ଅନଙ୍ଗ ତ୍ରୟୋଦଶୀ ରେ ଶ୍ରୀମନ୍ଦିର ରେ ଦୟଣାଚୋରି ନୀତି
ଚୈତ୍ର ଶୁକ୍ଳ ତ୍ରୟୋଦଶୀ ‘ଅନଙ୍ଗ ତ୍ରୟୋଦଶୀ’ ରୂପେ ଶ୍ରୀମନ୍ଦିରରେ ପାଳିତ ହୁଏ। ଏହାର ଅନ୍ୟନାମ ‘କାମ ତ୍ରୟୋଦଶୀ’। କାମଦେବଙ୍କର ଅନ୍ୟ ନାମ ‘ଅନଙ୍ଗ’। ସେ ପ୍ରେମର ଓ କାମନାର ଦେବତା ‘ଅନଙ୍ଗ’ ଶବ୍ଦର ଅର୍ଥ- ଯାହାଙ୍କର ଅଙ୍ଗ ବା ଶରୀର ନାହିଁ। କାମଦେବ କିପରି ଅନଙ୍ଗ ହେଲେ, ସେ ସଂପର୍କରେ ରହିଛି ରୋଚକ ପୌରାଣିକ ଉପାଖ୍ୟାନ।
ତାହା ଅନୁସାରେ, ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ସତୀ ଆତ୍ମାହୁତି ଦେବା ପରେ, ଶିବ ଗଭୀର ତପସ୍ୟାରେ ପ୍ରବୃତ୍ତ ହେଲେ। ସେତେବେଳେ ତାରକାସୁର ଅନେକ ଉତ୍ପାତ କଲା। ତାକୁ ନିହତ କରିବାପାଇଁ ଶିବଙ୍କର ଏକ ପୁତ୍ର ସନ୍ତାନ ହେବାର ବହୁତ ପ୍ରୟୋଜନ ଥିଲା। ତେଣୁ ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବତାମାନଙ୍କର ନିର୍ଦ୍ଦେଶରେ କାମଦେବ ଫୁଲଶର ମାରି ଶିବଙ୍କର ତପସ୍ୟା ଭଙ୍ଗ କଲେ। ତାହା ଫଳରେ ଶିବ କ୍ରୁଦ୍ଧ ହେବାରୁ ତାଙ୍କର ତୃତୀୟ ନୟନର ଅଗ୍ନିରେ କାମଦେବ ପୋଡ଼ି ପାଉଁଶ ହୋଇଗଲେ। ସେହି ଘଟଣାରେ କାମଦେବଙ୍କ ପତ୍ନୀ ରତି ରୋଦନ କରି, ତାଙ୍କୁ ଫେରାଇ ଦେବାପାଇଁ ପ୍ରାର୍ଥନା କରିବାରୁ, ଶିବ କହିଲେ- ସେ ଆଉ ନିଜର ଶରୀର ଫେରି ପାଇବେ ନାହିଁ। କିନ୍ତୁ ଶରୀର ନଥିଲେ ମଧ୍ୟ, ମନୁଷ୍ୟ ଓ ଅନ୍ୟ ପ୍ରାଣୀଙ୍କ ଉପରେ ତାଙ୍କର ଆଧିପତ୍ୟ ରହିବ। ତେଣୁ କାମଦେବ ଶରୀରୀ ନହେଲେ ବି ପ୍ରାଣୀଙ୍କ ମନରେ କାମନା ବାସନା ଜାଗ୍ରତ କରାଇବାରେ ସମର୍ଥ। ତେଣୁ ମନର ମନ୍ଥନକାରୀ ଭାବରେ ତାଙ୍କର ଗୋଟିଏ ନାମ ମନ୍ମଥ।ବସନ୍ତ ହେଉଛି ‘କୁସୁମାକର’ ବା ଫୁଲର ଋତୁ। ଏ ଋତୁର ପାଞ୍ଚଟି ଫୁଲ କାମଦେବଙ୍କ ଫୁଲଧନୁର ପାଞ୍ଚଟି ଶର। ସେହି ପଞ୍ଚଶର ହେଉଛନ୍ତି- ଅଶୋକ, ଅରବିନ୍ଦ, ଚୂତ, ନବମଲ୍ଲିକା ଓ ନୀଳୋତ୍ପଳ। ଏ ଫୁଲଗୁଡ଼ିକ କାମଦେବଙ୍କର ପଞ୍ଚବାଣ ରୂପେ ମନରେ ସମ୍ମୋହନ, ଉନ୍ମାଦନ, ଶୋଷଣ, ତାପନ ଓ ସ୍ତମ୍ଭନ ଜାତ କରିଥାଆନ୍ତି
