ରାଧା-ଦାମୋଦର ବେଶ
ପୁରୀ, ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ପାଳିତ ହୋଇଥାଏ ବିଶେଷ ନୀତି। ଏହା ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୁଏ। ଏହି ମାସାଧିକ କାଳ ମଧ୍ୟରୁ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ ‘ରାଧା-ଦାମୋଦର ବେଶ’। ଭଗବାନ ବିଷ୍ଣୁଙ୍କର ବାରମାସରେ ଯେଉଁ ବାରଟି ନାମ, ସେଥି ମଧ୍ୟରୁ କାର୍ତ୍ତିକ ମାସର ନାମ ‘ଦାମୋଦର’।
ଏହି ନାମର ରହିଛି ଭିନ୍ନ ଭିନ୍ନ ଅର୍ଥ। ସେଥିରୁ ଗୋଟିଏ ହେଉଛି- ‘ଦାମ’ର ଅର୍ଥ ବିଶ୍ୱ। ସମଗ୍ର ବିଶ୍ୱ ଯାହାଙ୍କର ଉଦରରେ ସ୍ଥିତ, ସେ ‘ଦାମୋଦର’। ଅନ୍ୟ ଅର୍ଥ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସହ ସଂପୃକ୍ତ। ତାହା ଅନୁସାରେ, ମା’ ଯଶୋଦା ତାଙ୍କର ଉଦରରେ ‘ଦାମ’ ବା ରଜ୍ଜୁ ବାନ୍ଧି, ସେହି ରଜ୍ଜୁକୁ ଦୁଇ ଅର୍ଜୁନବୃକ୍ଷ (ଯାମଳାର୍ଜୁନ)ରେ ବାନ୍ଧି ଦେଇଥିଲେ। ତେଣୁ ତାଙ୍କର ନାମ ‘ଦାମୋଦର’। ସେହି ଲୀଳାରେ ଶିଶୁକୃଷ୍ଣ ଯାମଳାର୍ଜୁନ ଭଙ୍ଗ କରିଥିଲେ।
ରାଧାଙ୍କର ଶ୍ରଦ୍ଧାନାମ ‘ରାଈ’। ‘ରାଈ-ଦାମୋଦର’ ଅର୍ଥ ‘ରାଧା-କୃଷ୍ଣ’। ରାଧା-କୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ପୂଜା କାର୍ତ୍ତିକ ମାସର ଏକ ବିଧି ବୋଲି ‘ପଦ୍ମପୁରାଣ’ରେ ବର୍ଣ୍ଣିତ ଅଛି। ସେଥିପାଇଁ କାର୍ତ୍ତିକ ମାସରେ ରାଈ-ଦାମୋଦର ବ୍ରତ ପାଳନ କରାଯାଏ।
କିନ୍ତୁ ଏହି ମାସରେ ଶ୍ରୀମନ୍ଦିରରେ ରାଧା-ଦାମୋଦର ବେଶ ଅନୁଷ୍ଠିତ ହେବା ତାତ୍ପର୍ଯ୍ୟପୂର୍ଣ୍ଣ। ‘ରାଧା-ଦାମୋଦର’ ‘ରାଈ-ଦାମୋଦର’ ଭାବରେ ମଧ୍ୟ କଥିତ ହୁଏ। କାରଣ ରାଧାଙ୍କର ଶ୍ରଦ୍ଧାନାମ ‘ରାଈ’। ‘ରାଈ-ଦାମୋଦର’ ଅର୍ଥ ‘ରାଧା-କୃଷ୍ଣ’। ରାଧା-କୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ପୂଜା କାର୍ତ୍ତିକ ମାସର ଏକ ବିଧି ବୋଲି ‘ପଦ୍ମପୁରାଣ’ରେ ବର୍ଣ୍ଣିତ ଅଛି।
ସେଥିପାଇଁ କାର୍ତ୍ତିକ ମାସରେ ରାଈ-ଦାମୋଦର ବ୍ରତ ପାଳନ କରାଯାଏ ଏବଂ ଏହି ବ୍ରତର ବିଧି ରୂପେ ରାଧା-କୃଷ୍ଣ ଯୁଗଳ ଉପାସନା ସହିତ ପ୍ରାତଃସ୍ନାନ, ତୁଳସୀ ସେବନ, ପ୍ରାତଃ ଓ ସନ୍ଧ୍ୟାରେ ତୁଳସୀ ଚଉରାମୂଳେ ଦୀପଦାନ କରାଯାଏ। ସେହି ଅବସରରେ ଶ୍ରୀମନ୍ଦିରରେ ‘ରାଧା-ଦାମୋଦର’ (ବା ‘ରାଈ-ଦାମୋଦର’) ବେଶ ଅନୁଷ୍ଠିତ ହୁଏ। ଏହି ବେଶରେ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରନ୍ତି। ତାଙ୍କର ଶ୍ରୀହସ୍ତରେ ଲାଗିହୁଏ ନଳୀଭୁଜ। ବାଉଁଶ ପାତିଆ ଓ କନାରେ ନିର୍ମିତ ‘ତ୍ରିମୁଣ୍ଡି’ଚୂଳ ମସ୍ତକରେ ଲାଗି ହୁଏ। ସେହି ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କର୍ଣ୍ଣରେ କୁଣ୍ଡଳ, କଟିରେ ଓଡ଼ିଆଣୀ, ମସ୍ତକରେ ତଡ଼ଗି, ଚନ୍ଦ୍ରସୂର୍ଯ୍ୟ ଓ ଚିତା ଆଦି ସ୍ୱର୍ଣ୍ଣ ଅଳଙ୍କାର ଶୋଭାପାଏ।