ଗଛ ଲଗାଇବା ପ୍ରୟୋଜନ ନାହିଁ, କେବଳ ଗଛ କାଟିବା ବନ୍ଦ କରିଦିଅନ୍ତୁ, ଗଛ ନିଜେ ନିଜେ ଭରିଦେବ….
ନଦୀ ପରିଷ୍କାର କରିବା ଦରକାର ନାହିଁ, କେବଳ ଆବର୍ଜନା ପକାନ୍ତୁ ନାହିଁ, ନଦୀ ମନକୁ ମନ ପରିଷ୍କାର ହୋଇଯିବ….
ଶାନ୍ତି ରଖିବା ଆବଶ୍ୟକ ନାହିଁ, କେବଳ ଅଶାନ୍ତି କରନ୍ତୁ ନାହିଁ, ଶାନ୍ତି ଆପେ ଆପେ ଫେରି ଆସିବ….
ଅନେକ ବର୍ଷର ତପ-ସାଧନା ପରେ ଶେଷରେ ସିଦ୍ଧାର୍ଥଙ୍କୁ ବୋଧ ପ୍ରାପ୍ତ ହେଲା ଏବଂ ସେ ଗୌତମ ବୁଦ୍ଧ ହେଲେ, ମହାତ୍ମା ବୁଦ୍ଧ ହେଲେ । ଜ୍ଞାନର ପ୍ରାପ୍ତି ପରେ ସେ ସ୍ଥାନେ ସ୍ଥାନେ ଉପଦେଶ ଦେବାକୁ ଲାଗିଲେ । ବୌଦ୍ଧଧର୍ମରେ ଦୀକ୍ଷିତ ବୌଦ୍ଧଭିକ୍ଷୁ ଗଣ ବୁଦ୍ଧଙ୍କ ସହିତ ଭ୍ରମଣ କରୁଥିଲେ । ବୁଦ୍ଧଙ୍କ ଉପଦେଶ ବଡ଼ ମାର୍ମିକ ଓ ପ୍ରଭାବଶାଳୀ ହେଉଥିଲା ଏବଂ ଜନମାନସ ଉପରେ ତାଙ୍କ ଉପଦେଶର ଗଭୀର ପ୍ରଭାବ ପଡ଼ୁଥିଲା । ତାଙ୍କର ଉପଦେଶକୁ ଶୁଣି କୋଟି କୋଟି ଲୋକ ଏକ ନୂତନ ଜୀବନ, ଏକ ଆନନ୍ଦମୟ ଜୀବନ ଜିଇବା ଆରମ୍ଭ କରି ଦେଇଥିଲେ ।
ଏକ ବୌଦ୍ଧ କଥା ଅନୁସାରେ ଥରେ ବୁଦ୍ଧ କେଉଁଠି ଉପଦେଶ ଦେଉଥିଲେ । ତାଙ୍କର ଉପଦେଶ ଶୁଣିବା ପାଇଁ ଜଣେ ରାଜା ମଧ୍ୟ ଆସିଥିଲେ । ଯେତେବେଳେ ବୁଦ୍ଧଙ୍କର ଉପଦେଶ ସମାପ୍ତ ହେଲା, ରାଜା ତାଙ୍କ ନିକଟରେ ଆସି ପହଞ୍ଚିଲେ । ରାଜା କହିଲେ– ‘‘ଭଗବାନ୍ ! ଆପଣଙ୍କ ନିକଟରେ ସୁଖ-ସୁବିଧାର କୌଣସି ସାଧନ ଉପଲବ୍ଧ ନାହିଁ । ଆପଣଙ୍କର ଅନୁଗାମୀ ବୌଦ୍ଧଭିକ୍ଷୁମାନଙ୍କ ପାଖରେ କୌଣସି ସାଧନ ନାହିଁ । ତଥାପି ମୁଁ ଦେଖୁଛି ଯେ ଆପଣଙ୍କର ବୌଦ୍ଧଭିକ୍ଷୁମାନେ ଆପଣଙ୍କ ସଦୃଶ ସର୍ବଦା ଶାନ୍ତଚିତ୍ତ ଓ ପ୍ରସନ୍ନଚିତ୍ତ ରହୁଛନ୍ତି ।’’