ଶ୍ରୀମନ୍ଦିରର ‘ଦୟଣାଚୋରି’ ନୀତି ସହିତ କାମଦେବ ବା କନ୍ଦର୍ପ ସଂପୃକ୍ତ। ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ଏହି ନୀତି ଅନୁଷ୍ଠିତ ହୁଏ। ଏଥିପାଇଁ ଦ୍ୱାଦଶୀ ଦିନ ‘କନ୍ଦର୍ପ ପଟି’ (କାମଦେବଙ୍କ ଚିତ୍ରପଟ)ଙ୍କର ଅଧିବାସ ହୁଏ।‘ଦୟଣା ଚୋରି’ ଯାତ୍ରା ପ୍ରକୃତରେ ‘ଦମନକ ଭଞ୍ଜିକା’ ଯାତ୍ରା।
ଦମନକ ଯାତ୍ରା ସମ୍ପର୍କରେ ପୁରାଣରେ ବର୍ଣ୍ଣିନା ଅଛି ଯେ , ପୂର୍ବେ ଦମନକ ନାମରେ ଗୋଟିଏ ଅସୁର ଥିଲା। ସେ ସମୁଦ୍ର ଜଳରେ ବାସ କରୁଥିଲା। ଦୈତ୍ୟର ଅତ୍ୟାଚାର ବଢିବାରୁ ପୃଥିବୀକୁ ଏହାର ଦାଉରୁ ରକ୍ଷା କରିବାକୁ ଦେବତାମାନେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭଗବାନ ମୀନ ଅବତାର ଧାରଣ କରି ସମୁଦ୍ର ମଧ୍ୟରେ ପ୍ରବେଶ କରି ସେହି ଅସୁରକୁ ବଧ କରିଥିଲେ। ହେଲେ ମୃତ୍ୟୁ ପରେ ଉକ୍ତ ଦାନବର ଦେହ ଭୂମିରେ ପଡି ଏକ ସୁଗନ୍ଧିତ ତୃଣରେ ପରିଣତ ହୋଇଥିଲା। ଏହା ଦେଖି ଭଗବାନ ଚକିତ ହେଲେ। ଏହି ସୁଗନ୍ଧିତ ତୃଣ ଦୟାଣାର ସୁଗନ୍ଧରେ ତୃପ୍ତ ହୋଇ ତାକୁ ନିଜର ବନମାଳାରେ ସ୍ଥାନ ଦେଇ ନିଜ ଗଳାରେ ଧାରଣ କରିଥିଲେ।
ଏହି ସ୍ମୃତିକୁ ମନେ ରଖିବାକୁ ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ପାଳିତ ହୁଏ। ଏହି ପବିତ୍ର ତୃଣକୁ ଦୟଣା ବା ଦଅଣା କୁହାଯାଏ। ଏହା ଏକ ଔଷଧୀୟ ତୃଣ। ଶ୍ରୀମନ୍ଦିରରେ ଅନୁସୃତ ହେଉଥିବା ପ୍ରମୁଖ ଦ୍ୱାଦଶଯାତ୍ରା ମଧ୍ୟରୁ ଦମନକ ଚତୁର୍ଦ୍ଦଶୀ ବା ଦୟଣା ଚୋରି ନୀତି ଏକାଦଶତମ ଯାତ୍ରା।ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ଏହି ନୀତି ଅନୁଷ୍ଠିତ ହୁଏ। ଏଥିପାଇଁ ଦ୍ୱାଦଶୀ ଦିନ ‘କନ୍ଦର୍ପ ପଟି’ (କାମଦେବଙ୍କ ଚିତ୍ରପଟ)ଙ୍କର ଅଧିବାସ ହୁଏ। ଆଜି ତ୍ରୟୋଦଶୀରେ ଦମନକ ନୀତିର ଦ୍ଵିତୀୟ ଭାଗରେ ଦ୍ୱିପ୍ରହର ଧୂପ ସମ୍ପନ୍ନ ହେବାପରେ ଚଳନ୍ତି ପ୍ରତିମା ରାମ କୃଷ୍ଣ ଏବଂ ପୂର୍ଵ ଅଧିବାସିତ କନ୍ଦର୍ପ ଦେବ ରତ୍ନସିଂହାସନକୁ ବିଜେ କରନ୍ତି।