Spread the love

ଶ୍ରୀରାମଚରିତ ମାନସ ଗ୍ରନ୍ଥର ଉତ୍ତର କାଣ୍ଡରେ ଗରୁଡ଼ଜୀ କାକଭୁଷଣ୍ଡୀଜୀଙ୍କୁ ବିନମ୍ର ଭାବରେ ପ୍ରେମର ସହିତ ସାତୋଟି ପ୍ରଶ୍ନ କରିଛନ୍ତି । ନିଜ ସେବକ ମନେକରି ଉତ୍ତର ଦେବାପାଇଁ ଆଗ୍ରହ ପ୍ରକାଶ କରିଛନ୍ତି – ପ୍ରଶ୍ନଗୁଡିକ ହେଲା:-
୧-ସବୁଠାରୁ ଦୁର୍ଲ୍ଲଭ କେଉଁ ଶରୀର ?
୨-ସବୁଠାରୁ ବଡ଼ ଦୁଃଖ କ’ଣ ?
୩- ସବୁଠାରୁ ବଡ଼ ସୁଖ କ’ଣ ?
୪-ସନ୍ଥ ଓ ଅସନ୍ଥର ସହଜ ସ୍ଵଭାବ କଣ ?
୫ – ବେଦରେ ସବୁଠାରୁ ମହାନ୍ ପୂଣ୍ୟ କଣ ?
୬-ସବୁଠାରୁ ଭୟଙ୍କର ପାପ କଣ ?
୭-ମାନସ ରୋଗ କ’ଣ ?
କାକଭୁଷଣ୍ଡିଜୀ ସଂକ୍ଷେପରେ ଉତ୍ତର କଲେ- ୧-ସବୁଠାରୁ ଦୁର୍ଲ୍ଲଭ ମନୁଷ୍ୟ ଶରୀର । ମନୁଷ୍ୟକୁ ଭଗବାନ ବିବେକ ରୂପକ ଦିବ୍ୟଜ୍ଞାନ ଦେଇଛନ୍ତି । ତାର ସଦ୍ ବ୍ୟବହାର କରି ସେ ଜ୍ଞାନ, ବୈରାଗ୍ୟ , ଭକ୍ତି ଓ ସ୍ବର୍ଗ ଅପବର୍ଗ ଲାଭ କରିବାପାଇଁ ସମର୍ଥ ହୋଇ ପାରିବ । ଏହାର ଦୁରୂପଯୋଗ କରି ନର୍କକୁ ଯାଇପାରିବ । ପଶୁତ୍ୱକୁ ପ୍ରାପ୍ତ କରି ପାରିବ ।
୨-ନହିଁ ଦରିଦ୍ର ସମ ଦୁଃଖ ଜଗ ମାହିଁ-ସଂସାରରେ ଦାରିଦ୍ର୍ୟ ଭଳି ଦୁଃଖ ଆଉ କିଛି ନାହିଁ ।ଏଠାରେ ଧନରେ ଦରିଦ୍ର ନୁହଁ । ମୋ ଭାବେ ଚିତ୍ତ ଯା’ର ନାହିଁ , ଉଦ୍ଧବ ଦରିଦ୍ରଟି ସେହି । ହରି ଭଜନ ବିମୁଖ ବ୍ୟକ୍ତି ସବୁଠାରୁ ଦରିଦ୍ର ଅଟେ ।
୩-ସନ୍ଥ ମିଳନ ସମ ସୁଖ ଜଗ ନହିଁ । ସନ୍ଥ ମିଳନ ଠାରୁ ସୁଖ ଆଉ ନାହିଁ। କାରଣ ସତସଙ୍ଗ ଦ୍ୱାରା ମନୁଷ୍ୟକୁ ବିବେକ ପ୍ରାପ୍ତ ହୋଇଥାଏ , ଯାହାଦ୍ୱାରା ମନୁଷ୍ୟ ଜୀବନର ପରମ ଲାଭ ହୋଇଥାଏ ।
୪- ସନ୍ଥ ଅନ୍ୟର ସୁଖ ନିମିତ୍ତ ନିଜେ ଦୁଃଖକୁ ଆଦରି ନିଏ । “ପରଦୁଃଖ ଦ୍ରବହିଁ ସନ୍ଥ ସୁପୁନୀତା ।” ଅସନ୍ଥ ନିଜ ସୁଖ ପାଇଁ ଅନ୍ୟକୁ କଷ୍ଟ ଦେଇଥାଏ ।
