Spread the love

ସଙ୍କଟରେ ହରିୟାଣାର ସୈନୀ ସରକାର । ୩ ସ୍ୱାଧୀନ ବିଧାୟକ ପ୍ରତ୍ୟାହାର କଲେ ସମର୍ଥନ । ଭାଙ୍ଗିଯିବ କି ବିଜେପି ସରକାର?
ଲୋକସଭା ନିର୍ବାଚନ ଭିତରେ ହରିୟାଣାରେ ଶାସକ ଦଳ ବିଜେପିକୁ ଲାଗିଛି ବଡ ଝଟକା । ସରକାରରେ ସାମିଲ ଥିବା ୩ ଜଣ ନିର୍ଦ୍ଦଳୀୟ ବିଧାୟକ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିଛନ୍ତି । ଏଥିସହିତ ହରିୟାଣାରେ ବିଜେପି ସରକାର ଏବେ ସଙ୍କଟରେ ପଡିଛି । ତିନି ସ୍ୱାଧୀନ ବିଧାୟକ ସୋମବୀର ସାଙ୍ଗବାନ, ରଣଧୀର ଗୋଲେନ୍ ଏବଂ ଧର୍ମପାଲ ଗୋନ୍ଦର ସୈନୀ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିଛନ୍ତି ।
ତିନି ବିଧାୟକ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଏଭଂ ରାଜ୍ୟ କଂଗ୍ରେସ ମୁଖ୍ୟ ଉଦୟ ଭାନଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସେ ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଥିବା ନେଇ ଘୋଷଣା କରିଥିଲେ । ସ୍ୱାଧୀନ ବିଧାୟକ ଧର୍ମପାଲ କହିଥିଲେ କି, ଆମେ ସରକାରରୁ ଆମ ସମର୍ଥନ ପ୍ରତ୍ୟାହାର କରୁଛୁ । ଏଥିସହିତ କଂଗ୍ରେସକୁ ଆମ ସମର୍ଥନ ଘୋଷଣା କରୁଛୁ । ଆମେ ଚାଷୀ ସହ ଜଡିତ ବିଭିନ୍ନ ମୁଦ୍ଦାକୁ ଲକ୍ଷ୍ୟ କରି ଏହି ନିଷ୍ପତ୍ତି ନେଉଥିବା କହିଛନ୍ତି ସ୍ୱାଧୀନ ବିଧାୟକ
ଅନ୍ୟପଟେ ହରିୟାଣା ପ୍ରଦେଶ କଂଗ୍ରେସର ସଭାପତି ଉଦୟ ଭାନ କହିଛନ୍ତି ଯେ, ତିନି ସ୍ୱାଧୀନ ବିଧାୟକ ବିଜେପି ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିଛନ୍ତି ଏବଂ କଂଗ୍ରେସକୁ ନିଜର ସମର୍ଥନ ଦେଇଛନ୍ତି । ତେବେ ୯୦ ସିଟ୍ ବିଶିଷ୍ଟ ହରିୟାଣା ବିଧାନସଭାରେ ଏବେ ୮୮ ବିଧାୟକ ରହିଛନ୍ତି । ଯେଉଁଥିରୁ ୪୦ ବିଧାୟକ ହେଉଛନ୍ତି ବିଜେପି ଦଳର । ଅନ୍ୟପଟେ ପୂର୍ବରୁ ସରକାରରେ ଥିବା ଜେଜେପି ମଧ୍ୟ ସରକାରରୁ ନିଜ ସମର୍ଥନ ପ୍ରତ୍ୟାହାର କରିସାରିଛି । ତେଣୁ ସ୍ୱାଧୀନ ବିଧାୟକ ଏବେ ସମର୍ଥନ ପ୍ରତ୍ୟାହାର କରିବା ପରେ ନାୟାବ୍ ସିଂହ ସୈନୀ ସରକାର ଏବେ ସଂଖ୍ୟାଲଘୁ ସରକାରରେ ପରିଣତ ହେଇଛି । ତେଣୁ ସୈନୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି ହରିୟାଣା କଂଗ୍ରେସ ସଭାପତି ।

Leave a Reply

Your email address will not be published. Required fields are marked *

You Missed