ଓଡ଼ିଶାରେ ଅଭୂତପୂର୍ବ ଗ୍ରୀଷ୍ମପ୍ରବାହ; ଅଂଶୁଘାତକୁ ସାବଧାନ!
ସୁନ୍ଦରଗଡ଼ ଜିଲ୍ଲାରେ, ବିଶେଷକରି ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ମାତ୍ର କେଇ ଘଣ୍ଟା ବ୍ୟବଧାନରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୨୦ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। କେବଳ ରାଉରକେଲା ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଲୋକଙ୍କ ମଧ୍ୟରୁ ଆସିବା ବାଟରେ ଆଠଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଛ’ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଏହାଛଡ଼ା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଚିକିତ୍ସାଧୀନ ଥିବା ଏକାଭଳି ୪ଜଣଙ୍କର ମୃତ୍ୟୁ ଘଟିଛି। ଆମେ ଲେଖା ଲେଖିବା ବେଳ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନାହିଁ ଏବଂ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଝାରସୁଗୁଡ଼ା ମୁଖ୍ୟ ହସ୍ପିଟାଲରେ ମଧ୍ୟ କିଛି ଏଭଳି ରୋଗୀ ଭର୍ତ୍ତି ହୋଇଛନ୍ତି।
ଚିକିତ୍ସକ ଓ ବିଶେଷଜ୍ଞଙ୍କ କହିବା କଥା ଯେ ମୃତ ଓ ଅସୁସ୍ଥମାନେ ସମସ୍ତେ ଅଂଶୁଘାତରେ ଆକ୍ରାନ୍ତ ହୋଇଥାଇପାରନ୍ତି। ଏବେ ପଶ୍ଚିମ ଓଡ଼ିଶାରେ ନାହିଁ ନଥିବା ଗ୍ରୀଷ୍ମ ପ୍ରବାହ ଚାଲିଛି। ଆକ୍ରାନ୍ତମାନଙ୍କ ଶରୀରର ତାପମାତ୍ରା ୧୦୩ ଡିଗ୍ରୀ ଫାରେନହାଇଟ୍ ରେକର୍ଡ କରାଯାଇଛି। ଅତଏବ ଏହା ଅଂଶୁଘାତ ହୋଇପାରେ। ଗୁରୁବାରଠାରୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୫ ରୁ ୪୮ ଡିଗ୍ରୀ ସେଲ୍ସିୟସ ମଧ୍ୟରେ ରହୁଛି। ଏହି ଗ୍ରୀଷ୍ମପ୍ରବାହ ଆହୁରି ତିନିଦିନ ଅବ୍ୟାହତ ରହିବ। ତେଣୁ ଖରାକୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯିବା ସହିତ ଖରା ସମୟରେ ବାହାରେ କାମ କରିବାକୁ ଶ୍ରମିକମାନଙ୍କୁ ନିଷିଦ୍ଧ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଅଂଶୁଘାତରେ ସାତଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ତେବେ ସୁନ୍ଦରଗଡ଼ ଓ ରାଉରକେଲା ଘଟଣା ଆତଙ୍କ ସୃଷ୍ଟି କରିଛି।
ଖଣିଖାଦାନ ଭରା ପଶ୍ଚିମ ଓଡ଼ିଶାରେ ଶ୍ରମିକମାନେ ପ୍ରଚଣ୍ଡ ଖରାରେ କାମ କରିବାକୁ ବାଧ୍ୟ ହୋଇଥା’ନ୍ତି। ସୁନ୍ଦରଗଡ଼ ଜିଲ୍ଲାର ସନ୍ଦିଗ୍ଧ ଅଂଶୁଘାତ ମୃତାହତଙ୍କ ମଧ୍ୟରୁ ଅଧିକାଂଶ ଏହି ଶ୍ରମିକ ଶ୍ରେଣୀର ଏବଂ ସେମାନଙ୍କ ମଧ୍ୟରେ ଅନେକ ମହିଳା ଅଛନ୍ତି। ଏହା ସମ୍ଭାବ୍ୟ ଅଂଶୁଘାତ ଘଟଣା ହୋଇଥିବାରୁ ସରକାର ଓ କର୍ତ୍ତୃପକ୍ଷଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ୧୯୯୮ ମସିହାରେ ରାଜ୍ୟରେ ଅଭୂତପୂର୍ବ ତାପ ପ୍ରବାହ ଫଳରେ ସରକାରୀ ଭାବେ ୨୦୪୨ ଲୋକଙ୍କର ମୃତ୍ୟୁ ଘଟିଥିଲା। ତେବେ ବେସରକାରୀ ଭାବେ ଏହି ସଂଖ୍ୟା ବହୁ ଅଧିକ ଥିଲା। ସେତେବେଳେ ଏହି ଅଂଶୁଘାତ ମୃତ୍ୟୁ ପ୍ରଥମେ ରାଜ୍ୟର ପଶ୍ଚିମାଞ୍ଚଳରୁ ଆରମ୍ଭ ହୋଇ ସାରା ରାଜ୍ୟକୁ ବ୍ୟାପିଥିଲା। ସେ ବର୍ଷ କ୍ରମାଗତ ଛ’ମାସ ଧରି ବର୍ଷା ନଥିଲା ଏବଂ ଖରାଦିନିଆ ବର୍ଷା ଆଦୌ ହୋଇନଥିଲା। ଖରାଦିନିଆ ବର୍ଷା ବାୟୁମଣ୍ଡଳକୁ ଅପେକ୍ଷାକୃତ ଥଣ୍ଡା ରଖେ। ଏଥର ସେଭଳି ଅବସ୍ଥା ନଥିଲେ ମଧ୍ୟ ଖରାଦିନିଆ ବର୍ଷାର ଅଭାବ ରହିଛି।
