Spread the love

ସଙ୍ଘର୍ଷ
ହଁ,ତୁମେ ଠିକ୍ କହିଛ। ସମୟର ଅପରିପକ୍ଵ ଅଭିଜ୍ଞତା ଭିତରେ ମୁଁ ବୁଝି ପାରି ନଥିଲି ସେହି ଆକର୍ଷଣ ମୋତେ କେଉଁଠୁ ନେଇ କେଉଁଠି ପହଞ୍ଚାଇଦେବ। ସେଥିପାଇଁ ତୁମ ସହିତ ପାଦକୁ ପାଦ ମିଳାଇ ଦୁନିଆଁକୁ ଭୁଲି ଯାଇଥିଲି କେଉଁ ଦୁର୍ବଳ ମୁହୂର୍ତ୍ତରେ ତାହା ଠିକ୍ ଭାବରେ ମନେନାହିଁ। ତେବେ ଯଦି ମୋର ଅନୁମାନ ଭୁଲ୍ ନହୁଏ ସ୍ମୃତିର ଅଳିନ୍ଦରେ ସେହି ଜାଗର ଯାତ୍ରା ମୋ ପାଇଁ ଆଣି ଦେଇଛି ଆଜିର ଏହି ସ୍ଥିତି ଯାହାର ଭଲ ମନ୍ଦର ଆକଳନ କରିବାରେ ହୁଏତ ମୋର କିଛି ତ୍ରୁଟି ରହି ଯାଇଥାଇପାରେ।ତାହା ମୁଁ ସେହି ସମୟ ହାତରେ ସବୁକିଛି ଛାଡ଼ିଦେଇ କାହିଁକି ଯେ ପୁଣି ତୁମ ସହ ପାଦକୁ ପାଦ ମିଳେଇ ଚାଲିବାର ଏକ ଅଜଣା ଆଗ୍ରହ ମନ ଭିତରେ ସୃଷ୍ଟି କରି ଚାଲିଛି ତାହା ମୋତେ ଏବେ ମଧ୍ୟ ଅଜଣା। ତଥାପି ତୁମର ଅବର୍ତ୍ତମାନ ଆବର୍ତ୍ତନରେ ସ୍ମୃତିର ପ୍ରତ୍ୟେକଟି ମୁହୂର୍ତ୍ତକୁ ବିଶ୍ଳେଷଣ କରି ତାର ଘଟଣାବଳୀକୁ ଜୀବନ୍ତ କରି ସେହି ଅତୀତର ସ୍ରୋତରେ ନିଜକୁ ଭସାଇବାରେ ବିସ୍ମିତ ହୁଏ।ତୁମ,ମୋ ଭିତରେ ଥିବା ଅଭୁଲା କେତୋଟି ସଂଳାପର ସମ୍ମୋହନି ଶବ୍ଦ ବିନିମୟ କରିବାରେ ତୁମର ରୂପଚିତ୍ର ଆଙ୍କିଦିଏ ମନ ଭିତରେ କିଛି ତ୍ରୁଟିପୂର୍ଣ୍ଣ ଯନ୍ତ୍ରଣାର ଅନୁଭବ ପାଇଁ।ସେହି ଯନ୍ତ୍ରଣା ଭିତରେ କେବେ କେବେ ହଜି ଯାଇଥିବା ମଣିଷଟିଏର ଉପସ୍ଥିତି ଯେ ଅନୁଭଵ ନକରେ ତାହା ନୁହେଁ।ସେଇ ଅନୁଭୂତି ଟିକକ ପାଇଁ ତ ବଞ୍ଚି ରହିବାର ସ୍ବପ୍ନ ଦେଖେ ଆଉ ତୁମର ସ୍ମୃତିକୁ ସାଇତି ରଖିବାର ଜିଦ୍ ମୋ ଭିତରେ ସୃଷ୍ଟି ହୁଏ।ଜାଣିନି ମୋପରି ଏ ଦୁନିଆଁରେ କେତେ ପ୍ରତାରିତା ଏମିତି ଅନ୍ୟ ଆଖିରେ ସ୍ବପ୍ନ ଦେଖିବାର ପ୍ରୟାସ କରୁଥିବେ?
