Spread the love

ଶତାବ୍ଦୀର ସ୍ମୃତି. ଆଜି ମଧୁସୂଦନ ଦାସ ଙ୍କ ଜୟନ୍ତୀ
ବାସ୍ତବତାକୁ ବର୍ଣ୍ଣନା କରିବାରେ ଯେତେବେଳେ ଯୁଗ ବିଫଳ ହୁଏ ତାହା ଏକ ଅଲୌକିକତା ମଧ୍ୟରେ ବିଶ୍ବାସ ଓ ଅବିଶ୍ବାସର କାହାଣୀ ହୋଇ ରହିଯାଏ। ଯେପରି ପୁରାଣ ବର୍ଣ୍ଣିତ କୌଣସି ଅବତାରଙ୍କର କାର୍ଯ୍ୟକଳାପକୁ ନେଇ ଯେତେ ଆଲୋଚନା କଲେ ମଧ୍ୟ ତାହା କିଛି ଅବିଶ୍ବାସର ଘଟଣାବଳୀରେ ବିଶ୍ବାସର ବାଧ୍ୟବାଧକତାକୁ ଗ୍ରହଣ କରିବାପାଇଁ ଧାର୍ମିକ ଚେତନାର ଶରଣାପନ୍ନ ହୋଇ ଉଠନ୍ତି,ସେହିପରି କିଛି ଐତିହାସିକ ପୃଷ୍ଠଭୂମିର ବାସ୍ତବ ସତ୍ୟ ଏକ ଅବିଶ୍ବାସ ଏବଂ ବିଶ୍ବାସର ତଥ୍ୟକୁ ଗ୍ରହଣ କରିବାପାଇଁ ବାଧ୍ୟ କରିଥାଏ। ଯାହାର ବଳିଷ୍ଠ ପ୍ରମାଣ ଏକ ଯୁଗ ପରିବର୍ତ୍ତନର ପ୍ରବାହମାନ ଗତି ଜୀବନଧାରାକୁ ପ୍ରଭାବିତ କରି ଚାଲିଥାଏ।

ସେହି ସମୟରେ କେଉଁଠି କିପରି ବାସ୍ତବତାକୁ ଅତିରଞ୍ଜିତ ଭାବିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ସେହି କାଳଜୟୀ ଜୀବନ୍ତ ମାନବମାନେ ଯେ ରକ୍ତ ମାଂସ ଶରୀରରେ ଏହି ଧରା ପୃଷ୍ଠରେ ଜନ୍ମ ହୋଇଥିଲେ ଏବଂ ସେହି ଆଦିମ ସତ୍ତାକୁ ଆଧୁନିକତାର ରୂପ ଦେବାରେ ସମର୍ଥ ହୋଇଥିଲେ ତାହା ବିଶ୍ବାସ କରିବା ଆଜିର ସମାଜରେ ଏତେ ସହଜ ବୋଧହୁଏ ନାହିଁ।ଇତିହାସ କିଛି ମାତ୍ରାରେ ପୁରାଣ ପୃଷ୍ଠାର ବର୍ଣ୍ଣିଳ ଅଲୌକିକତାର ଆଧାରରେ କୌଣସି କରିତ୍କର୍ମା ମହାପୁରୁଷଙ୍କ ଜୀବନୀ ବା ତାଙ୍କର କୀର୍ତ୍ତିରାଜିର ଉତ୍ଥାପନ କରିବାକୁ ବିଶ୍ବାସର ଆଧାରରେ ଗ୍ରହଣ କରିବା ଅପେକ୍ଷା ପ୍ରମାଣ ସିଦ୍ଧ ତଥ୍ୟାବଳୀର ଗବେଷଣାତ୍ମକ ପ୍ରକ୍ରୀୟା ଉପରେ ଅଧିକ ଆସ୍ଥା ପୋଷଣ କରିବା ଶ୍ରେୟସ୍କର ମନେହୁଏ।ଯାହା ଆଧୁନିକ ସମାଜର ଏକ ବିଶେଷତ୍ଵ ଅଟେ।ଓଡିଶା ମାଟିରେ ସେହିପରି ଜଣେ ଉଦ୍ଦୀୟମାନ ଯୋଗଜନ୍ମା ପୁରୁଷ ଥିଲେ କୁଳବୃଦ୍ଧ,ଉତ୍କଳ ଗୌରବ ମଧୁସୂଦନ ଦାସ।

