Spread the love

ଦେଶର ହ୍ରାସ ହେବ ବ୍ୟାଙ୍କ ସଂଖ୍ୟା, ସବୁ ରାଜ୍ୟରେ ରହିବ ଗୋଟିଏ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ

ଆଗାମୀ ମାସରୁ ଦେଶରେ ଅନେକ କିଛି ନିୟମ ବଦଳିଯିବ। ଏଥିରେ ଦେଶର ବ୍ୟାଙ୍କ ସଂଖ୍ୟା ହ୍ରାସ ହେବ। ଏଥିରେ ୧୧ଟି ରାଜ୍ୟରେ ୧୫ଟି ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ ଘଟିବ। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ମେ’ ପହିଲାଠାରୁ ଗୋଟିଏ ରାଜ୍ୟ ଗୋଟିଏ ଗୋଟିଏ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ନୀତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ପ୍ରତି ରାଜ୍ୟରେ ଗୋଟିଏ ଗ୍ରାମ୍ୟ ବ୍ୟାଙ୍କ ରହିବ। ଅର୍ଥାତ ବହୁ ସଂଖ୍ୟାରେ ଗ୍ରାମ୍ୟ ବ୍ୟାଙ୍କର ମିଶ୍ରଣ ଘଟିବାକୁ ଯାଉଛି।

ମେ’ ପହିଲାରୁ ସବୁ ରାଜ୍ୟରେ ଗୋଟିଏ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ (ଆରଆରବି) ରହିବ। ଏହି ଆଦେଶକୁ କାର୍ଯ୍ୟକାରୀ କରିବା ଲାଗି ଅର୍ଥମନ୍ତ୍ରାଳୟ ୧୧ ରାଜ୍ୟରେ ୧୫ଆରଆବି ବିଲୟ ସମ୍ପର୍କିତ ଅଧିସୂଚନା ଜାରି କରିଛନ୍ତି। ଅର୍ଥମନ୍ତ୍ରାଳୟଙ୍କ ଆଦେଶ ଅନୁସାରେ ଏହି ସବୁ ବ୍ୟାଙ୍କମାନଙ୍କର ମର୍ଜର ହେବ। କ୍ଷେତ୍ରୀୟ ଗ୍ରାମ୍ୟ ବ୍ୟାଙ୍କମାନଙ୍କ ବିଲୟର ଏହା ଚତୁର୍ଥ ପର୍ଯ୍ୟାୟ ହେବ। ଏହା ଶେଷ ହେଲେ ଦେଶରେ ମୋଟ ଆରଆରବି ସଂଖ୍ୟା ୪୩ରୁ ହ୍ରାସ ହୋଇ ୨୮ ହୋଇଯିବ।

ଏହି ନିଷ୍ପତ୍ତି ଅନୁସାରେ ୧୧ ରାଜ୍ୟ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଗୁଜରାଟ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା ଏବଂ ରାଜସ୍ଥାନରେ ଥିବା ଆରଆରବିଙ୍କୁ ଗୋଟିଏ ୟୁନିଟରେ ମିଶ୍ରଣ କରାଯିବ। ସେହିପରି ଗୋଟିଏ ରାଜ୍ୟ ଗୋଟିଏ ଆରଆରବି ନୀତିକୁ କାର୍ଯ୍ୟକାରୀ କରାଯିବ। ଆରଆରବି ଅଧିନିୟମ ୧୯୭୬ର ଧାରା ୨୩ଏ(୧)ରେ ପ୍ରଦତ୍ତ ଶକ୍ତି ଅନୁସାରେ ଆରଆରବି ଗୋଟିଏ ଏକକ ୟୁନିଟରେ ଏକୀକୃତ ହୋଇଯିବେ।

ଏହିକ୍ରମରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, କ୍ୟାନାରା ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ଚୈତନ୍ୟ ଗୋଦାବରୀ ଗ୍ରାମୀଣ ବ୍ୟାଙ୍କ, ଆନ୍ଧ୍ର ପ୍ରଗତି ଗ୍ରାମୀଣ ବ୍ୟାଙ୍କ, ସପ୍ତଗିରି ଗ୍ରାମୀଣ ବ୍ୟାଙ୍କ ଓ ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କକୁ ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବ୍ୟାଙ୍କ ରୂପେ ମିଶ୍ରଣ କରାଯିବ। ସେହିପରି ଉତ୍ତରପ୍ରଦେଶରେ ଥିବା ବରୋଦା ୟୁପି ବ୍ୟାଙ୍କ, ଆର୍ୟାବର୍ତ୍ତ ବ୍ୟାଙ୍କ ଓ ପ୍ରଥମା ୟୁପି ଗ୍ରାମୀଣ ବ୍ୟାଙ୍କକୁ ଉତ୍ତରପ୍ରଦେଶ ଗ୍ରାମୀଣ ବ୍ୟାଙ୍କ ନାମକ ୟୁନିଟରେ ମିଶାଇ ଦିଆଯିବ। ପଶ୍ଚିମବଙ୍ଗରେ ସଞ୍ଚାଳିତ ବଙ୍ଗୀୟ ଗ୍ରାମୀଣ ବିକାଶ, ପଶ୍ଚିମବଙ୍ଗ ଗ୍ରାମୀଣ ବ୍ୟାଙ୍କ ଓ ଉତ୍ତରରବଙ୍ଗ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କକୁ ପଶ୍ଚିମବଙ୍ଗ ଗ୍ରାମୀଣ ବ୍ୟାଙ୍କରେ ମିଶାଇ ଦିଆଯିବ। ଦକ୍ଷିଣ ବିହାର ଗ୍ରାମୀଣ ବ୍ୟାଙ୍କ ଓ ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କଗୁଡିକୁକୁ ମିଶାଇ ବିହାର ଗ୍ରାମୀଣ ବ୍ୟାଙ୍କ ର୍ନିମାଣ କରାଯିବ। ଗୁଜରାଟରେ ବଡୌଦା ଗୁଜରାଟ ଗ୍ରାମୀଣ ବ୍ୟାଙ୍କ ଓ ସୌରାଷ୍ଟ୍ର ଗ୍ରାମୀଣ ବ୍ୟାଙ୍କକୁ ମିଶାଇ ଗୁଜରାଟ ଗ୍ରାମୀଣ ବ୍ୟାଙ୍କ ହେବ। ସୂଚନାନୁସାରେ ଦେଶର ସମସ୍ତ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କର ଅଧିକୃତ ପୁଞ୍ଜି ୨୦୦୦ କୋଟି ଟଙ୍କା ରହିବ। ମିଶ୍ରଣ ପୂର୍ବରୁ କେନ୍ଦ୍ର ସରକାର ଏହିସବୁ ଗ୍ରାମୀଣ ବ୍ୟାଙ୍କକୁ ସରକାର ପୁଞ୍ଜି ମଧ୍ୟ ଦେଇଛନ୍ତି।

Related Post

Leave a Reply

Your email address will not be published. Required fields are marked *

You Missed