ହଁ,ଆଉ ଗୋଟିଏ କଥା।ତୁମେ ଯେଉଁଠି ଥାଅନା କାହିଁକି ଯଦି ଭାବୁଥିବ କୁନ୍ତିପରି ସତୀତ୍ବର ଆଢ଼ୁଆଳରେ ଦୁନିଆଁରେ ବଞ୍ଚି ରହିବାର ଅପକୀର୍ତ୍ତିକୁ ଆପଣେଇ ନେବା ଆଧୁନିକତାର ଗୋଟିଏ ଉଗ୍ରତା ହୁଏତ ଏ ସମାଜରେ କିଛି ନୂଆ ନୁହେଁ,ତେବେ ତା ପଛରେ ଜଣେ ନାରୀ ଦୁଇଟି ହୃଦୟ ବହନ କରିବା କଣ ବନାଗ୍ନିର ଜ୍ବଳନକୁ ନିର୍ବାପିତ କରି ପାରିବ? ବନାଗ୍ନି ସେହି ବନଖଣ୍ଡକୁ ହୁଏତ ଗ୍ରାସ କରିବା ପରେ ସେଠାରେ ନୂଆ ବନାନୀର ସବୁଜିମା ଦିନେ ପଥଚାରୀକୁ କେବେ ଆକର୍ଷିତ କରି ପାରେ,ହେଲେ ଗୋଟିଏ ହୃଦୟ ଦଗ୍ଧିଭୂତ ହୋଇଗଲାପରେ ଅନ୍ୟ ହୃଦୟଟିଏ କଣ ସେହି ସ୍ଥାନ ନେଇ ପାରିବ ଆଉଥରେ ନୂତନ ସମ୍ଭାବନାକୁ ଅଂଶୀଦାର କରି?
ବାଘ ମଣିଷ ଖାଏ।ଏହି ଅପବାଦ କେବେ ଲିଭିବା ସମ୍ଭବ ନୁହେଁ। ସେହିପରି ପ୍ରକୃତି ହିଁ ପରିବର୍ତ୍ତନୀୟ। ଏହି ଆପ୍ତବାକ୍ୟ ବୋଧହୁଏ ମୋପାଇଁ ଭୁଲ୍ ସାବ୍ୟସ୍ତ ହୋଇ ସାରିଛି।ଏହା କିଏ କ’ଣ ବିଶ୍ବାସ କରି ପାରିବେ? ତୁମେ ଯେ କେତେ ଶୀଘ୍ର ପରିବର୍ତ୍ତନର ଅଭେଦ୍ୟ ବଳୟଟିଏ ସୃଷ୍ଟି କରିଦେଲ ତାହା ମୋତେ ଆଶ୍ଚର୍ଯ୍ୟ କରିଦେଲା। ତୁମେ କେବେ ଭୁଲି ନଥିବ ମୁଁ ତୁମର ସନ୍ତକ ଧାରଣ କରି ଆଗାମୀ ଜୀବନ ବଞ୍ଚିବାର ପ୍ରୟାସ କରି ଚାଲିଛି ଏ ଦୁନିଆଁର ଅଜଣା ଅଗଣାରେ କେବଳ ଆମ ଦୁଇଜଣଙ୍କର ଅଦେଖା ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ସମାଜ ପରି ଏକ ଅନିଶ୍ଚିନ୍ତ ପୃଷ୍ଠଭୂମିରେ। ଯେଉଁଠି ମୋର ଭୂମିକା ଅପେକ୍ଷା ତୁମର ଭୂମିକାକୁ ଗୁରୁତ୍ଵ ଦିଏ ଜନ ସମାଜ ଏକ ପିତୃ କୈନ୍ଦ୍ରିକ ସ୍ବୀକୃତିର ସୁଦୃଢ ସ୍ଥିତିକୁ ନେଇ। ଯେଉଁଠି ପିଲାଟିଏ ଶିକ୍ଷା ଗ୍ରହଣ କରିବାର ଆଗ୍ରହନେଇ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଗଲେ ସେଠାରେ ତାକୁ ଜାତି,ଗୋତ୍ର,ପୈତୃକ ପରିଚୟ ବ୍ୟତୀତ ତାର ଜନ୍ମଦାତ୍ରୀର ଭୂମିକାକୁ ଗୌଣ କରି ଦିଆଯାଇଥାଏ। ଯେଉଁଠି ରାଧେୟମାନେ ଛଳନାର ବଶବର୍ତ୍ତୀ ହୋଇ ଗୁରୁ ପର୍ଶୁରାମଙ୍କ ନିକଟରେ ନିଜର ପରିଚୟ ଗୁପ୍ତ ରଖନ୍ତି।