( ବୋହୂ ଫେରାର )
କାହାଣୀ ଆରମ୍ଭ : ସକାଳୁ ସକାଳୁ ସ୍କୁଟିଟା ଆଣି ଜୋରରେ ବ୍ରେକ ମାରିଲେ ସୁର ସାର ଦାସ ବାବୁଙ୍କ ଘର ଆଗରେ। ବଡ ବଡ ପାଟିରେ ଡାକ ଛାଡିଲେ ଦାସ ବାବୁଙ୍କୁ
ଦାସ ବାବୁ ଓ ଦାସ ବାବୁ
ଦାସ ବାବୁ ଗୁଡାଖୁ ମଞ୍ଜନ କରୁ କରୁ ଆସି ଗେଟ୍ ଖୋଲିଲେ। ପାଟିରେ ମେଞ୍ଚେ ଗୁଡାଖୁ ପୁରେଇ କହିଲେ, ଆପି ନିଉ ୟୋର
ସୁରସାର : ରଖ ହେ ତୁମ ହାପି ନିଉ ୟର । ମୋ ଘର ଆସି ଆଣ୍ଠିଏ ପାଣିରେ ହେଲାଣି ତୁମକୁ ଗେଲ ଲାଗୁଚି।
ଦାସବାବୁ: କିହୋ କ’ଣ ହେଲା ? ସକାଳ ଟାରୁ ଏମିତି ଶୋକ କାଇଁ?
ସୁରସାର : କ’ଣ ହେଲା ଭଲା ମଝି ନଇରେ ଭସେଇ ଦେଇ ପଚାରୁଛନ୍ତି ଶୋକ କାହିଁକି !
ଦାସବାବୁ : ଓହୋ କଣ ହେଲା ନ କହି କେତେ କଥା କହୁଛନ୍ତି ଆପଣ?
ପାଟିରୁ ଗୁଡାଖୁ ତକ ବାହାର କରି ଦେଇ ସଜ ହେଇ ଗଲେ କଥା ଶୁଣିବାକୁ ।
ସୁରସାର: ଯାଇଛି ପଳେଇ ଯାଇଛି ଆଉ କ’ଣ ଅଛି? ଫେରାର ହେଇ ଯାଇଛି।
ଦାସବାବୁ: ଆରେ କିଏ ଯାଇଛି କୁଆଡେ ଯାଇଛି ? କାଇଁ ଏମିତି ବାଉଳି ହେଉଛନ୍ତି ଆପଣ ? କଣ ନିଦ ଭାଙ୍ଗିନି ନା କ’ଣ ?
ସୁରସାର: କ’ଣ କହିବି ସାରେ ମୋ ବୋହୁ କାଲି ରାତିରୁ କାହା ସାଙ୍ଗରେ ପଳେଇଛି।
ଦାସବାବୁ : କ’ଣ ହେଲା ସ୍ମିତା ପଳେଇଛି ? କି କଥା କହୁଛନ୍ତି ଆପଣ?
ସୁରସାର : କଣ ବିଶ୍ବାସ ହଉନି ? ହଁ ବିଶ୍ଵାସ ହବ କେମିତି ? ଖୋଜି ଖୋଜି ଆପଣ ଯେତେବେଳେ ଏତେ ଯୋଗ୍ୟର ଝିଅଟିଏ ଠିକ୍ କରି ଦେଇଥିଲେ ମୋ ପୁଅ ପାଇଁ , ତେଣୁ ଆପଣଙ୍କୁ ବିଶ୍ଵାସ ହେଉ ନଥିବ । ହେଲେ ସତ କଣ କେବେ ଲୁଚି ରହିଛି ? ମୁଁ ଆଗରୁ ଜାଣିଥିଲି ସେ ଟୋକୀ ଲୁଚି ଲୁଚି କାହା ସାଙ୍ଗରେ ଗୋଟେ ସବୁଦିନ କଥା ହଉଛି । ଏମିତି ଲୁଚିକି ପଳେଇବ ବି ଜାଣି ଥିଲି। ଆଉ ଆଜି ସତକୁ ସତ ସେଇଆ ବି ହେଲା। ମୋ ପୁଅ ଜୀବନଟା ନଷ୍ଟ କରିଦେଲେ ଦାସ ବାବୁ ଆପଣ।
ଦାସବାବୁ : ଆରେ କି କଥା କହୁଛନ୍ତି ଆପଣ ମୁଁ ଝିଅ ଠିକ୍ କରିଥିଲି ବୋଲି କଣ ସବୁ ଦୋଷ ମୋର ? ଆପଣ ପରା ବନ୍ଧୁ ବାନ୍ଧବ ଦେଖେଇ ବୋହୁ ଆଣିଥିଲେ, ସେତେବେଳକୁ କଣ ଜାଣି ପାରିଲେନି ? ଚାକିରିଆ ବୋହୁ କରିବେ ବୋଲି ଜିଦ୍ କଲେ । ସେଥିରେ ପୁଣି ଯୌତୁକ ନହେଲେ ତମ ଘରଣୀ ଙ୍କର ନଚଳେ । ଏବେ କାଇଁ ପୋଡୁଛି ?
ସୁରସାର : ଦାସ ବାବୁ ଏଗୁଡାକ ଭଲ କଥା ନୁହଁ । ମୁଁ ତ ତୁମ ସାଙ୍ଗରେ କଥା ହେଉଛି ତୁମେ କାହିଁକି ମୋ ଘରଣୀ ଆଡକୁ କଥା ନଉଚ ? ମୋ ପୁଅ କ’ଣ ଯାଇ-ତାଇ ହେଇଛି ନା କଣ । ଆଉ କଣଟା ଏମିତି ଦେଇ ପକେଇ ଥିଲେ କି ସେଃ ଯୌତୁକ କଥା କହୁଛ, ଛାଡ଼ ଛାଡ଼ ତୁମ ସହିତ କଥା ହେଲେ ମଣିଷ ର ମୁଣ୍ଡ ଖରାପ ହବ।
ଦାସ ବାବୁଙ୍କ ସ୍ତ୍ରୀ, ରଙ୍ଗ ଭାଉଜ ତୁଳସୀ ଚଉରାରେ ପାଣି ଦେଉଥିଲେ। ବିଶେଷ କିଛି ଶୁଣି ପାରି ନଥିଲେ ବି ପାଟି ଶୁଣି ଚାଲି ଆସିଲେ ଦୁହିଙ୍କ ପାଖକୁ।
ରଙ୍ଗ ଭାଉଜ : ଓହୋ କଣ ହେଇଛି ? ନୂଆ ବର୍ଷ ଟାରେ ଦି ଜଣ କାଇଁ ଏମିତି ପାଟି ତୁଣ୍ଡ କରୁଛ ?
