ତା୩୧.୦୩.୨୦୨୫ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି
“ଅଗମ୍ୟ ଭାବ ଜାଣେ ଯଶୋବନ୍ତ
ଗାରକଟା ଯନ୍ତ୍ର ଜାଣେ ଅନନ୍ତ
ଆଗତ ଅନାଗତ ଅଚ୍ୟୁତ ଭଣେ
ବଳରାମ ଦାସ ତତ୍ତ୍ଵ ବଖାଣେ
ଭକ୍ତିର ଭାବ ଜାଣେ ଜଗନ୍ନାଥ
ପଞ୍ଚସଖା ଇଏ ଓଡ଼ିଶା ମହନ୍ତ।”
(ଆଜିର ଲେଖାପାଇଁ ମୋ ମୁଣି ମୋତେ ଏଇଆ ଲେଖାଥିବା କାଗଜଖଣ୍ଡିକ ଧରେଇଦେଲା, ଯେଉଁଥିରେ ମୋ ପ୍ରତି ” ବଳରାମ ଦାସଙ୍କ ରଚିତ କିନ୍ତୁ ବିଶେଷଭାବରେ ପ୍ରଚାର ପ୍ରସାର ହୋଇନଥିବା ତତ୍ତ୍ୱଟି ବଖାଣି ପାରିବ କି ହେ ତୁଷାରକାନ୍ତ ଅଧମ” ଭଳି କଟାକ୍ଷମୂଳକ ଧାଡ଼ିଟି ବି ଲେଖା ହୋଇଥିଲା।)
……….. ✍️……..
ମୁଁ,ବିଲେଇକୁ ତ ହାତକାମୁଡା ଶିଖେଇଚି, ତେଣୁ “ମୋ ମୁଣି ” ମୋ ଉଦ୍ଦେଶ୍ୟରେ କଟାକ୍ଷ କରିବାରେ ଆଶ୍ଚର୍ଯ୍ୟ ବା ବିବ୍ରତ ନହେବା ଗୁଣଟି ମୁଁ ଦଳବଦଳୁ ନେତାମାନଙ୍କଠାରୁ ଶିଖିଛି।
କିନ୍ତୁ, ସନ୍ଥ ବଳରାମ ଦାସ ଜାତିଭେଦକୁ ତୀବ୍ର ସମାଲୋଚନା କରି ଯେଉଁ ” ଅପଢା ପାଠ” ରଚନା କରିଥିଲେ, ଯାହାକି ବିଶେଷଭାବେ ପ୍ରଚାରିତ ହୋଇନି, ସେଥିରେଥିବା ବିଭିନ୍ନ ଜାତିଗୁଡ଼ିକର ବର୍ଣନା ତତ୍କାଳୀନ ସମୟର ପ୍ରଚଳନ ଉପରେ ଆଧାରିତ, ଯାହା ବର୍ତ୍ତମାନର ସମୟରେ ଦଣ୍ଡନୀୟ ହୋଇପାରେ। ଏଭଳି ଭୟଟି ମୋତେ ପାରୁଛି । ସେ ତତ୍କାଳୀନ ପରିସ୍ଥିତିକୁ ଅଙ୍ଗେ ନିଭେଇ ଯେଉଁ ବର୍ଣନା କରିଥିଲେ, ସେଥିରେ କିଛିଟା ସୁଧାର ବି ଆସିଛି।
ଆଜିକାଲି ” ଭାବନା ଆହତ ହେବା” ଏତେମାତ୍ରାରେ ବଢିଯାଇଛି ଯେ,
ଏହା ଉପରେ ସମଗ୍ର ଦେଶର ପୋଲିସଙ୍କ ପାଖରେ କେବଳ ଏଫ୍ ଆଇ ଆର( FIR) ଲେଖିବାକୁ ବି ସମୟ ନାହିଁ। କେନ୍ଦ୍ର ଓ ରାଜ୍ୟଗୁଡିକରେ ” ଭାବନା ଆହତ ନିରାକରଣ ବିଭାଗ” ଖୋଲାଯାଇ, ସେଗୁଡିକର ଦାୟିତ୍ଵ ଜଣେ ଜଣେ ବରିଷ୍ଠମନ୍ତ୍ରୀଙ୍କୁ ଦିଆଯିବାର ଆବଶ୍ୟକତା ପଡ଼ିଲାଣି।ଡାକ୍ତରୀପାଠରେ ବି ଏଥିଲାଗି ସ୍ୱତନ୍ତ୍ର ପାଠ୍ୟକ୍ରମ (PSYCHAITRICK ପାଠକୁ ଛାଡି)ରଖାଯିବା ନିହାତି ଆବଶ୍ୟକ।
ତେବେ ସେ ଯାହାହେଉ, ବଳରାମ ଦାସଙ୍କ ସେହି ବଖାଣିବାଟିକୁ, ଜାତି ସ୍ଥାନରେ ….. (ବିନ୍ଦୁ)ରଖି ଥୋଇଦେଉଛି, ” ସମଝଦାରୋ କୋ ଇସାରା କାଫି”ଭଳି ହିନ୍ଦି ମୋହାବରାଟି ଆଧାରରେ, ତେଣିକି
” ମୋ କରମ ଓ ଆପଣମାନଙ୍କର ଧରମ” ଆଧାରରେ ବିଚାର।
“କିଏ କଲା ଏମିତି,
ହାତ ବାଜିଗଲେ ଛୁଆଁ ହେଲା କେମିତି,
କିଏ କଲା ଏମିତି ” (ଘୋଷା)(୧)
ବାଟରେ ଘାଟରେ ଯେବେ ହୁଅଇ ଧକ୍କା
ଡଙ୍ଗାରେ ତ ଛୁଆଁ ନାହିଁ ହୋଇଛି ଲେଖା
ପିମ୍ପୁଡ଼ି ଅଟକି ହାତୀ ଯାଉଛି ଗଳି
କିଏ କଲା ଏମିତି….(୨)
… ଖଞ୍ଜା ହୋଇଛି ପାଦତଳକୁ( ଗୋଡଧୁଆ କାମ- ଏବେ ନାହିଁ)
…. (ତାଙ୍କ ସହଧର୍ମିଣୀ) ପାଣି ଦିଏ ରୋଷଶାଳାକୁ
କିଏ କଲା ଏମିତି…..(୩)
(ସ୍ୱାମୀ ଅଛୁଆଁ କିନ୍ତୁ ସହଧର୍ମିଣୀ ଅଛୁଆଁ ନୁହେଁ ଅର୍ଥରେ)
… ଛୁଇଁଲେ ପାଣି ହୁଅଇ ମାରା
…. (ତାଙ୍କ ସହଧର୍ମିଣୀ) .. କୁଟେ ଖାଆନ୍ତି ସାରା
ଦିଅଁ ଦେଉଳରେ ନେଇ ପୂଜା କରନ୍ତି
କିଏ କଲା ଏମିତି…(୪)
(ସ୍ୱାମୀ ଅଛୁଆଁ କିନ୍ତୁ ସହଧର୍ମିଣୀ ଅଛୁଆଁ ନୁହେଁ ଅର୍ଥରେ)
ମୃଦଙ୍ଗ (ବାଦ୍ୟ) ଛାଉଣି ,, ଚମଡା ଦେଖ
.. ଭାତରେ କିରଣ ( ମୃଦଙ୍ଗର ଉଭୟ ପାର୍ଶ୍ୱର କଳା ଅଂଶ)କଲା ଦିପାଖ
ଖୋଳ ( ମୃଦଙ୍ଗ) ପୂଜାପାଏ, .. ( ପ୍ରସ୍ତୁତକର୍ତ୍ତା)ଅଛବ ଜାତି
କିଏ କଲା ଏମିତି….(୫)
ଏକୁଟିଆ ହୋଇଥିଲେ ବୁଦ୍ଧି ହୋଇବ
…(ଅତ୍ୟନ୍ତ ଚାଲାକ)କଥାକୁ ଦିନେ ପ୍ରତେ ନ ଯିବ
ଏଥିପାଇଁ ବଳରାମ ଦାସ ଲେଖନ୍ତି
କିଏ କଲା ଏମିତି
ହାତ ବାଜିଗଲେ ଛୁଆଁ ହେଲା କେମିତି
କିଏ କଲା ଏମିତି (୬)।
( ବିନ୍ଦୁ(.)ଥିବା ସ୍ଥାନମାନଙ୍କରେ ବିନ୍ଦୁର ସଂଖ୍ୟା ଅନୁସାରେ ଜାତିର ନାମ)
ଏହା,ତୁଷାରକାନ୍ତର ମୁଣିର ପ୍ରଶ୍ନର ସଠିକ ଉତ୍ତର ଟି?
ସେହି ଦିଗଦ୍ରଷ୍ଟା ପଞ୍ଚସଖାଙ୍କ ଉଦ୍ଦେଶ୍ୟରେ ଶତକୋଟି ପ୍ରଣାମ ଅର୍ପଣ କରୁଛି।