ଚକ୍ଷୁହୀନ ଧୃତରାଷ୍ଟ୍ରଙ୍କୁ ବିବାହ କରିସାରିବାପରେ, ଗାନ୍ଧାରୀ ନିଜ ଆଖିରେ ପଟି ବାନ୍ଧି ଦୃଶ୍ୟଶକ୍ତି ରହିତ ହୋଇଥିଲେ। ତାଙ୍କର ସ୍ୱାମୀଙ୍କ ପ୍ରତି ଏପରି ନିଷ୍ଠାରେ ସନ୍ତୁଷ୍ଟ ହୋଇ ଶିବ ଭଗବାନ ତାଙ୍କୁ ଆଶୀର୍ବାଦ ଦେଇଥିଲେ ଯେ ” ସେ ଆଖି ଖୋଲିବାପରେ ପ୍ରଥମରେ ଯେଉଁ ନିବସ୍ତ୍ର(ଲଙ୍ଗଳା) ବ୍ୟକ୍ତିଙ୍କୁ ଦେଖିବେ, ତାଙ୍କ ଶରୀର ବଜ୍ର ଭଳି ଟାଣ ହୋଇଯିବ ଓ ତାଙ୍କଠାରେ କୈାଣସି ଅସ୍ତ୍ର କାମ ଦେବନାହିଁ।
“ଦୂର୍ଯ୍ୟୋଧନ ଯୁଦ୍ଧରେ ହାରୁଥିବାରୁ ନିବସ୍ତ୍ର (ସଂପୂର୍ଣ୍ଣ ଲଙ୍ଗଳା) ହୋଇ ନିଜ ମା ଗାନ୍ଧାରୀଙ୍କ ସମ୍ମୁଖକୁ ଯାଇ ଆଖିର ପଟି ଖୋଲିବାକୁ ଅନୁରୋଧ କରିବେ” ଭଳି ଖବରଟିଏ ପାଇ ଶ୍ରୀକୃଷ୍ଣ ” ନିଜ ମା ଆଗରେ ଜଣେ ଯୁବକପୁତ୍ର ସଂପୂର୍ଣ୍ଣ ଲଙ୍ଗଳା ହୋଇ ଉପସ୍ଥିତ ରହିବା ପାପ” ଭଳି ଉପଦେଶଟିଏ ଦୁର୍ଯ୍ୟୋଧନଙ୍କ ପାଖକୁ ପଠାଇବାପରେ, ଦୁର୍ଯ୍ୟୋଧନ ନିଜର ଗୁପ୍ତାଙ୍ଗ ତଥା ତତସଲଗ୍ନ ଜାନୁ ଅଞ୍ଚଳକୁ ପତ୍ରରେ ଆଚ୍ଛାଦିତ କରି ଗାନ୍ଧାରୀଙ୍କ ଆଗରେ ଠିଆହୋଇ ନିଜ ମା’ଙ୍କୁ ଆଖିରୁ ପଟି ଖୋଲିବାକୁ ଅନୁରୋଧ କରିଥିଲେ। ଗାନ୍ଧାରୀ ତାହା କରନ୍ତେ, ଦୁର୍ଯ୍ୟୋଧନଙ୍କର ସେହି ପତ୍ର ଆଚ୍ଛାଦିତ ଅଂଶ ଛଡା ଆଉ ସମଗ୍ର ଶରୀର ବଜ୍ରଭଳି ଟାଣ ହୋଇଥିଲା। ଭୀମ , ଦୁର୍ଯ୍ୟୋଧନଙ୍କର ପତ୍ର ଆଚ୍ଛାଦିତ ଯୋଗୁ ବଜ୍ରଭଳି ଟାଣ ହୋଇନଥିବା ଜାନୁରେ ଗଦା ପ୍ରହାର କରି ତାଙ୍କୁ ମାରିଥିଲେ।
ଗପ ଆକାରରେ ହେଉ ବା ବାସ୍ତବରେ, ଏଥରୁ ମିଳୁଥିବା ଶିକ୍ଷାଟି ହେଉଛି ” ଶତୃର ଚାଲରେ ପଡ଼ିବା ଉଚିତ ନୁହେଁ, ଯିଏ ପଡେ, ଦୂର୍ଯ୍ୟୋଧନ ଭଳି ସେ ବୁଡେ”।