Spread the love

ଦିଲ୍ଲୀର ସେଣ୍ଟ ଷ୍ଟିଫେନସ କଲେଜରେ ଆଡ଼ମିସନ ଫି ଦାଖଲ କରିବାକୁ ଲମ୍ବା ଧାଡ଼ି ଲାଗିଥିଲା। ପ୍ରବଳ ଖରା ହେଉଥିଲା। ଧାଡିରେ ଛିଡ଼ା ହୋଇଥିବା ଜଣେ ଯୁବକ ହଠାତ ଅଚେତ ହୋଇ ତଳେ ପଡ଼ିଗଲେ। ତାଙ୍କୁ ମେଡିକାଲ ନିଆଗଲା। ଅଧ୍ୟାପକ ଓ ଛାତ୍ରମାନେ ତାଙ୍କ ବାପାଙ୍କ ନାଁ ଠିକଣା ପଚାରି ବୁଝିଲେ। ଯୁବକ ଜଣକ ଯେଉଁ ନାଁ କହିଲେ ତାହା ଶୁଣି ସମସ୍ତଙ୍କ ଚେତା ବୁଡ଼ିଗଲା। “ଲାଲ ବାହାଦୂର ଶାସ୍ତ୍ରୀ, ଦେଶର ପ୍ରଧାନମନ୍ତ୍ରୀ” !!!! ଏତିକି କହି ସେଠାରେ ଥିବା ସମସ୍ତେ ତଟସ୍ଥ ହୋଇଗଲେ।
ଆଉ ଦିନେ ପୁଅ ସରକାରୀ କାର ଚଲେଇ ଦେଲା ବୋଲି କିଲୋମିଟର ହିସାବ କରି ସରକାରୀ ଖାତାରେ ତେଲ ଖର୍ଚ୍ଚ ପଇଠ କରିଦେଇଥିଲେ ସେ। ଏଭଳି ସଚ୍ଚୋଟତା, ସାଧୁତା ଓ ନିଷ୍ଠାପରତା ଲାଲ ବାହାଦୂର ଶାସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କୋଉ ନେତାଙ୍କ ପାଖରେ ଦେଖିବାକୁ ମିଳି ନ ଥିବ।
-ଏବେ ତ ଏମଏଲଏ, ଏମପି, ମନ୍ତ୍ରୀମାନଙ୍କ ପୁଅ, ଝିଅ ତ ଦୂରର କଥା ସମ୍ପର୍କୀୟ, ବନ୍ଧୁବାନ୍ଧବମାନଙ୍କୁ ବି ସବୁ ମାଫ୍, ସବୁ ଫ୍ରି। ଚାକିରି, ହସ୍ପିଟାଲ ବେଡ଼, ଟ୍ରେନ ଟିକେଟ, ଉଡ଼ାଯାହାଜ ଟିକେଟ..ଏମିତି କେତେ କଣ ସୁବିଧା ମିଳିଯାଏ ସହଜରେ। ବାପା ନେତାଟିଏ ହେଇଗଲେ ପୁଅ ସରକାରୀ ଅଫିସରକୁ ବିଚ ରାସ୍ତାରେ ଗୋଡେଇ ଗୋଡେଇ ବ୍ୟାଟରେ ପିଟେ। ପୁଲିସକୁ ଆଖି ଦେଖାଏ। ନେତାଟିଏ ଥରେ ଏମଏଲଏ, ଏମପି କି ମନ୍ତ୍ରୀ ହେଇଗଲେ ୪/୫ଟା ଗାଡ଼ି, ୨/୩ଟା ବିଲ୍ଡିଂ, ୮/୧୦ଟା ପ୍ଲଟ ଏମିତି କେତେ କଣ ହାସଲ କରିଦିଏ। ତାର ସାତ ପିଢ଼ି ପାଇଁ ସମ୍ପତ୍ତି ଖଞ୍ଜି ଦିଏ।
-ଶାସ୍ତ୍ରୀଜୀ ଯେଉଁ ସଭାକୁ ଯାଉଥିଲେ ସାଧାରଣ ମଣିଷ ପରି ଯାଉଥିଲେ। ସୁଆଦିଆ ଦାମୀ ଖାଦ୍ୟ ଛୁଁ ନ ଥିଲେ। କହୁଥିଲେ ଗରିବଟିଏ କୋଉଠି ଭୋକିଲା ଶୋଇଥିବ, ମୁଁ କେମିତି ଏ ଦାମୀ ଖାଦ୍ୟ ଖାଇ ପାରିବି। ଥରେ ଭୁବନେଶ୍ୱରକୁ ଆସିଥିଲେ। କାର୍ଯ୍ୟକ୍ରମ ସରିବା ପରେ ଶାଢ଼ୀ ଶୋରୁମ ବୁଲି ଯାଇଥିଲେ। ସୁନ୍ଦର ଶାଢ଼ୀ ଦେଖି ଖୁସି ହେଇଗଲେ। ପତ୍ନୀଙ୍କ ପାଇଁ ନେବାକୁ ମନ ବଳାଇଲେ। ଦାମ ପଚାରିବାରୁ ଦୋକାନୀ କହିଲା ୮ ଶହରୁ ୧୦୦୦। ତାଙ୍କୁ ତାହା ଅଧିକ ଲାଗିଲା। କମ ଦାମର ଦେଖାଇବାକୁ କହିଲେ। ଦୋକାନୀ ପୁଣି ୫ ଶହ ଟଙ୍କାର