ବଡ଼ବାଡ଼ରୁ ରାମଙ୍କ ପାଇଁ ଓ ମହାପ୍ରଭୁ ବାଡ଼ରୁ କୃଷ୍ଣ ଓ କାମଦେବଙ୍କ ପାଇଁ ଆଜ୍ଞାମାଳ ଆସିଥାଏ।ଆଜ୍ଞାମାଳ ପ୍ରାପ୍ତ ହେବା ପରେ ଦିଅଁମାନେ କଳ୍ପଵଟ ସୁଦୃଶ୍ୟ ତଳେ ଥିବା ଚାନ୍ଦୁଆ,ଗଦି ଓ ମାଣ୍ଡି ପରିବେଷ୍ଟିତ ପାଲିଙ୍କିରେ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ଉପଵନକୁ ବିମାନବଡୁ ବିଜେ କରନ୍ତି।
ସେଠାରେ ଦିଅଁମାନେ ବିଜେ ହେଲାପରେ ପୂଜାପଣ୍ଡା ବରୁଣ ପୂଜା କରନ୍ତି ଏବଂ ଯଜ୍ଞ କରିଥାନ୍ତି।ଯଜ୍ଞର ପୂର୍ଣ୍ଣାହୁତି ପରେ କନ୍ଦର୍ପଙ୍କ ଠାରେ ପଂଚୋପଚାରରେ କ୍ଷୀରି ଭୋଗ ହୁଏ ଓ ମୁଦିରସ୍ତ ବନ୍ଦାପନା କରିଥାନ୍ତି।ଏହାପରେ ପୂଜାପଣ୍ଡା ରାମକୃଷ୍ଣ ବେନି ଭାଇଙ୍କ ନିକଟରେ ପଂଚୋପଚାର ପୂଜା ବଢ଼ାଇ ବନ୍ଦାପନା କରନ୍ତି। ତତ୍ ପରେ ପୂଜାପଣ୍ଡା ଦୟଣା ବୃକ୍ଷକୁ ପ୍ରାର୍ଥନା ପୂର୍ବକ ପୁଷ୍ପାଞ୍ଜଳି ଦେବାପରେ ୨୧ଟି ମୂଳଲଗା ଦୟଣା ଗଛ ଅଣାଯାଇ ୩ଟି ଥାଳିରେ ପୃଥକ ପୃଥକ ଭାବେ ୭ଟି ଲେଖାଏଁ ଦୟଣା ଗଛ ରଖାଯାଇ ବସ୍ତ୍ର ଦ୍ବାରା ଆବୃତ କରାଯାଏ।ରାମକୃଷ୍ଣଙ୍କ ହାତରେ ମଧ୍ୟ ଦୁଇଟି ଦୟଣା ଗଛ ଭିତରଛ ମହାପାତ୍ରଙ୍କ ଦ୍ବାରା ଧରାଇ ଦିଆଯାଏ।ଏହାପରେ ପୂଜାପଣ୍ଡା କାମଦେବଙ୍କୁ ବିସର୍ଜନ କରନ୍ତି।ମୁହଁରେ ବାଘମୁଖା ବାନ୍ଧି ଆଗେ ଆଗେ ଦୟଣା ଗଛ ଓ ପଛରେ ଦିଅଁମାନେ ପଟୁଆରରେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରନ୍ତି।ଏହି ଦୟଣା ପ୍ରଥମେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନଙ୍କୁ ପ୍ରଦାନ କରାଯାଏ ଏବଂ ପରେ ତାହା ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଲାଗି କରାଯାଏ।