ଓଡ଼ିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିଲେ ମଧ୍ୟ ଏହାର ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳ ଗ୍ରୀଷ୍ମପ୍ରବଣ। ପ୍ରତିବର୍ଷ ପ୍ରବଳ ଖରା ଓ ଝାଞ୍ଜି ଯୋଗୁଁ ଏଠାରେ ଲୋକ ମରନ୍ତି। ୨୦୦୫ରେ ମଧ୍ୟ ରାଜ୍ୟରେ ୨୩୬ ଲୋକ ଅଂଶୁଘାତରେ ପ୍ରାଣ ହରାଇଥିଲେ। ରାଜ୍ୟର ଉପକୂଳ ଅଞ୍ଚଳ ଏବର୍ଷ ଏପ୍ରିଲ ଦ୍ୱିତୀୟ ଭାଗରେ ଅସହ୍ୟ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହୋଇଥିଲା ଏବଂ ତାପମାତ୍ରା ୪୭ ଡିଗ୍ରୀ ସେଲସିୟସ ଛୁଇଁଥିଲା। ଏବେ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଛି। ଦୁଇଦିନ ଧରି ଆକାଶ ମେଘାଚ୍ଛନ୍ନ ରହିଥିଲେ ମଧ୍ୟ ଆର୍ଦ୍ରତା ୮୦ ଭାଗରୁ ଅଧିକ ଥିବାରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଆଶ୍ୱସ୍ତିକର ଖବର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଇତିମଧ୍ୟରେ ଆଗୁଆ କେରଳ ଓ ଉତ୍ତର-ପୂର୍ବାଞ୍ଚଳରେ ପ୍ରବେଶ କରିଛି। ଏହା ସ୍ୱାଭାବିକ ଗତିରେ ଆଗକୁ ବଢ଼଼ୁଥିବାରୁ ଜୁନ୍ ୧୦ ବେଳକୁ ଓଡ଼ିଶାରେ ପହଞ୍ଚି ଯାଇପାରେ। ତା’ଛଡ଼ା ଏହାର ପ୍ରଭାବରେ ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ହୋଇପାରେ।
ଏସବୁ ସତ୍ତ୍ବେ ଆଗାମୀ ଦଶ/ବାର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପଶ୍ଚିମରେ ତାପ ପ୍ରବାହ ସହିତ ଉପକୂଳରେ ଗୁଳୁଗୁଳି ଅସହ୍ୟ ହେବ। ସରକାର ତାଙ୍କ ସାଧ୍ୟମତେ ଅଂଶୁଘାତର ମୁକାବିଲା କରିବେ ସିନା; ସମସ୍ତଙ୍କୁ ସୁରକ୍ଷା ଦେଇପାରିବେ ନାହିଁ। ଏଥିପାଇଁ ବ୍ୟକ୍ତିଗତ ସତର୍କତା ଓ ସଚେତନତା ଲୋଡ଼ା। ପ୍ରତ୍ୟେକ ବ୍ୟକ୍ତି ନିଜେ ନିଜକୁ ଖରା ଗରମଠାରୁ ଦୂରେଇ ରଖିବା ଉଚିତ। ଜୀବିକା ଅପେକ୍ଷା ଏବେ ଜୀବନ ରକ୍ଷା ପ୍ରଥମ ଆବଶ୍ୟକତା। ଛାଇରେ ରହିବା, ପ୍ରଚୁର ପାଣି, ତୋରାଣି ପିଇବା, ନିହାତି ଦରକାର ପଡ଼ିଲେ ଛତା, ଜୋତା, ପାଣିବୋତଲ ଓ ଓଦା ଗାମୁଛା ଧରି ପଦାକୁ ଯିବା। ସୂଚନା ଯୋଗ୍ୟ ଯେ ଏନ୍ଡିଆର୍ଏଫ୍ର ନିୟମ ଅନୁସାରେ ଅଂଶୁଘାତ ମୃତ୍ୟୁ ପାଇଁ କେନ୍ଦ୍ର ସରକାରୀ କ୍ଷତିପୂରଣ ଦେବାର ନିୟମ ନାହିଁ। ଅବଶ୍ୟ ଓଡ଼ିଶା ସରକାର ଏଥିପାଇଁ କ୍ଷତିପୂରଣ ଦେଉଛନ୍ତି।
ରାଜ୍ୟରେ ଆଗାମୀ ପାଞ୍ଚ/ଛଅ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ଅଂଶୁଘାତ ଆଶଙ୍କା ଆହୁରି ଘନୀଭୂତ ହୋଇଛି। ଏହି ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଜିଲ୍ଲା, ବ୍ଲକ ଓ ଗ୍ରାମସ୍ତରର ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ଆବଶ୍ୟକ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଂଶୁଘାତ ରୋଗୀଙ୍କ ଚିକିତ୍ସାରେ ଯେପରି ଅବହେଳା ନ ହୁଏ ତାହା ନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେବା ସହିତ ତୃଣମୂଳ ସ୍ତରରେ ସଚେତନତା ବ୍ୟାପକ କରିବାକୁ କୁହାଯାଉଛି।