ଯାହା ଐତିହାସିକ ପୃଷ୍ଠଭୂମିରେ ରହି ପୁରାଣ ପୃଷା ମଣ୍ଡନ କଲାପରି ଅନୁଭୂତି ଦେଇ ଥାଆନ୍ତି ଏହି ଓଡିଆ ଜାତିକୁ ଏବଂ ଆଧୁନିକ ଓଡ଼ିଶାର ରୂପଚିତ୍ର ଆଙ୍କିବାରେ ସେ ହେଉଛନ୍ତି ପ୍ରଥମ ଓଡିଆ।ଯାହାଙ୍କର ଜୀବନ ଯାତ୍ରା ଏକ ଗବେଷଣାଧର୍ମି ବିଷୟବସ୍ତୁ ହୋଇ ରହି ଆସିଅଛି ଏହି ଜାତି ତଥା ରାଜ୍ୟ ପାଇଁ।
ଔପନିବେଶବାଦର କରାଳ କାଳ ଗର୍ଭରେ ନିଜର ଭିଟାମାଟିର ପରିଚୟ ହଜିହଜି ଯାଉଥିବା ସମୟରେ ବିଦେଶୀ ମାନଙ୍କର କଠୋର ଶାସନ ମଧ୍ୟରେ ରହି ବଙ୍ଗ, ବିହାର,ଓଡିଶାର ଶାସକ ମାନଙ୍କ ଏକଛତ୍ରବାଦ ମଧ୍ୟରୁ ନିଜକୁ ନିଜେ ଖୋଜି ପାଇବାରେ ଯେତେବେଳେ ଜଣେ ଓଡିଆ ବିଫଳ ହେଉଥିଲେ ଠିକ୍ ସେହି ସମୟରେ କଟକର ସାଲେପୁର ନିକଟବର୍ତ୍ତୀ ସତ୍ୟଭାମାପୁର ଠାରେ ଅଠରଶହ ଅଡଚାଳିଶ ମସିହା ଅପ୍ରେଲ ଅଠେଇଶ ତାରିଖରେ ଜନ୍ମ ନେଇଥିଲେ ମଧୁସୂଦନ ଦାସ।ମାଆ ପାର୍ବତୀ ଦେବୀ ଏବଂ ପିତା ଚୌଧୁରୀ ରଘୁନାଥ ଦାସଙ୍କ କୋଳ ମଣ୍ଡନ କରି ଓଡିଶା ମାଟିକୁ ଏକ ସ୍ବତନ୍ତ୍ର ପରିଚୟ ଦେବାପାଇଁ ଯେ ସେଦିନର ସେହି ଶିଶୁ କୁଆଁ କୁଆଁ ରାବ ଦେଇ ଜନ୍ମ ନେଇଛନ୍ତି ତାହା କିପରିବା କିଏ ଜାଣନ୍ତେ? ତାଙ୍କର ବାଲ୍ୟ ନାମ ଥିଲା ଚୌଧୁରୀ ଗୋବିନ୍ଦ ବଲ୍ଲଭ ଦାସ। ପରବର୍ତ୍ତୀ ସମୟରେ ତାଙ୍କର ନାମ ପରିବର୍ତ୍ତନ କରି ପିତା ମଧୁସୂଦନ ଦାସ ରଖିଥିଲେ।ସେହି ପରିଚୟ ନେଇ ସେ ତାଙ୍କର ଜୀବନଯାତ୍ରା ଆରମ୍ଭ କରିଥିଲେ ଗୋଟିଏ ନିପଟ ମଫସଲ ଗାଆଁରୁ ଯାହାର କୀର୍ତ୍ତି ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ଗୋଟିଏ ଜାତି ଗୋଟିଏ ଭାଷାକୁ ଗୋଟିଏ ଭୂଖଣ୍ଡର ମୌଳିକ ଆଦର୍ଶରେ କାଳକାଳପାଇଁ ଜୀବନ୍ତ କରି ଗଢିତୋଳିଛି ଭାରତବର୍ଷପରି ଏକ ବିରାଟ ଗଣତାନ୍ତ୍ରିକ ରାଷ୍ଟ୍ରରେ।

