Spread the love

ସେହି ଜିନିଷ, ସେହି କାମ; ଏବେ କିନ୍ତୁ ନୂଆ ନାମ

ଓଡ଼ିଶାରେ ପ୍ରଥମଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାର ତାଙ୍କର ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌‌ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେପି ଭୋଟରଙ୍କୁ ଯେଉଁସବୁ ଲୋଭନୀୟ ପ୍ରତିଶ୍ରୁତିମାନ ଦେଇଥିଲା, ତାହାକୁ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୂରଣ କରିବେ ବୋଲି ଆଶା ବାନ୍ଧିଥିଲେ। ବିଜେପିର ସାଥୀ ସମର୍ଥକ କହି ବୁଲୁଥିଲେ ଯେ ମୋହନବାବୁ ଏଥର ମନମୋହନକାରୀ ବଜେଟ୍‌‌ ଆଣିବେ। ହେଲେ ଏହି ‘ମୋହନ ବଜେଟ୍‌‌’କୁ ଦେଖିଲା ପରେ ପୁରୁଣାଦିନର ‘ଟିନୋପାଲ’ର ଏକ ବିଜ୍ଞାପନ ମନେ ପଡ଼ିଲା। ଲୁଗା ସଫା ଓ ଅନ୍ୟାନ୍ୟ ସଫେଇ କାମରେ ବ୍ୟବହୃତ ଏହି ସାମଗ୍ରୀର ନାମ ବଦଳି ‘ରାନିପାଲ’ ହେବା ପରେ ଗ୍ରାହକଙ୍କ ସନ୍ଦେହ ଦୂର କରିବା ପାଇଁ କମ୍ପାନୀ ପକ୍ଷରୁ ଯେଉଁ ବିଜ୍ଞାପନ ରେଡିଓ ଓ ଛାପା ଗଣମାଧ୍ୟମରେ ଦିଆଗଲା, ତାହାର ସ୍ଲୋଗାନ ଥିଲା- ‘ସେହି ଜିନିଷ, ସେହି କାମ; ଏବେ କିନ୍ତୁ ନୂଆ ନାମ’। ବାସ୍ତବରେ ‘ମୋହନ ବଜେଟ୍‌‌’ ଦେଖିବା ପରେ ଏହି କଥାର ସତ୍ୟତା ଅନୁଭୂତ ହେଲା।

ଏବେ ତ ଏହି ଆଠ ମାସିଆ ବଜେଟ୍‌‌, ଯାହାକୁ ପୂର୍ଣ୍ଣାଙ୍ଗ କୁହାଯାଉଛି, ତାହା ନବୀନ ସରକାରଙ୍କ ଚାରିମାସିଆ ବଜେଟ୍‌‌ର ଏକ ପରିବର୍ଦ୍ଧିତ ସଂସ୍କରଣ। ଏଥିରେ ବିଜେଡିର ନାମ ନିଶାଣକୁ ଲିଭାଇବା ପାଇଁ ଯେଉଁ ରଙ୍ଗବୋଳା ହୋଇଛି, ତାହା କିନ୍ତୁ ବେଶ ଫିକା ଓ ଅସ୍ପଷ୍ଟ। ବିଜେପି ଗୈରିକ ଆଦର୍ଶ ଓ ଆଚରଣ ତଳୁ ବିଜେଡିର ସଫଳତାର ଚିହ୍ନ ସ୍ପଷ୍ଟ ବାରି ହୋଇପଡୁଛି। ବିଜେଡି ସରକାରର ସଫଳତାକୁ ଲୁଚାଇବାକୁ ମୋହନ ସରକାର ଉଦ୍ୟମ କରିଥିଲେ ମଧ୍ୟ ତାହା ଲିଭିନାହିଁ। ବିଜେଡି ଦ୍ୱାରା ପ୍ରବର୍ତ୍ତିତ ପ୍ରାୟ ସବୁ ଯୋଜନାକୁ ନାମ ପରିବର୍ତ୍ତନ କରି ନୂଆ ବଜେଟରେ ବଜାୟ ରଖାଯାଇଥିବା ବେଳେ ନିଜର ପତିଆରା ଦେଖାଇବା ଓ ନିର୍ବାଚନ ପ୍ରତିଶ୍ରୁତିକୁ ପାଳନ କରିବାକୁ ଯେଉଁ କିଛି ନୂଆ ଯୋଜନା ଆରମ୍ଭ କରାଯାଇଛି, ତାହାକୁ ଅନୁଶୀଳନ କଲେ ଏହା ସାଧାରଣ ବା ମାମୁଲି ଲାଗେ।

