Spread the love

ରଥ ନିର୍ମାଣରେ ସେବକ ମାନଙ୍କ ଭୂମିକା

ବଢ଼େଇ ମହାରଣା

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ୧୦୫ ନମ୍ବର ସେବାରେ ବଢ଼େଇ ମହାରଣାମାନଙ୍କ ସମ୍ପର୍କେ ଉଲ୍ଲେଖ ରହିଛି। ଏମାନଙ୍କ ମଧ୍ୟରେ ସୁତାର, ତଳି ମହାରଣା, ମହାରଣା, ରଥ ଅମିନ ଭାବରେ ରଥ ନିର୍ମାଣରେ ସଂମ୍ପୃକ୍ତ ରହି କାର୍ଯ୍ୟ କରିଥାନ୍ତି। ରଥ ନିର୍ମାଣ ଅନୁକୂଳଠାରୁ ବାହୁଡା ଯାତ୍ରା ଶେଷ ଯାଏଁ ମହାରଣା ସେବକମାନେ ରଥ ନିର୍ମାଣ, ରଥଟଣା ଇତ୍ୟାଦି କାର୍ଯ୍ୟରେ ନିଯୋଜିତ ରହିଥାନ୍ତି। ୩୪ଗୋଟି ଅଙ୍ଗ ବିଶିଷ୍ଟ ତିନୋଟି ରଥର ନିର୍ମାଣ ନିମନ୍ତେ ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ମୂଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଜଣେ ଲେଖାଏଁ ସୁତାର ମହାରଣା, ତଳି ମହାରଣା ନିୟୋଜିତ ହୋଇ କାର୍ଯ୍ୟ କରିଥାନ୍ତି। ଏତଦବ୍ୟତୀତ ରଥ କାଠର ମାପଚୁପ ଦେଖିବା ପାଇଁ ଜଣେ ରଥ ଅମୀନ ମଧ୍ୟ ରହନ୍ତି।