ଦାସବାବୁ : ଆରେ ଦେଖ ମ ତାଙ୍କ ବୋହୁ, କାଲି ରାତିରୁ କୁଆଡେ ପଳେଇଛି ଯେ , ସକାଳୁ ସକାଳୁ ଆସି ମୋ ଉପରେ ଗରମ ଦେଖାଉଛନ୍ତି ଆରେ ମୁଁ କଣ କରିବି ? ମୁଁ ବନ୍ଧୁ ହିସାବରେ, କହିବାରୁ ଝିଅ ଟିଏ ଠିକ୍ କଲି ବୋଲି କଣ ସବୁ ଦୋଷ ମୋର ? ଭଲ କଥା କହୁଚ ଆଉ ଆଜିକାଲି ଭଲ କଲେ ଖରାପ୍ ହୋ ।
ରଙ୍ଗ ଭାଉଜ : କ’ଣ ହେଲା ସ୍ମିତା ପଳେଇଛି ? ନା ମ ମିଛ କଥା ସେ କୁଆଡେ ଯାଇଥିବ, ତୁମେ ଏତେ ବ୍ୟସ୍ତ କାଇଁ ହଉଛ ? କାମ ସାଇଲେ ବଳେ ଆସିବନି ?
ମୁହଁକୁ ମୋଡ଼ି ମାଡି ରଙ୍ଗ ଭାଉଜ କଥା ଟିକୁ ଏମିତି କହିଲେ ଯେ ସୁର ସାରଙ୍କ ମନକୁ ପାଇଗଲା କଥାଟା ।
ସୁର ସାରଙ୍କର ପୁଅ ଶଶୁର ଘର, ଯୌତୁକ ବାବଦରେ ଡିମାଣ୍ଡ ଟଙ୍କାକୁ ସମ୍ପୂର୍ଣ ଦେଇନ ପାରି କିଛି ବାକି ରଖି ଥିବାରୁ ବୋହୁକୁ ଶୁଣେଇ ଶୁଣେଇ ଅନେକ କଥା କୁହନ୍ତି ପ୍ରାୟ ସୁର ସାର୍। ବୋହୁ ପାଉଥିବା ଦରମା ଟଙ୍କାରୁ ବୋହୁ ହାତରେ ଟଙ୍କାଟିଏ ବି ପଡ଼େନି । ଦରମା ମିଳିବା କ୍ଷଣି ଘର ସଉଦା ଚିଠା , ବିଲଡିଙ୍ଗଟା ଯାକର ଇଲେକ୍ଟ୍ରି ବିଲ୍ , ଝିଅର ହଷ୍ଟେଲ ବିଲ୍, ଔଷଧ ଚିଠା ,ଗ୍ୟାସ ବିଲ୍ ଇତ୍ୟାଦି ଧରେଇ ଦିଅନ୍ତି ବୋହୁକୁ । ନିଜ ପେନସନ ଟଙ୍କା ଆଉ ଘର ଭଡା ବାବଦକୁ ମିଳୁଥିବା ଟଙ୍କାରେ ନିଜେ ହାତ ମାରନ୍ତିନୀ କି କାହାକୁ ହାତ ମରେଇ ଦିଅନ୍ତିନି । ପଇସା ତକ ରଖି କଣ କରନ୍ତି ତାଙ୍କୁ ଜଣା।
ସୁରସାର: ଯାହା କହିଲ ଭାଉଜ, କାମ ସାଇଲେ ଯାଇଁ ଆସିବ । ମୁଁ ଯେଉଁ କଥା କହୁ ନଥିଲି ଭାଉଜ,ଉଁ ଉଁ
ସୁର ସାରଙ୍କ ମୁହଁରୁ ଶୋକର ଛାଯା ଉଭେଇ ଯାଇଥାଏ। ମନେ ମନେ ଖୁସି ହଉଥାନ୍ତି, ଯା’ହଉ ସମାନ ଛାଞ୍ଚର ମଣିଷ ଟିଏ ତାଙ୍କ କଥା ବୁଝି ପାରୁଛି।
ରଙ୍ଗ ଭାଉଜ : ହଁ ବା ମୁଁ କ’ଣ ଜାଣି ପାରୁନି ନା କ’ଣ
ଦାସବାବୁ : କାମ ! କି କାମ !
ରଙ୍ଗ ଭାଉଜ : ହାକ୍ ତୁମେ କିଛି ବୁଝି ପାରିବନି ବୁଢାଟେ ହେଲଣି କେବେ ବୁଝିବ କେଜାଣି ?
ଦାସ ବାବୁଙ୍କ କାନରେରେ ଫୁସୁଫୁସୁ ହେଇ କହିଲେ, ଆରେ ସେଇ କାମ ମ ତୁମକୁ ଯୋଉ କହୁ ନଥିଲି ସେ ବାସନ୍ତୀ କଥା ସେଇ କାମ
ଦାସ ବାବୁ : ବାସନ୍ତୀ ! କୋଉ ବାସନ୍ତୀ ? ଦାସ ବାବୁଙ୍କ ଘରେ, ଆମ ଘରେ ଯୋଉ କାମ କରୁ ଥିଲା ବାସନ୍ତୀ, ସେଇ ବାସନ୍ତୀ କଥା !
ଦାସ ବାବୁ ଶୁଣିଲେ ଫୁସୁ ଫୁସୁ ହେଇ । ହେଲେ, କହିଲା ବେଳକୁ ଏଡେ ବଡ ପାଟିରେ କହିଲେ ଯେ ରଙ୍ଗ ଭାଉଜ ଦାନ୍ତ କାମୁଡି ପକେଇଲେ ଦାସ ବାବୁଙ୍କୁ ଏଡେବଡ ଆଖିରେ ଅନେଇ
ସୁର ସାରେ ଟିକିଏ ଶଙ୍କି ଗଲେ ବାସନ୍ତୀ ନା ଶୁଣି ।ବ୍ୟସ୍ତ ହେଇ ପଡିଲେ କିଛି ନଜାଣିବା ପରି ପଚାରିଲେ ,କଉ ବାସନ୍ତୀ କଥା ଭାଉଜ କାଇଁ ମୋତେ ତ କହିନ।
ରଙ୍ଗ ଭାଉଜ : ମୁଁ ଯାଏଁ ଲୋ ମା, ମୋର ତେଣେ କେତେ କାମ ତମ ସାଙ୍ଗରେ ଗପିଲେ ମୋର ଡେରି ହେଇ ଯିବ ।
ଏତକ କହିଦେଇ ପୂଜା ଢାଳ ତଳୁ ଉଠେଇ ତରତର ହେଇ ଘର ଭିତରକୁ ପଳେଇଲେ ରଙ୍ଗ ଭାଉଜ।
ଦାସ ବାବୁ : ତୁମ କଥା ପ୍ରଭୁ ଆହୁରି ତୁମ ତୁମକୁ ଜଣା ନାଁହି ଯେ ରଙ୍ଗକୁ ପଚାରୁଛ ?