ଶେଷରେ ସମସ୍ତ ଶକ୍ତି ଥିବା ସତ୍ବେ ଭଗବାନ କୃଷ୍ଣ ମଧ୍ୟ ଅର୍ଜୁନ ମାନଙ୍କୁ ଅପରାଜେୟ କର୍ଣ୍ଣଙ୍କୁ ବଧ କରିବାର ଇଙ୍ଗିତ କରନ୍ତି।ଆଉ ଶେଷରେ ଯଦି ସେଇ ବ୍ୟକ୍ତି ଅପରାଜେୟ ପ୍ରମାଣିତ ହୁଏ ତେବେ ତାଠାରୁ ଗୁରୁ ଦକ୍ଷିଣା ମାଗି ନେଇ ଦୁନିଆଁ ଆଗରେ ତାକୁ ନିଷ୍ପ୍ରୟୋଜନୀୟ ବ୍ୟକ୍ତିଟିଏ ସଜାଇ ଦିଆଯାଏ? ପାରିବ ଏହାର ସଠିକ୍ ଉତ୍ତର ଦେଇ? ତୁମେ ନିଶ୍ଚୟ ବୁଝି ପାରୁଥିବ ତୁମର ସନ୍ତକ କେଉଁ ପରିଚୟ ନେଇ ସମାଜରେ ତାର ସ୍ଥିତି ଜାହିର କରି ପାରିବ? ଆଉ ମୋର ସ୍ଥିତି କେଉଁଠି ଥିବ ହୁଏତ ତାହା ତୁମେ ଠିକ୍ ବୁଝି ପାରୁଥିବ।
ମୋର ବାପା ମାଆଙ୍କର ସେହି ଅତୀତର ନୈଷ୍ଠିକ ଶବ୍ଦଟି ତୁମ ଦ୍ବାରା ଲୋପ ପାଇଯିବା ପରେ ତାର କେନ୍ଦ୍ରବିନ୍ଦୁ ଭାବରେ ମୁଁ ଶବ୍ଦଟିଏ ସେଠାରୁ ବିଲୁପ୍ତ ହୋଇ ଯାଇଛି।ତୁମେ ଖୁବ୍ ଚତୁରତାର ସହିତ ତୁମର ସହକର୍ମୀ ସୁଜାତାକୁ ମାତୃତ୍ଵର ସ୍ବୀକୃତି ଦେବାପରେ ପରେ ଈଶ୍ବରଙ୍କର ନିକଟବର୍ତ୍ତୀ ହୋଇଯାଇଥିଲ କରୋନା ମହାମାରୀର ଆଶ୍ଳେଷରେ।ଯାହା, ମୁଁ ବହୁତ ପରେ ଜାଣିବାକୁ ପାଇଲି ଯେତେବଳେ କରୋନା ମହାମାରୀର ବିସ୍ତୃତ ବଳୟ ଭିତରୁ ବିଶ୍ବ ଟିକିଏ ମୁକ୍ତ ହେଲା।ଜଣେ ନୈଷ୍ଠିକ ବ୍ରାହ୍ମଣ କନ୍ୟା ଭାବରେ ବୈଧବ୍ୟ ବେଶ ପରିପାଟୀରୁ କେବଳ ଦୂରେଇ ରହିବା ମୋର ଉଗ୍ର ଆଧୁନିକତାର ଅହଂଙ୍କାର ନୁହେଁ ବରଂ ତୁମର ସନ୍ତକ ଉପରେ ତାର ପୈତୃକ ପରିଚୟର ଗୋପନୀୟତା ରକ୍ଷା କରିବା ଦୃଷ୍ଟିରୁ ତାହା ଥିଲା ମୋର ଅବ୍ୟକ୍ତ ଯନ୍ତ୍ରଣାର ଅସରନ୍ତି ଅନ୍ତର୍ଦାହ।
