ଉତ୍ପନ୍ନା ଏକାଦଶୀ
କୃଷ୍ଣ ପକ୍ଷ ଏକାଦଶୀ ଓ ଶୁକ୍ଳ ପକ୍ଷ ଏକାଦଶୀ ଭାବେ ମାସରେ ଏହି ଦୁଇ ଏକାଦଶୀ ପାଳନ କରାଯାଇଥାଏ । ମାର୍ଗଶୀରମାସର କୃଷ୍ଣ ପକ୍ଷ ଏକାଦଶୀକୁ ବର୍ଷର ପ୍ରଥମ ଏକାଦଶୀ ଭାବେ ବିବେଚନା କରାଯାଏ । ସେହିଭଳି କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀକୁ ବର୍ଷର ଶେଷ ଏକାଦଶୀଭାବେ ପାଳନ କରାଯାଏ । ଏହି ୨୪ଟି ଏକାଦଶୀ ପାଳନ କଲେ ବ୍ୟକ୍ତି ମହାବିଷ୍ଣୁ ଯେଉଁଠାରେ ନିତ୍ୟ ବିଚରଣ କରନ୍ତି ସେଠାରେ ସ୍ଥାନ ପାଏ ବୋଲି ବିଶ୍ୱାସ ରହିଛି । ଏହି କ୍ରମରେ ମାର୍ଗଶୀର ମାସକୁ ଧାର୍ମିକ ଦୃଷ୍ଟି କୋଣରୁ ସନାତନୀମାନେ ବର୍ଷର ପ୍ରଥମମାସ ବୋଲି ବିବେଚନା କରନ୍ତି । କାରଣ ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଛନ୍ତି ” ମାସାଣାଂ ମାର୍ଗଶୀରୋ-ଅହଂ ” ଅର୍ଥାତ ମାସମାନଙ୍କ ମଧ୍ୟରେ ସେ ନିଜକୁ ମାର୍ଗଶୀର ମାସବୋଲି ଅଭିହିତ କରିଛନ୍ତି ଏଣୁ ଧର୍ମୀୟ ବିଚାରଧାରାରେ ଏହି ମାସକୁ ବର୍ଷର ପ୍ରଥମମାସ ବୋଲି ମାନ୍ୟତା ପ୍ରଦାନ କରାଯାଇଛି ।ତେଣୁ ମାର୍ଗଶୀରମାସର କୃଷ୍ଣ ପକ୍ଷ ଏକାଦଶୀ ତିଥି ବର୍ଷର ପ୍ରଥମ ଏକଦଶୀ । ଏହି ଏକାଦଶୀକୁ ଉତ୍ପନ୍ନା ଏକାଦଶୀ ବୋଲି ବିଭିନ୍ନ ଶାସ୍ତ୍ର ଓ ପୁରାଣରେ କୁହାଯାଇଛି । ଭଗବାନ ବିଷ୍ଣୁ ଦେବତାଙ୍କ ଉପରେ ଅତ୍ୟାଚାର କରୁଥିବା ମୁର ନାମକ ରାକ୍ଷସର ନିଧନ ପାଇଁ ନିଜ ଶରୀରରୁ ଜଣେ ତେଜସ୍ୱୀ କନ୍ୟାଙ୍କୁ ଉତ୍ପନ କରିଥିଲେ । ଏହି ତେଜଦୀପ୍ତ କନ୍ୟା ଏକଦଶୀ ଦିନ ମୁରଅସୁରକୁ ବଧ କରିଥିବାରୁ ଭଗବାନ ପ୍ରସନ୍ନ ହୋଇ ଏହି ଏକଦଶୀର ନାମ ଉତ୍ପନ୍ନା ଏକାଦଶୀ ବୋଲି ଧାର୍ଯ୍ୟ କରି ଉପରୋକ୍ତ ଘଟଣାଟିକୁ ସ୍ମରଣୀୟ ଓ ପବିତ୍ର କରିଥିଲେ ।