ସୁର ବାବୁ ଜାଣି ପାରିଲେ କଥାଟା ଧୀରେ ଧୀରେ ତାଙ୍କ ଆଡକୁ ଯାଉଛି ତେଣୁ ସେ କଥାକୁ ସେଇଠି ବନ୍ଦ କରିଦେବା ଉଦ୍ଦେଶ୍ୟରେ କହିଲେ, ଛାଡ଼ ସେ କଥା କୁହନ୍ତୁ କଣ କରିବା ଏବେ । ନାଁ ଗାଁ ପକେଇ ବୋହୁଟା କୁଆଡେ ପଳେଇଛି । ସାଇ ପଡିଶା ଜାଣିଲେ କଣ କହିବେ କହିଲ ।
ଦାସ ବାବୁ : ତୁମେ କାଇଁ ଏତେ ଚିନ୍ତା କରୁଛ ଯେ ସେ ଯାଇଛି ଯେ ତୁମର ତ ଭଲ । ଯାଇଛି ତ ଯାଇଛି ତାକୁ ଆଉ ଖୋଜୁଛ କାଇଁ ?
ସୁର ସାର : କି କଥା କହୁଛନ୍ତି ଆପଣ । ବହୁଟା ମୋର । ପୁଅଟା ଯାଇ ବାହାରେ ରହୁଛି । ସେ ପଚାରିଲେ ତାକୁ କି ଉତ୍ତର ଦେବି ? ତା ଶଶୁର ଘର ଲୋକ ପଚାରିଲେ କି ଉତ୍ତର ଦେବି ?
ଦାସ ବାବୁ : ତେବେ କଣ କହୁଛନ୍ତି ? କଣ କରିବା ? ଆଛା ଆପଣ ତାକୁ ଫୋନ କରିଛନ୍ତି ?
ସୁର ସାର : ସେ କାମ କ’ଣ ଆଉ ବାକି ରଖିଛି ? କାଲି ରାତିରେ ଫୋନ କରିଥିଲି ବିଜି ଦେଖାଉଥିଲା । ଆଜି ସକାଳୁ ପୁଣି ଫୋନ କରିବାରୁ ସ୍ଵିଚ ଅଫ କହୁଛି ।
ଦାସ ବାବୁ : ଆଛା ପୁଅକୁ ପଚାରିଛନ୍ତି ? କାଳେ ସିଏ ଜାଣିଥିବ ସ୍ମିତା କୁଆଡେ ଯାଇଛି ।
ସୁର ସାର : ତାକୁ ପଚାରିବି ? ସେଇଟା ପୁରା ମାଈପ ବୋଲିଆ । କହୁ କହୁ ସବୁ ଦୋଷ ଆମ ଆଡେ ଠେଲି ଦବ । ସେଇ ପୁରୁଣା କଥାକୁ ଦୋହରେଇବ । “ତମେ କଣ କହିଥିବ ତାକୁ ସେଇଥି ପାଇଁ ସେ ପଳେଇ ଥିବ ରାଗିକି କୁଆଡେ । ନହେଲେ ସେ ଜମା ସେମିତିଆ ପିଲା ନୁହଁ। ସବୁବେଳେ ତା ସାଙ୍ଗରେ କଟର କଟର ହଉଚ” ଏମିତି କେତେ କ’ଣ କହିଯିବ । ଆମ କଥା ଜମା ସତ ମାନିବନି ହୋ। ମୁଁ କଣ ଜାଣିନି ମୋ ପୁଅକୁ ! ସେଇଥି ପାଇଁ ତାକୁ କହିଲେ ହିଁ କିଳା ।
ଦାସ ବାବୁ : ହଁ ଆଜିକାଲି ସବୁ ଗୁଡ଼ା ସେଇ ଭଳିଆ ହେଲେଣି । ଆମ ଟୋକା କଉ କମ କି ? ଏଇ କାଲି ଦେଖୁନା, ନୂଆ ବର୍ଷ ସେଲିବ୍ରେଟ କରିବେ ବୋଲି ତା ଶାଳୀ, ଶଡୁ ସାଙ୍ଗରେ କୁଆଡେ ଯାଇଥିଲା ଯେ ରଙ୍ଗ ବେରଙ୍ଗ ହେଇ ରାତି ତିନିଟାରେ ଘରେ ଆସି ପହଞ୍ଚିଲା । ଆସି ଦି ଜଣ ଯାକ ଶୋଇ ଛନ୍ତି ଯେ ଏଯାଏଁ ଉଠି ନାହାନ୍ତି ।
ସୁରସାର : ତୁମ ବୋହୁ କେତେ ଭଲ । ତୁମ ସେବା ଯତ୍ନ କରୁଛି ଘରେ ରହି ଆଉ ତା ବାପା ମା ଦେଲାବେଳେ ବି କଉଥିରେ ଊଣା କରି ନାହାନ୍ତି ।
ଦାସ ବାବୁ : ହଁ ସେବା ଦେଖୁନା କି ଉଠି ନାହାନ୍ତି ଏ ଯାଏଁ । ଆଉ ତୁମେ ଯେଉଁ ସୁନା ଅଣ୍ଡା ଦିଆ କୁକୁଡା ପାଇଛ , ସେକଥା କହୁନ ତ ।
ସୁର ସାର : ଏଇ ଯୋଉ କଥା ଗୁଡ଼ା କୁହନ୍ତି ଆପଣ ସେଇଥି ପାଇଁ ମୁଁ ଚିଡ଼େ ହୁଁ,କହିଲେ କ’ଣ ନା ସୁନା ଅଣ୍ଡା ଦିଆ କୁକୁଡା
ଦାସ ବାବୁଙ୍କ ଝିଅ ଡଲି ବାହାରି ଆସିଲା ଘର ଭିତରୁ ବୋଉ ପାଖରୁ ସ୍ମିତା କଥା ଶୁଣି ।
ଡଲି : କଣ ହେଲା ସୁର ମଉସା, ସ୍ମିତା ଭାଉଜ କାଲି ରାତିରୁ ଘରକୁ ଆସି ନାହାନ୍ତି ?