ସଂଘର୍ଷର ସଂଜ୍ଞା ଯେ କେବଳ ରକ୍ତପାତ , ମୃତ୍ୟୁ ଓ ଆହତ ମାନଙ୍କୁ ନେଇ ବିଭୀଷିକା ମଧ୍ୟରେ ସୀମିତ ରହେ ତାହା ନୁହେଁ।ନିରବ ଝଡ ମଧ୍ୟ ସୁନାମି ସୃଷ୍ଟି କରିଥାଏ।ସେହି ନିରବତା ମଧ୍ୟରେ ଅନ୍ତର୍ଜ୍ବାଳାର ପ୍ରଭାବ କେତେଟା ମହାଭାରତ ପର୍ବକୁ ପଛରେ ପକାଇ ପ୍ରଳୟ ସୃଷ୍ଟି କରିଥାଏ। ଗୋଟିଏ ଜାତିର ପତନ ତାର ପରିବାରରୁ ସୃଷ୍ଟି ହୋଇଥାଏ,ଯାହା ବାହାରକୁ ସଵୁ ଠିକ୍ ଠାକ୍ ପରି ଲାଗୁଥିଲେ ମଧ୍ୟ ସେଥିରେ ଭରି ରହିଥାଏ କାହାପାଇଁ ଅସୂୟା, ଅସହିଷ୍ଣୁତାର ଭାବ।ସେହି ଜାତି ପୁରୁଷ ପ୍ରଧାନ ସମାଜର ଦର୍ପ ଦମ୍ଭ ଆଗରେ ସର୍ବଂସହାର ଉଦାହରଣ ସୃଷ୍ଟି କରି ବିଲୟ ବଳୟରେ ଅସ୍ତଗାମୀ ସୂର୍ଯ୍ୟପରି ଲୁଚିଯାଏ କେଉଁଠି ତାର ହିସାବ କେହି ରଖେନା।ଆଉ ତା’ପରେ ମାଡିଆସେ ଘନ ଅନ୍ଧକାର ତାର ଜୀବନକୁ ନିଶେଷ କରିଦେବାକୁ।ତାର ଆଖିର ସ୍ବପ୍ନଗୁଡିକ ବିଦ୍ରୁପ କରି ଉଠନ୍ତି ସେହି ଅବଚେତନାର ସୁଯୋଗ ନେଇ।ନା ଥାଏ ସେଥିରେ ବାସ୍ତବତା ନା ଥାଏ ଜୀବନ ଜିଇବାର କିଛି ସଂଙ୍କେତ। ପୁରୁଷ ମାନଙ୍କ ସଫଳତା ପଛରେ ନାରୀ ମାନଙ୍କର ଯେ ଅନେକ ସ୍ବପ୍ନର ମୃତ୍ୟୁ,ଆହତ ଓ ରକ୍ତ ପାତର ଇତିହାସ ସମୃଦ୍ଧ ହୋଇ ରହିଥାଏ ତାହା ସେହି କୋଣାର୍କ କୀର୍ତ୍ତିରାଜି ଏବେବି ମୁକ ସାକ୍ଷୀ ଭାବରେ ଦଣ୍ଡାୟମାନ ହୋଇ ରହିଛି ତାହା କାହାକୁବା ଅଜଣା?
ହଁ, ସୂର୍ଯ୍ୟକାନ୍ତ! ଏହି ସଂଗ୍ରାମ କୌଣସି ମହାଭାରତର କୌରବ ପାଣ୍ଡବଙ୍କ ଯୁଦ୍ଧ ଠାରୁ ମୋ ପାଇଁ ନ୍ୟୁନ ନୁହେଁ।ପୁରୁଷ ପୌରୁଷତ୍ବର ପ୍ରାମାଣିକ ଗର୍ବ,ଅହଂଙ୍କାର ଓ ଔଦ୍ଧତ୍ୟର ଆଭ୍ୟନ୍ତରୀଣ ଦାମ୍ଭିକତା ଯେତେବେଳେ ପରିପ୍ରକାଶ ଘଟେ ସେଥିରେ ଅନେକ ଦ୍ରୌପଦୀ, କୁନ୍ତୀ, ଗାନ୍ଧାରୀ, ଭାନୁମତୀ ଓ ଭୃଶାଳୀଙ୍କ ପରି ନିରୀହା ମାନେ କିପରି ଯନ୍ତ୍ରଣା ଜୁଇରେ ଜଳନ୍ତି ତାହା ଜଣାଇବାକୁ ଚାହୁଁନି।