ନୂତନ ପ୍ରକଳ୍ପର ଆରମ୍ଭ,ବା ଜୀବନର ଅନ୍ତିମ ଶଯ୍ୟାରେ, ଶୁଦ୍ଧି ବା କୌଣସି ସ୍ବତନ୍ତ୍ର ଉତ୍ସବରେ ଆମ ସମାଜରେ ପ୍ରଚଳିତ ପ୍ରଥା ଅନୁଯାୟୀ ସାହି ପଡିଶା, ସାଙ୍ଗ ସାଥି, ଗାଆଁର ବା ସହରର ଜଣାଶୁଣା ବ୍ୟକ୍ତିବିଶେଷ, ବନ୍ଧୁବାନ୍ଧବ, ମିତ୍ର ବା କର୍ମ କ୍ଷେତ୍ରରେ ନିୟୋଜିତ ସହକର୍ମୀ ମାନଙ୍କୁ ସମ୍ମାନର ସହିତ ଘର,ମନ୍ଦିର ବା ଯେଉଁ ସ୍ଥାନରେ ଉତ୍ସବର ଆହୋଜନ କରାଯାଇଥାଏ ସେଠାକୁ ଡକାଇ ଭୋଜିଭାତରେ ଆପ୍ୟାୟିତ କରିବାର ପ୍ରଥମ ପର୍ଯ୍ୟାୟ ହେଉଛି ନିମନ୍ତ୍ରଣ। ପୂର୍ବରୁ ଏହି ନିମନ୍ତ୍ରଣ ଉଦ୍ୟୋକ୍ତାଙ୍କ ଦ୍ବାରା ବ୍ୟକ୍ତିଗତ ଭାବରେ ଘରେ ଘରେ ଭେଟି ଜଣାଇବାକୁ ହେଉଥିଲା,କିମ୍ବା ଉତ୍ସବର ବ୍ୟାପକତା ନେଇ ପରିବାର କିମ୍ବା ନିଜର ଘନିଷ୍ଠ ବ୍ୟକ୍ତିଙ୍କ ଦ୍ବାରା ଉତ୍ସବ ପୂର୍ବରୁ ଜଣାଇ ଦିଆ ଯାଉଥିଲା। ଧିରେଧିରେ ତାହା ସହରୀ ସଭ୍ୟତାର ଅନୁକରଣରେ ନିୟନ୍ତ୍ରଣ ପତ୍ର ଛପାଇ ତାହା ବାଣ୍ଟିବାରେ ଯେକୌଣସି ଲୋକଙ୍କୁ ନିୟୋଜିତ କରାଗଲା।ଉଦ୍ୟୋକ୍ତାଙ୍କର ସାମାଜିକ ସ୍ଥିତି ଅନୁସାରେ ସେହି କାର୍ଡର ମୂଲ୍ୟରୁ ବା ତାର କଳେବର ବା ଉତ୍ସବର ପାଳନ ସଂମ୍ପର୍କରେ ଦିଆଯାଇଥିବା ତଥ୍ୟରୁ ଅତିଥିମାନେ ଜାଣି ଯାଉଥିଲେ ସେହି ଉତ୍ସବର ଗାମ୍ଭୀର୍ଯ୍ୟ କିପରି ହୋଇପାରେ।ଏବେ ଆମ୍ଭେ ଆଲୋଚନା ଉପରକୁ ଆସିବା କେତେକ ବହୁ ଚର୍ଚ୍ଚିତ ନିମନ୍ତ୍ରଣ ସଂମ୍ପର୍କରେ।
ସ୍ବାଧିନତା ପରବର୍ତ୍ତୀ ଓଡିଶାର ଦୁଇ ମହାନ୍ ରାଜନୈତିକ ବ୍ୟକ୍ତିମାନଙ୍କ ମଧ୍ୟରେ ହାସ୍ୟ ରସିକ କବି ଯଦୁମଣି ମଙ୍ଗରାଜ ଏବଂ ବିଶିଷ୍ଟ ଆଇନଜ୍ଞ ଦିନବନ୍ଧୁ ସାହୁ।କେନ୍ଦ୍ରାପଡାର ଦୁଇ ଚର୍ଚ୍ଚିତ ଚେହେରା।