ସତ୍ୟଭାମାପୁରରେ ଗାଆଁ ଅବଧାନଙ୍କ ନିକଟରେ ବାଲ୍ୟଶିକ୍ଷା ସମାପ୍ତ କରି କଟକରେ ଇଂରାଜୀ ଶିକ୍ଷା ନେବାପାଇଁ ନାମ ଲେଖାଇ ସେଠାରେ ଏଣ୍ଟ୍ରାନ୍ସ ପାଶ୍ କରିଥିଲେ।ଯାହା ଏବେକାର ଉଚ୍ଚ ଇଂରାଜୀ ବିଦ୍ୟାଳୟ ସହ ସମାନ ଯୋଗ୍ୟତା ହିସାବରେ ପରିଗଣିତ ହୁଏ। ଏହାପରେ ବାଲେଶ୍ଵରଠାରେ ପ୍ରଥମ କର୍ମମୟ ଜୀବନ ଆରମ୍ଭ ହୁଏ ଜଣେ କିରାଣୀ ଭାବରେ।ସେଠାରେ ଚାକିରୀ କରି କିଛି ଅର୍ଥ ଉପାର୍ଜନ କରି ମନ ମଧ୍ୟରେ ଥିବା ଅବଦମିତ ଇଚ୍ଛାକୁ ପୂରଣ କରିବା ଉଦ୍ଦେଶ୍ୟରେ ଉଚ୍ଚଶିକ୍ଷା ପାଇଁ କଲିକତା ଚାଲିଯାଇଥିଲେ।ସେଠାରେ ବି:ଏ:ପାଶ୍ କରିବା ପରେ ଇଂରାଜୀ ଭାଷାରେ ଏମ୍ ଏ ପାଶ୍ କରି ସେହିଠାରେ ଶିକ୍ଷକତା କରିଥିଲେ। ପରବର୍ତ୍ତୀ ସମୟରେ ଏକ କଲେଜରେ ଅଧ୍ୟାପକ ଭାବରେ ଶିକ୍ଷାଦାନ କରୁଥିବା ସମୟରେ ଆଇନରେ ଏଲ୍ ଏଲ୍ ବି ଉତ୍ତୀର୍ଣ୍ଣ ହୋଇ କଲିକତାରେ ଆଇନ୍ ବ୍ୟବସାୟ ଆରମ୍ଭ କଲେ ଏବଂ ପରବର୍ତ୍ତୀ ସମୟରେ ଆଇନରେ ଅଧିକ ଶିକ୍ଷା ଲାଭ କରିବାପାଇଁ ବିଲାତ୍ ଯାତ୍ରା କରିଥିଲେ।ବିଲାତରୁ ଆଇନରେ କୃତିତ୍ଵର ସହ ଉଚ୍ଚଶିକ୍ଷା ଲାଭକରି କଲିକତା ଫେରି ସେଠାରେ ଉଚ୍ଚ ନ୍ୟାୟାଳୟରେ ଆଇନ୍ ବ୍ୟବସାୟ କଲେ ଏବଂ ପରେ ଓଡିଶା ଫେରି ବାର ସେପ୍ଟେମ୍ବର ଅଠରଶହ ଏକାଅଶୀ ମସିହାରେ ହାଇକୋର୍ଟରେ ଆଇନ୍ ବ୍ୟବସାୟ ଆରମ୍ଭ କରିଥିଲେ।କଟକରେ ଆଇନ୍ ବ୍ୟବସାୟ ଆରମ୍ଭ କରିବା ସମୟରେ ଅନ୍ୟ ଆଇନଜୀବୀ ମାନେ ତାଙ୍କୁ ବିଦ୍ରୁପ କରିବା ଆରମ୍ଭ କରିଥିଲେ। କାରଣ ସେ ସମୟରେ ଓଡିଶାର ଆଇନଜୀବୀମାନେ ସ୍ବାଭିମାନର ସହିତ ଇଂରେଜ ବିଚାରପତିଙ୍କ ସମ୍ମୁଖରେ ବ୍ୟବସାୟ କରିବା ସେତେଟା ସହଜ ନଥିଲା। ସେମାନେ ଓଡ଼ିଶାର ଆଇନଜୀବୀଙ୍କ ଅପେକ୍ଷା ବାହାରର ଆଇନଜୀବୀଙ୍କୁ ଅଧିକ ଗୁରୁତ୍ବ ଦେଇ ମାମାଲା ଫଇସଲା କରୁଥିଲେ। ଯେତେ ବଳିଷ୍ଠ ପ୍ରମାଣ ଆଗରେ ଓଡିଆ ଆଇନଜୀବୀଙ୍କ ଯୁକ୍ତି ମୂଲ୍ୟହୀନ ହୋଇପଡୁଥିଲା। ତେଣୁ ଆଇନକୁ ନେଇ ଜୀବିକା ନିର୍ବାହ କରିବା ଏକପ୍ରକାର ଅସମ୍ଭବ କାର୍ଯ୍ୟ ଥିଲା। ଅଧିକନ୍ତୁ ଓଡିଆ ଆଇନଜୀବୀମାନେ ଏପରି ଏକ ସ୍ଥିତିରେ ନିଜ ନିଜର ମହକିଲ ମାନଙ୍କ ନିକଟରେ ନିଜର ମର୍ଯ୍ୟାଦା ରକ୍ଷା କରିବା ମଧ୍ୟ ସମ୍ଭବ ହେଉ ନଥିଲା।ଏପରି ଏକ ସମୟରେ ମଧୁସୂଦନ ନିଜର ସ୍ବାଵିମାନକୁ ନେଇ ଆଇନ୍ ବ୍ୟବସାୟ କରିପାରିବେ ଏହା କିଏବା କିପରି ବିଶ୍ବାସ କରନ୍ତେ?ମାତ୍ର ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ମଧୁବାବୁ ନିଜର ବିଚକ୍ଷଣତା ପ୍ରଦର୍ଶନ କରି ଦୀର୍ଘଦିନର ଜଟୀଳ ମାମଲାରେ ଖଣ୍ଡପଡାର ରାଜାଙ୍କ ଆଇନଗତ ସମସ୍ୟାର ସମାଧାନ କରିଥିଲେ। ଏହାପରେ କେନ୍ଦୁଝର ରାଜାଙ୍କ ମାମଲାର ସୁପରିଚାଳନା କରି ବିଜୟୀ କରାଇଥିଲେ।ପୁରୀ ଶ୍ରୀମନ୍ଦିର ପ୍ରଶାସନିକ ସମସ୍ୟାର ସମାଧାନ କରିବାରେ ମଧୁବାବୁ ତାଙ୍କର ବିଚକ୍ଷଣତା ପ୍ରତିପାଦନ କରି କଟକ ଉଚ୍ଚ ନ୍ୟାୟାଳୟରେ ନିଜର ସ୍ଥିତି ସୁଦୃଢ କରିଥିଲେ।ଓଡିଶାର ଓକିଲମାନେ ମଧୁବାବୁଙ୍କର ବିଚକ୍ଷଣତା ପାଇଁ ସେହି ଆଇନ ବ୍ୟବସାୟରେ ନିଜର ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହୋଇଥିଲେ। ଯାହାଦ୍ବାରା ଓଡିଶା ବାହାରର ଆଇନଜୀବୀ ମାନଙ୍କର ପ୍ରାଧାନ୍ୟ କ୍ଷୂର୍ଣ୍ଣ ପଡିଯାଇଥିଲା।
ରାଜନୀତି କ୍ଷେତ୍ରରେ ମଧୁବାବୁ ଜାନୁଆରୀ ଛଅ ତାରିଖ ଉଣେଇଶି ଶହ ଏକୋଇଶି ମସିହାରେ ବିହାର ଓଡିଶାର ମନ୍ତ୍ରୀ ପଦ ଗ୍ରହଣ କରିଥିଲେ।ସେହି ସମୟରେ ବିହାରର ପ୍ରଭାବ ଓଡିଶାର ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରି ରଖିଥାଏ। ଏହାକୁ ମଧୁବାବୁ ଦୃଢ଼ତାର ସହିତ ପ୍ରତିହତ କରି ଓଡିଶାର ନାଯ୍ୟ ଦାବୀ ଉପସ୍ଥାପନ କରି ଓଡ଼ିଶାର ହକ୍ ଆଦାୟ କରିବାରେ ସଫଳ ହୋଇଥିଲେ।ସେ ସମୟରେ ମନ୍ତ୍ରୀ ମାନଙ୍କୁ ଦିଆଯାଉଥିବା ଭତ୍ତା ଉପରେ ସେ ପ୍ରତିବାଦ କରି ଜଣାଇଥିଲେଯେ ସରକାରଙ୍କଠାରୁ ଭତ୍ତା ଗ୍ରହଣ କରିବାଦ୍ବାରା ଯେକୌଣସି ସମସ୍ୟାର ନିରପେକ୍ଷ ସମସ୍ୟା ସମାଧାନ ଦିଗରେ ଏହା ମନ୍ତ୍ରୀ ମାନଙ୍କୁ ପ୍ରଭାବିତ କରିବ ଏବଂ ଏହି ମନ୍ତ୍ରୀପଦ ଆଉ ସେବା ଭାବରେ ଗ୍ରହଣୀୟ ହୋଇ ପାରିବ ନାହିଁ।ସେପରି ଆଦର୍ଶକୁ ସରକାର ଗ୍ରହଣ ନକରିବାରୁ ମଧୁବାବୁ ନଅ ମାର୍ଚ୍ଚ ଉଣେଇଶି ଶହ ତେଇଶି ମସିହାରେ ମନ୍ତ୍ରୀପଦ ତ୍ୟାଗ କରିଦେଇଥିଲେ।
ମଧୁବାବୁ ବୁଝିଥିଲେ ଓଡିଆଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ କର୍ମନିଯୁକ୍ତି ହିଁ ଏକମାତ୍ର ପନ୍ଥା। ତେଣୁ ସେ ନିଜ ଉଦ୍ୟମରେ କଟକରେ ଥିବା ତାରକସି କାର୍ଯ୍ୟ ଏବଂ ସୁନା ରୁପା ଅଳଙ୍କାର ନିର୍ମାଣ କ୍ଷେତ୍ରରେ ବ୍ୟାପକ ଉନ୍ନତି ପାଇଁ ନିଜ ପ୍ରଚେଷ୍ଟାରେ କାରୀଗର ମାନଙ୍କ କର୍ମଶାଳା ପ୍ରସ୍ତୁତ କରି ସେମାନଙ୍କୁ ତାଲିମ୍ ଦେବାର ସୁବନ୍ଦୋବସ୍ତ କରିଥିଲେ।ସେହି ଉତ୍ପାଦନର ବହୁଳ ବ୍ୟବସାୟୀକ ସୁଯୋଗ ସୃଷ୍ଟି କରିବା ଦିଗରେ ଲଣ୍ଡନରେ ଏକ ପ୍ରଦର୍ଶନୀର ଆୟୋଜନ କରିଥିଲେ।ଯାହାଦ୍ବାରା ଦେଶବିଦେଶରେ କଟକ ସୁନା ରୁପା ଅଳଙ୍କାରର ବ୍ୟାପକ ବାଣିଜ୍ୟ ବ୍ୟବସାୟ ସମ୍ଭବ ହୋଇ କାରିଗର ମାନଙ୍କର ଆର୍ଥିକ ସ୍ଥିତି ମଜବୁତ୍ ହୋଇଥିଲା। ମଧୁବାବୁ ଉତ୍କଳ ଟ୍ୟାନେରୀ ନାମରେ ଏକ ଚମଡା କାରଖାନା ପ୍ରତିଷ୍ଠା କରି ସେଠାରେ ସେହି ଅନୁଷ୍ଠାନ ନାମରେ ଜୋତା ତିଆରି କାରଖାନା ନିର୍ମାଣ କରିଥିଲେ। ଯାହାର ଗୁଣାତ୍ମକ ମାନର ନ୍ୟୁନତା ପାଇଁ ସେସବୁ ପୋଡି ଦେଇଥିଲେ ଏବଂ ଓଡିଆଙ୍କ ସ୍ବାଭିମାନରେ ଆଞ୍ଚ ଆଣିବାକୁ ଦେଇ ନଥିଲେ।ଯାହା ଦ୍ଵାରା ସେ ନିଜେ ଦେବାଳିଆ ହୋଇଯାଇଥିଲେ।ତଥାପି ଓଡିଆଙ୍କ ମର୍ଯ୍ୟାଦାରେ ଆଞ୍ଚ ଆଣିବାକୁ ଦେଇ ନଥିଲେ। ଏଥିରୁ ତାଙ୍କର ସ୍ବାଭିମାନର ପରିଚୟ ମିଳିଥାଏ।ଏ କ୍ଷେତ୍ରରେ ସେ ସାଙ୍ଗସାଥୀ ଆତ୍ମୀୟ ସ୍ବଜନଙ୍କର ପରାମର୍ଶ ଗ୍ରହଣ କରିନଥିଲେ।
ସାହିତ୍ୟ ରଚନା କ୍ଷେତ୍ରରେ ମଧୁବାବୁ ଓଡ଼ିଆ ଏବଂ ଇଂରାଜୀରେ ଅନେକ ପୁସ୍ତକ ରଚନା କରିଯାଇଛନ୍ତି।ଉତ୍କଳ ସନ୍ତାନ,ଜାତି ଇତିହାସ,ଜ୍ଞାନୀର ଉକ୍ତି ଏବଂ ଜାତୀୟ ଗୀତିକା ପରି ପୁସ୍ତକ ରଚନା କରି ସେ ଅମରତ୍ବ ଲାଭ କରିଛନ୍ତି।
ସମାଜସେବା କ୍ଷେତ୍ରରେ ତତ୍କାଳୀନ ସତୀଦାଦାହ ପ୍ରଥା ବିରୁଦ୍ଧରେ ସେ କଟକରେ ସତୀ ଚଉରା ସ୍ଥାପନ କରିଥିଲେ।ତାହା ଏବେ ତାଙ୍କ ସ୍ମୃତି ଚାରଣ କରେ।ସେ ସମୟରେ କଲିକତାରେ ଅନେକ ଓଡିଆ ଶ୍ରମିକ ନିଜ ନିଜର ପେଟ ପୋଷିବା ପାଇଁ କାର୍ଯ୍ୟ କରୁଥିଲେ। ଯେଉଁ ମାନଙ୍କର ପିଲାମାନେ ପାଠ ପଢାରୁ ବଞ୍ଚିତ ହେଉଥିଲେ ବା ବଙ୍ଗଳା ଭାଷାରେ ପାଠ ପଢି ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଥିଲେ। ମଧୁସୂଦନ ଦାସ ସେହି ଗରିବ ପ୍ରବାସୀ ଓଡିଆଙ୍କ ପିଲାମାନଙ୍କର ଶିକ୍ଷା ଲାଭ ପାଇଁ ନୈଶ ବିଦ୍ୟାଳୟ ସ୍ଥାପନ କରିଥିଲେ।
ଓଡିଆ ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁ କଟକଠାରେ ଉତ୍କଳ ସମ୍ମିଳନୀର ଆୟୋଜନ କରିଥିଲେ।