ଓଝା ମହାରଣା

ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ସେବା ନଂ ୧୦୧ରେ ଓଝା ମହାରଣା ସେବା ବିଷୟ ଉଲେଖ ରହିଛି। ସମ୍ପ୍ରତି ମାତ୍ର ଚାରି ଘର ଏହି ଓଝା ମହାରଣା ସେବା ନିର୍ବାହ କରୁଛନ୍ତି। ତିନି ରଥ ବାଡ଼ଗ୍ରାହୀ ଭାବେ ଯଥାକ୍ରମେ ଜଗନ୍ନାଥଙ୍କ ରଥ ପାଇଁ ପଥୁରିଆ ସାହିର ଦାଶରଥି ମହାରଣା, ବଳଭଦ୍ରଙ୍କ ରଥ ପାଇଁ ପଥୁରିଆ ସହିର କାଶିନାଥ ମହାରଣା, କୁନିଆ ମହାରଣା ଓ ସୁଭଦ୍ରାଙ୍କ ରଥର ବାଡ଼ଗ୍ରାହୀ ଭାବେ କ୍ଷୀରୋଦ ମହରଣା (ଧାନକୁଟି ସାହି, ପୁରୀ) ଓଝା ମହାରଣା ସେବା କାର୍ଯ୍ୟ କରୁଥିବା ଜଣାଯାଏ। ପ୍ରତି ବର୍ଷ ରଥ ନିର୍ମାଣ ସମୟରେ ତିନି ରଥରେ ବ୍ୟବହୃତ ହେଉଥିବା ସମସ୍ତ ଲୁହାକଣ୍ଟା, ବଳା,ପନ୍ଦାରି ଯୋଗାଇବା ବ୍ୟତୀତ ରଥଯାତ୍ରା ପୂର୍ବ ଦିନ ରଥ ଖଳାରୁ ସିଂହଦ୍ୱାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକ ଚାନ୍ଦୁଆ ବାନ୍ଧିଥାନ୍ତି। ଅକ୍ଷୟ ତୃତୀୟାଠାରୁ ପରମ୍ପରା ଅନୁଯାୟୀ ଓଝା ମହାରଣା ସେବକମାନେ ଶାଢ଼ୀ଼ ବନ୍ଧାଇ ଏବଂ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ମହାପ୍ରସାଦ ଓ ନଡ଼ିଆ ଗ୍ରହଣ କରି ଦୋଳବେଦୀଠାରେ ଶାଳ ଅନୁକୂଳ କରିଥାନ୍ତି। ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ସମୟରେ ଏହି ସେବକ ତିନୋଟି ଟାଙ୍ଗିଆ ମଧ୍ୟ ଯୋଗାଇଥାନ୍ତି। ଏହାର ଦୁଇ ତିନିଦିନ ପରେ ଦୋଳବେଦୀଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରୀ ଦିନ ପନ୍ଦାରି, ଜୋକିଆ, ହୁକର ମଧ୍ୟ ଅନୁକୂଳ କରାଯାଇଥାଏ। ଏହି ସବୁ କାର୍ଯ୍ୟ ଦୋଳବେଦୀ କୁଞ୍ଜ ଭିତରେ ହୋଇଥାଏ। ପ୍ରତି ଦିନ ମୋଟ ୧୮ ଜଣ ଓଝା ମହାରଣା ଓ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଥିବା ଶ୍ରମିକ ନିୟୋଜିତ ହୋଇଥାଏ। ନିଜ ନିଜ ରଥର ବାଡ଼ଗ୍ରାହୀ ଓଝା ମହାରଣାମାନଙ୍କ ତତ୍ତ୍ୱାବଧାନରେ ପ୍ରତି ଚକ ପାଇଁ ଅରକଣ୍ଟା ୩୨ଟା, ପନ୍ଦାରି ୨ଟା ଓ ୨ଟି ଲେଖାଏଁ ବଳା ନିର୍ମାଣ କରାଯାଇ ରଥଖଳାକୁ ଯୋଗାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ଲୁହା ରଡ଼୍ ଓ ପ୍ଲେଟରେ ଓଝା ମହାରଣା ସେବକମାନେ ପ୍ରତିରଥର ଅଖ ଓ ଦଣ୍ଡାରେ କଣ୍ଡା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଧ୍ୱଜ ରଥ ପାଇଁ ୯ ଗଣ୍ଡା ୨ଟା ଓ ଦେବଦଳ୍ନ ରଥ ପାଇଁ ୭ ଗଣ୍ଡା ୨ଟା ବିଡିଆ କଣ୍ଟା ଶାଳ ପ୍ରସ୍ତୁତ କରିଥାନ୍ତି। ଏତଦବ୍ୟତୀତ ପାରାଭାଡ଼ି ନିର୍ମାଣ ସମୟରେ ପୋଟଳ ଉପରେ ବାଗିଆ ବାଡେଇଥାନ୍ତି। ଅନ୍ୟାନ୍ୟ ଲୁହାରେ ନିର୍ମିତ କଣ୍ଟା ମଧ୍ୟରେ ତାଗକଣ୍ଟା, ତାର ପରିଚ୍ଛା କଣ୍ଟା, ଦୁଆର ବେଢା଼ କଣ୍ଟା, ବେଢା଼ କଣ୍ଟା, ଜଙ୍ଘା ଓ ନାରାଜ କଣ୍ଟା, ଗୋଡି଼ଛାଲ ଇତ୍ୟାଦି ବିଭିନ୍ନ କିସମର କଣ୍ଟା ଏକ ସ୍ୱତନ୍ତ୍ର ଶୈଳୀରେ ଓଝା ମହାରଣାଙ୍କଦ୍ୱାରା ନିର୍ମିତ ହୋଇଥାଏ। ପ୍ରତି ବର୍ଷ ପ୍ରଶାସନ ପକ୍ଷରୁ ଓଝା ମହାରଣାଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପାରିଶ୍ରମିକ ରୂପେ ପ୍ରଦାନ କରାଯାଇଥାଏ। ରଥଯାତ୍ରା ସମୟରେ ଯଦି ଚକ କିମ୍ବା ଅନ୍ୟାନ୍ୟ ମରାମତି କାର୍ଯ୍ୟ ଆବଶ୍ୟକ ପଡେ, ଓଝା ମହାରଣା ମନେ ଆବଶ୍ୟକୀୟ ଲୁହା କଣ୍ଟା ଓ କ୍ଲାମ୍ପ ଇତ୍ୟାଦି ଜରୁରୀକାଳୀନ ଭାବେ ନିର୍ମିତ କରି ଯୋଗାଇଥାନ୍ତି। ଏତଦବ୍ୟତୀତ ଅଣସର ସମୟରେ ଅଣସର ଗୃହକୁ ଯିବା ନିମନ୍ତେ ସହସ୍ର (ଲୁହାରେ ନିର୍ମିତ ଏକ ଅସ୍ତ୍ର) ନିର୍ମିତ କରି ପତନି ଶାଢ଼ୀ଼ରେ ବାନ୍ଧି ଦଇତାପତିଙ୍କ ଜିମାରେ ଦେଇଥାନ୍ତି। ଏହି କାର୍ଯ୍ୟ ହେଲା ବେଳେ ଓଝା ମହରଣାମାନେ ହବିଷାନ୍ନ କରି ଅତ୍ୟନ୍ତ ନିୟମ ନିଷ୍ଠାର ସହିତ ରହିଥାନ୍ତି। ସମ୍ପ୍ରତି ଓଝା ମହାରଣାଙ୍କଦ୍ୱାରା ପ୍ରସ୍ତୁତ ଶାଳ ଦୋଳବେଦୀ କୁଞ୍ଜଠାରେ ହେଇଥିବା ଜଣାଯାଏ।

ଅନ୍ୟାନ୍ୟ ସେବକ

ରଥ ଭୋଇ :ସେବା ନଂ ୯୭ରେ ରଥ ଭୋଇ ସେବା ସମ୍ପର୍କରେ ସବିଶେଷ ବିବରଣୀ ଲିପିବଦ୍ଧ ରହିଛି। ରଥ କାମରେ ଯେତେ ମୁଲିଆ ଦରକାର ହୁଏ ଏ ସର୍ଦ୍ଦାର ଭୋଇମାନେ ନିଜେ କାମ କରନ୍ତି ଓ ଅନ୍ୟ ମୁଲିଆ ଲଗାଇ କାମ କରାନ୍ତି। ରଥଖଳାର ଛାମୁଣ୍ଡିଆ ତିଆରି କରିବା ଓ ଅନ୍ୟାନ୍ୟ ରଥ କାଠ ବୋହିବା ସଙ୍ଗେ ସଙ୍ଗେ ରଥ ନିର୍ମାଣ ଓ ରଥଟଣାରେ ସକ୍ରିୟ ଅଂଶ କରିଥାନ୍ତି।
ଦରଜୀ ସେବା : ସ୍ୱତ୍ତ୍ୱଲିପିର ୯୫ ନଂ ସେବାରେ ଦରଜୀ ସେବକଙ୍କ କାର୍ଯ୍ୟ ସମ୍ପର୍କରେ ବିବରଣ ରହିଛି। ରଥର ମଣ୍ଡଣି, ଚାନ୍ଦୁଆ ଇତ୍ର୍ୟାଦି ସିଲାଇ କାର୍ଯ୍ୟ ଦରଜୀ ସେବକମାନେ କରିଥାନ୍ତି।
ତାମରା ବିଶୋଇ : (ସେବା ନଂ ୯୦) ଉକ୍ତ ସେବକ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବିଧି ଅନୁସାରେ ତାମ୍ରପଟା ଇତ୍ୟାଦି ତିଆରି କରି ବାହୁଟ ଓ ସେନାପଟାରେ ତାମରା ଦିଅନ୍ତି।
କରତିଆ: (ସେବା ନଂ ୯୧) ରଥ ନିର୍ମାଣ ପାଇଁ ତୁମ୍ବ କାଟିବା ଓ ରଥର କାଠ ପଟା କାମ କରିଥାନ୍ତି। ଏ ସେବକ ନିଜେ କରତି କାମ କରନ୍ତି ଓ ଅନ୍ୟ କରତିଆକୁ କାମ କରିବାକୁ ଯୋଗାଇ ଦିଅନ୍ତି।
ରୂପକାର: (ସେବା ନଂ ୮୮) ରଥ ନିର୍ମାଣରେ ଯେତେ ରୂପ କାର୍ଯ୍ୟ ପଡେ, ଏହି ସେବକ ତାହା କରିଥାନ୍ତି। ଏପରିକି ନବକଳେବର ବର୍ଷମାନଙ୍କରେ ସାରଥୀ, ସଖୀ, ଓଲଟ ଶୁଆ, କଳସ ଓ ପାର୍ଶ୍ୱ ଦେବତା ନିର୍ମାଣ ଏହି ସେବକଙ୍କଦ୍ୱାରା ତିଆରି ହୋଇଥାଏ। ରଥଟଣା ପୂର୍ବରୁ ଘୋଡ଼ା ବନ୍ଧା କାର୍ଯ୍ୟ ଏହି ସେବକଙ୍କର ଅଟେ।
ଚିତ୍ରକାର : (ସେବା ନଂ ୮୭) ଏହି ସେବକ ରଥବାଡ଼, ପାର୍ଶ୍ୱ ଦେବଦେବୀ, ଓଲଟ ଶୁଆ, କଳସ ଓ ରଥରେ ପରମ୍ପରା ଅନୁଯାୟୀ ଅନ୍ୟାନ୍ୟ ସମସ୍ତ ଚିତ୍ର କାର୍ଯ୍ୟ କରିଥାନ୍ତି।

Related Post

Leave a Reply

Your email address will not be published. Required fields are marked *