Spread the love

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ – ୬ ଫ୍ଲାଗଷ୍ଟାଫ୍ ରୋଡ୍‌ର ନବୀକରଣ ପାଇଁ କେଜ୍ରିୱାଲ ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ବିଜେପି ଅଭିଯୋଗ କରିଛି। ବିଜେପିର ଅଭିଯୋଗର ଜବାବରେ ଆପ୍ କହିଛି ଯେ ପ୍ରଧାନମନ୍ତ୍ରୀ ୨୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବାସଭବନରେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଆପ୍ ନେତାମାନେ ପୁଲିସ ସହ ଯୁକ୍ତିତର୍କ କରିବା ସହ ଭିତରକୁ ପ୍ରବେଶ କରିବାକୁ ଦିଆ ନ ଯିବାରୁ ୬ ଫ୍ଲାଗ୍‌ଷ୍ଟାଫ୍ ରୋଡ୍ ବଙ୍ଗଳା ବାହାରେ ଧାରଣା ଦେଇଥିଲେ। ମନ୍ତ୍ରୀ ଓ ସାଂସଦଙ୍କୁ କାହିଁକି ଅନୁମତି ଦରକାର ବୋଲି ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ବିଜେପି ପ୍ରତିଦିନ ନୂଆ ନୂଆ ଭିଡିଓ ଓ ଫଟୋ ପଠାଉଥିଲା। ଆଜି ଆମେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏଠାକୁ ଆସିଛୁ।  ତିନିସ୍ତରୀୟ ବ୍ୟାରିକେଡିଂ ଲଗାଯାଇଛି। ଗଣମାଧ୍ୟମକୁ ଭିତରକୁ ଯିବାକୁ ଦିଆଯାଉ ନାହିଁ। ସୁଇମିଂ ପୁଲ୍ ଓ ବାର୍ କେଉଁଠି ଅଛି ତାହା ଆମକୁ ଦେଖାନ୍ତୁ ବୋଲି ମନ୍ତ୍ରୀ ଭରଦ୍ୱାଜ କହିଛନ୍ତି।

ଏହାପରେ ଆପ୍ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ତେବେ ଦିଲ୍ଲୀ ପୁଲିସ ଏହାକୁ ବିରୋଧ କରି କହିଛି ଯେ ସେମାନେ ବିନା ଅନୁମତିରେ ପ୍ରବେଶ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଧାରା ୧୬୩ (ପୂର୍ବରୁ ଧାରା ୧୪୪) ଅନୁଯାୟୀ କଟକଣା ଲାଗୁ କରାଯାଇଛି ଏବଂ ଆପ୍‌କୁ କୌଣସି ବିକ୍ଷୋଭରୁ ଦୂରେଇ ରହିବାକୁ କୁହାଯାଇଛି। ସେପଟେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଏବି-୧୭ ମଥୁରା ରୋଡ୍‌ରେ ଥିବା ଆପ୍ ନେତା ଆତିଶୀଙ୍କ ବାସଭବନରେ ପହଞ୍ଚି ପ୍ରଶ୍ନ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ କାହିଁକି ୬ ଫ୍ଲାଗଷ୍ଟାଫ୍ ରୋଡ୍ ବିଲ୍ଡିଂକୁ ଦଖଲ କରିବାକୁ ଜିଦ୍ ଧରିଛନ୍ତି। ଏହି ବଙ୍ଗଳା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କୁ ଆବଣ୍ଟନ କରାଯାଇଛି। ଯେତେବେଳେ ଏହି ବଙ୍ଗଳା ଆପଣଙ୍କୁ ଆବଣ୍ଟନ କରାଯାଇଛି, ତେବେ ଆପଣ କାହିଁକି ‘ଶୀଶମହଲରେ’ ରହିବାକୁ ଚାହୁଛନ୍ତି? ଯେତେବେଳେ ‘ଶୀଶମହଲ’ ଆପଣଙ୍କୁ ଦିଆଯାଇଥିଲା, ଆପଣ ତିନି ମାସ ପର୍ଯ୍ୟନ୍ତ କାହିଁକି ଗଲେ ନାହିଁ ବୋଲି ସଚଦେବ ପ୍ରଶ୍ନ କରିଥିଲେ.

Leave a Reply

Your email address will not be published. Required fields are marked *

You Missed