ଯେଉଁମାନେ ଏକଦଶୀ ବ୍ରତ ପ୍ରଥମ ଥର ଆରମ୍ଭ କରିଥାଆନ୍ତି ସେମାନଙ୍କ ପାଇଁ ଉତ୍ପନ୍ନା ଏକାଦଶୀ ଗୁରୁତ୍ୱପୂର୍ଣ୍ଣ ସାଧାରଣତଃ ଏକଦଶୀ ବ୍ରତ ଆରମ୍ଭ କରୁଥିବା ବ୍ୟକ୍ତି ଏହି ଏକାଦଶୀକୁ ହିଁ ବ୍ରତ ଆରମ୍ଭ କରିଥାଏ । ଏହି ମାସର ପରବର୍ତ୍ତୀ ଅର୍ଥାତ ଶୁକ୍ଳପକ୍ଷ ଏକଦଶୀକୁ *ମୋକ୍ଷଦା ଏକାଦଶୀ ବା ଗୋମତୀ ଏକାଦଶୀ* ବୋଲି ମଧ୍ୟ କୁହାଯାଇଥାଏ । ଏହିଦିନଟିକୁ ଗୀତା ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ । ଶୁକ୍ଳ ପକ୍ଷରୁ ଏକଦଶୀ ହେଉଛି ଅଜ୍ଞାନ ନାଶୀନି । ଏହି ଦିନ ଭଗବାନ ଶ୍ରୀକୃଷ୍ଣ ନିଜ ପ୍ରିୟ ବନ୍ଧୁ ଅର୍ଜୁନଙ୍କୁ ଗୀତା ଜ୍ଞାନ ପ୍ରଦାନ କରିଥିଲେ ।
ll ଉତ୍ପନ୍ନା ଏକାଦଶୀ ମହାତ୍ମ୍ୟ ll
ଯୁଧୁଷ୍ଠିର କହିଲେ ହେ ଦେବ ! ଗୌଣଚନ୍ଦ୍ର ବା ଗ୍ରହାୟେଣର ପୁଣ୍ୟପ୍ରଦା କୃଷ୍ଣ ଏକାଦଶୀ କାହିଁକି ‘ ଉତ୍ପନ୍ନା ’ ନାମରେ କଥିତ ହେଲା ଏବଂ କେଉଁଥିପାଇଁ ସେ ପବିତ୍ର ଓ ଦେବଗଣଙ୍କର ପ୍ରିୟ । ଏହା ଜାଣିବାକୁ କୌତୁହଳ ଜନ୍ମିଅଛି , ଆପଣ କୃପାପୂର୍ବକ ଏହା ବର୍ଣ୍ଣନା କରନ୍ତୁ ।
ଶ୍ରୀ ଭଗବାନ୍ କହିଲେ- ହେ ପାର୍ଥ ! ପୂର୍ବକାଳରେ ସତ୍ୟଯୁଗରେ ‘ ମୁର ’ ନାମକ ଏକ ଦାନବ ବା ଅସୁର ଥିଲା । ସେ ଅତି ଅଦଭୁତ ଆକୃତି ବିଶିଷ୍ଟ ଏବଂ କୁଟିଳ ସ୍ୱଭାବ ସଂପନ୍ନ ଓ ଦେବତାମାନଙ୍କ ପ୍ରତି ଭୀତିପ୍ରଦ ଥିଲା । ଯୁଦ୍ଧରେ ଦେବତାବୃନ୍ଦ ଓ ସ୍ଵର୍ଗର ରାଜା ଇନ୍ଦ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ପରାଜିତ କରିଥିଲା । ଯମ ସଦୃଶ ସେହି ଦୁରାତ୍ମା ଅସୁର ସ୍ଵର୍ଗର ଦେବତାମାନଙ୍କୁ ବିତାଡ଼ିତ କରିଥିଲା । ଏଣୁ ସେମାନେ ମର୍ତ୍ତ୍ୟଲୋକରେ ବିଚରଣ କରୁଥିଲେ । ସର୍ବଦା ଶଙ୍କିତଚିତ୍ତ ଓ ଭୟ ବିହ୍ୱଳ ଇନ୍ଦ୍ର ପ୍ରମୁଖ ଦେବଗଣ ସେତେବେଳେ ମହେଶ୍ବରଙ୍କ ନିକଟକୁ ଗମନପୂର୍ବକ ନିଜ ନିଜର ସମସ୍ତ ଦୁଃଖ ନିବେଦନ କଲେ ।
ଇନ୍ଦ୍ର କହିଲେ – ହେ ମହେଶ୍ୱର ! ଦେବଗଣ ‘ ମୁର ' କର୍ତ୍ତୃକ ବିତାଡ଼ିତ ହୋଇ ସ୍ଵର୍ଗ ପରିତ୍ୟାଗ କରି ମର୍ତ୍ତ୍ୟଲୋକରେ ଆଶ୍ରୟ ଗ୍ରହଣ କରିଛନ୍ତି । ଆପଣ ଆମ୍ଭମାନଙ୍କର ଦୁଃଖ ନିବାରଣର ଉପାୟ ନିର୍ଦ୍ଧାରଣ କରନ୍ତୁ ।
ମହାଦେବ କହିଲେ – ହେ ସ୍ବର୍ଗରାଜ ଇନ୍ଦ୍ର ! ଯେଉଁଠାରେ ଶରଣ୍ୟ ଜଗନ୍ନାଥ ଗରୁଡ଼ଧ୍ବଜ ନାରାୟଣ ବିରାଜମାନ କରିଛନ୍ତି , ସେଠାକୁ ଗମନ କର । ସେ ଆଶ୍ରିତଗଣଙ୍କର ତ୍ରାଣକର୍ତ୍ତା । ସେ ନିଶ୍ଚୟ ତୁମ୍ଭମାନଙ୍କର ରକ୍ଷାର ଉପାୟ କିଛି କରିବେ ।
ଶ୍ରୀକୃଷ୍ଣ ଯୁଧୁଷ୍ଠିରଙ୍କୁ କହିଲେ – ହେ ରାଜା ! ମହାଦେବଙ୍କର କଥା ଶୁଣି ମହାମତି ଇନ୍ଦ୍ର ଦେବତାଗଣଙ୍କ ସହିତ କ୍ଷୀର ସମୁଦ୍ରତୀରକୁ ଗମନ କଲେ । ଜଳ ମଧ୍ୟରେ ପ୍ରସୁପ୍ତ ଗଦାଧରଙ୍କୁ ଦର୍ଶନ କରି ସେ କୃତାଞ୍ଜଳିପୁଟରେ ତାଙ୍କର ସ୍ତବ କରିବାକୁ ଲାଗିଲେ । ସ୍ତୁତି ମାଧ୍ୟମରେ ନିଜର ଦୈନ୍ୟ ଓ ଦୁଃଖର କାରଣ ନିବେଦନ କଲେ । ଇନ୍ଦ୍ରଙ୍କ କଥା ଶ୍ରବଣ କରି ନାରାୟଣ କହିଲେ - ହେ ଇନ୍ଦ୍ର ! ସେହି ମୁରଅସୁର କି ପ୍ରକାର ଅଟେ ? ତା’ର ବଳବୀର୍ଯ୍ୟ - ଶକ୍ତି ମଧ୍ୟ କି ପ୍ରକାର ଅଟେ , ସେସବୁ ବିଷୟରେ ମୋତେ କୁହ ।
ଇନ୍ଦ୍ର କହିଲେ – ହେ ଦେବେଶ ! ପୂର୍ବକାଳରେ ବ୍ରହ୍ମବଂଶରେ ତାଳଜଂଘା ନାମକ ଏକ ଅତି ପରାକ୍ରମଶାଳୀ ଅସୁର ଥିଲା । ତା’ର ପୁତ୍ର ‘ ମୁର ’ ନାମକ ଅସୁର ଅତି ବଳଶାଳୀ , ଅତି ଭୟଙ୍କର ଓ ଦେବତାଗଣଙ୍କର ମଧ୍ୟ ଭୀତି ଉତ୍ପାଦନକାରୀ । ସେ ଚନ୍ଦ୍ରାବତୀ ନାମକ ଏକ ପୁରୀରେ ବାସ କରେ । ସ୍ୱର୍ଗରୁ ଆମ୍ଭମାନଙ୍କୁ ବିତାଡ଼ିତ କରି ସେ ସ୍ବଜାତି ମଧ୍ୟରୁ କାହାକୁ ରାଜା , କାହାକୁ ଅନ୍ୟାନ୍ୟ ଦିଗପାଳରୂପେ ଅଧିଷ୍ଠିତ କରି ଦେବଲୋକକୁ ସଂପୂର୍ଣ୍ଣ ଭାବରେ ଅଧିକାର କରିଅଛି । ତା’ର ପ୍ରବଳ ପ୍ରତାପରେ ଆମ୍ଭେମାନେ ମର୍ତ୍ତ୍ୟରେ ବିଚରଣ କରୁଅଛୁ । ଇନ୍ଦ୍ର ଙ୍କ କଥା ଶୁଣି ନାରାୟଣ କୋପାବିଷ୍ଟ ହେଲେ ଏବଂ ଦେବତାଗଣଙ୍କର ଭୀତି ପ୍ରଦ ଏହି ଦୁଷ୍ଟ ଦୈତ୍ୟକୁ ବଧ କରିବି । ” ଏହା କହି ଦେବତାଗଣଙ୍କ ସହିତ ଚନ୍ଦ୍ରାବତୀ ପୁରୀକୁ ଗମନ କଲେ । ସେହି ଦୈତ୍ୟରାଜ ନାରାୟଣଙ୍କୁ ଦର୍ଶନ କରି ପୁନଃ ପୁନଃ ଗର୍ଜନ କରିବାକୁ ଲାଗିଲା । ଯୁଦ୍ଧରେ ଦେବତାଗଣ ପରାସ୍ତ ହୋଇ ଦଶଦିଗକୁ ପଳାୟନ କଲେ । ସେତେବେଳେ ଯୁଦ୍ଧ କ୍ଷେତ୍ରରେ ନାରାୟଣଙ୍କୁ ଏକାକୀ ରହିଥିବାର ଦେଖି ସେହି ଅସୁର ‘ ଠିଆହୁଅ ' , ' ଠିଆହୁଅ ’ କହିବାକୁ ଲାଗିଲା । ଭଗବାନ ମଧ୍ୟ କ୍ରୋଧରେ ଆରକ୍ତଲୋଚନ ହୋଇ କହିଲେ – ହେ ଦୂରାଚାର ଅସୁର ! ମୋର ବାହୁ ବଳ ଦେଖ- ଏହା କହି ଅସୁର ପକ୍ଷରୁ ସମସ୍ତ ଯୋଦ୍ଧାଗଣଙ୍କୁ ଦିବ୍ୟବାଣ ଦ୍ଵାରା ନିହତ କରିବାକୁ ଲାଗିଲେ । ସେତେବେଳେ ସେମାନେ ଭୟରେ ବିହ୍ବଳ ହୋଇ ବିଭିନ୍ନ ଦିଗରେ ପଳାଇବାକୁ ଲାଗିଲେ ।
ଶ୍ରୀକୃଷ୍ଣ କହିଲେ – ହେ ଯୁଧୁଷ୍ଠିର ! ସେହି ସମୟରେ ନାରାୟଣ ଦୈତ୍ୟର ସୈନ୍ୟମାନଙ୍କ ମଧ୍ୟକୁ ସୁଦର୍ଶନ ନିକ୍ଷେପ କଲେ । ତଦ୍ୱାରା ଶହଶହ ସୈନ୍ୟ ନିହତ ହେଲେ , କେବଳ ମୁର ଅସୁର ଯୁଦ୍ଧ କରୁଥିଲା । ସେ ଅସ୍ତ୍ରଯୁଦ୍ଧରେ ନାରାୟଣଙ୍କୁ ମଧ୍ୟ ପରାସ୍ତ କଲା ।ସେତେବେଳେ ନାରାୟଣ ଦୈତ୍ୟ ସହିତ ବାହୁଯୁଦ୍ଧରେ ପ୍ରବୃତ୍ତ ହେଲେ । ଏହିପରି ଦିବ୍ୟ ପରିମାଣରେ ହଜାର ହଜାର ବର୍ଷ ଯୁଦ୍ଧ କରି ମଧ୍ୟ ତାହାକୁ ପରାସ୍ତ କରିବାରେ ଅସମର୍ଥ ହୋଇ ସେ ବିଶେଷ ଚିନ୍ତାନ୍ବିତ ହୋଇ ବଦରିକାଶ୍ରମକୁ ଗମନ କଲେ । ସେଠାରେ ଏକଦ୍ଵାର ବିଶିଷ୍ଟ ଦ୍ଵାଦଶ ଯୋଜନ ବିସ୍ତୃତ ସିଂହାବତୀ ନାମରେ ଗୋଟିଏ ଗୁମ୍ଫା ଅଛି । ଭଗବାନ ବିଷ୍ଣୁ ସେହି ଗୁମ୍ଫା ମଧ୍ୟରେ ଶୟନ କଲେ । ସେହି ଦୈତ୍ୟ ମଧ୍ୟ ତାଙ୍କର ପଶ୍ଚାଦ୍ଧାବନ କରି ଗୁମ୍ଫା ମଧ୍ୟରେ ପ୍ରବେଶ କଲା ଏବଂ ବିଷ୍ଣୁଙ୍କୁ ନିଦ୍ରା ଯାଇଛନ୍ତି ବୋଲି ମନେକଲା । ସେ ଏଥିରେ ଅତିଶୟ ଆନନ୍ଦିତ ହେଲା ଏବଂ ଭାବିବାକୁ ଲାଗିଲା – “ ମୋ ସହିତ ଯୁଦ୍ଧରେ ପରାସ୍ତ ହୋଇ ଏଠାରେ ଗୋପନରେ ଶୋଇ ରହିଛି । ମୁଁ ଅବଶ୍ୟ ଏହି ଦୈତ୍ୟ ଅରି ( ବା ଶତୁ ) କୁ ବଧ କରିବି । ”
ହେ ଯୁଧୁଷ୍ଠିର ! ଅସୁରର ଏ ପ୍ରକାର ଚିନ୍ତା ସଙ୍ଗେ ସଙ୍ଗେ ଶ୍ରୀବିଷ୍ଣୁଙ୍କ ଶରୀରରୁ ଗୋଟିଏ କନ୍ୟା ଜାତ ହେଲା । ଏହି କନ୍ୟାଟି ହେଲା ‘ ଉତ୍ପନ୍ନା ଏକାଦଶୀ ’ । ସେ ରୂପବତୀ , ସୌଭାଗ୍ୟଶାଳିନୀ ଓ ଦିବ୍ୟ ଅସ୍ତ୍ରଶସ୍ତ୍ର - ଧାରିଣୀ ବିଷ୍ଣୁ ତେଜାଂଶ ସମ୍ଭୁତା ବୋଲି ସେ ମହାପରାକ୍ରମଶାଳିନୀ ଥିଲା । ଦାନବରାଜ ସେହି ସ୍ତ୍ରୀରୂପିଣୀ ଦେବୀଙ୍କ ସହିତ ତୁମୂଳ ଯୁଦ୍ଧରେ ପ୍ରବୃତ୍ତ ହେଲା । କିଛି ସମୟ ଯୁଦ୍ଧ ପରେ ଦେବୀଙ୍କର ହୁଙ୍କାର ଦ୍ଵାରା ଅସୁର ଭସ୍ମସାତ ହୋଇଗଲା । ଏହାପରେ ବିଷ୍ଣୁ ଜାଗ୍ରତ ହୋଇ ସେହି ଭସ୍ମୀଭୂତ ଦାନବକୁ ଦେଖି ବିସ୍ମୟାଭିଷ୍ଟ ହେଲେ ।
ବିଷ୍ଣୁ କହିଲେ – ମହାପରାକ୍ରାନ୍ତ ଉଗ୍ରମୂର୍ତ୍ତି ମୋର ପରମ ଶତ୍ରୁ ଏହି ମୁର ’ ଦାନବକୁ କିଏ ବଧ କଲା ? ମୋ ପ୍ରତି କରୁଣାବଶତଃ ଯେ ଏହାକୁ ହତ୍ୟା କରିଛନ୍ତି , ସେ ନିଶ୍ଚୟ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେହି କନ୍ୟା କହିଲେ – ଦେବତା , ଗନ୍ଧର୍ବ , ଯକ୍ଷ , ଉରଗ , ରାକ୍ଷସଗଣ ସହ ଇନ୍ଦ୍ରଙ୍କୁ ଏହି ଦାନବ ଜୟକରି ସ୍ୱର୍ଗରୁ ବିତାଡ଼ିତ କରିଅଛି । ସମ୍ପ୍ରତି ମୁଁ ଦେଖିଲି ଯେ , ପ୍ରସୁପ୍ତ ଭଗବାନ୍ ଶ୍ରୀହରିଙ୍କ ପଛରେ ଧାଇଁ ଏଠାକୁ ଆସିଅଛି । ସେ ତ୍ରିଲୋକ ସଂହାର କରିବ , ଭାବି ମୁଁ ତାହାକୁ ବଧ କରିଅଛି । କନ୍ୟାର କଥା ଶୁଣି ବିଷ୍ଣୁ କହିଲେ – ମୁଁ ଯାହା ସହିତ ଯୁଦ୍ଧରେ ପରାସ୍ତ ହୋଇଅଛି , ତୁମେ କିପରି ତାହାକୁ ବଧ କଲ ?
