ଗୁରୁଦେବ ସ୍ବାମୀ ଶିବାନନ୍ଦ।
ସଦାଚାର ହିଁ ଜୀବନର ପ୍ରାଣାଧାର
ଜଣେ ବିଚାରବୁଦ୍ଧିସମ୍ପନ୍ନ ମନୁଷ୍ଯ ଅନ୍ଯ ମନୁଷ୍ଯମାନଙ୍କ ପ୍ରତି ତଥା ଅନ୍ଯାନ୍ଯ ପ୍ରାଣୀଙ୍କ ପ୍ରତି କିପରି ଆଚରଣ ପ୍ରଦର୍ଶନ କରିବା ଉଚିତ୍, ନୀତିଶାସ୍ତ୍ରରେ ତାହା ହିଁ ଉଲ୍ଲେଖ ଥାଏ। ସତ୍ଯ କହିବା, ଅହିଂସା ପାଳନ କରିବା, କାୟମନୋବାକ୍ଯରେ କାହାରି କ୍ଷତି ନ କରିବା, କାହାରି ପ୍ରତି କଟୁ ବଚନ ପ୍ରୟୋଗ ନ କରିବା, କାହାରି ପ୍ରତି କ୍ରୋଧ ପ୍ରକାଶ ନ କରିବା, କାହାକୁ ନିନ୍ଦା ନ କରିବା ଓ କାହାକୁ ଭର୍ତ୍ସନା ନ କରିବା ଏବଂ ସମସ୍ତଙ୍କଠାରେ ପରମାତ୍ମାଙ୍କୁ ଦର୍ଶନ କରିବାକୁ ହିଁ ସଦାଚାର କୁହାଯାଏ।
ଅନ୍ଯ ଲୋକକୁ ଭର୍ତ୍ସନା କରିବା, ଅନ୍ଯର ମନରେ ଦୁଃଖଦେବା ଅର୍ଥ ନିଜକୁ ଭର୍ତ୍ସନା କରିବା ଅର୍ଥାତ୍ ନିଜ ଭିତରେ ଥିବା ପରମାତ୍ମାଙ୍କ ମନରେ ଦୁଃଖ ଦେବା ସହିତ ସମାନ। ହିଂସା ତ ଭକ୍ତି ଓ ଜ୍ଞାନର ମାରାତ୍ମକ ଶତ୍ରୁ। ହିଂସା ପାର୍ଥକ୍ଯ ଦର୍ଶନ କରେ ଓ ବିଭେଦ ସୃଷ୍ଟି କରେ। ହିଂସା ଭଗବତୋପଲବ୍ଧି ପଥରେ ପ୍ରତିବନ୍ଧକ ସୃଷ୍ଟି କରେ।
ଯେଉଁ କର୍ମ ବା ପ୍ରୟାସ ଅନ୍ଯମାନଙ୍କର ଉପକାର ସାଧନ କରେ ନାହିଁ, ଯେଉଁ କର୍ମ ନିମନ୍ତେ ଜଣେ ଲୋକକୁ ଲଜ୍ଜିତ ହେବାକୁ ପଡେ, ସେପରି କର୍ମ କଦାପି କରିବା ଉଚିତ୍ ନୁହେଁ। ଯେଉଁ କର୍ମ ସମାଜରେ ପ୍ରଶଂସିତ ହୁଏ, ସେପରି କର୍ମ କରିବା ଉଚିତ୍। ଏହା ହେଉଛି ସଦାଚାରର ସଂକ୍ଷିପ୍ତ ତତ୍ତ୍ବ।
ସଦାଚାର ହେଉଛି ସମୃଦ୍ଧିର ମୂଳ। ସଦାଚାର ସମ୍ମାନ ବୃଦ୍ଧି କରେ। ସଦାଚାର ହିଁ ଆୟୁ ବୃଦ୍ଧି କରେ। ସଦାଚାର ସକଳ ଅନର୍ଥ ଓ ସମସ୍ତ ଅମଙ୍ଗଳ ବିନାଶ କରେ। ଜ୍ଞାନର ଅନ୍ଯ ସମସ୍ତ ବିଭାଗ ଅପେକ୍ଷା ସଦାଚାର ଶ୍ରେଷ୍ଠତର। ଜ୍ଞାନ ହିଁ ଶକ୍ତି, କିନ୍ତୁ ସଚ୍ଚରିତ୍ରବତ୍ତା ହେଉଛି ଶ୍ରେଷ୍ଠତର ଶକ୍ତି।
ସଦାଚାରୀ ମନୁଷ୍ଯ ସର୍ବଦା ଅନ୍ଯର ମଙ୍ଗଳ କରିବାରେ ତତ୍ପର ଥାଆନ୍ତି। ସେ ନିଜ ପଡୋଶୀ ମାନଙ୍କ ସହିତ ତଥା ଅନ୍ଯମାନଙ୍କ ସହିତ ସର୍ବଦା ସୌହାର୍ଦ୍ଦ୍ଯ ରକ୍ଷାକରି ଚଳନ୍ତି। ସେ କଦାପି ମିଥ୍ଯା କହନ୍ତି ନାହିଁ ଏବଂ କସ୍ମିନ୍ କାଳେ କାହାରି ମନରେ ଦୁଃଖ ଦିଅନ୍ତି ନାହିଁ। ସେ ବ୍ରହ୍ମଚର୍ଯ୍ଯ ପାଳନ କରନ୍ତି। ମନର ଦୁଷ୍ପ୍ରବୃତ୍ତିଗୁଡିକୁ ଦମନ କରନ୍ତି ଏବଂ ସଦାଚାରୀ ଜୀବନ ଯାପନ ମାଧ୍ଯମରେ ପରମାତ୍ମାଙ୍କ ସହିତ ମିଳନର ଆନନ୍ଦ ଲାଭ କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରି ଚାଲନ୍ତି।
ସ୍ବାମୀ ଶିବାନନ୍ଦ।