Spread the love

ଦୁଷ୍କର୍ମ ଅଭିଯୋଗରେ ମାନସିକ ନିର୍ଯ୍ୟାତନା ସହିନପାରି ଜୀବନ ହାରିଲେ ବଂଶିଧର
ୟୁଟ୍ୟୁବ୍ ରେ ଖବର ପ୍ରସାରଣ ହେଲା କାଳ
ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ରାସ୍ତା ଅବରୋଧ
୨୪ ଘଂଟା ଭିତରେ ଗିରଫ ହେବେ ଅଭିଯୁକ୍ତ- ପାଟକୁରା ପୋଲିସ (ଫଟୋ)
ଗରଦପୁର,୧୦/୦୪/୨୦୨୫( ଦର୍ଶନ ସମୀକ୍ଷା )- ଦୁଷ୍କର୍ମ ଓ ପରକିୟା ପ୍ରିତି ଅଭିଯୋଗରେ ମାନସିକ ନିର୍ଯ୍ୟାତନା ସହିନପାରି ଗରଦପୁର ଗ୍ରାମର ବଂଶିଧର ମିଶ୍ର (୪୮) ଙ୍କ ଅସ୍ୱଭାବିକ ମୃତ୍ୟୁ ଘଟିଛି ।

ତାଙ୍କ ମୃତ୍ୟୁକୁ ନେଇ ସାରା ଗରଦପୁର ଅଂଚଳରେ ଉତେଜନା ଲାଗି ରହିବା ସହ ଅଶାନ୍ତ ହୋଇ ପଡ଼ିଛି । ଅପର ପକ୍ଷରେ ପାଟକୁରା ପୋଲିସ ବଂଶିଧରଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ନେବା ବାଟରେ ଗରଦପୁର ୟୁକୋ ବ୍ୟାଙ୍କ ନିକଟରେ ହଜାର ହଜାର ଲୋକ ରାସ୍ତାରେ ଟାୟାର ଜାଳି ଶବ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇବାରୁ ପୋଲିସ କୁ ନୟାନ୍ତ ହେବାକୁ ପଡ଼ିଛି । ସେପଟେ ବଂଶିଧରଙ୍କ ପତ୍ନୀ ଗାୟତ୍ରୀ ଓ ସାଧାରଣ ଲୋକ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଅନୁଯାୟୀ ବଂଶିଧରଙ୍କ ମୃତ୍ୟୁ ପାଇଁ ଦାୟୀ ଗଣମାଧ୍ୟମ ପ୍ରତିନିଧି ପ୍ରତିକ ମିଶ୍ର ଓ ପୂର୍ବରୁ ଧର୍ଷଣ ଅଭିଯୋଗ ଆଣିଥିବା ସମ୍ପୃକ୍ତ ମହିଳା ଦମୟନ୍ତୀ ପାଣି , ତାଙ୍କ ସ୍ୱାମୀ ଉମାକାନ୍ତ ପାଣି ଓ ୟୁଟ୍ୟୁବ “ସୂଚନା” ର ପ୍ରତିନିଧି ବାବୁଲି ମଲିକ ଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ କରିବାକୁ ଲୋକମାନେ ଦାବି କରିଥିଲେ । ତେବେ ପାଟକୁରା ଥାନା ଆଇଆଇସି ମହମ୍ମଦ ଜାମସେଦ୍ ୨୪ ଘଂଟା ମଧ୍ୟରେ ଅଭିଯୁକ୍ତ ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶୃତି ଦେବାରୁ ରାସ୍ତା ଅବରୋଧ ହଟିଥିଲା । ପୋଲିସ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ପଠାଇଥିଲା । ରାସ୍ତା ଅବରୋଧ କରିଥିବା ଲୋକମାନେ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିକରି ଥାନା ଅଧିକାରୀଙ୍କୁ ଏକ ଦରଖାସ୍ତ ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ଗରଦପୁର ଗ୍ରାମର ଦମୟନ୍ତୀ ପାଣି ନାମକ ଜନୈକ ମହିଳା ସେହି ଗ୍ରାମର ବଂଶିଧରଙ୍କ ନାମରେ ଏକ ଦୁଷ୍କର୍ମ ମାମଲା ପାଟକୁରା ଥାନାରେ ଗତ ସପ୍ତାହରେ ରୁଜୁ କରାଇଥିଲେ । ଏହି ମାମଲା ରୁଜୁ ହେବା ପରେ ଏକ ୟୁଟ୍ୟୁବ ଚାନେଲ “ସୂଚନା” ରେ ବଂଶିଧର ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ଖବର ପ୍ରସାର ହେବାରୁ ବଂଶିଧର ମିଶ୍ର ନିଜର ସାମାଜିକ ପ୍ରତିଷ୍ଠା ହରାଇବା ସହ ମାନସିକ ଭାରସାମ୍ୟ ହରାଇଥିଲେ । ଏପରିକି ଏହି ମାମଲାକୁ ରଫା ଦଫା କରିବା ପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ତେବେ ଏହି ମାମଲା ରେ ଗଣ ମାଧ୍ୟମ ପ୍ରତିନିଧି ପ୍ରତିକ ମିଶ୍ର ସାମିଲ ହୋଇ ତାଙ୍କୁ ମଧ୍ୟ ମାନସିକ ନିର୍ଯ୍ୟାତନା ଦେବା ସହ ଟଙ୍କା ପାଇଁ ଦାବି କରୁଥିଲେ ବୋଲି ମୃତକ ଙ୍କ ପତ୍ନୀ ଗାୟତ୍ରୀ ସଙ୍ଗିନ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଓ ଏହାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିବା ସହ ଗତ ୫ ତାରିଖ ଦିନ ପାଟକୁରା ଥାନାରେ ପୃଥକ ପୃଥକ ଭାବେ ଅନ୍ୟ ୩ଟି ମାମଲା ରୁଜୁ ହୋଇଥିଲା । ଏହି ମାମଲା ରୁଜୁ ହେବା ପରେ ବଂଶିଧର ଭୟରେ ଘର ଛାଡ଼ି ବାହାରେ ରହୁଥିଲେ । ହେଲେ ଆଜି ସକାଳୁ ନିକଟସ୍ଥ ପାଖଡ଼ ଗ୍ରାମ ସ୍ମଶାନ ମଧ୍ୟରେ ଥିବା ଏକ ଚାକୁଣ୍ଡା ଗଛରେ ବଂଶିଧରଙ୍କ ମୃତ ଶରୀର ରଶିରେ ଝୁଲୁ ଥିବାର ସାଧାରଣ ଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ପାଟକୁରା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲା । ତେବେ ଉକ୍ତ ମୃତ୍ୟୁକୁ ନେଇ ସାଧାରଣରେ ହତ୍ୟା ଅଭିଯୋଗ ଆଲୋଚନା ହେବା ପରେ କେନ୍ଦ୍ରାପଡ଼ା ସାଇଂଟିଫିକ୍ ଟିମ ସେଠାରେ ପହଂଚିଥିଲା । ଶବ ପଂଚନାମା କରିବା ପରେ ବଂଶିଧରଙ୍କ ଶବ ନିକଟରୁ ତାଙ୍କର ହିରୋହୋଣ୍ଡା ବାଇକ୍ , ଗୋଟିଏ ଏୟାର ବ୍ୟାଗ , ମୋଇଲ ଚାର୍ଜର , ଟର୍ଚ, ବେଡ଼ସିଟ, ଲୁଙ୍ଗି, ଗାମୁଛା , ମେଡ଼ିସିନ୍ ପାଇଥିଲାବେଳେ ପ୍ୟାନ୍ଟ ପକେଟ ରୁ ୭୬୦ ଟଙ୍କା ସମେତ ବଂଶିଧରଙ୍କ ହାତ ଲେଖା ଏକ ସୁଇସାଇଡ଼ାଲ ନୋଟ ପୋଲିସ ପାଇ ଜବତ କରିଥିଲା । ତେବେ ପୋଲିସ ଏହି ସୁଇସାଇଡ଼ାଲ ନୋଟ ସାର୍ବଜନିନ କରିନଥିଲା । ଅପର ପକ୍ଷରେ ଏହି ଘଟଣାରେ ବଂଶିଧରଙ୍କ ପତ୍ନୀ ଗାୟତ୍ରୀ ମିଶ୍ର ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରତିକ ମିଶ୍ର , ଦମୟନ୍ତୀ ପାଣି ଓ ତାଙ୍କ ସ୍ୱାମୀ ଉମାକାନ୍ତ ପାଣି ଙ୍କ ସମେତ ୟୁଟୁବ “ସୂଚନା”ର ପ୍ରତିନିଧି ବାବୁଲି ମଲିକ ମୋର ସ୍ୱାମୀର ମୃତ୍ୟୁ ପାଇଁ ଦାୟୀ ବୋଲି ଦୃଢ଼ ଅଭିଯୋଗ କରିବା ପରେ ପାଟକୁରା ପୋଲିସ ଘଟଣାକୁ ଗୁରୁତର ଭାବେ ନେବା ସହ ଜନ ସାଧାରଣଙ୍କ ଆକ୍ରୋଶକୁ ଆଖି ଆଗରେ ରଖି ତଦନ୍ତ ଆରମ୍ଭ କରିଛି । ଏହା ଛଡ଼ା ଏହି ଅଭିଯୋଗ ପରେ ପାଟକୁରା ପୋଲିସ କେଶ ନଂ ୫୭/୨୫ ଦଫା- ୩୦୮(୨) ,୧୦୮,୩୫୧(-୨) , ୩/୫ ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ପାଟକୁରା ଥାନା ଅଧିକାରୀ ମହମ୍ମଦ ଜାମସେଦ ସୂଚନା ଦେବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗରିଫ କରାଯିବ ବୋଲି କହିଛନ୍ତି ।

Related Post

Leave a Reply

Your email address will not be published. Required fields are marked *

You Missed