ଦାସ ବାବୁ : କଣ ତତେ ପୁଣି ମୂଳରୁ କହିବାକୁ ପଡିବ କାହାଣୀ ତକ ?
ଡଲି : କିଛି କହିବା ଦରକାର ନାଇଁ ମୁଁ ସବୁ ଶୁଣି ସାରିଛି ବୋଉ ପାଖରୁ ।ଆମ ସାହି ଲାଉଡ ସ୍ପିକର କାନରେ କଥା ଯେବେଳେ ପଡ଼ି ସାରିଛି, ମୁଁ ଘର ଲୋକଟା ଜାଣିବିନି କେମିତି
ସୁର ସାର : କି ଝିଅଟା କିଲୋ ତୁ ! ବୋଉକୁ କଣ ସେମିତି କହୁଛୁ ?
ଡଲି : କି କଥା ଯୋଉଟା ସତ ସେଇଟା ସତ । ମୁଁ ନକହିଲେ କଣ ମିଛ ହେଇଯିବ ? ବୋଉ ବୋଲି କଣ ହେଲା ସେଇଠୁ । ହଉ ସେକଥା ଛାଡ଼ ମଉସା , ସ୍ମିତା ଭାଉଜ କୁଆଡେ ଗଲେ ନଖୋଜି ଦିଜଣ ବସିକି ଏଇଠି ଗପୁଚ ?
ଦାସ ବାବୁ : ଆମେ ସେଇ କଥା ହଉ ଥିଲୁ, ତୁ ଆସିକି କଣ ନୂଆ କଥାଟା କହିଲୁ କି ?
ଡଲି : ଯାଉନ ଥାନାରେ ଖବର ଦବ । ଏଇଠି ଏମିତି ଚୁପ ଚାପ ବସିଲେ କ’ଣ୍ ହବ ଯେ ?
ସୁର ସାର : ହେଁ ଥାନା ! ଥାନାରେ ଖବର କଲେ ଘରକୁ ପୋଲିସ ଆସିବ , ସାଇ ପଡିସା ଜାଣିବେ ନା ନା ଘରର ଇଜ୍ଜତ ମହତ ରହିବଟି ?
ଡଲି : ଆଉ କଣ କରିବ ଯେ ? କ’ଣ ଏମିତି ହାତରେ ହାତ ପକେଇ ବସିବ ? ଆଜି କାଲି ଯଉ କଥା, କ’ଣ ନାଇଁ କ’ଣ ହବ ସେକଥା କିଏ କହିବ ?
ସୁର ସାର, ଦାସ ବାବୁ, ଆଉ ଦି ଚାରି ଜଣ ବୟସ୍କ ଲୋକ ଯାଇ ପହଞ୍ଚିଲେ ଥାନାରେ । କମ୍ପ୍ଲେନ ଲେଖେଇଲେ । ଥାନା ବାଲା କିନ୍ତୁ ସନ୍ଧ୍ୟା ଯାଏଁ ଅପେକ୍ଷା କରିବାକୁ କହିଲେ । ସ୍ମିତା ଯଦି ସନ୍ଧ୍ୟା ଭିତରେ ନଆସେ , ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି କହିଲେ ।
ଥାନାରୁ ବାହାରୁ ବାହାରୁ ସୁର ସାର ଙ୍କର ଫୋନ ଆସିଲା । ପକେଟରୁ ଫୋନ ବାହାର କରି
-ହାଲ୍ଲୋ ହଁ ବାପା କୁହ କ’ଣ ବୁଝିଲ ସେକଥା ?
ସୁର ସାରଙ୍କୁ ଶୁଭେ ଟିକିଏ କମ ତେଣୁ ଫୋନ ର ଲାଉଡ ସ୍ପିକର ଅନ କରିଦେଲେ । ହେଲେ ସମସ୍ତେ ଶୁଣି ପାରୁଥିଲେ ସୁର ସାରଙ୍କ ଜୋଇଁ ଆରପଟୁ ଯାହା କହୁ ଥିଲେ ।
ଜୋଇଁ : ହଁ ବାପାବୁଝିଛି । ସେ ପଇସା ଉଠେଇ ହବ, ହେଲେ ନୋମିନୀରେ ଯିଏ ଥିବ, କେବଳ ସିଏ ହିଁ ଉଠେଇ ପାରିବ ସେ ପଇସା ।
ସୁରସାର : ଆଛା , ତୁମକୁ ଯେଉଁ ଏଲ.ଆଇ.ସି ଆକାଉଣ୍ଟ ନମ୍ବର ଦେଇ ଥିଲି ସେଥିରେ କିଏ ନୋମିନୀ ଅଛି ଜାଣି ପାରିଲ କି ?
ଜୋଇଁ : ହଁ ବାପା ସ୍ମିତା ଭାଉଜ ଙ୍କ ଏଲ.ଆଇ.ସି ଆକାଉଣ୍ଟରେ ତାଙ୍କ ସାନ ନଣନ୍ଦ “ ପ୍ରେରଣା ସ୍ଵାଇଁ ” ନାଁ ଅଛି ।
ସୁର ସାର : ହଉ ରକ୍ଷା ଆଉ ପିଏଫ କଥା ବୁଝି ଥିଲ ?
ଜୋଇଁ : ବାପା ସକାଳୁ ସକାଳୁ ତ ବୁଝିବାକୁ କହିଲେ ମୋତେ , ଏତେ କଥା କେମିତି ବୁଝିବି ଏକାଥରେ ?
ସେଠି ଉପସ୍ଥିତ ଥିବା ସମସ୍ତେ ଚାହିଁଥିଲେ ସୁର ସାରଙ୍କ ମୁହଁକୁ । ଯେତେବେଳେ ସୁର ସାରଙ୍କର ନଜର ପଡିଗଲା, ସିଏ ଫୋନର ଲାଉଡ ସ୍ପିକର ବନ୍ଦ କରି ଦେଇ ଶୁଭୁ ନଶୁଭୁ , ହଉ ହଉ ପରେ ସମୟ ହେଲେ ବୁଝିକି କହିବ କହି ଫୋନ କାଟି ପକେଟରେ ରଖିଦେଲେ । ମୁହଁରେ ମିଛ ହସ ଟିଏ ଦେଇ କହିଲେ, ବୋହୁ କହିଥିଲା ତ ବୁଝିବା ପାଇଁ ସେଇ ବିଷୟରେ କଥା ହଉ ଥିଲି ।
ବିଶ୍ଵାଳ ବାବୁ : ହଁ ହେ ଆମେ ସମ୍ମାନେ ଜାଣି ପାଇଲୁ ଏକ୍କା । ସୁନା ଅଣ୍ଡା ଦିଆ ମାଈ ପିଲାଟା ଚାଲି ଗଲାତ , ଦୁଃଖ ତ ହବ ।
ସମସ୍ତେ ହସି ପକେଇଲେ ବିଶ୍ଵାଳ ବାବୁଙ୍କ କଥା ଶୁଣି ।
ଦାସ ବାବୁ : ହଉ ହଉ ଚାଲ ଚାଲ ଭୋକ ଲାଗିଲାଣି । ଘରକୁ ଯିବା । ବର୍ଷ ଆରମ୍ଭରୁ ମଣିଷ ଥାନା କଚେରୀ ଦେଖିଲାଣି । ବର୍ଷଟା ପଡିଛି । କଣ ହବ କେଜାଣି ।
ସମସ୍ତେ ନିଜ ନିଜ ଘରକୁ ପଳେଇ ଆସିଲେ ଥାନାରୁ କାମ ସାରି ।
ସନ୍ଧ୍ୟା ହେଲା ହେଲେ ସ୍ମିତା ଫେରିଲାନି । ସାଇ ପଡିସା ସମସ୍ତେ ଆସି ଘରେ । ହେଲେ ସୁର ସାର, ସମୁଦି ଘରକୁ କି ପୁଅ କୁ କିଛି ଖବର କରି ନଥିଲେ । କିନ୍ତୁ ହିସାବ କରିବାରେ ବ୍ୟସ୍ତ । ବୋହୁର କେତେ ପି.ଏଫ କେତେ ଏଲ.ଆଇ.ସି । ବ୍ୟାଙ୍କ ଅକାଉଣ୍ଟ ଖାତା ତକ ଖେଳେଇ ଦେଖୁ ଥାନ୍ତି କଉଠି କେତେ ରଖିଛି ।
ଥାନାରୁ ଫୋନ ଆସିଲା । ଥାନା ବାଲା ବୋହୁ ଫେରିଲା କି ବୋଲି ପଚାରି ବୁଝିଲେ । ସୁର ସାର ମନା କରିବାରୁ ଥାନା ବାଲା ଘରେ ଆସି ପହଞ୍ଚିଲେ । ଘରର ସମସ୍ତ ମେମ୍ବରଙ୍କୁ ପଚରା ଉଚୁରା ଆରମ୍ଭ କଲେ ।
ସୁର ସାରଙ୍କ ପାଳି ପଡିବାରୁ ସୁର ସାର କହିଲେ , ଦେଖନ୍ତୁ ମୋ ବୋହୁ ବହୁ ଦିନରୁ କାହା ସାଙ୍ଗରେ କଥା ହଉଛି । ତେଣୁ ମୁଁ ସନ୍ଦେହ କରୁଛି , ସେ ସେଇ ଲୋକ ସାଙ୍ଗରେ ପଳେଇଛି ।
ପୋଲିସ : କି ପ୍ରମାଣ ଅଛି ଆପଣଙ୍କ ପାଖରେ ଯେ ସେ କାହାକୁ ଭଲ ପାଇ ଚାଲି ଯାଇଛନ୍ତି ବୋଲି ?
ସୁର ସାର : ନା ସେମିତି ପ୍ରମାଣ ତ ନାହିଁ, ହେଲେ ମୁଁ ସନ୍ଦେହ କରୁଛି ।
ପୋଲିସ : ସନ୍ଦେହ କରିବା ତୁମ କାମ ନୁହେଁ । ସେଇଟା ଆମ କାମ । ହଉ ହଉ , ବୋହୁର ଫୋନ ନମ୍ବର ଟା ଦିଅନ୍ତୁ । ସେ ନମ୍ବରକୁ ଟ୍ରାକ୍ କଲେ ଜଣା ପଡିଯିବ ଯେ ସେ କାହା ସହିତ ଆପଣଙ୍କ କହିବା ଅନୁସାରେ ଘଣ୍ଟା-ଘଣ୍ଟା କଥା ହେଉଛନ୍ତି ।
ସୁର ସାର ବୋହୁ ନମ୍ବରଟା ପୋଲିସ୍ କୁ ଦେଲେ । ପୋଲିସ୍ ସେ ନମ୍ବରକୁ ନେଇ ତାଙ୍କ ଆଇ.ଟି ଡିପାର୍ଟମେଣ୍ଟକୁ ଦେଇ କିଛି ସମୟ ଅପେକ୍ଷା କଲେ ସୁର ସାରଙ୍କ ଘରେ । ସୁର ସାରେ ନ ଚାହିଁ ବି ଭାରି କଷ୍ଟରେ ଚା' ଜଳଖିଆର ବ୍ୟବସ୍ଥା କଲେ ।
କିଛି ସମୟ ପରେ ଖବର ଆସିଲା । କେତେଟା ନମ୍ବରକୁ ମଧ୍ୟ ସନ୍ଦେହ ଘେରକୁ ନିଆ ଗଲା । ସବୁତକ ସୁର ସାରଙ୍କୁ ଦେଖା ହେଲା । ତା' ଭିତରୁ ଗୋଟିଏ ସୁର ସାରଙ୍କ ଘର ନମ୍ବର, ଆଉ ଗୋଟେ ସ୍ମିତା ଘର ନମ୍ବର । କିନ୍ତୁ ଆଉ ଗୋଟେ କାହା ନମ୍ବର ସୁର ସାର ଜାଣି ପାରିଲେ ନାହିଁ । ସେଇ ନମ୍ବରଟିକୁ ଆଧାର କରି ପୋଲିସ ଯାଞ୍ଚ ଆରମ୍ଭ କଲା ।
ପୋଲିସ ଚାଲି ଗଲା ପରେ ସୁର ସାର ପୁଣି ହିସାବ କରିବାକୁ ବସି ପଡିଲେ ବୋହୁ ର ସଞ୍ଚିତ ଅର୍ଥର ପରିମାଣକୁ ।
ୟା ଭିତରେ ପ୍ରେରଣା ଆସି କହିଲା , ବାପା ତୁମେ କାଇଁ ଏମିତି ଘାଣ୍ଟି ହେଉଛ କହିଲ ? ଭାଉଜ କାଲିଠୁ କୁଆଡେ ଯାଇଛନ୍ତି ଯେ ତାଙ୍କର କୌଣସି ଖୋଜ ଖବର ନାହିଁ । ସେକଥା ନବୁଝି ତୁମେ ଏଠି ବସି
ସୁର ସାର : ଏଁ ମୁଁ କଣ ବୁଝୁନି କି ? ଥାନାରେ ଏତେଲା ଦେଇଛି। ଆଉ କଣ କରିବି କହୁନୁ ?
ପ୍ରେରଣା : ଭାଇ କି ତ ଏଯାଏଁ ଖବର କରିନ ,ଭାଉଜଙ୍କ ଘର ଲୋକଙ୍କୁ ବି ଏଯାଏଁ ଖବର କରିନ । ପୋଲିସ୍ କେସ ହେଲାଣି ହେଲେ ସେମାନେ ଏଯାଏଁ ଜାଣି ନାହାନ୍ତି । ସେମାନେ ଯେତେବେଳେ ଜାଣିବେ କଣ ହବ କହିଲ ?
ସୁର ସାର : ଜାଣିଲେ କ’ଣ ହବ ? ମୁଁ କ’ଣ କୁଆଡେ ତାକୁ ବିକି ଦେଇଛି ନା କଣ ସେମାନଙ୍କୁ ଡରିବି ? ସିଏ ତା ଇଚ୍ଛା ରେ କୁଆଡେ ପଳେଇଛି । ମୁଁ କଣ କରିବି ସେଥିରେ ?
ପ୍ରେରଣା : ପଳେଇଛନ୍ତି ବୋଲି ତୁମେ କେମିତି ଜାଣିଲ ? ଅପହରଣ ବି ହେଇ ଥାଇ ପାରେ ।
ସୁର ସାର : ସେ ଯାହା ହେଇ ଥାଉ ତୁ ଭିତରକୁ ଯା । ମୋ ହିସାବ ସବୁ ଗୋଳମାଳ ହେଇ ଯାଉଛି ।
ସକାଳ ହେଲା ପୋଲିସ ଜାଣି ପାରିଲା ସେ ନମ୍ବର ଟି ସୌମେନ୍ଦ୍ର ସ୍ଵାଇଁ ଙ୍କ ନା ରେ ଅଛି । ସମସ୍ତ୍ ତଥ୍ୟ ଧରି ପୋଲିସ ଆସି ପୁଣି ପହଞ୍ଚିଲା ସୁର ସାର ଙ୍କ ଘରେ । ପୋଲିସ ସୁର ସାର ଙ୍କୁ ପଚାରିଲା ସୌମେନ୍ଦ୍ର ସ୍ଵାଇଁ କିଏ ?
ସୌମେନ୍ଦ୍ର : ମୁଁ ମୁଁ ସୌମେନ୍ଦ୍ର ସ୍ଵାଇଁ । କୁହନ୍ତୁ କ’ଣ ହେଇଛି ।
ସୁର ସାର : ଆରେ ସୋମୁ, ତୁ କେତେବେଳେ ଆସିଲୁ ? ଆସିବୁ ବୋଲି କାଇଁ ଖବର କରି ନଥିଲୁ ତ !
ପୋଲିସ ଆସି ପହଞ୍ଚିବା ସମୟରେ ସୌମେନ୍ଦ୍ର ଯିଏ କି ସୁର ସାର ଙ୍କର ପୁଅ ଆସି ପହଞ୍ଚିଲେ । ପଛେ ପଛେ କାର ଡୋର ଖୋଲି ବାହାରି ଆସିଲା ସ୍ମିତା, ହାତରେ ପୁଳାଏ ବ୍ୟାଗ ଧରି । ଆସିଲା ବେଳେ ଡ୍ରାଇଭରକୁ ଗାଡି ଡିକିରୁ ବାକି ତକ ଜିନିଷ ବାହାର କରି ଆଣିବା ପାଇଁ କହି ଆସିଲା । ଘରେ ପୋଲିସକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଆଉ କଣ ହେଇଛି ଭାବି ଡରି ମଧ୍ୟ ଗଲେ । ହେଲେ ନଣନ୍ଦ ପ୍ରେରଣା, ଭାଉଜ କହି ଧାଇଁ ଗଲା ସ୍ମିତା ପାଖକୁ । କୁଣ୍ଢେଇ ଧରିଲା ଭାଉଜଙ୍କୁ ।
ପୋଲିସ ଆସିବା ଖବର ପାଇ ସେତେବେଳକୁ ଦାସ ବାବୁ ଏବଂ ତାଙ୍କ ସ୍ତ୍ରୀ ରଙ୍ଗ ଭାଉଜ ମଧ୍ୟ ପହଞ୍ଚି ଯାଇ ଥିଲେ ସୁର ସାରଙ୍କ ଘରେ ।
ପୋଲିସ :ଆପଣ ସୌମେନ୍ଦ୍ର ସ୍ଵାଇଁ ? ତେବେ ଏଇ 9938 ନମ୍ବର ଟି ଆପଣଙ୍କ ନା ରେ ଅଛି ?
ସୌମେନ୍ଦ୍ର : ହଁ ଏଇଟା ମୋ ନମ୍ବର ସେଇଥି ପାଇଁ ମୋ ନା ରେ ଅଛି।କାଇଁ କିଛି ଅସୁବିଧା ହେଇଛି କି ?
ପୋଲିସ୍ : ହେଲେ ଆଶ୍ଚର୍ଯ୍ୟର ବିଷୟ, ଆପଣଙ୍କ ବାପା କହିଲେ ଯେ ସେ ଏ ନମ୍ବର ଜାଣି ନାହାନ୍ତି ବୋଲି।
ସୌମେନ୍ଦ୍ର : ହଁ ଏଇ ନମ୍ବର ଟା ମୁଁ ନୂଆ ନେଇଛି। ଘରକୁ କେବେ ଏ ନମ୍ବରରୁ ଫୋନ୍ କରିନି ତ, ସେଇଥି ପାଇଁ ଜାଣି ନାହାନ୍ତି କେହି ଏ ନମ୍ବର।
ପୋଲିସ : ok ରିପୋର୍ଟ ହିସାବରେ ଆପଣ ଙ୍କ ସ୍ତ୍ରୀ ହେଉଛନ୍ତି ସ୍ମିତା ରାଣୀ ସ୍ଵାଇଁ । am i right ?
ସୌମେନ୍ଦ୍ର : ହଁ ସାର ହେଲେ କଣ ହେଇଛି କହୁ ନାହାନ୍ତି
ପୋଲିସ :ଆଛା ଆପଣଙ୍କ ସ୍ତ୍ରୀ ଦୁଇ ଦିନ ହେବ ନିଖୋଜ ଅଛନ୍ତି । ଆପଣ ପୁଣି ପଚାରୁଛନ୍ତି କଣ ହେଇଛି?