ମୋ ନିଜର ଯନ୍ତ୍ରଣାଣାର ଅନୁଭୂତି ସେମାନଙ୍କର ସମଷ୍ଟିଗତ ଅନୁଭୂତିକୁ ଅତିକ୍ରମ କରିଯିବା ଅନୁଭବ କରୁଛି। ସେଥିରେ କେଉଁ ଧର୍ମ ସଂସ୍ଥାପନ କରିବାର ଉଦ୍ଦେଶ୍ୟରେ ଭଗବାନ ଶ୍ରୀକୃଷ୍ଣ ଅବତାର ନେଇଥିଲେ ତାହା ତାଙ୍କୁହିଁ ଜଣା। ସେହିପରି ଅନ୍ୟ ଏକ ଅବତାରରେ ଅବତୀର୍ଣ୍ଣ ହୋଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଅବତାରର ଉଦ୍ଦେଶ୍ୟ ନାରୀ ସମାଜ ପାଇଁ କେଉଁ ବୃହତର ସଂସ୍କାର ଆଣିଥିଲା ତାହା ଗୋଟିଏ ଗର୍ଭବତୀ ନାରୀର ନୀର୍ବାସନ ଏବଂ ବନବାସୀ ଜୀବନରୁ ସ୍ପଷ୍ଟ ହୁଏ।ତଥାପି ସେହି ନାରୀ ମାତୃତ୍ବର ମମତା ବୋଧକୁ ତୁଚ୍ଛ କରି ଅଗ୍ନି ପରୀକ୍ଷାର ସମ୍ମୁଖିନ ହେବା ଏବଂ ପରିଶେଷରେ ଧାତ୍ରୀ ସୁତାଙ୍କର ପାତାଳୀ ହେବାରେ ନାରୀତ୍ବ ବୋଧର ଯେଉଁ ସତୀତ୍ବର ପ୍ରାମାଣିକ ପରିପ୍ରକାଶ ଯେ ସମାଜ ପାଇଁ କେଉଁ ଗୁରୁତ୍ବ ବହନ କରେ ତାହା ସେହି ସମାଜରେ ତୁମପରି ବଡ଼ପଣ୍ଡା ମାନେହିଁ ଜାଣନ୍ତି।
ବୋଉ ଡାକରେ ହଠାତ୍ ସଂଘମିତ୍ରାଙ୍କ ଭାବନାର ଅନ୍ତଃ ଘଟିଲା। ଭାବନାର ବେଗ ଏତେ କ୍ଷିପ୍ର ଥିଲା ଯେ ସଂଘମିତ୍ରା ସ୍ବାଭାବିକ ସ୍ଥିତିକୁ ଆସିବାରେ ଯେପରି କୌଣସି ଏକ ଅଙ୍କୁଶର ଆଘାତ ପରି ଅନୁଭବ କରୁଥିଲେ।ସୂର୍ଯ୍ୟକାନ୍ତଙ୍କର ଫଟୋଟିକୁ ତକିଆ ଭିତରେ ଲୁଚାଇଦେଇ ଦରଜା ଖୋଲିଲେ ମାଆ ସଂଘମିତ୍ରା ଶତପଥୀ ବନାମ ସଂଘମିତ୍ରା ମଳିକ।କର୍ଣ୍ଣ ଘର ଭିତରକୁ ପଶିଆସି ମାଆଙ୍କର ଆଖିରେ ଗୋଟିଏ ଧାର ଲୁହ ଝରି ଯାଉଥିବାର ଲକ୍ଷ୍ୟ କଲା।ହାତରେ ତାର ଥିଲା ଜିଲ୍ଲା ସ୍ତରୀୟ ବିଗତ ପରୀକ୍ଷାର ଶ୍ରେଷ୍ଠ ବିଦ୍ୟାର୍ଥିର ପ୍ରମାଣପତ୍ର ।ମାଆ ସଂଘମିତ୍ରା ଆଖିର ଅଶ୍ରୁ ବିନ୍ଦୁକୁ ଲୁଚାଇବାର ଅସଫଳ ପ୍ରୟାସ କରି ହସି ହସି କର୍ଣ୍ଣକୁ ଖାଦ୍ୟ ପରିବେଷଣ କରିବାର ପ୍ରୟାସ କରୁଥିଲେ।ଏଇ ହସ କାନ୍ଦର ଅଦ୍ଭୁତ ସଂଯୋଗ କୌଣସି ରାମାୟଣ, ମହାଭାରତର ସଂଘର୍ଷ ଠାରୁ କିଛି କମ୍ ନଥିଲା।
✍️ ସଞ୍ଜୟ 🙏

Leave a Reply

Your email address will not be published. Required fields are marked *