ମୋହନ ବଜେଟ୍‌‌ରେ ନୂତନ ଦର୍ଶନ, ଦିଗ ଓ ଆଦର୍ଶ ନାହିଁ। ଏହା ଫିକା, ଅନ୍ତଃସାର ଶୂନ୍ୟ, କପିପେଷ୍ଟ ବଜେଟ୍‌‌। କେବଳ ସେତିକି ନୁହେଁ, ଓଡ଼ିଆ ସ୍ୱାଭିମାନ, ଯାହା ବିଜେପି ଭାଷାରେ ଅସ୍ମିତା, ତାହାକୁ ମଧ୍ୟ ବଜେଟ୍‌‌ରେ ତିଳତିଳ କରି ହତ୍ୟା କରାଯାଇଛି। ବିଜୁ ପଟ୍ଟନାୟକ କେବଳ ଓଡ଼ିଶାର ନୁହନ୍ତି, ବିଶ୍ୱର ବରପୁତ୍ର। ତାଙ୍କ ନାମରେ ନାମିତ ଯୋଜନାଗୁଡ଼ିକୁ ବଦଳା ଯାଇଥିବା ବେଳେ ବିଜେଡି ସରକାର ୪୨ଟି ଯୋଜନାର ନାମ ପରିବର୍ତ୍ତନ କରି ବିଜେପି ସରକାର ନିଜର ସଂକୀର୍ଣ୍ଣ ବିଚାରକୁ ପ୍ରଦର୍ଶନ କରିଛି। ଏପରିକି ଜନପ୍ରିୟ ‘କାଳିଆ’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ‘ଲକ୍ଷ୍ମୀ’, ‘ବିଜୁ ସେତୁ’, ‘ବିଜୁ ପକ୍କାଘର’, ‘ମୋ କଲେଜ’, ‘ମିଲେଟ୍‌‌ ମିଶନ’, ‘ମେକ୍‌‌ ଇନ୍‌‌ ଓଡ଼ିଶା’, ‘ମୋ ସ୍କୁଲ’, ‘ଆମ ଓଡ଼ିଆ ନବୀନ ଓଡ଼ିଶା’ ଭଳି ଯୋଜନାର ନାମ ବଦଳାଇ ନୂଆ ନାମରେ ତାହାକୁ ଚାଲୁ କରିବାର ପ୍ରୟାସ କରାଯାଇଛି। ଏଥିରେ ବିଜୁ ଓ ନବୀନଙ୍କ ପ୍ରତି ଅସହିଷ୍ଣୁତା ସ୍ପଷ୍ଟ। ଆହୁରି ମଧ୍ୟ ଓଡ଼ିଶାରେ ବରପୁତ୍ରଙ୍କ ଅଭାବ ନ ଥିବା ବେଳେ ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ଦୀନ ଦୟାଲ ଉପାଧ୍ୟାୟ, ଯାହାଙ୍କର ଓଡ଼ିଶା ସହିତ କୌଣସି ସମ୍ପର୍କ ନାହିଁ, ତାଙ୍କ ନାମରେ ରାଜ୍ୟର ଯୋଜନାକୁ ନାମିତ କରିବା କେଉଁ ଅସ୍ମିତାର ପ୍ରମାଣ ବହନ କରେ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାମ ବଦଳାଇ ଏଥିରେ ଆୟୁଷ୍ମାନ ଭାରତ ଯୋଜନାକୁ ଗୋପବନ୍ଧୁଙ୍କ ନାମ ସହିତ ଯୋଡ଼ି ନୂଆ ନାମ ଦିଆଯାଇଛି। ତେବେ ଏହାର ଉପଭୋକ୍ତା ବର୍ଗର ରୂପରେଖ ସ୍ପଷ୍ଟ କରାଯାଇନାହିଁ। ମେଟ୍ରୋରେଳ ପ୍ରକଳ୍ପ ଖର୍ଚ୍ଚ ଅପରିବର୍ତ୍ତିତ ରହିଥିବା ବେଳେ କାଳିଆକୁ ସିଏମ୍‌‌ କିଷାନ ନାମରେ ନାମିତ କରାଯାଇଛି। ହେଲେ ଏହାର ଲାଭାର୍ଥୀ କିଏ ହେବେ, ତାହା ସ୍ପଷ୍ଟ କରାଯିବା ଉଚିତ।