ସୌମେନ୍ଦ୍ର : ନିଖୋଜ ଅଛନ୍ତି ! କାଇଁ ନାଇଁ ତ । ହେଇ ସ୍ମିତା ତ ମୋ ସାଙ୍ଗରେ ଅଛି ଆଉ ସେଇଠି ଠିଆ ହେଇଛି । ଦେଖୁ ନାହାନ୍ତି
ପୋଲିସ ଟିକିଏ ବିରକ୍ତ ହେଲେ ସୁର ସାରଙ୍କ ଉପରେ। ହେଲେ ସ୍ମିତା ଯିଏ କି ନିର୍ଦ୍ଧୋଷୀ ଆସାମୀ ,ସେ ଜାଗାରେ ସେ ଉପସ୍ଥିତ ଥିବା ଦେଖି କିଛି କହିଲେନି ସେ ଜାଗାରେ ଆଉ ।
ପୋଲିସ : ହଉ ସୌମେନ୍ଦ୍ର ବାବୁ, ଆପଣ ଟିକିଏ ଏପଟକୁ ଆସନ୍ତୁ ଆପଣଙ୍କ ସାଙ୍ଗରେ ଟିକିଏ କଥା ଅଛି ।
ସୌମେନ୍ଦ୍ର : କହୁ ନାହାନ୍ତି ଏଇଠି ଯାହା କହିବା କଥା । ସମସ୍ତେ ଶୁଣିଲେ କିଛି ଅସୁବିଧା ନାହିଁ ।
ରଙ୍ଗ ଭାଉଜ : ଯାଉନୁ ଯା ସେମିତିଆ କିଛି କଥା ଥିବ, କଣ କହିବେ କାଳେ ଯା , ଶୁଣି ଦେଇ ଆ ।
ପୋଲିସ ଆଉ ସୌମେନ୍ଦ୍ର ବାବୁ ଟିକିଏ ଦୂରକୁ ଯାଇ କଥା ହେଲେ ।
ସୁର ସାରେ ତାଙ୍କ ବୋହୁକୁ ଦେଖି ଦେଇ ମୁହଁ ସୁଖେଇ ଦେଲେ । ମୁହଁଟାକୁ ଏମିତି କଲେ ଯେ ଦେଖିଲେ ଜଣା ପଡୁଥିଲା ତାଙ୍କ ଉପରେ ଯେମିତି କୌଣସି ଦୁଃଖର ଛାୟା ଘୋଡେଇ ହେଇ ଯାଇଛି । ହେଲେ ପ୍ରେରଣାର ଖୁସି କହିଲେ ନସରେ ରଙ୍ଗ ଭାଉଜ ଯାଇ ଗେଲ କରି ପକାଉଥିଲେ ସ୍ମିତାକୁ । ହେଲେ ସ୍ମିତା ବୁଝି ପାରୁ ନଥିଲା ଏତେ ଚର୍ଚାର କାରଣ ଆଉ ଏ ପୋଲିସ ଆସିବାର କାରଣ ।
ସୁର ସାରଙ୍କର ମନେ ପଡିଗଲା ସେ ସ୍ମିତାର ସବୁ ଡକ୍ୟୁମେଣ୍ଟ ଖେଳେଇ ପକେଇ ଛନ୍ତି ଖଟ ଉପରେ । କାହକୁ କିଛି ନକହି ସ୍ତ୍ରୀକୁ ଠାର ମାରି ଦେଇ ଚାଲି ଗଲେ ଦିଜଣ ଘର ଭିତରକୁ । ଯାଇ ଦି ଜଣ ଯାକ ଆଣ୍ଠେଇ ପେଟେଇ ଯେମିତି ପାରିଲେ ସେମିତି ଡକ୍ୟୁମେଣ୍ଟ ତକ ଫାଇଲରେ ପୁରେଇ ଗଡ୍ରେଜରେ ପୁରେଇ ଦେଲେ ।
କିଛି ସମୟ କଥା ହେବା ପରେ ପୋଲିସ ତା ବାଟରେ ଚାଲି ଗଲା ଆଉ ସୌମେନ୍ଦ୍ର ବାବୁ ଫେରି ଆସିଲେ ଘରକୁ । ସ୍ମିତାକୁ କେହି କିଛି ନକହି ଚୁପ ଚାପ ସମସ୍ତେ କିଛି ନହେଲା ପରି ଘର ଭିତରକୁ ଚାଲି ଗଲେ । ସ୍ମିତା ବି ତାଙ୍କ ସାଙ୍ଗରେ ।
ସ୍ମିତାକୁ କେହି ପଚାରିଲେନି ବି ଯେ ସ୍ମିତା, ତୁ ଦିଦିନ ହେଲା କିଛି ନକହି କୁଆଡେ ଯାଇ ଥିଲୁ , ପୁଣି କେମିତି ସୌମ୍ୟ ସାଙ୍ଗରେ ଆସିଲୁ । ସୁର ସାରେ ତ ଏମିତି ବ୍ୟବହାର କରୁଥିଲେ, ଯେମିତି କିଛି ହେଇନି ।
କିଛି ସମୟ ପରେ ଟିକିଏ ରାତି ହେବାରୁ ଦାସ ବାବୁଙ୍କ ଝିଅ ଡଲିର ଫୋନ ଆସିଲା ସ୍ମିତା ପାଖକୁ ।
ଡଲି : ଭାଉଜ ଯାହା କହୁଛି ଶୁଣ ।
ସୁର ମଉସାନା, କାଲି ଠାରୁ ତେଣୁ ତୁମେ ଟିକିଏ ସତର୍କ ରହିବ ।
ଡଲି ଠାରୁ ସବୁ କଥା ଶୁଣି ସାରିବା ପରେ ସ୍ମିତା ହସିବ କି କାନ୍ଦିବ କିଛି ବୁଝି ପାରିଲାନି । ହେଲେ ସବୁ ଜାଣି ନୀରବ ରହିବା ଉଚିତ ହେବ ବୋଲି ଚିନ୍ତା କଲା ।
ରାତିରେ ଶୋଇଲା ବେଳେ ସ୍ମିତା ପଚାରିଲା ସମେନ୍ଦ୍ରକୁ , ଆଛା ତୁମେ ତ କହିଲ ,ତୁ ଇଆଡେ ଇଆଡେ ଅଫିସରୁ ପଳେଇଆ ଏୟାର ପୋର୍ଟ । ମୁଁ ଅନ ଲାଇନ ଟିକେଟ କରି ଦେଇଛି ଡେରି ହେଇ ଯିବ ଘରକୁ ଯାଇ ଆସିଲେ । ତୁମ କଥା ମାନି ମୁଁ ଘରକୁ ନଯାଇ ପଳେଇଲି ତୁମ ପାଖକୁ । ସେଠି ପହଞ୍ଚିଲା ବେଳକୁ ବାଙ୍ଗାଲୋରରେ ବି ତୁମକୁ ପଚାରିଲି ଘରେ କହିଛ ? ତୁମେ ହଁ କହିଲ । ଆଉ ଏବେ ଏସବୁ କି କଥା ?
