ଟାଇଟାନିକ୍ ର ଦୁର୍ଭାଗ୍ୟ, ମାନବିକତା ର ପରାଜୟ।
ଟାଇଟାନିକ୍ ଜାହାଜ ଟିକୁ ତିଆରି କରିବାକୁ ଲାଗିଥିଲା ତିନି ବର୍ଷ। ମାତ୍ର ତା’ର ପ୍ରଥମ ଯାତ୍ରା ହିଁ ହୋଇ ଥିଲା ତା’ର ଶେଷ ଯାତ୍ରା।
କେବଳ ଛଅ ଦିନର କର୍ତ୍ତବ୍ୟ ସାରି ଏପ୍ରିଲ ମାସ ୧୪ ତାରିଖର ମଧ୍ୟ ରାତ୍ରିରେ ଜାହାଜ ଟି ଏକ ବରଫ ପାହାଡ ଦେହରେ ବାଡେଇ ହୋଇ ନେଇଥିଲା ଜଳସମାଧି ଉତ୍ତର ଆଟଲାଣ୍ଟିକ୍ ମହାସାଗର ର ଅତଳ ତଳ ହୀମ ଶୀତଳ ଜଳରାଶିରେ।
ଟାଇଟାନିକ୍ ଫିଲ୍ମ ଟିକୁ ପ୍ରାୟ ସମସ୍ତେ ଦେଖିଥିବେ ଓ ଉଣାଅଧିକେ ଫିଲ୍ମ ର ନାୟକ ଲିଓନାର୍ଡୋ ଡି’କାପ୍ରିଓ ଓ ନାୟିକା କେଟ୍ ଉଇନସ୍ଲେଟ୍ ଙ୍କର ଅମର ପ୍ରେମ ର ଆସ୍ଵାଦନରେ ରୋମାଞ୍ଚିତ ଓ ଦୁଃଖଦ ବିରହ ରେ ମ୍ରିୟମାଣ ବି ହୋଇ ଥିବେ।
ସେହି ଜାହାଜର ୨୨୨୪ ଜଣ ଯାତ୍ରୀ ଙ୍କ ମଧ୍ୟରୁ ମାତ୍ର ୭୦୫ ଜଣ ରକ୍ଷା ପାଇଥିଲେ ସେ ମର୍ମନ୍ତୁଦ ଦୁର୍ଘଟଣା ରୁ।
କିନ୍ତୁ ସବୁଠାରୁ ଦୁଃଖର କଥା ଏହି ଯେ ଯଦି ମଣିଷ ଭିତରେ ମଣିଷତ୍ଵ ର ଭାବନା ଠିକ୍ ସମୟରେ ଜାଗି ଥାଆନ୍ତା ତାହେଲେ ହୁଏତ ସମସ୍ତ ଯାତ୍ରୀ ଙ୍କୁ ସୁରକ୍ଷିତ ଭାବରେ ବଞ୍ଚାଇବା ସମ୍ଭବପର ହୋଇପାରି ଥାଆନ୍ତା।
ଟାଇଟାନିକ୍ ଜାହାଜ ଟି ବୁଡିବା ବେଳକୁ ତା’ର ଆଖପାଖରେ ତିନୋଟି ଜାହାଜ ଜଳଯାତ୍ରା କରୁଥିଲେ।
‘ସାମ୍ପସନ୍’ ନାମକ ଜାହାଜ ମାତ୍ର ସାତ ମାଇଲ୍ ଦୂର ରେ ପଇଁତରା ମାରୁଥିଲା ।
ଟାଇଟାନିକ୍ ଜାହାଜ ର ଧବଳ ଅଗ୍ନିଶିଖା ଏହି ଜାହାଜରେ ଥିବା କ୍ୟାପଟେନ୍ ଓ କର୍ମଚାରୀ ମାନଙ୍କର ଦୃଷ୍ଟି ଗୋଚର ବି ହୋଇଥିଲା। କିନ୍ତୁ ସେମାନେ ଅବୈଧ ଭାବରେ ସିଲ୍ ମାଛ ଶିକାର କରୁଥିଲେ ଏବଂ ଧରାପଡିବା ଭୟରେ ଜାହାଜ ଟିକୁ ବିପରୀତ ଦିଗକୁ ନେଇ ପଳାଇ ଗଲେ।
ସେମାନେ ସମୟ ଭିତରେ ଆସିଥିଲେ ସମସ୍ତ ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇ ନଥାନ୍ତା।
‘କାଲିଫର୍ଣ୍ଣିୟାନ’ ନାମକ ଦ୍ଵିତୀୟ ଜାହାଜ ଟି ଚଉଦ ମାଇଲ୍ ଦୂରରେ ଯାତ୍ରା କରୁଥିଲା।
ଏହି ସମୟରେ ଟାଇଟାନିକ୍ ଜାହାଜ ରୁ ଉଦ୍ଗୀରଣ ହେଉଥିବା ଲେଲିହାନ ଅଗ୍ନିଶିଖା ସେମାନଙ୍କ ର ନଜର କୁ ଆସିଥିଲା। କିନ୍ତୁ ରାତି ଅନେକ ହୋଇ ଯାଇ ଥିବାରୁ ଓ କର୍ମଚାରୀ ମାନେ ଦିନ ଯାକର ହାଡ଼ଭଙ୍ଗା ପରିଶ୍ରମ ପରେ ଥକି ପଡିଥିବାରୁ ସେମାନେ ମଧ୍ୟ ଟିକିଏ ଢିଲାମି କରିଦେଲେ।
ତାଛଡ଼ା ଜାହାଜର ଚାରିପଟେ ବରଫର ପାହାଡ , ଘନ ଅନ୍ଧକାର ଓ ହାଡଫଟା ଥଣ୍ଡା ସେମାନଙ୍କ ପାଇଁ ଏକ କଷ୍ଟକର ପରିସ୍ଥିତି ସୃଷ୍ଟି କରିଥିଲା। ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ସ୍ଥିର କରି ସେମାନେ ନିଜ ନିଜର ବିଛଣାରେ ଶୋଇ ପଡିଲେ। ଟିକିଏ କଷ୍ଟ କରିଥିଲେ ସେମାନେ ବି ସବୁ ଯାତ୍ରୀ ଙ୍କ ର ଜୀବନର ତ୍ରାଣକର୍ତ୍ତା ହୋଇ ପାରିଥାନ୍ତେ।
ତୃତୀୟ ଜାହାଜ ଟିଥିଲା ‘କାପାର୍ଥିଆ’।
ଟାଇଟାନ ର ଓଲଟା ଦିଗରେ ଯାତ୍ରା କରୁଥିବା କାପାର୍ଥିଆ ର କ୍ୟାପଟେନ୍ ଏହି ସମୟରେ ସେଠାରୁ ସୁଦୀର୍ଘ ୫୪ ମାଇଲ୍ ଦୂରରେ ଥିଲେ। ଟାଇଟାନିକ୍ ଜାହାଜ ର ଏସ୍ ଓ ଏସ୍ ବିପଦ ସଙ୍କେତ ସେ ମଧ୍ୟରାତ୍ରି ପାଖାପାଖି ସମୟରେ ତାଙ୍କ ରେଡ଼ିଓ ରୁ ଶୁଣିଲେ।
କ୍ୟାପଟେନ ସାହେବ ନିଜ ସ୍ଥାନ ରୁ ତଳ କୁ ଓହ୍ଲାଇ ଆସିଲେ।
ଆଣ୍ଠୁମାଡ଼ି ଈଶ୍ଵରଙ୍କ ଉଦ୍ଦେଶ୍ୟ ରେ ପ୍ରାର୍ଥନା କଲେ ଓ ସଙ୍ଗେ ସଙ୍ଗେ ଜାହାଜର ଗତି ପରିବର୍ତ୍ତନ କରି ଟାଇଟାନିକ୍ ଆଡ଼କୁ ଅଗ୍ରସର ହେଲେ।
