ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ
ପତିତପାବନ
ଶ୍ରୀଜଗନ୍ନାଥଙ୍କ ସହସ୍ର ନାମ ମଧ୍ୟରୁ ‘ପତିତପାବନ’ ନାମର ସ୍ୱାତନ୍ତ୍ର୍ୟ, ବୈଶିଷ୍ଟ୍ୟ, ମୂଲ୍ୟବୋଧ ଓ ମହନୀୟତା ଅବର୍ଣ୍ଣନୀୟ। ଏହି ନାମଟିର ସ୍ମରଣ, ମନନ ଓ ଉଚ୍ଚାରଣ ମାତ୍ରେ ହୃଦୟ ବ୍ୟାକୁଳତାରେ ଭରିଉଠେ, ପ୍ରାଣ ଉଦ୍ବେଳିତ ହୋଇଉଠେ ଓ ନୟନ ତାଙ୍କ ଦର୍ଶନ ନିମିତ୍ତ ଅଧୀର ହୁଏ। ତାଙ୍କ ବଡ଼ଦାଣ୍ଡରେ ଛିଡ଼ାହୋଇ ନୀଳଚକ୍ର ଉପରେ ଫରଫର ହୋଇ ଉଡ଼ୁଥିବା ପତିତପାବନ ବାନା ଦର୍ଶନ ନ କଲେ ଚତୁର୍ଦ୍ଦିଗ ଅନ୍ଧକାର ଦିଶେ। ତାଙ୍କ ଆନନ୍ଦବଜାରରେ ମହାପ୍ରସାଦ ସେବନ ନ କଲେ ପ୍ରାଣର କ୍ଷୁଧା ମେଣ୍ଟେନାହିଁ। ତାଙ୍କ ଗରୁଡ଼ଖମ୍ବକୁ କୁଣ୍ଢାଇ ମୁଖାରବିନ୍ଦ ଦର୍ଶନରେ ହିଁ ଆତ୍ମସନ୍ତୋଷ ମିଳିଥାଏ।
ଶ୍ରୀଜଗନ୍ନାଥ ତାଙ୍କ ଦାରବୀ ଲୀଳାରେ ପତିତପାବନ ନାମ ଧରି ପତିତପାବନତ୍ୱକୁ ହିଁ ପ୍ରମାଣ କରିଛନ୍ତି। ତାଙ୍କ ଦିବ୍ୟ ଦାରବୀ ଲୀଳାର ମହତ୍ ଉଦ୍ଦେଶ୍ୟ ହେଉଛି ‘ସର୍ବେଷାଂ ପାବନଂ ମହଦ୍’। ଯୁଗେ ଯୁଗେ ପତିତମାନଙ୍କୁ ପାବନ କରି ସେ ହେଉଛନ୍ତି ପତିତପାବନ। ଆମେ ପତିତ କହିଲେ ଯାହା ବୁଝୁ ତାହା ତାଙ୍କଠାରେ ପାବନ ଭାବରେ ପ୍ରତିଷ୍ଠିତ। ତାଙ୍କ ଦିବ୍ୟଦୃଷ୍ଟିରେ ଯିଏ ପତିତ, ସେ ହିଁ ପବିତ୍ର। ତାଙ୍କ ବାନା ହେଉଛି ପତିତପାବନ ବାନା। ତାଙ୍କ ପାଖରେ ସାନ, ବଡ଼, ରୋଗୀ, ଭୋଗୀ, ଧନୀ, ଦରିଦ୍ର, ଜାତି, ଅଜାତି, ଦେଶୀ ଓ ବିଦେଶୀର ଭାବ ନାହିଁ। ତାଙ୍କ ଚକାନୟନ ପାଇଁ ସଭିଏଁ ସମାନ। ତାଙ୍କ ଘୋଷଯାତ୍ରାର ନାମ ପତିତପାବନ ଯାତ୍ରା। ଅଗଣିତ ପତିତଙ୍କୁ ପାବନ କରିବାର ମହାଭିପ୍ରାୟରେ ସେ ଶ୍ରୀମନ୍ଦିରର ଐଶ୍ୱର୍ଯ୍ୟଲୀଳା ପରିହାର କରି ପତିତପାବନତୀର୍ଥ ବଡ଼ଦାଣ୍ଡରେ ବିଜେ ହୋଇଥା’ନ୍ତି। ଅଗଣିତ ପତିତଙ୍କର ସେ ଏକାନ୍ତ ଆପଣାର ହୋଇଯାଆନ୍ତି। ନିଜକୁ ପତିତ ଭାବିଲେ ହିଁ ତାଙ୍କ ପାବନ ମୂର୍ତ୍ତିର ଦିବ୍ୟଦର୍ଶନ ମିଳିଥାଏ। ତାଙ୍କ ସେବା ସଂପନ୍ନ କରିବାକୁ ଗଜପତି ମହାରାଜ ସକଳ ରାଜକୀୟ ସ୍ୱାଭିମାନ ପରିତ୍ୟାଗ କରି ପତିତ ହୋଇଯାନ୍ତି। ଶ୍ରୀଜଗନ୍ନାଥଙ୍କ ଏହି ପତିତପାବନ ଲୀଳାରେ ସମଦୃଷ୍ଟି ସଂପନ୍ନ ମାନବିକ ମୂଲ୍ୟବୋଧ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ।