ଅନନ୍ୟ ଶ୍ରୀମନ୍ଦିର: ଗୋପୀତିଳକ ରାସ
ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ଅନ୍ୟନାମ ‘ଶ୍ରୀମନ୍ଦିର’। ଏହାର ସିଂହଦ୍ବାର ତୋରଣରେ ଦେବୀ ଲକ୍ଷ୍ମୀ ବିରାଜମାନା। ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ। ଶ୍ରୀମନ୍ଦିରର ରତ୍ନବେଦୀରେ ମଧ୍ୟ ଭୂଦେବୀଙ୍କ ସହିତ ଶ୍ରୀଦେବୀ ବିରାଜିତା। ପୁଣି ଶ୍ରୀଜଗନ୍ନାଥ ଭୈରବ ହେଲେ ଦେବୀ ବିମଳା ଭୈରବୀ। ଏହା ସତ୍ତ୍ବେ ଶ୍ରୀମନ୍ଦିରର ରୀତିନୀତିରେ ଶ୍ରୀରାଧାଙ୍କର ଉପସ୍ଥିତି କିଛି କମ୍ ନୁହେଁ।
ପ୍ରତିବର୍ଷ ଶ୍ରୀଜଗନ୍ନାଥ ମନ୍ଦିରରେ ଆଶ୍ବିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ମାସ ବ୍ୟାପୀ ଶ୍ରୀଜିଉମାନଙ୍କର ରାଧା-ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଦ୍ବାଦଶ ଶତାବ୍ଦୀ ପରଠାରୁ, ଶ୍ରୀଜୟଦେବଙ୍କ ଗୀତଗୋବିନ୍ଦର ନାୟିକା ଶ୍ରୀରାଧା ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିବା ସହିତ ଶ୍ରୀମନ୍ଦିରର ରୀତିନୀତିରେ ମଧ୍ୟ ପ୍ରବେଶ କରିଥିଲେ। ତାହାର ପ୍ରଭାବରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଏହି ମାସବ୍ୟାପୀ ରାଧା-ଦାମୋଦର ବେଶ ହେଉଥିବା ଜଣାଯାଏ।
ରାଧା-କୃଷ୍ଣ ଲୀଳାର ଏକ ମୁଖ୍ୟ ବିଭାବ ହେଉଛି ରାସ। ଏହା ଗୋପୀମାନଙ୍କ ସହିତ ଶ୍ରୀକୃଷ୍ଣଙ୍କର ମଣ୍ଡଳାକାର ନୃତ୍ୟ। ଏହାର ଅନେକ ରୋଚକ ବର୍ଣ୍ଣନା ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟରେ ଅଛି। ‘ଶ୍ରୀମଦ୍ଭାଗବତ’ରେ ମଧ୍ୟ ଏହାର ସୁନ୍ଦର ବର୍ଣ୍ଣନା ରହିଛି। କିନ୍ତୁ ‘ଭାଗବତ’ରେ ରାଧା ଅନୁପସ୍ଥିତା। ଗୋପୀମାନଙ୍କୁ ନେଇ ହିଁ ଶ୍ରୀକୃଷ୍ଣ ସେଥିରେ ଶରତରାସ କରିଛନ୍ତି।
ଶ୍ରୀମନ୍ଦିରରେ ମଧ୍ୟ ଶରତରାସ ଅନୁଷ୍ଠିତ ହୁଏ। କାର୍ତ୍ତିକ ଶୁକ୍ଳ ଦଶମୀ ଦିନ, ରତ୍ନବେଦୀରେ ମାସବ୍ୟାପୀ ହେଉଥିବା ରାଧା-ଦାମୋଦର ବେଶ ଶେଷହୁଏ। ତାହାର ଗୋଟିଏ ଦିନ ପରେ, କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ ଶରତରାସ ଅନୁଷ୍ଠିତ ହୁଏ। ଏଥିନିମନ୍ତେ ଶ୍ରୀଜଗନ୍ନାଥ ଶ୍ରୀମଦନମୋହନଙ୍କୁ ଆଜ୍ଞାମାଳ ଦିଅନ୍ତି। ସଂଧ୍ୟାଧୂପ ପରେ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ ଶରତରାସ ନିମନ୍ତେ ଶ୍ରୀମନ୍ଦିରର ଜଗମୋହନ ଖଟରେ ବିଜେ ହୁଅନ୍ତି। ସେଠାରେ ତାଙ୍କୁ ଭୋଗଲାଗି ଓ ବନ୍ଦାପନା କରାଯିବା ପରେ ତାଙ୍କର ବାହୁଡ଼ା ବିଜେ ହୁଏ। ଏହି ନୀତି ତ୍ରୟୋଦଶୀ ଦିନ ମଧ୍ୟ ହୋଇଥାଏ। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମଧ୍ୟ, ଆଷାଢ଼ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ଶ୍ରୀମଦନମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ସେଠାରେ ଥିବା ନାଟମଣ୍ଡପ ନିକଟ ସ୍ବତନ୍ତ୍ର ପିଣ୍ଡିରେ ବିଜେ ହୁଅନ୍ତି। ତାହାକୁ ମଧ୍ୟ ରାସ କୁହାଯାଏ। କିନ୍ତୁ ଶ୍ରୀମନ୍ଦିରରେ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ହୁଏ ‘ଗୋପୀତିଳକ ରାସ’। ଏଥିରେ କିନ୍ତୁ ଶ୍ରୀଦେବୀ ଓ ମଦନେମାହନ ଉଭୟେ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପାଇ ଜଗମୋହନ ଖଟରେ ବିଜେ ହୁଅନ୍ତି। ସେଠାରେ ଭୋଗ ଓ ବନ୍ଦାପନା ପରେ, ଶ୍ରୀଦେବୀ ରତ୍ନସିଂହାସନକୁ ଓ ଶ୍ରୀମଦନମୋହନ ଦକ୍ଷିଣିଘରକୁ ବାହୁଡ଼ନ୍ତି। ଗୋପୀମାନଙ୍କର ତିଳକ ହେଉଛନ୍ତି ରାଧାରାଣୀ। ତେଣୁ ଏହି ନୀତିରେ ମଧ୍ୟ ରାଧାକୃଷ୍ଣ ରାସଲୀଳାର ପ୍ରଭାବ ଲକ୍ଷ୍ୟ କରାଯାଏ। ‘ଗୋପୀତିଳକ ରାସ’ ଭାରତର ରାସ ପରମ୍ପରାରେ ସ୍ବତନ୍ତ୍ର ଏବଂ ଏହା ଶ୍ରୀମନ୍ଦିରର ଏକ ଅନନ୍ୟ ପରମ୍ପରା।