“୫, ୬- ଅହିଂସା ମହାନ ପୂଣ୍ୟ ତଥା ପର ନିନ୍ଦା ସବୁଠାରୁ ବଡ଼ ପାପ ବୋଲି ବେଦରେ ଉଦ୍ଘୋଷିତ ହୋଇଛି ।
” ପରମ ଧର୍ମ ଶ୍ରୁତି ବିଦିତ ଅହିଂସା,ପରନିନ୍ଦା ସମ ଅଘ ନ ଗରୀସା । “
୭- ମୋହ ସବୁଠାରୁ ବଡ଼ ମାନସ ରୋଗ । ମୋହ ସକଳ ବ୍ୟାଧିହ୍ନ କର ମୂଲା ,ତିହ୍ନ ହିଁ ତେ ଉପୁଜହିଁ ବହୁ ଶୂଲା । ମୋହରୁ କାମ, କ୍ରୋଧ, ଲୋଭ -ଏଗୁଡିକୁ ବାତ, ପିତ ଓ କଫ ସହିତ ତୁଳନା କରିଛନ୍ତି । ଏଗୁଡ଼ିକ ସମସ୍ତଙ୍କ ଶରୀରରେ ରହିବ । ମାତ୍ର ଅସନ୍ତୁଳନ ହେଲେ ଶରୀରକୁ ନଷ୍ଟ କରିଦିଏ । ମମତାକୁ ଯାଦୁ , ଈର୍ଷା କଣ୍ଡୁ, ହର୍ଷ ବିଷାଦ ଗଳାରୋଗ , ମାତ୍ସର୍ଯ୍ୟ କ୍ଷୟ ରୋଗ,କୁଟିଳତା କୁଷ୍ଠରୋଗ, ଅହଂକାର ଅତ୍ୟନ୍ତ ଦୁଃଖ ଦେଲାବାଲା ଗଣ୍ଠିବାତ , ଦମ୍ଭ, କପଟ, କପଟ , ମାନ ,ମଦ ହେଉଛି ନାନାଦି ସ୍ନାୟୁ ରୋଗ , ତୃଷ୍ଣା ହେଉଛି ଜଳୋଦର ରୋଗ, ତ୍ରିବିଧ ଏଷଣା ,ପୁତ୍ର ,ଧନ, ସମ୍ମାନ ପାଇବାର ତୃଷ୍ଣା ,ହେଉଛି ପାଳିଜ୍ଵର । ଏମିତି ଅନେକ ଅସାଧ୍ୟ ମାନସରୋଗ ଅଛି ।ଗୋଟିଏ ଗୋଟିଏ ରୋଗ ମନୁଷ୍ୟକୁ ଅସହ୍ୟ ଯନ୍ତ୍ରଣା ଦେଇଥାଏ । ତା’ହେଲେ ମନୁଷ୍ୟ ଶାନ୍ତି ପାଇବ କିପରି ? ବେଦରେ ଏହାର ନିରାକରଣ ପାଇଁ ଜପ, ତପ , ନାନାଦି ବ୍ରତର ବିଧାନ ରହିଛି କିନ୍ତୁ ରୋଗକୁ ଚିହ୍ନି ଔଷଧ ଦେବା ବ୍ୟବସ୍ଥା ଅତ୍ୟନ୍ତ କଠିନ ବ୍ୟାପାର । ଯଦି କେବେ ଈଶ୍ଵରଙ୍କ ଅପାର କରୁଣାରୁ ସଦ୍ ଗୁରୁ ମିଳି ଯାଆନ୍ତି ତେବେ ନିରୋଗ ପୂର୍ବକ ପରମ ଶାନ୍ତି ମାର୍ଗ ସୁଗମ ହୋଇଯାଏ । ଜୟ ଜଗନ୍ନାଥ ।

ସ୍ୱାମୀ ଶ୍ରୀ ସଚ୍ଚିଦାନନ୍ଦ ସରସ୍ବତୀ ।
ବ୍ରହ୍ମଚାରୀ ଆଶ୍ରମ, ବ୍ରାହ୍ମଣୀ ଦେଈ, କଣିହାଁ, ଅନୁଗୁଳ ।

Related Post

Leave a Reply

Your email address will not be published. Required fields are marked *

You Missed