ବିଜେଡି ସରକାର ଯେଉଁ ଉତ୍ତମ ଅର୍ଥନୈତିକ ଭିତ୍ତିଭୂମି ଓ ପୂର୍ଣ୍ଣ ରାଜକୋଷ ଛାଡ଼ି ଯାଇଥିଲେ, ତାହାର ଫାଇଦା ବିଜେପିକୁ ମିଳିଛି। ବିଜୁ ଓ ନବୀନ ବିମୁଖତା ଛାଡ଼ି ମୋହନ ସରକାର ବଜେଟ୍‌‌ରେ ସେମିତି କିଛି ଅଭିନବତା ବା ନୂତନତ୍ୱ ଆଣି ନାହାନ୍ତି। ବଜେଟ୍‌‌ର ଆକାର ୧୫ ଶତାଂଶ ବଢ଼଼ିଥିଲେ ମଧ୍ୟ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ମୋହନ ସରକାରଙ୍କୁ ପ୍ରାୟ ସାଢ଼େ ୪୩ ହଜାର କୋଟି ଟଙ୍କା ଋଣ କରିବାକୁ ପଡ଼ିବ। ଏହି ବର୍ଦ୍ଧିତ ବଜେଟ୍‌‌ ପୁଣି ବିଜେଡି ଦ୍ୱାରା ଉପସ୍ଥାପିତ କାମଚଳା ବଜେଟ୍‌‌ ପରିମାଣଠାରୁ ମାତ୍ର ୧୦ ହଜାର କୋଟି ଟଙ୍କା ଅଧିକ। ପ୍ରତିଶ୍ରୁତି ମୁତାବକ ବଜେଟରେ ଧାନର ଏମ୍‌‌ଏସ୍‌‌ପିକୁ କ୍ୟୁଣ୍ଟାଲ ପିଛା ୮୦୦ ଟଙ୍କା ବଢ଼଼ାଇ ୩୧୦୦ ଟଙ୍କା କରାଯାଇଛି। ସାମାଜିକ ସୁରକ୍ଷା ପେନ୍‌‌ସନ୍‌‌ ବୃଦ୍ଧି ପ୍ରତିଶ୍ରୁତିକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରିବାର ସମ୍ବଳ ନୂଆ ସରକାରଙ୍କ ପାଖରେ ନାହିଁ। କେବଳ ଯେଉଁମାନେ ୮୦ ବର୍ଷ ବୟସରୁ ଊର୍ଦ୍ଧ୍ବ ଓ ୮୦ ଭାଗ ଭିନ୍ନକ୍ଷମ, ସେମାନଙ୍କୁ ମାସିକ ୩୫୦୦ ଟଙ୍କାର ଭତ୍ତା ବା ପେନ୍‌‌ସନ୍‌‌ ମିଳିବ। ଏମାନଙ୍କ ସଂଖ୍ୟା ମୋଟ ଭତ୍ତା ପାଉଥିବା ଲୋକଙ୍କ ସଂଖ୍ୟାର ପ୍ରାୟ ୩ ଭାଗ। ଫଳରେ ୩୦ ଲକ୍ଷ ହିତାଧିକାରୀ ଏହାଦ୍ୱାରା ପ୍ରତାରିତ ହୋଇଛନ୍ତି। ସୁଭଦ୍ରା ଯୋଜନାର ବ୍ୟୟବରାଦ ୧୦୦୦ ଟଙ୍କା ହୋଇଥିଲେ ମଧ୍ୟ ଏହାର ଲାଭାର୍ଥୀ କଲ୍ୟାଣ ବ୍ୟବସ୍ଥା ଅସ୍ପଷ୍ଟ ରହିଛି।

ସାମାଜିକ କ୍ଷେତ୍ରକୁ ବଜେଟ୍‌‌ରେ ୪୨ ପ୍ରତିଶତ ବ୍ୟୟ ବରାଦ ଭଲ ପ୍ରୟାସ ହୋଇଥିଲେ ମଧ୍ୟ ଏହାର ବାସ୍ତବ କାର୍ଯ୍ୟାନ୍ୱୟନ ଉପରେ ସବୁକିଛି ନିର୍ଭର କରୁଛି। ସେହିଭଳି ଚାଷୀ, ମହିଳା, ଯୁବବର୍ଗ ଓ ଗରିବଙ୍କ ପାଇଁ ଯେଉଁସବୁ ଯୋଜନା କରାଯାଇଛି, ତାହା ପୂର୍ବ ସରକାର ଯୋଜନାର ପରିବର୍ଦ୍ଧିତ କପି। ତେବେ ଏଥିପାଇଁ ଯେଉଁ ନଗଦନାରାୟଣର ଆବଶ୍ୟକତା ରହିଛି, ତାହା ଋଣ କିମ୍ବା କେନ୍ଦ୍ରୀୟ ପ୍ରଦତ୍ତ ଅର୍ଥ / ଅନୁଦାନ ଉପରେ ନିର୍ଭର କରିବ। କେବଳ ଧାନର ଏମ୍‌‌ଏସ୍‌‌ପି ବଢ଼଼ିବା ଫଳରେ ଅନ୍ୟ ଫସଲ ଉତ୍ପାଦନ ପ୍ରଭାବିତ ହେବ। ଚାଷୀ ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ କରିବାକୁ ଆଗ୍ରହୀ ହେବେ ନାହିଁ।