ସୌମେନ୍ଦ୍ର : ହସି ହସି କହିଲେ ତୁମେ ଜାଣି ଗଲ ତେବେ ସବୁ । ଆଛା କିଏ ସିଏ ବିଭୀଷଣ ?
ସ୍ମିତା : କାଇଁ କହିବି ? ତୁମେ ଯେମିତି ମୋତେ କିଛି କହିନ ସେମିତି ମୁଁ ତୁମକୁ କାଇଁ କହିବି ମୋ ଗୁପ୍ତଚର କଥା ।
ସୌମେନ୍ଦ୍ର : କିଏ ଆଉ କହିବ , ତୁମରି ନଣନ୍ଦ ସେଇ ପ୍ରେରଣା ଚଣ୍ଡୀ କହି ଥିବ ।
ସ୍ମିତା : ନା ସିଏ ଯିଏ ହଉ , ହେଲେ ତୁମେ କାଇଁ ମୋତେ ମିଛ କହିଲ ଆଗ କହିଲ ଆଉ ମୁଁ ଯିବା କଥା ଘରେ ମଧ୍ୟ ଜଣେଇଲନି କାହିଁକି ?
ସୌମେନ୍ଦ୍ର : ଆରେ ଆମ ଘର କଥା କଣ ମୁଁ ଜାଣିନି ? କହି ଥିଲେ ତୁମେ କଣ ଯାଇ ପାରି ଥାନ୍ତ? ନା ଆମେ କନ୍ୟାକୁମାରୀରେ ନିଉ ଇୟର ସେଲିବ୍ରେଟ କରି ପାରିଥାନ୍ତେ ?
ସ୍ମିତା : ତା’ ବୋଲି ମୋତେ ସମସ୍ତେ କେତେ ଖରାପ ଭାବୁ ଥିବେ କହିଲ ?
ସୌମେନ୍ଦ୍ର : ଖରାପ କିଏ ଭାବିବ ? କେହି କିଛି କହିବେନି । ଓଲଟି ତୁମେ କାଳେ ଖରାପ୍ ଭାବିବ ବୋଲି ସମସ୍ତେ ନୀରବ ଅଛନ୍ତି । ତୁମେ ବିଶେଷ କିଛି ଚିନ୍ତା ନକରି ଶୋଇ ପଡ଼ ।
ରାତି ଯାଇ ସକାଳ ହେଲା । ସୋଫାରେ ବସି ପ୍ରେରଣା, ସ୍ମିତା ମୋବାଇଲରେ ଭାଇ ଭାଉଜଙ୍କ ନିଉୟର ସେଲିବ୍ରେସନ ଫୋଟୋ ଦେଖୁ ଥାଏ । ସୁର ସାରେ ପେପର ପଢୁ ଥାନ୍ତି ଡାଇନିଙ୍ଗ ଟେବୁଲରେ ବସି। ଅପେକ୍ଷା କରିଥାନ୍ତି ସକାଳ ଚାକୁ ଆଉ ସୁର ସାରଙ୍କ ସ୍ତ୍ରୀ ଡାଇନିଙ୍ଗ ଟେବଲର ଆରପଟ ଚେୟାରରେ ଠିକ ସୁର ସାରଙ୍କ ସାମ୍ନାରେ ବସି ସଜନା ଶାଗ ବାଛୁଥାନ୍ତି ।
ଦି କପ ଚା ନେଇ ସ୍ମିତା ଆସି ପହଞ୍ଚିଲା ।
ସ୍ମିତା : ବୋଉ ଚା ଏଇଠି ରହିଲା, ପି ନିଅ ଶାଗ ବାଛୁଥିବ, ମନେ ରହିବନି ଚା ଥଣ୍ଡା ହେଇ ଯିବ
-ବାପା ଚା ନିଅନ୍ତୁ
ସୁର ସାର : ହଁ ଥୋ ଏଇଠି ।
ସ୍ମିତା : ବାପା, ମୋ ଆଲମାରିରେ କିଏ ଲାଗିଥିଲା କି ?
ସୁର ସାର : କାଇଁ ନାଇଁ ତ କ’ଣ ହେଲାକି ?
କହୁ କହୁ ଟିକିଏ ଅସହଜ ହେଇ ପଡିଲେ ସୁର ସାରେ । ହେଲେ କିଛି ନହେଲା ପରି ଅଭିନୟ କରିବାକୁ ଚେଷ୍ଟା କଲେ ଯଥା ସମ୍ଭବ । ଚା କପଟା ନେଇ ପାଟିରେ ଲଗେଇ ନିଜକୁ ସହଜ କରିବାକୁ ଚେଷ୍ଟା କରୁଥିଲେ ।
ସ୍ମିତା : ନାଇଁ କିଛି ନାଇଁ ଯେ, ମୋ ଆଲମାରିରେ ମୋର ଗୋଟେ ବ୍ୟାଙ୍କ୍ ଆକାଉଣ୍ଟ ର ବହି ପାଉନି । ବହୁ ଖୋଜିଲିଣି , ପାଉନି । ସେ ଅକାଉଣ୍ଟରେ ପଚିଶ ଲକ୍ଷ ଟଙ୍କା ଥିଲା ସେଇଥି ପାଇଁ ଟିକେ ବ୍ୟସ୍ତ ଲାଗୁଛି ।
ପଚିଶ ଲକ୍ଷ କଥା ଶୁଣି, ସୁର ସାରଙ୍କ ପାଟିରୁ ଚା ପିଚକାରୀ ମାରି ଯାଇ ସୁର ସାରଙ୍କ ସ୍ତ୍ରୀଙ୍କ ଉପରେ ପଡିଲା ।
ଏକଥା ଦେଖି ପ୍ରେରଣା ହସିହସି ବେଦମ ।
ସ୍ତ୍ରୀ ଙ୍କ ରଣହୁଙ୍କାରରେ ସୁର ସାରେ ଖୋଜୁ ଥିଲେ ଗଳି ଯିବାର ବାଟ ।
( କାହାଣୀ କିପରି ଲାଗିଲା ଆପଣଙ୍କ ମତାମତ ନିଶ୍ଚୟ ଦେବେ )
Pabitra Mohan Das, 8144447080