ଜାହାଜ ର ସହକର୍ମୀ ମାନେ ମଧ୍ୟରାତ୍ରିର ସୁଖନିଦ୍ରା ତ୍ୟାଗ କରି ଏକ କଠିନ ଯାତ୍ରାରେ ଯିବା ପାଇଁ ରାଜି ହେଉ ନ ଥିଲେ। କିନ୍ତୁ କ୍ୟାପଟେନ୍ ସାହେବ ଙ୍କ ଜିଦ୍ ଆଗରେ ମଥାନତ କରିବାକୁ ବାଧ୍ଯ ହୋଇଥିଲେ ସେମାନେ।
ରାସ୍ତା ରେ ବିଚ୍ଛୁରିତ ହିମଖଣ୍ଡ ମାନଙ୍କ ସଙ୍ଗରେ ସଙ୍ଘର୍ଷ କରି କରି ଓ ଅନ୍ଧକାର ମୟ ରାତ୍ରି ର ବୁକୁ ଚିରି ଜାହାଜ ଟି ଟାଇଟାନିକ୍ ପାଖରେ ଦେବଦୂତ ଭଳି ପହଞ୍ଚି 705 ଟି ଅମୂଲ୍ୟ ଜୀବନ ର ରକ୍ଷା କଲା ଯାହା କାଳ କାଳକୁ ସ୍ଵର୍ଣ୍ଣାକ୍ଷର ରେ ଲିପିବଦ୍ଧ ହୋଇ ରହିଗଲା।
ଏହି ତିନିଟି ଜାହାଜ ଆମ ଜୀବନ ଭିତରେ ଅହରହ ବିଚରଣ କରୁଛନ୍ତି।
ପ୍ରଥମ ଜାହାଜଟି ଆମ ମାନଙ୍କ ଭିତରୁ ସେହି ମାନଙ୍କୁ ପ୍ରତିନିଧିତ୍ଵ କରେ ଯେଉଁ ମାନେ ନିଜ ର ସ୍ଵାର୍ଥପରତା ବାହାରେ ଆଉ ଗୋଟିଏ ଦୁନିଆ ଅଛି ଏକଥା ମାନିବାକୁ ନାରାଜ।
କାହାକୁ ସାହାଯ୍ୟ କରିବା ସେମାନଙ୍କ ଜାତକରେ ନାହିଁ। କେତେ ଦୟା ର ପାତ୍ର ସତରେ ଏମାନେ!
ଦ୍ଵିତୀୟ ଜାହାଜ ର ଯାତ୍ରୀ ମାନେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ କିନ୍ତୁ ନିଜର ସୁଖ ସ୍ଵାଚ୍ଛନ୍ଦ୍ଯ କୁ ଜଳାଞଳୀ ଦେଇ ନୁହେଁ।
ଏମାନଙ୍କ ସଂଖ୍ୟା କିନ୍ତୁ ସମାଜ ରେ ସର୍ବାଧିକ। ଟିକିଏ ଚେଷ୍ଟା କଲେ ଏମାନଙ୍କ ମଧ୍ୟରେ ମନୁଷ୍ୟତ୍ଵ ର ଉଜାଗର କରାଯାଇପାରେ।
କିନ୍ତୁ ତୃତୀୟ ଜାହାଜ ଟି ଆମ ମାନଙ୍କ ଭିତରେ ଥିବା ସେହି ମହାନ ମାନବୀୟ ଗୁଣ ର ଅଧିକାରୀ ମାନଙ୍କୁ ସୂଚିତ କରେ ଯେଉଁ ମାନେ ଅନ୍ୟ ର ଦୁଃଖ ଲାଘବ ପାଇଁ ନିଜର ସୁଖ ସ୍ଵାଚ୍ଛନ୍ଦ୍ଯ କୁ ଅନାୟାସରେ ବଳି ଦେଇପାରନ୍ତି।
ସେଇ ଦେବସୁଲଭ ମାନବ ମାନଙ୍କ ପାଇଁ ହିଁ ସମାଜ ଆଗକୁ ଆଗେଇ ଚାଲିଛି ଏତେ ସବୁ ବାଧାବିଘ୍ନ ସ୍ଵତ୍ତ୍ଵେ।
ସେହି ମାନେ ହିଁ ହୋଇ ଉଠନ୍ତି ଆଦର୍ଶ ମାନବ ଓ କାଳଜୟୀ ହୋଇ ଉଠେ ସେମାନଙ୍କ ର କୀର୍ତ୍ତି ।