ଏକାଦଶୀ ନାମକ ସେହି କନ୍ୟା କହିଲା – ହେ ପ୍ରଭୁ ! ଆପଣଙ୍କ ଅନୁଗ୍ରହରୁ ହିଁ ମୁଁ ତାହାକୁ ବଧ କରିବାକୁ ସମର୍ଥ ହୋଇଅଛି ।
ଭଗବାନ୍ କହିଲେ – ମୁଁ ଏହି ତ୍ରିଲୋକରେ ଦେବତା ଓ ରଷିଗଣଙ୍କୁ ଅନନ୍ତ ବର ପ୍ରଦାନ କରିଅଛି । ହେ ଭଦ୍ରେ ! ତୁମେ ମଧ୍ୟ ତୁମର ମନମୁତାବକ ବର ପ୍ରାର୍ଥନା କର । ତାହା ସୁରଗଣଙ୍କ ପକ୍ଷେ ଦୁର୍ଲଭ ହେଲେ ମଧ୍ୟ ମୁଁ ତୁମକୁ ପ୍ରଦାନ କରିବି । ଏଥିରେ କୌଣସି ସନ୍ଦେହ ନାହିଁ । ଶ୍ରୀ ଏକାଦଶୀ କହିଲେ – ହେ ଜନାର୍ଦ୍ଦନ ! ଆପଣ ଯଦି ମୋ ପ୍ରତି ସନ୍ତୁଷ୍ଟ ହୋଇଛନ୍ତି , ତାହାହେଲେ ତ୍ରିସତ୍ୟ ପ୍ରତିଜ୍ଞା କରନ୍ତୁ ମୁଁ ନିଶ୍ଚୟ ବର ପ୍ରାର୍ଥନା କରିବି ।
ଭଗବାନ୍ କହିଲେ – ତୁମ ନିକଟରେ ତ୍ରିସତ୍ୟ କରୁଛି ଯେ , ପ୍ରାର୍ଥିତ ବର ଅବଶ୍ୟ ତୁମକୁ ପ୍ରଦାନ କରିବି । ଏଥିରେ କିଛି ଅନ୍ୟଥା ହେବ ନାହିଁ ।
ଏକାଦଶୀ କହିଲେ – ହେ ଦେବେଶ ! ତ୍ରିଭୁବନ ମଧ୍ୟରେ ଚତୁର୍ଯୁଗ ବ୍ୟାପୀ ସମସ୍ତ ତୀର୍ଥସ୍ଥାନରେ ମୋର ବୈଶିଷ୍ଟ୍ୟ ଏପରି ସ୍ଥାପନ କରନ୍ତୁ , ଯଦ୍ବାରା ମୁଁ ସର୍ବପ୍ରଧାନ , ସର୍ବ ବିଘ୍ନବିନାଶିନୀ ଓ ସର୍ବଦାୟିନୀରୂପେ ଆପଣଙ୍କ ଅନୁଗ୍ରହରୁ ପରମ ପୂଜ୍ୟ ହୋଇପାରେ । ହେ ଜନାର୍ଦ୍ଦନ ! ଆପଣଙ୍କ ପ୍ରତି ଭକ୍ତିବଶତ ଯେଉଁମାନେ ଶ୍ରଦ୍ଧା ସହକାରେ ମୋର ( ଅର୍ଥାତ୍ ଉତ୍ପନ୍ନା ଏକାଦଶୀର ) ଉପବାସ କରିବେ , ସେମାନଙ୍କର ସର୍ବସିଦ୍ଧି ଲାଭ ହେବ – ଏହି ବର ପ୍ରଦାନ କରନ୍ତୁ , ତାହାହେଲେ ହିଁ ମୁଁ ସନ୍ତୁଷ୍ଟ ହେବି । ଯେଉଁ ବ୍ୟକ୍ତି ନିରନ୍ନ ଉପବାସ କିମ୍ବା ନକ୍ତ ଓ ଏକଭୂକ୍ତରୂପକ ବ୍ରତ ପାଳନ କରିବେ , ତାହାଙ୍କର ଧନ , ଧର୍ମ ଓ ମୋକ୍ଷ ଲାଭ ହେବ । ଏହି ବର ମଧ୍ୟ ପ୍ରଦାନ କରନ୍ତୁ ।
