Spread the love

ଛତ୍ରପୁର ଗଞ୍ଜାମ : ଦୀର୍ଘ ୧୫ ମାସ ପରେ ବୁଧବାର ଗଞ୍ଜାମ ଜିଲା ପରିଷଦ ବୈଠକ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ପ୍ରତି ୩ ମାସକୁ ଥରେ ଜିଲା ପରିଷଦ ବୈଠକ ବସିବା ନିୟମ ଥିଲା ବେଳେ ଗଞ୍ଜାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତବର୍ଷ ଜୁଲାଇରେ ଭିସି ମାଧ୍ୟମରେ ବୈଠକ ବସିଥିଲା। ଗତ ମାସରେ କନିଷ୍ଠ ଶିକ୍ଷକ ତାଲିକା ଅନୁମୋଦନ ନେଇ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା। ଜ଼ିଲା ପରିଷଦ ବୈଠକ ବର୍ଷେ ହେଲା ହୋଇ ନ ଥିବା ଦର୍ଶାଇ ବିଜେଡିର ସମସ୍ତ ଜ଼ିଲା ପରିଷଦ ସଦସ୍ୟ ଅଧାରୁ ଚାଲିଯାଇଥିଲେ। ବୁଧବାର ବୈଠକରେ ବହୁ କ୍ଷେତ୍ରରେ ବ୍ୟାପକ ବ୍ୟତିକ୍ରମ ଓ ନିୟମ ବିରୋଧୀ କାର୍ଯ୍ୟ ଦେଖିବାକୁ ମିଳିଥିଲା।

ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷା, ବିଜେଡି ଜିଲା ପରିଷଦ ସଭ୍ୟାସଭ୍ୟମାନେ ନୀଳ ଗାମୁଛା ବେକରେ ପକାଇ ବସିଥିବା ଦେଖିବାକୁ ମିଳିଥିଲା । ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଜେନା ଓ ଆସିକା ଏମ୍‌ପି ଅନିତା ଶୁଭଦର୍ଶନୀ ତାଙ୍କ ବକ୍ତବ୍ୟରେ ଉକ୍ତ ନୀଳ ଗାମୁଛାକୁ ନେଇ ସେମାନଙ୍କୁ ଆକ୍ଷେପ କରିଥିଲେ।

ଜିଲା ପରିଷଦ ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ରେଡ୍ଡୀ କ୍ଷୁବ୍ଧ ହେବା ସହ ବେକରେ ନୀଳ ଗାମୁଛା ପକାଇ ବୈଠକକୁ ଆସିବା ଆମ୍ଭକୁ ଭାଜପା ବିଧାୟକମାନେ ଶିଖାଇଥିଲେ ବୋଲି କହିଥିଲେ। ଗତ ସ୍ବତନ୍ତ୍ର ବୈଠକରେ ଭାଜପା ବିଧାୟକମାନେ କମଳା ରଙ୍ଗର ଗାମୁଛା ପକାଇ ମଞ୍ଚରେ ବସିଥିଲେ, ଏହାର ଫଟୋ ଦେଖିପାରିବେ ବୋଲି ସେ ମନ୍ତ୍ରୀ ଓ ଏମ୍‌ପିଙ୍କୁ ମନେ ପକାଇ ଦେଇଥିଲେ। ସେହିପରି ମନ୍ତ୍ରୀ ଓ ଆସିକା ଏମପିଙ୍କ ପକ୍ଷରୁ ନାଲି ଗାମୁଛା ବେକରେ ପକାଇବା ନେଇ ଆକ୍ଷେପକୁ ଜିଲା ପରିଷଦ ସଭ୍ୟ ଦୀପକ ସାମଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *