Spread the love

ବଡ଼ବିଲ, ତା -21-12-2024 ଦର୍ଶନ ସମୀକ୍ଷା
କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ, ଦ୍ରୌପଦୀଦେବୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଷୋଡ଼ଶ ଦ୍ରୌପଦୀଦେବୀ ସମ୍ମାନ -୨୦୨୪ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଶନିବାର, ବଡ଼ବିଲ ଟାଉନ୍ ହଲ୍ ଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ଶିଳ୍ପୀ ମାନଙ୍କୁ “ଦ୍ରୌପଦୀଦେବୀ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।

ଅନୁଷ୍ଠିତ ଏହି ଉତ୍ସବରେ ଚମ୍ପୁଆ ଉପ ଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ସ୍ଵତନ୍ତ୍ର ଅତିଥି ଭାବେ ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ କୃଷ୍ଣ ଚନ୍ଦ୍ର ଶତପଥୀ, ବଲାଙ୍ଗୀର ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ସଡ଼କ ଓ ପରିବହନ ବିଭାଗ ଅଧିକାରୀ ଗୋପାଳ କୃଷ୍ଣ ଦାସ, ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ସେଣ୍ଟ ମେରୀଜ୍ ସ୍କୁଲର ପ୍ରିନିସିପଲ୍ ସିଷ୍ଟର କରୁଣା, ଓ ଏମ୍ ସି ର ଆଞ୍ଚଳିକ ପ୍ରବନ୍ଧକ ଅବନିକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ ।

ଦ୍ରୌପଦୀଦେବୀ ସାରସ୍ବତ ସମ୍ମାନରେ ଡକ୍ଟର ମୃତ୍ୟୁଞ୍ଜୟ ରଥ, ନୃତ୍ୟଶ୍ରୀ ସମ୍ମାନରେ ଗୁରୁ ନିରଞ୍ଜନ ରାଉତ, ଶିଳ୍ପୀଶ୍ରୀ ସମ୍ମାନରେ ଶ୍ରୀମତୀ ମହାପାତ୍ର ମିନତୀ ଭଞ୍ଜ ଓ ପ୍ରଫେସର ଜଗନ୍ନାଥ କୁଅଁର, ବାଦ୍ୟଶ୍ରୀ ସମ୍ମାନରେ ସୁରମଣି ଗୁରୁ ରମେଶ ଚନ୍ଦ୍ର ଦାସ, ଚାରୁକଳା ସମ୍ମାନରେ ଗୁରୁ ନିଗମାନନ୍ଦ ସ୍ୱାଇଁଙ୍କୁ ଅଙ୍ଗବସ୍ତ୍ର ଏବଂ ମାନପତ୍ର ଦିଆଯାଇ ସମ୍ମାନିତ କରାଯାଇଥିଲା । ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ନ୍ୟୁଜ୍ ସେଭେନ୍ ପ୍ରତିନିଧି ନିର୍ମଳ କୁମାର ପତି, ଦୈନିକ ଖବର କାଗଜ ଧରିତ୍ରୀ ପ୍ରତିନିଧି ଦେବପ୍ରିୟ ରଣା ଏବଂ ସାମାଜିକ ଅନୁଷ୍ଠାନ ‘ପ୍ରୟାସ’ କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ତଥା ଅନ୍ୟାନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା । ଅନ୍ୟପଟେ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅଙ୍କା ଯାଇଥିବା ବିଭିନ୍ନ କଳାକୃତିର ପ୍ରଦର୍ଶନ ବେଶ୍ ଚମତ୍କାର ହୋଇଥିଲା, ମୟୂରଭଞ୍ଜର ବାଉଁଶ କାରିଗରୀ, ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟ ଚିତ୍ର, ସମ୍ବଲପୁରୀ ବସ୍ତ୍ର ସହିତ ଓଡ଼ିଆଙ୍କ ପାରମ୍ପାରିକ ପିଠା ଏବଂ ମିଠା ଷ୍ଟଲ୍ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲା ।

ଅନୁଷ୍ଠାନର ଚେୟାର ପର୍ସନ ଶ୍ରୀମତୀ ନଳିନୀ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପ୍ରିନ୍ସିପଲ୍ ମନୋଜ କୁମାର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Related Post

Leave a Reply

Your email address will not be published. Required fields are marked *

You Missed