ରାଜା ପୁନଶ୍ଚ କହିଲେ– ‘ଆପଣଙ୍କ ବୌଦ୍ଧଭିକ୍ଷୁମାନେ ସର୍ବଦା ଆନନ୍ଦିତ ରହିଥାନ୍ତି, କିନ୍ତୁ ଅନ୍ୟ ପକ୍ଷରେ ଦେଖିଲେ ମୋର ରାଜକୁମାର ମାନେ ଯେଉଁ ମାନେ ମୋ ସହିତ ରାଜମହଲରେ ରହୁଛନ୍ତି ଏବଂ ଯେଉଁମାନଙ୍କ ପାଖରେ ସମସ୍ତ ସୁଖ-ସାଧନ, ଐଶ୍ଵର୍ଯ୍ୟ ଓ ଆରାମଦାୟକ ପଦାର୍ଥ ଉପଲବ୍ଧ ଅଛି, ସେମାନେ କେବେହେଲେ ଖୁସି ଓ ଆନନ୍ଦିତ ରହୁ ନାହାନ୍ତି । ମୋର ରାଜକୁମାରମାନଙ୍କ ପାଖରେ ତ ଚାକର ବାକରଙ୍କର ପୂରା ଫୌଜ ରହିଛି, ତଥାପି ସେମାନେ କେବେହେଲେ ଖୁସିରେ ରହିବା ଦେଖାଯାଉ ନାହାନ୍ତି । ସେମାନେ ସର୍ବଦା ଚାପ ଓ ସମସ୍ୟାରେ ଘେରି ହୋଇ ରହୁଛନ୍ତି । ମୁଁ ତ ସେମାନଙ୍କୁ ସବୁ ପ୍ରକାର ସୁଖ-ସୁବିଧା ପ୍ରଦାନ କରି ଦେଖି ନେଲି, ତଥାପି ସେମାନେ ସୁଖୀ ହୋଇପାରୁ ନାହାନ୍ତି, କିନ୍ତୁ ଆପଣଙ୍କର ଭିକ୍ଷୁ ମାନେ ଯେଉଁମାନେ କି ପଦଯାତ୍ରା କରନ୍ତି, ଯେଉଁମାନେ ଯାହା କିଛି ରୁଖା ଶୁଖା ମିଳେ ଖାଇ ଦିଅନ୍ତି, ଯେଉଁଠି ସ୍ଥାନ ମିଳେ ସେଇଠି ଶୋଇ ପଡନ୍ତି , କିନ୍ତୁ ସାଧନ ବିହୀନ, ସୁଖ-ସୁବିଧାର ଅଭାବ ରହିଥାଇ ମଧ୍ୟ ସେମାନେ ସର୍ବଦା ପ୍ରସନ୍ନଚିତ୍ତ ଓ ଆନନ୍ଦିତ ଦେଖାଯାନ୍ତି । ଏହାର କାରଣ କ’ଣ ଭଗବାନ୍ !”’
ବୁଦ୍ଧ କହିଲେ- ‘‘ରାଜନ୍ ! ଖୁସି ସାଧନରୁ ନୁହେଁ ସାଧନାରୁ ମିଳିଥାଏ, ଖୁସି ସାଧନରେ ନ ଥାଇ ସାଧନାରେ ଥାଏ, ଖୁସି ସାଧନକୁ ପାଇବାରେ ନ ଥାଏ ତାହାକୁ ପରିତ୍ୟାଗ କରିବାରେ ଥାଏ । ଯିଏ ସଂକଳ୍ପପୂର୍ବକ ସବୁ କିଛି ଛାଡି ଦେଇଛି, ବାସ୍ତବରେ ସେ ହଁ ଖୁସିରେ ରହିପାରେ, କାରଣ ତପ-ସାଧନା ଦ୍ଵାରା ଯେତେବେଳେ ବ୍ୟକ୍ତି ନିଜର ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିନିଏ, ନିଜର ମନକୁ ଜିତିନିଏ ସେତେବେଳେ ତା’ର ନିଜର ଅନ୍ତର ମଧ୍ୟରୁ ଖୁସିର ଏକ ଶାଶ୍ଵତ ସ୍ରୋତ ଆରମ୍ଭ ହୋଇଯାଏ, ଯାହା କେବେ ସମାପ୍ତ ହୁଏ ନାହିଁ ।’’