ଶାଢ଼ୀ ଦେଖାଇଲେ। ଏହି ଦାମ ବି ଶାସ୍ତ୍ରୀଜୀଙ୍କୁ ଅଧିକ ଲାଗିଲା। ଆହୁରି କମ ଦାମର ଦେଖାଇବାକୁ କହିଲେ। ଏଥର ଦୋକାନୀ ଜଣକ କହିଲେ ଆପଣ ଦେଶର ପ୍ରଧାନମନ୍ତ୍ରୀ। ଆପଣଙ୍କୁ ମୁଁ ଗୋଟିଏ ଦାମୀ ଶାଢ଼ୀ ଉପହାର ଦେବି। ହେଲେ, ଶାସ୍ତ୍ରୀଜୀ ମାନି ନ ଥିଲେ। ଶସ୍ତା ଦଶାଢୀଟିଏ କିଣି ନେଇଥିଲେ ପତ୍ନୀଙ୍କ ପାଇଁ। କହିଥିଲେ ମୁଁ ପ୍ରଧାନମନ୍ତ୍ରୀ ହେଲେ କଣ ହେଲା, ଏତେ ଦାମୀ ଶାଢ଼ୀ କିଣିବାକୁ ମୋର ସାମର୍ଥ୍ୟ ନାହିଁ।
ପ୍ରଧାନମନ୍ତ୍ରୀ ହେଲା ବେଳକୁ ବି ତାଙ୍କ ପାଖରେ କାରଟିଏ ନ ଥିଲା। ଘର ଲୋକଙ୍କ କଥାରେ ନୂଆ କାରଟିଏ କିଣିବାକୁ ମନ ବଳାଇଲେ। ସେକ୍ରେଟାରୀଙ୍କୁ କାର ଦାମ ବୁଝିବାକୁ କହିଲେ। ସେତେବେଳେ ଫିଆଟ କାର ଦାମ ଥିଲା ୧୨ ହଜାର ଟଙ୍କା। ହେଲେ ଶାସ୍ତ୍ରୀଜୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିଲା ୭ ହଜାର ଟଙ୍କା। ବାକି ଟଙ୍କା ଲାଗି ବ୍ୟାଙ୍କରୁ ଲୋନ ଆବେଦନ କଲେ। ମାତ୍ର ଦେଢ଼ ଘଣ୍ଟାରେ ବ୍ୟାଙ୍କ ଏହି ଲୋନ ମଞ୍ଜୁର କରିଦେଲା। ଏହି ଜାଗାରେ ଆଉ କିଏ ଥିଲେ ଗର୍ବରେ ଛାତି ଫୁଲି ଉଠିଥାନ୍ତା। ହେଲେ, ଶାସ୍ତ୍ରୀଜୀ ସେଇ ବ୍ୟାଙ୍କ ଅଫିସରଙ୍କୁ ସମନ ପଠାଇ ତାଗିଦ୍ କରିଥିଲେ। ଯେମିତି ତତ୍ପରତା ତାଙ୍କ ପାଇଁ ଦେଖାଇଲେ ସାଧାରଣ ଲୋକଙ୍କୁ ସେବା ଯୋଗାଇବା ପାଇଁ ମଧ୍ୟ ସେତିକି ତତ୍ପରତା ଦେଖାଇବାକୁ ପରାମର୍ଶ ଦେଇଥିଲେ। ନିଜ ବେଡରୁମରେ କାର୍ପେଟଟିଏ ବି ପକାଇବାକୁ ମନା କରିଦେଇଥିଲେ। ଗରିବ ଲୋକର ମୁଣ୍ଡ ଉପରେ ଛାତଟିଏ ନ ଥିଲା ବେଳେ ସିଏ ପାଦ ତଳେ ଏହି ଅଦରକାରୀ ଜିନିଷ କେମିତି ପକାଇବେ ବୋଲି କହିଥିଲେ। ଶାସ୍ତ୍ରୀଜୀ ଜାତିବାଦର ଘୋର ବିରୋଧୀ ଥିଲେ। ସେଇଥିପାଇଁ ନିଜ ନାଁରୁ ସାଙ୍ଗିଆ(ଶ୍ରୀବାସ୍ତବ) କାଟି ଦେଇଥିଲେ। ବାରାଣସୀ କାଶୀ ବିଦ୍ୟାପୀଠ ବିଶ୍ବବିଦ୍ୟାଳୟରେ ପଢ଼ିବା ବେଳେ ୧୯୨୬ରେ ତାଙ୍କୁ ‘ଶାସ୍ତ୍ରୀ’ ଉପାଧି ପ୍ରଦାନ କରା ଯାଇଥିଲା।
ମୃତ୍ୟୁ ବେଳକୁ ଦେଶର ଏହି ଦ୍ବିତୀୟ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମ୍ପତ୍ତି ତ ଦୂରର କଥା ନିଜ ନାଁରେ ଖଣ୍ଡିଏ ଜାଗା, ଘର ବି ନଥିଲା। ଲୋନ କରି ଯେଉଁ କାର ଖଣ୍ଡିକ କିଣିଥିଲେ ତାକୁ ବି ଶୁଝି ପାରି ନ ଥିଲେ। ପତ୍ନୀ ପେନସନ ଟଙ୍କାରେ ସେହି ଲୋନ ଶୁଝିଥିଲେ।

