ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମ୍ୱାର୍କ, ଶ୍ରେଣୀୱାରୀ ହ୍ୱାଟସ୍ଆପ୍ ଗ୍ରୁପ୍ କରିବେ ଶିକ୍ଷକ
ଆସନ୍ତା ମେ’ ମାସରୁ ସ୍କୁଲ ଖରା ଛୁଟି ହେବ । କିନ୍ତୁ ଏହି ସମୟରେ ପିଲାଙ୍କୁ ଦିଆଯିବ ଗୃହକାର୍ଯ୍ୟ (ହୋମ ୱାର୍କ) । ପିଲାମାନେ ଯେପରି ନିଜ ପାଠପଢ଼ାରେ ନିୟୋଜିତ ହେବେ ସେଥିପାଇଁ ଅଭିଭାବକଙ୍କୁ ସଚେତନ କରାଯିବ । ଦିଆଯାଇଥିବା ଗୃହକାର୍ଯ୍ୟକୁ ଠିକ୍ ସମୟରେ କରିବେ । ଆବଶ୍ୟକ ସ୍ଥଳେ ଶିକ୍ଷକଙ୍କ ସହାୟତା ନେବେ ।
ସ୍କୁଲ ଛୁଟି ପୂର୍ବରୁ ଶ୍ରେଣୀୱାରୀ ପିଲାଙ୍କ ଅଭିଭାବକଙ୍କ ମୋବାଇଲ୍ ନମ୍ବରକୁ ନେଇ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ କରାଯିବ । ଏପରି ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଆଲୋଚନା ହେବ ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ, ଆସନ୍ତା ମେ ୬ ତାରିଖରୁ ଜୁନ୍ ୧୯ ତାରିଖ ଯାଏ ଖରା ଛୁଟି ହେବ । ଏହି ଖରା ଛୁଟି ସମୟକୁ ପିଲାମାନେ ସଦୁପଯୋଗ କରିବେ । ଛୁଟି ଉପଭୋଗ କରି ପାଠ୍ୟକ୍ରମ ସହ ସଂଯୁକ୍ତ ରହିବେ । ଯେଉଁ ସବୁ ଟାସ୍କ ଦିଆଯିବ ସେ ସବୁକୁ ଏହି ଛୁଟି ସମୟରେ ପୂରା କରିବେ । ଅଭିଭାବକଙ୍କୁ ଶିକ୍ଷକ ହ୍ୱାଟସ୍ଆପ୍ ଜରିଆରେ ଭିଡିଓ ଆଧାରିତ ଶିକ୍ଷଣ କାର୍ଯ୍ୟ ପଠାଇବେ । ଅଭିଭାବକମାନେ ପିଲାଙ୍କୁ ପାଖରେ ବସାଇ ଭିଡିଓ ମାଧ୍ୟମରେ ଆସିଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ଉତ୍ସାହିତ କରିବେ । ସ୍ମାର୍ଟଫୋନ୍ ନ ଥିଲେ କି-ପ୍ୟାଡ୍ ଫୋନ୍ ଜରିଆରେ ଶିକ୍ଷଣ କାର୍ଯ୍ୟ ମେସେଜ୍ କିମ୍ବା ଅଡିଓ ମାଧ୍ୟମରେ ଦିଆଯିବ । ଯଦି କୌଣସି ଅଭିଭାବକଙ୍କର ଫୋନ୍ ନ ଥିବ ସେମାନେ ପଡ଼ୋଶୀ କିମ୍ବା ସାଙ୍ଗସାଥିଙ୍କ ସହ ମିଶି ଫୋନ୍ରେ ଆସୁଥିବା ଶିକ୍ଷଣ କାର୍ଯ୍ୟ ଅଭ୍ୟାସ କରିବେ ।
ଖରାଛୁଟିରେ ପିଲାମାନେ କରିଥିବା ଶିକ୍ଷଣ କାର୍ଯ୍ୟ ସ୍କୁଲ ଖୋଲିଲେ ଶିକ୍ଷକଙ୍କ ନିକଟରେ ଦାଖଲ କରିବେ । ଏନେଇ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଶିକ୍ଷକ- ଅଭିଭାବକ ବୈଠକରେ ଆଲୋଚନା କରାଯିବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଭିଭାବକଙ୍କୁ ଉତ୍ସାହିତ କରାଯିବ ।
ଅଂଚଳରେ ସାଧୁବାଦ ଜଣାଇଛନ୍ତି ବୁଦ୍ଧିଜୀବୀ।