ଭଗବାନ ବୁଦ୍ଧ ରାଜାଙ୍କୁ କହିଲେ- “‘ସେଥିପାଇଁ ସାଧନହୀନ ହୋଇଥିଲେ ମଧ୍ୟ ବ୍ୟକ୍ତି ଆନନ୍ଦରେ ବୁଡି ରହିଥାଏ ଏବଂ ସେହି ଆନନ୍ଦ ତା’ର ଅନ୍ତର ଭିତରୁ ପ୍ରସ୍ଫୁଟିତ ହୋଇଥାଏ । ଆଉ ହଁ ! ଯିଏ ସ୍ୱେଚ୍ଛାପୂର୍ବକ ପଦାର୍ଥଗୁଡ଼ିକୁ ତ୍ୟାଗ କରି ଥାଏ, ସୁଖ-ସୁବିଧାକୁ ତ୍ୟାଗ କରି ଥାଏ, ସାଧନଗୁଡିକୁ ତ୍ୟାଗ କରିଥାଏ- ସେ ହିଁ ସର୍ବଦା ପ୍ରସନ୍ନ ରହିପାରେ । ସୁଖ-ସୁବିଧା ଦୃଷ୍ଟିରୁ ଦେଖିଲେ ଅତ୍ୟନ୍ତ ଗରିବ ବ୍ୟକ୍ତି ପାଖରେ ମଧ୍ୟ କିଛି ବିଶେଷ ନ ଥାଏ, ତଥାପି ମଧ୍ୟ ସେ ପ୍ରସନ୍ନ ହୁଏ ନାହିଁ । କାହିଁକି ??
ନିଜେ ପଚାରିଥିବା ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭଗବାନ ବୁଦ୍ଧ କହିଲେ– ‘‘କାରଣ ସେ କିଛି ଛାଡି ନ ଥାଏ ଏବଂ ତା’ ପାଖରେ ଛାଡିବା ପାଇଁ କୌଣସି ସୁଖ-ସାଧନ ନ ଥାଏ । ସେ ଅଭାବ ମଧ୍ୟରେ ଜୀବନ ଜିଇଥାଏ । ସେ ସୁଖ ସୁବିଧାକୁ ପ୍ରାପ୍ତ କରିବା ଆଶାରେ ହିଁ ବସିଥାଏ ଏବଂ ସେଥିପାଇଁ ସେ ସର୍ବଦା ଦୁଃଖୀ ଓ ଅଶାନ୍ତ ରହିଥାଏ, କିନ୍ତୁ ଯିଏ ଜାଣି¬ ଶୁଣି ସୁଖ-ସୁବିଧାକୁ ତ୍ୟାଗ କରିଛି, ନିଜର ଇଚ୍ଛାକୁ ତ୍ୟାଗ କରିଛି ସେ ଅବଶ୍ୟ ଖୁସିରେ ରହିପାରେ, ଏଠାରେ ଦୁଇଟି ମହତ୍ତ୍ଵପୂର୍ଣ୍ଣ କଥା ରହିଛି – ଗୋଟିଏ ହେଲା ଛାଡିବା ଏବଂ ଦ୍ଵିତୀୟଟି ଚାଲିଯିବା ।”
ଭଗବାନ ବୁଦ୍ଧ କହିଲେ– ‘‘ରାଜନ୍ ! ଆପଣଙ୍କ ରାଜକୁମାରମାନଙ୍କ ପାଖରେ ସମସ୍ତ ସୁଖ-ସୁବିଧା ଅଛି, କିନ୍ତୁ ସେମାନଙ୍କ ମନରେ ଏହି ସୁଖ-ସୁବିଧା ଚାଲିଯିବାର ଡର ଅଛି । ଚାଲିଯିବା ଏବଂ ନିଜେ ଛାଡିଦେବା, ଏହା ମଧ୍ୟରେ ପ୍ରଭେଦ ରହିଛି । ଚାଲିଯିବାର ଚିନ୍ତା ଆମକୁ ଡରାଇଥାଏ, ଆମ ଭିତରେ ଭୟ ଉତ୍ପନ୍ନ କରିଥାଏ ଏବଂ ଯେଉଁ ମନ ଭୟରେ ପରିପୂର୍ଣ୍ଣ, ସେ ସୁଖୀ ଓ ପ୍ରସନ୍ନ କିପରି ରହି ପାରିବ ? ଯେତେବେଳେ କି ଛାଡିଦେବା ବା ଛାଡିବାର ସଂକଳ୍ପ ନେବା ବ୍ୟକ୍ତିକୁ ନିର୍ଭୟ କରିଥାଏ; ନିର୍ଦ୍ୱନ୍ଦ୍ୱ କରିଥାଏ ଏବଂ ବ୍ୟକ୍ତିକୁ ଆତ୍ମବିଶ୍ଵାସ ଓ ଆନନ୍ଦରେ ଭରିଦିଏ, କାରଣ ଏଠାରେ କିଛି ଚାଲିଯିବାର ଭୟ ହିଁ ନ ଥାଏ, କିଛି ପ୍ରାପ୍ତ କରିବାର ଇଚ୍ଛା ହିଁ ନଥାଏ l
ଭଗବାନ ବୁଦ୍ଧ ତାପରେ କହିଲେ – ‘‘ସୁଖ-ସାଧନ ଦ୍ଵାରା ଆମେ କ୍ଷଣିକ ଇନ୍ଦ୍ରିୟଜନତି ସୁଖ ପ୍ରାପ୍ତ କରିପାରୁ କିନ୍ତୁ ଶାଶ୍ଵତ ଆନନ୍ଦ ସ୍ଵତନ୍ତ୍ର ମନ ଦ୍ଵାରା, ସ୍ଵେଚ୍ଛାପୂର୍ବକ ତ୍ୟାଗ କରିଦେବା ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ । ତାକୁ ସେତେବେଳେ ସୁଖ-ସାଧନ ଚାଲିଯିବାର ଭୟ ରହିଥାଏ କେଉଁଠି । ତାକୁ ସାଧନର ସୁରକ୍ଷାର ଚିନ୍ତା ହଇରାଣ କରେ କେଉଁଠି ।”’ ରାଜାଙ୍କୁ ନିଜ ପ୍ରଶ୍ନର ସମାଧାନ ମିଳି ଯାଇଥିଲା । ଶାଶ୍ଵତ ସୁଖ ଓ ଆନନ୍ଦ ତ୍ୟାଗରେ ଅଛି, ସାଧନାରେ ଅଛି, ସାଧନରେ ନାହିଁ, ସୁଖ-ସୁବିଧାରେ ନାହିଁ ।
“ମନେରଖନ୍ତୁ ଜଣେ ସ୍ବଚ୍ଛମନା ବ୍ୟକ୍ତି ସର୍ବଦା ଅନ୍ୟ ମାନଙ୍କର ସଦ୍ ଗୁଣ ଦେଖୁଥାଏ, କିନ୍ତୁ ଜଣେ କୁବୁଦ୍ଧି ସମ୍ପନ୍ନ ବ୍ୟକ୍ତିକୁ ସର୍ବଦା ଅନ୍ୟ ମାନଙ୍କର ଖରାପ ଗୁଣ ହିଁ ଦେଖା ଯାଇଥାଏ !!”
“ମନେରଖନ୍ତୁ ଜୀବନରେ ଏକା ଏକା ଖୁସି ରହିବାର କଳା ଶିଖିଯିବା ଭଲ,କାହିଁକି ନା ଅନ୍ୟ କାହା ପାଖରୁ ଖୁସି ଖୋଜିଲେ ଦୁଃଖ ଛଡ଼ା ଆଉ କିଛି ମିଳେନାହିଁ !!”
“ମନେରଖନ୍ତୁ ଶାନ୍ତି ହେଉଛି ଦୁନିଆଁର ସବୁଠାରୁ ମହଙ୍ଗା ଜିନିଷ ଯାହାକୁ ପାଇବାକୁ ହେଲେ ଅନେକ ଅଶାନ୍ତି ର ସାମ୍ନା କରିବାକୁ ପଡ଼ିଥାଏ !!”
“ନୀରବତାକୁ ଶୁଣିବା ପାଇଁ ଚେଷ୍ଟା କରନ୍ତୁ କାହିଁକି ନା ଏଥିରେ କେବଳ ସତ ହିଁ ଲୁଚି ରହିଥାଏ !!”
ଜଣେ ନିଜ ଗନ୍ତବ୍ୟ ସ୍ଥଳରେ କେବେହେଲେ ପହଞ୍ଚି ପାରିବ ନାହିଁ, ଯଦି ସେ ବାରମ୍ବାର ଅଟକି ଭୁକୁଥିବା କୁକୁରଙ୍କ ଉପରେ ପଥର ପକାଇବା ଆରମ୍ବ କରିବ….