ଷ୍ଟକୟାଡ଼ ରୁ ଚୋରୀ ଉଦ୍ୟମ ବିଫଳ , ଥାନାରେ ୫ ଅଟକ (ଫଟୋ)
ଗରଦପୁର,୧୭/୪( ଦର୍ଶନ ସମୀକ୍ଷା )- କୁଦାନଗରୀ ଥାନା ଅଂଚଳରୁ ଆସିଛି ଏକ ଚାଂଚଲ୍ୟକର ଘଟଣା । ଯେଉଁ ଘଟଣାକୁ ନେଇ ଏବେ ସାରା ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଗତକାଲି ବିଳମ୍ବିତ ରାତିରେ ତଳକୁସୁମା ପଂଚାୟତ ତେନ୍ତୋଳ ଠାରେ ଲକ୍ଷ୍ମୀ ସିଭିଲ ଇଂଜିରିଅରିଂ ପ୍ରାଇଭେଟ ଲିମିଟେଡ଼ , ମହାରାଷ୍ଟ୍ର ରାଜ୍ୟର ଠିକା ସଂସ୍ଥା ର ଷ୍ଟକ ୟାଡ଼ ରୁ ଏକ ଚୋର ଗ୍ୟାଙ୍ଗ ପାଇପ୍ ସହ ବିଭିନ୍ନ ସାମଗ୍ରୀ ଚୋରୀ କରୁଥିବାବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡ଼ିଛନ୍ତି । ଗ୍ରାମବାସୀମାନେ ୫ ଜଣ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେବା ସହିତ ୩ ଟି ଟ୍ରମ୍ ମଧ୍ୟ ଜବତ ହୋଇଛି ।
ଏହି ଖବର ପାଇ ସଂସ୍ଥାର ସହକାରୀ ଯନ୍ତ୍ରୀ ଦିପକ କୁମାର ଜେନା କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । କୁଦାନଗରୀ ଥାନା ଆଇଆଇସି ସସ୍ମିତା ସାହୁ ୧୧୬ ନମ୍ବର ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଗରଦପୁର ବ୍ଲକ୍ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ଯୋଗାଇ ଦେବା ଲକ୍ଷରେ ମଧୁ ଶାସନ ପଂଚାୟତ ଚାଟରା ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଉକ୍ତ ଠିକାଦାରୀ ସଂସ୍ଥା ଦୀର୍ଘ ୩ ବର୍ଷ ହେବ କରି ଆସୁଛି । ତେବେ ପ୍ରତି ପଂଚାୟତରେ ପାଇପ୍ ବିଛାଇବା ପାଇଁ ବିଭିନ୍ନ ପଂଚାୟତରେ ଷ୍ଟକ୍ ୟାଡ଼ କରିଛି । ସେହିପରି ତେନ୍ତୋଳ ଠାରେ ମଧ୍ୟ ଏକ ଷ୍ଟକ ୟାଡ଼ କରି କୋଟି କୋଟି ଟଙ୍କାର ପାଇପ୍ ସହ ବିଭିନ୍ନ ସାମଗ୍ରୀ ଗଛିତ କରାଯାଇ ବିଭିନ୍ନ ଗ୍ରାମକୁ ପଠାଯାଉଛି ।
ତେବେ ଗତକାଲି ବିଳମ୍ବିତ ରାତିରେ ତେନ୍ତୋଳ ଷ୍ଟକ୍ ୟାଡ଼ ନିକଟରେ ଚୋର ଦଳ ଟ୍ରକ୍ ସହ ପହଂଚିଥିଲେ । ପ୍ରଥମେ ସିକ୍ୟୁରିଟି ଗାର୍ଡ଼କୁ ଧରି ଧମକାଇ ଅକ୍ତିଆର କରିବା ସହ ସେଠାରେ ଥିବା ବଡ଼ ବଡ଼ ପାଇପ୍ ଗୁଡ଼ିକୁ ଟ୍ରକ୍ ରେ ବୋଝେଇ କରିଥିଲେ । ଲୁଟ ଚାଲିଥିବାବେଳେ ସିକ୍ୟୁରିଟି ଗାର୍ଡ଼ ଜଣକ କୌଶଳ କ୍ରମେ ଚୋରଙ୍କ କବଳରୁ ଖସିଯାଇ ନିକଟସ୍ଥ ତେନ୍ତୋଳ ଗ୍ରାମର ଗ୍ରାମବାସୀଙ୍କୁ ଡ଼ାକିବାରୁ ଗ୍ରାମବାସୀମାନେ ଏକଜୁଟ ହୋଇ ଆସିଥିଲେ । ଏହା ଦେଖି ପ୍ରାୟ ୨୦ ରୁ ଉଦ୍ଧ୍ୱର୍ ଚୋରମାନେ ଆଣିଥିବା ଏକ ସ୍କର୍ପିୟୋ ଓ କାର ରେ ବସି ପଳାଇ ଯିବାକୁ ସକ୍ଷମ ହୋଇଥିଲେ । ହେଲେ ଚୋରମାନେ ଆଣିଥିବା ୩ ଟି ଟ୍ରକ୍ ସହ ୫ ଜଣଙ୍କୁ ଗ୍ରାମବାସୀମାନେ ଧରିବାରେ ସକ୍ଷମ ହୋଇଥିଲେ ।
ପରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ କୁଦାନଗରୀ ଥାନା ପୋଲିସ ପହଂଚି ୩ ଟି ଟ୍ରକ୍ ଓ କାବୁ ହୋଇଥିବା ୫ ଜଣଙ୍କୁ ଥାନାକୁ ଆଣି ଅଟକ ରଖି ପଚରା ଉଚୁରା ଜାରି ରଖିଛି । ତେବେ ଏହି ବିରାଟ ଚୋରୀ ପଛରେ କାହାର ହାତ ଅଛି ଓ କାହିଁକି ଏହି ଚୋରୀ ବିଭିନ୍ନ ଷ୍ଟକ୍ ୟାଡ଼ ରୁ ବାରମ୍ବାର ହେଉଛି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।