ତାଙ୍କର ଓଡିଆ, ଇଂରାଜୀ ଏବଂ ବଙ୍ଗଳା ଭାଷାରେ ଗଭୀର ଜ୍ଞାନ ଥିବାରୁ ସେ ସେହି ଭାଷାରେ ଓଜସ୍ବିନୀ ଭାଷଣ ମାଧ୍ୟମରେ ଓଡିଶାର ନେତୃମଣ୍ଡଳୀଙ୍କୁ ଜାଗ୍ରତ କରି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଦାବୀକୁ ବଳିଷ୍ଠ କରିଥିଲେ। ଯାହାଦ୍ବାରା ତାଙ୍କର ମୃତ୍ୟୁ ପରେ ସେହି ଆଧାରରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶର ଗଠନ ସମ୍ଭବ ହୋଇଥିଲା।ହେଲେ ସେତେବେଳକୁ ସେହି ଅବତାର ପୁରୁଷ ତାର ସ୍ବାଦ ଆସ୍ବାଦନ ପାଇଁ ଆଉ ଜୀବିତ ନଥିଲେ।
ମଧୁସୂଦନ ଦାସ ଥିଲେ ଓଡ଼ିଶାର ପ୍ରଥମ ବାରୀଷ୍ଟର,ପ୍ରଥମ ଓଡିଆ ଗ୍ରାଜୁଏଟ୍,ପ୍ରଥମ ଓଡିଆ ଏମ୍ ଏ, ପ୍ରଥମ ଓଡିଆ ବିଲାତ୍ ଯାତ୍ରୀ, ପ୍ରଥମ ଓଡିଆ ଏଲ଼ ଏଲ୍ ବି, ପ୍ରଥମ ଓଡିଆ ବିହାର ଓଡିଶା ବିଧାନସଭା ସଦସ୍ୟ, ପ୍ରଥମ ଓଡିଆ ମନ୍ତ୍ରୀ, ପ୍ରଥମ ଓଡିଆ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ।
ଏପରି ଜଣେ ଓଡିଆ ବ୍ୟକ୍ତି ଓଡ଼ିଶାରେ ଜନ୍ମ ନେଇ ଜୀବନକାଳ ମଧ୍ୟରେ ଏପରି ବିରଳ କୃତିତ୍ବ ଅର୍ଜନ କରିବା ଅସମ୍ଭବ ମନେ ହେଉଥିଲେ ମଧ୍ୟ ଏହା ବାସ୍ତବ ସତ୍ୟ ‌। ସେଥିପାଇଁ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ ପାଇଁ ଗାଇ ଉଠିଥିଲେ:
ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ
ଉତ୍କଳ ମାତାର ଯୋଗ୍ୟ ସନ୍ତାନ
ଦେଲ ଉତ୍କଳକୁ ନବ ଜୀବନ
ଶିଖାଇଲ ଲୋକେ ଜାତି ବନ୍ଦନ।
ମଧୁସୂଦନ ଦାସଙ୍କର କୀର୍ତ୍ତିରାଜିର ଯେତେ ଉପସ୍ଥାପନା ଦେଲେ ମଧ୍ୟ ତାହା ତାଙ୍କର ପ୍ରକୃତ କୃତିତ୍ବକୁ ବର୍ଣ୍ଣନା କରିବାରେ କେଉଁଠି କିପରି କମ୍ ଅନୁଭବ ହୁଏ।ଏଜାତି ଏ ରାଜ୍ୟ ତାଙ୍କର ଅବଦାନ ପାଇଁ ଚିର ଋଣୀ ରହିବ ଏଥିରେ ସନ୍ଦେହ ନାହିଁ।
ସଞ୍ଜୟ କୁମାର ରଥ
ଭୁବନେଶ୍ୱର, ଓଡ଼ିଶା।

Leave a Reply

Your email address will not be published. Required fields are marked *