ଡବଲ ଇଞ୍ଜିନ୍‌‌ ସରକାରର ସ୍ଲୋଗାନ ଦେଉଥିବା ବିଜେପିଠାରୁ ଲୋକେ ଅଧିକ କିଛି ଆଶା କରିବା ଅନୁଚିତ ନୁହେଁ। ହେଲେ କେନ୍ଦ୍ରୀୟ ବଜେଟ୍‌‌ରେ ଓଡ଼ିଶାକୁ ବିଜେପି ନେତୃତ୍ୱରେ ପରିଚାଳିତ ସରକାର ନିରାଶ କରିବା ପରେ ରାଜ୍ୟ ବଜେଟ୍‌‌ରେ ଲୋକଙ୍କ ପାଇଁ କିଛି ହେବ ବୋଲି ଆଶା କରୁଥିଲେ। ତାହା କିନ୍ତୁ ନିରାଶାରେ ପରିଣତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷାରେ ଏହା ‘ଡବଲ ଇଞ୍ଜି୍‌‌, ଡବଲ ନିରାଶା’ ପାଲଟିଛି। ଓଡ଼ିଶାବାସୀ ବିଜେପିକୁ ଯେଉଁ ବିପୁଳ ଜନାଦେଶ ଦେଇଥିଲେ, ଦଳ ତାହା ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିନାହିଁ।

ସତକଥା ହେଉଛି ଓଡ଼ିଶାର ବିଜେପି ସରକାର ତାହାର ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ଏହି ବଜେଟ୍‌‌ରେ ଏକପ୍ରକାର ବାଧ୍ୟ ହୋଇଛି ଏବଂ ଏମ୍‌‌ଏସ୍‌‌ପିକୁ ଛାଡ଼ି ଦେଲେ ଅନ୍ୟସବୁ ଘୋଷଣାକୁ ଆଂଶିକ ବା ଅସ୍ପଷ୍ଟ ଭାବେ ପୂରଣ କରିଛି। ବଜେଟ୍‌‌ ଏକ ବାର୍ଷିକ ଆୟବ୍ୟୟର ବିବରଣୀ ଏବଂ ଏଥିରେ ବିକାଶ ଓ ଜନକଲ୍ୟାଣ ସମ୍ପୃକ୍ତ। ପିଠା ଦେଖି ଚୂନା ଭଳି ଉପଲବ୍ଧ ଅର୍ଥ ବା ରାଜସ୍ୱକୁ ବିଚାରକୁ ନେଇ ଯୋଜନା କାର୍ଯ୍ୟକାରୀ କରିବା କେବଳ ସମ୍ଭବ। ଏହା ‘ଆକାଶ କଇଁଆ ଚିଲିକା ମାଛ’ର ପ୍ରତିଶ୍ରୁତି ଭଳି କଥା ନୁହେଁ। ବଡ଼କଥା ହେଲା ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ପ୍ରଶାସନ ଓ ବିକାଶ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ଏବଂ ପୂର୍ବ ସରକାର ଦ୍ୱାରା ପ୍ରଣୀତ ତଥା କାର୍ଯ୍ୟକାରୀ ହେଉଥିବା ଭଲ ଯୋଜନାକୁ ସେ ଅବ୍ୟାହତ ରଖିବା ସହିତ ଏଥିସହିତ ନୂଆ କିଛି ଯୋଡ଼ିଛନ୍ତି। ଏଥିରେ କିଛି ଅସୁବିଧା ନାହିଁ। ତେବେ ପୁରୁଣା ଯୋଜନାର ନାମ ବଦଳାଇ ନୂଆ ଲେବୁଲ ଲଗାଇବା ଓ ନାମ ଦେବା ପଛରେ କେଉଁ ଆଦର୍ଶ କାମ କରୁଛି, ତାହା ବୁଝିବାକୁ ବାକି ରହୁନାହିଁ। ସଂକ୍ଷେପରେ କହିଲେ ଏଥରର ବଜେଟ୍‌‌ ‘ସେହି ଜିନିଷ, ସେହି କାମ; ଏବେ କିନ୍ତୁ ନୂଆ ନାମ’। କେବଳ ନୂଆ ବୋତଲରେ ପୁରୁଣା ‘ମାଲ୍‌‌’ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *