ହେ ପ୍ରଭୁ ! ଆପଣ ହେଉଛନ୍ତି ସତ୍ୟସଂକଳ୍ପ । ସତ୍ୟ ହିଁ ହେଉଛି ଆପଣଙ୍କୁ ପାଇବାର ଶ୍ରେଷ୍ଠ ଉପାୟ। ସୃଷ୍ଟିର ପୂର୍ବରୁ, ପ୍ରଳୟର ପରେ ଏବଂ ସଂସାରର ସ୍ଥିତିକାଳରେ ପ୍ରତ୍ୟେକ ଅସତ୍ୟ ଅବସ୍ଥାରେ ଆପଣ ହିଁ ସତ୍ୟରୂପରେ ବିଦ୍ୟମାନ । ଆପଣ ହିଁ ହେଉଛନ୍ତି ଏହି ଦୃଶ୍ୟମାନ ଜଗତର ପରମାର୍ଥସ୍ବରୂପ । ଆପଣ ହିଁ ମଧୁର ବାଣୀ ଓ ସମଦୃଷ୍ଟିର ପ୍ରବର୍ତ୍ତକ । ହେ ଭଗବାନ୍ ! ଆପଣ ତ ହେଉଛନ୍ତି ସାକ୍ଷାତ୍ ସତ୍ୟସ୍ବରୂପ । ଆମ୍ଭେମାନେ ଆପଣଙ୍କ ଶରଣକୁ ଆସିଛୁ । ଏକମାତ୍ର ଆପଣ ହେଉଛନ୍ତି ଏହି ସଂସାରବୃକ୍ଷର ଉତ୍ପତ୍ତିର ଆଧାର । ଆପଣଙ୍କ ଅନୁଗ୍ରହରୁ ଏହାର ରକ୍ଷା ହୁଏ ଏବଂ ଆପଣଙ୍କ ଦ୍ବାରା ହିଁ ଏହାର ବିନାଶ ହୁଏ । ଯେଉଁମାନଙ୍କ ଚିତ୍ତ ଆପଣଙ୍କ ମାୟାରେ ଆଚ୍ଛନ୍ନ ହୋଇଯାଇଛି, ଯେଉଁମାନେ ଏହି ସତ୍ୟକୁ ବୁଝିପାରିବାର ଶକ୍ତି ହରାଇ ବସିଛନ୍ତି, ସେହିମାନେ ହିଁ ଉତ୍ପତ୍ତି, ସ୍ଥିତି ଓ ପ୍ରଳୟ କରାଉଥିବା ବ୍ରହ୍ମାଦି ଦେବତାମାନଙ୍କୁ ଅନେକ ବୋଲି ଦେଖନ୍ତି । ତତ୍ତ୍ବଜ୍ଞାନୀ ପୁରୁଷ ତ ସମସ୍ତଙ୍କର ରୂପ ଭିତରେ କେବଳ ଆପଣଙ୍କୁ ହିଁ ଦର୍ଶନ କରନ୍ତି । ଆପଣ ହେଉଛନ୍ତି ଜ୍ଞାନସ୍ବରୂପ ଆତ୍ମା । ସଚରାଚର ଜଗତର କଲ୍ୟାଣ ନିମନ୍ତେ ଆପଣ ଅନେକ ରୂପ ଧାରଣ କରନ୍ତି । ଆପଣଙ୍କର ସେହିସବୁ ରୂପ ବିଶୁଦ୍ଧ, ଅପ୍ରାକୃତ ଓ ସତ୍ତ୍ବମୟ ହୋଇଥାଏ ଏବଂ ସନ୍ଥପୁରୁପମାନଙ୍କୁ ସେସବୁ ରୂପ ଅତ୍ୟନ୍ତ ସୁଖ ପ୍ରଦାନ କରିବା ସହିତ ଦୁଷ୍ଟଜନଙ୍କୁ ସେମାନଙ୍କର ଦୁଷ୍ଟତା ନିମନ୍ତେ ଦଣ୍ଡ ମଧ୍ୟ ଦେଇଥାଏ ; ତେଣୁ ଦୁଷ୍ଟଜନଙ୍କ ନିମନ୍ତେ ସେସବୁ ଅମଙ୍ଗମୟ ମଧ୍ୟ ହୋଇଥାଏ ।