ବାରାଣସୀ ଏୟାରପୋର୍ଟରେ ଏହି ସ୍ୱାଭିମାନୀ, ଶାନ୍ତ, ସରଳ, ଆତ୍ମସମ୍ମାନରେ ଭରପୂର ମହାମାନବଙ୍କ ୧୮ ଫୁଟ ଉଚ୍ଚର ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚିତ କରିଛନ୍ତି। ତମ୍ବାରେ ତିଆରି ଏହି ପ୍ରତିମୂର୍ତ୍ତି ତିଆରି ପାଇଁ ଖର୍ଚ୍ଚ ହୋଇଛି ୮୦ ଲକ୍ଷ ଟଙ୍କା। ଏହି ପ୍ରତିମୂର୍ତ୍ତି ଜରିଆରେ ଦେଶ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛି। ହେଲେ, ସବୁବେଳେ ଗରିବ, ଦୁସ୍ଥ, ପୀଡ଼ିତମାନଙ୍କ ପାଇଁ ଚିନ୍ତା କରିଥିବା, ସରଳ, ଆଡମ୍ବରହୀନ ଜୀବନ ଜିଇଁଥିବା ଏହି ବିଶାଳ ହୃଦୟର ମଣିଷଙ୍କୁ ଅସଲ ଶ୍ରଦ୍ଧାଞ୍ଜଳି ସେତେବେଳେ ମିଳିବ ଯେତେବେଳେ ଆମ ନେତାମାନେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେଇ ପାରିବେ। ନିଜକୁ ତାଙ୍କରି ସରଳତା, ସଚ୍ଚୋଟଟା, ସ୍ୱଚ୍ଛତା ଭରା ଜୀବନଶୈଳୀକୁ ଆପଣାଇ ପାରିବେ।

ପ୍ରକୃତରେ ଜଣେ ସାଧାସିଧା, ମେଳାପୀ, ଅହଂକାର ଶୂନ୍ୟ, ସରଳ ଏବଂ କର୍ମଠ ବ୍ୟକ୍ତି ଥିଲେ l କିନ୍ତୁ କାଳ ଶୀଘ୍ର ନେଇଗଲା ଆରପାରିକୁ l ଅବଶ୍ୟ ତାଙ୍କର ମୃତ୍ୟୁର କାରଣ ଆଜି ପର୍ଯ୍ୟନ୍ତ ସନ୍ଦେହର ଘେରରେ l କିନ୍ତୁ ଶୁଣାଯାଏ, ମୃତ୍ୟୁର କାରଣ ——-

Related Post

Leave a Reply

Your email address will not be published. Required fields are marked *

You Missed