ବିଷ୍ଣୁ କହିଲେ – ହେ କଲ୍ୟାଣୀ ! ତୁମେ ଯେଉଁ ବର ପ୍ରାର୍ଥନା କରିଅଛି , ତୁମର ବ୍ରତପାଳନକାରୀର ସେ ସମସ୍ତ ହିଁ ଲାଭ ହେବ । ତୁମେ ତା’ର ସକଳ ମନୋବାସନା ପୂର୍ଣ୍ଣ କରିବ , ଏଥିରେ ସଂଶୟ ନାହିଁ ।
ଏକାଦଶୀ କହିଲେ – ହେ ପ୍ରଭୁ ! ଏ ଜଗତରେ ଯେଉଁମାନେ ମୋର ଭକ୍ତ ଏବଂ ଯେଉଁମାନେ କାର୍ତ୍ତିକର ଭକ୍ତ ( ଅର୍ଥାତ୍ କାର୍ତ୍ତିକବ୍ରତକାରୀ ) ସେମାନେ ତ୍ରିଲୋକରେ ଚତୁର୍ଯୁୁଗ ବ୍ୟାପୀ ବିଖ୍ୟାତ ହୁଅନ୍ତୁ ।
ଶ୍ରୀ ଭଗବାନ୍ କହିଲେ – ତୁମକୁ ମୁଁ ମୋର ଶକ୍ତି ବୋଲି ମନେକରେ । ତେଣୁ ତୁମର ବ୍ରତ ଆଚରଣକାରୀ ସମସ୍ତେ ମୋର ପୂଜା କରିବେ । ଏହା ଫଳରେ ସେମାନେ ମୋକ୍ଷ ପ୍ରାପ୍ତି ହେବେ । ତୃତୀୟା , ଅଷ୍ଟମୀ , ନବମୀ , ଚତୁର୍ଦ୍ଦଶୀ ଏବଂ ବିଶେଷତଃ ଏକାଦଶୀ ତିଥି ହରିପ୍ରିୟା ନାମରେ ବିଖ୍ୟାତ । ତୁମେ ବ୍ରତପାଳନକାରୀର ଶତ୍ରୁବିନାଶ , ପରମାଗତିଦାନ ଏବଂ ସର୍ବସିଦ୍ଧୀଶ୍ଵର ପ୍ରଦାନ କରିବାକୁ ସମର୍ଥ ହେବ ।
ଶ୍ରୀକୃଷ୍ଣ କହିଲେ – ହେ କୁନ୍ତୀନନ୍ଦନ ! ବିଷ୍ଣୁ ‘ ଉତ୍ପନ୍ନା ’ ଏକାଦଶୀକୁ ତ୍ରିସତ୍ୟପୂର୍ବକ ବରଦାନ କରି ଅନ୍ତର୍ହିତ ହେଲେ । ସମସ୍ତ ବ୍ରତକାରୀ ଦିବାରାତ୍ରି ଭକ୍ତି ପରାୟଣ ହୋଇ ଏହି ଉତ୍ପନ୍ନା ଏକାଦଶୀର ଉତ୍ପତ୍ତିର କଥା ଶ୍ରବଣ କରିବେ ।