କେହି କାହାଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ହାସ୍ୟ କବି ଯଦୁମଣି ମଙ୍ଗରାଜ ଜନ ପ୍ରତିନିଧି, ମନ୍ତ୍ରୀ ଏବଂ ବାଚସ୍ପତି ଭାବରେ ରାଜ୍ୟରେ ଜଣେ ସମ୍ମାନସ୍ପଦ ବ୍ୟକ୍ତି। ସେହିପରି ଆଇନଜ୍ଞ ଦୀନବନ୍ଧୁ ସାହୁ ଓଡିଶା ରାଜନୀତିରେ ଆଇନ ମନ୍ତ୍ରୀ ଭାବରେ ବେଶ୍ ପ୍ରତିଷ୍ଠିତ। ମାତ୍ର ଉଭୟଙ୍କ ମଧ୍ୟରେ କେବେ କେବେ କୌଣସି ପ୍ରସଙ୍ଗକୁ ନେଇ ମତଭେଦ ରହିଥାଏ।ଅନେକ ସମୟରେ ସେହି ମତଭେଦକୁ ନେଇ କିଛି ରାଜନୈତିକ ବ୍ୟକ୍ତି ଦୁଇଜଣଙ୍କୁ ଭିନ୍ନ ଭିନ୍ନ ସମର୍ଥନ ଦେବାର ଦେଖାଯାଏ ଏବଂ ସେଥିରେ ଅନେକ ରୋଚକ ଘଟଣାର ଅବତାରଣା ହୋଇଥାଏ।
ଏକଦା ଆଇନ ମନ୍ତ୍ରୀ ଦୀନବନ୍ଧୁ ସାହୁଙ୍କର ଝିଅ ବିଭାଘର ଭୋଜିଭାତର ଉତ୍ସବ ପାଳିତ ହେଉଥାଏ। ଅନେକ ଅତିଥି ଅଭ୍ୟାଗତଙ୍କୁ ଆମନ୍ତ୍ରିତ କରାଯାଇଥାଏ।ଅନେକ ରାଜନେତା ଭୋଜିରେ ଭାଗ ନେଇଥାନ୍ତି।ନିଜ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ମାନେ ଭୋଜିରେ ଭାଗ ନେଇଥାନ୍ତି।ଏହି ସମୟରେ ମନ୍ତ୍ରୀ ଦିନବନ୍ଧୁ ସାହୁ ବହୁତ ବ୍ୟସ୍ତ ରହୁଥାନ୍ତି। ଟିକିଏ ଫୁରସତ ନଥାଏ। ହଠାତ୍ ସେହି ଭୋଜି ସଭାରେ ଉପସ୍ଥିତ ହେଲେ ହାସ୍ୟ କବି ଯଦୁମଣି ମଙ୍ଗରାଜ।ହାତରେ ବସିବା ପାଇଁ ଖଣ୍ଡିଏ ଚଟ ଏବଂ ଖଣ୍ଡିଏ କଦଳୀ ପତ୍ର। ବର୍ଣ୍ଣାଢ଼୍ୟ ପରିବେଷରେ ସେହି ପରିଚିତ ବ୍ୟକ୍ତି ଯଦୁମଣି ମଙ୍ଗରାଜଙ୍କୁ ଏପରି ଅବସ୍ଥାରେ ଦେଖି କେହି କିଛି ବୁଝି ପାରିଲେନାହିଁ।ଏହି ପ୍ରସଙ୍ଗଟି କ୍ଷିପ୍ର ଗତିରେ ବ୍ୟାପିଗଲା।ଘଟଣାଟି ଆଇନ୍ ମନ୍ତ୍ରୀ ଦିନବନ୍ଧୁ ସାହୁଙ୍କ କାନରେ ବାଜିଲା।ସେ ଆସି କବି ଯଦୁମଣି ମଙ୍ଗରାଜଙ୍କୁ ଆଲିଙ୍ଗନ କରି ଆସନକୁ ପାଛୋଟି ନେବାର ଆୟୋଜନ କରିବାକୁ ଲାଗିଲେ। ମାତ୍ର କବି ଯଦୁମଣି କୋଉ ଛାଡିବା ଲୋକ।ସେ କହିଲେ ଆଜ୍ଞା ହେଉ ହେଲା। ଆପଣ ଏତେବଡ ରାଜ୍ୟର ଆଇନ ମନ୍ତ୍ରୀ।ଅନେକ ଲୋକଙ୍କୁ ନିମନ୍ତ୍ରଣ ଜଣାଇବାରେ ହୁଏତଃ ମୋପରି ଜଣେ ସାଧାରଣ ଲୋକ କଥା ଭୁଲି ଯାଇଥିବେ।ତେଣୁ ସମ୍ପର୍କ ଦୃଷ୍ଟିରୁ ଆପଣଙ୍କର ଏପରି ଏତେବଡ ଉତ୍ସବକୁ ନିଜେ ଚାଲି ଆସିଲି।ହୁଏତ ମୋ ପାଇଁ ଆପଣ ଅସୁବିଧାରେ ପଡି ପାରନ୍ତି। ସେଇ ଦୃଷ୍ଟିରୁ ନିଜର ଆସନ ଏବଂ ଭୋଜନ ପାଇଁ ପତ୍ର ଖଣ୍ଡେ ଧରି ଆସିଛି।ଏଇ ଅତିଥିଙ୍କ ମଧ୍ୟରେ ବସି ଖାଇ ଦେଉଛି। ଏହାଶୁଣି ଦିନବନ୍ଧୁ ସାହୁ ଖୁବ୍ ଲଜ୍ଜିତ ହୋଇ କବି ଯଦୁମଣି ମଙ୍ଗରାଜଙ୍କୁ କ୍ଷମା ମାଗି ତାଙ୍କୁ ସମ୍ମାନିତ କରିଥିଲେ।
ଅନ୍ୟ ଏକ ଘଟଣା ଚକ୍ରରେ ଜଣେ ବିଶିଷ୍ଟ ଜ୍ଞାନୀ ଗୁଣୀ ବିଦ୍ୱାନ ଭାବରେ ଜଣାଶୁଣା ବ୍ୟକ୍ତି ଈଶ୍ବର ଚନ୍ଦ୍ର ବିଦ୍ଯାସାଗର ଜଣେ ପ୍ରତିଷ୍ଠିତ ଶିଳ୍ପପତିଙ୍କର ପୁଅ ବିଭାଘର ନିମନ୍ତ୍ରଣ ପାଇ ଯାଇଁ ସଠିକ୍ ସମୟରେ ପହଞ୍ଚିଲେ। ବର୍ଣ୍ଣାଢ଼୍ୟ ପରିବେଶରେ ଗେଟ୍ ଭିତରକୁ ଯିବା ସମୟରେ ଗେଟରେ ଥିବା ଦ୍ଵାରପାଳ ତାଙ୍କର ବେଶ ପୋଷାକର ଅବସ୍ଥାରୁ ସେ ଗେଟ ଭିତରକୁ ଯାଇ ପାରିବେ ନାହିଁ କହି ସେଠାରୁ ତଡି ଦେଲେ।ବହୁ ଚେଷ୍ଟାକରି ବିଦ୍ୟାସାଗର ଭିତରକୁ ଯିବାରେ ବିଫଳ ହୋଇ ଫେରି ଆସିଲେ।କିଛି ସମୟପରେ ସେ ଗୋଟିଏ ଲଣ୍ଡ୍ରି ଦୋକାନରୁ ନିଜ ମାପରେ କୋଟ, ପ୍ୟାଣ୍ଟ୍ ଓ ଅନ୍ୟ ଏକ ସ୍ଥାନରୁ ବୁଟ୍ ପିନ୍ଧି ପୁନର୍ବାର ଯାଇଁ ଗେଟ୍ ନିକଟରେ ପହଞ୍ଚିବାରେ ଦରୁଆନ୍ ତାଙ୍କୁ ସାଲ୍ୟୁଟ୍ ମାରି ଭିତରକୁ ଛାଡିଦେଲା। ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଭିତରକୁ ଯାଇଁ ଭୋଜିରେ ସମସ୍ତଙ୍କ ସହିତ ଯୋଗ ଦେଲେ। ଖାଦ୍ୟ ପରିବେଷଣ ହେଲା। କିନ୍ତୁ ଏ କି ବିଚିତ୍ର କଥା? ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଯେତେ ସୁସ୍ବାଦୁ ଖାଦ୍ୟ ପାଉଥାନ୍ତି ତାହା ତାଙ୍କ କୋଟ ଏବଂ ପ୍ୟାଣ୍ଟ ପକେଟରେ ଭର୍ତ୍ତି କରୁଥାନ୍ତି।ଏହାଦେଖି ଅନେକ ବିଶିଷ୍ଟ ଅତିଥି ଗୃହକର୍ତ୍ତାଙ୍କ ନିକଟରେ ଏହା ଜଣାଇଲେ।ଗୃହକର୍ତ୍ତା ସବିନୟ ଏହାର କାରଣ ପଚାରିବାରୁ ଈଶ୍ବର ଚନ୍ଦ୍ର ବିଦ୍ୟାସାଗର ଯାହା ଉତ୍ତର ଦେଲେ ସେଥିରେ ସମସ୍ତ ଆମନ୍ତ୍ରିତ ଅତିଥି ଏବଂ ନିଜେ ଗୃହକର୍ତ୍ତା ମଧ୍ୟ ବିସ୍ମିତ ହେଲେ। ଈଶ୍ବର ଚନ୍ଦ୍ର କିପରି ଗେଟ୍ ନିକଟରେ ତାଙ୍କର ପୋଷାକ ପାଇଁ ଦ୍ଵାରପାଳ ଦ୍ବାରା ବହିଷ୍କୃତ ହୋଇ ପରେ ମୂଲ୍ୟବାନ ପୋଷାକରେ ଭୋଜିରେ ଭାଗ ନେଲେ ତାହା ବର୍ଣ୍ଣନା କଲେ। ଏଥିରେ ଆୟୋଜକ ଲଜ୍ଜିତ ହୋଇ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହେଲେ।
ଏବେ ଆସିବା ସାମ୍ପ୍ରତିକ ଏକ ନିମନ୍ତ୍ରଣ ସଂମ୍ପର୍କରେ ଆଲୋଚନା କରିବା। ଚଳିତବର୍ଷର ସାଧାରଣ ନିର୍ବାଚନରେ ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ ଆରମ୍ଭ ହୋଇଥିବା ତୀବ୍ର ପ୍ରତିଯୋଗୀତାରେ ଦୁଇଟି ରାଜନୈତିକ ଦଳ ପକ୍ଷରୁ ବହୁଳ ଭାବରେ ପ୍ରସାରିତ ହେଉଥିବା ଶପଥ ପାଠ ଉତ୍ସବକୁ ସେହି ଦୁଇ ଦଳର ତୁଙ୍ଗ ନେତା ଦେଶବାସୀ ଏବଂ ରାଜ୍ୟବାସୀଙ୍କୁ ଦେଶ ତଥା ରାଜ୍ୟର ସମ୍ବାଦପତ୍ର ମାଧ୍ୟମରେ ନିମନ୍ତ୍ରଣ ଜଣାଇଛନ୍ତି। ଏବେ ସୁଦ୍ଧା ନିର୍ବାଚନ ଶେଷ ହୋଇନାହିଁ।ଏପରି ନିମନ୍ତ୍ରଣ ସେହି ଦଳ ମାନଙ୍କର ଔଦ୍ଧତ୍ୟ ଓ ଅହଂଙ୍କାରକୁ ସ୍ପଷ୍ଟ କରୁଛି ନିଶ୍ଚୟ। ଯେଉଁମାନେ ରାଜ୍ୟ ପାଇଁ ବା କେନ୍ଦ୍ର ପାଇଁ ନେତା ନିର୍ବାଚନରେ ଭାଗ ନେଇ ସେମାନଙ୍କର ବହୁମୂଲ୍ୟ ମତଦାନ କରିବାରେ କଷ୍ଟ ସ୍ବୀକାର କରି ଦେଶ ଓ ରାଜ୍ୟର ଗାରୀମା ବଜାୟ ରଖିବାରେ ଭୂମିକା ନିର୍ବାହ କରିଛନ୍ତି,ଭୋଟ ଶେଷ ହେବା ପୂର୍ବରୁ ସେମାନଙ୍କୁ ଶପଥ ପାଠ ଉତ୍ସବକୁ ପତ୍ର ପତ୍ରିକା ମାଧ୍ଯମରେ ଏପରି ନିମନ୍ତ୍ରଣ ଜଣାଇବା ଏକ ବିଦ୍ରୁପ ନୁହେଁ କି?ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହା କେତେଦୂର ଉଚିତ୍ ଅନୁଚିତ୍ ତାହା ଏବେ ବିଚାର ର ବିଷୟ।
🌄🌴🌹✍️ ସଞ୍ଜୟ ✍️🌹🌳🌝

Related Post

Leave a Reply

Your email address will not be published. Required fields are marked *