Spread the love

ll ମୋକ୍ଷଦା ଏକାଦଶୀ ବା ବୈକୁଣ୍ଠ ଏକାଦଶୀ ବା ମୌନ ଏକାଦଶୀ ବା ଗୋମତୀ ଏକାଦଶୀ ll

ମାର୍ଗଶିର ମାସ ଶୁକ୍ଳ ପକ୍ଷ ଏକାଦଶୀ କୁ ମୋକ୍ଷଦା ଏକାଦଶୀ ଭାବେ ପାଳନ କରାଯାଏ । ଏହି ଏକାଦଶୀ କୁ ପାଳନ କରିବା ଦ୍ୱାରା ଜୀବ ନିଜର ମୁକ୍ତି ସହିତ ନିଜ ପିତୃ ପୁରୁଷ ମାନଙ୍କୁ ଭି ମୁକ୍ତି ଦେଇ ଥାଏ ବୋଲି ଶାସ୍ତ୍ର ବିଶ୍ୱାସ ରହିଅଛି ।
ଏହି ଏକାଦଶୀ ର ମହାତ୍ମା ଆମେ ପଦ୍ମ ପୁରାଣ ରେ ଦେଖିବାକୁ ପାଇଥାଏ ।

ଏକଦା ଚମ୍ପା ନଗରୀ ରେ ବୈଖାନକ ନାମକ ଜଣେ ପ୍ରତାପୀ ରାଜା ଥିଲେ । ତାଙ୍କର ମୃତ ପିତା ତାଙ୍କୁ ସ୍ବପ୍ନ ରେ ଦେଖା ହୋଇ କହିଲେ ହେ ପୁତ୍ର ମୁଁ ନର୍କ ରେ ପଡି ଅତ୍ୟନ୍ତ କଷ୍ଟ ପାଉଛି । ରାଜା ଏହା ଶୁଣି ଏହା ର ସମାଧାନ ପାଇଁ ସେ ପର୍ବତ ଋଷିି ଙ୍କ ପାଖକୁ ଗଲେ । ଆଉ ଋଷିି ତାଙ୍କର ଅନ୍ତର୍ଦୃଷ୍ଟି ରେ ଜାଣିବାକୁ ପାଇଲେ ଯେ ରାଜା ଙ୍କ ପିତା ତାଙ୍କର ପୂର୍ବ ଜନ୍ମ ରେ ତାଙ୍କର ଗୋଟିଏ ପତ୍ନୀ ପ୍ରେମ ରେ ଏଭଳି ନିମଘ୍ନ ରହିଲେ ଯେ ତାଙ୍କର ଅନ୍ୟ ପତ୍ନୀ ମାନଙ୍କୁ ସମ୍ପୂର୍ଣ ଭୁଲିଗଲେ । ରାଜା ଙ୍କ ପିତା ନିଜର ଅନ୍ୟ ପତ୍ନୀ ମାନଙ୍କୁ ଅବହେଳା କରିଥିବା ହେତୁ ସେ ଏବେ ନର୍କ ଭୋଗୁଛନ୍ତି । ଏହାର ସମାଧାନ କରିବାକୁ ଜାଇ ପର୍ବତ ଋଷିି କହିଲେ, ହେ ରାଜନ୍ ! ଆପଣ ମୋକ୍ଷଦା ଏକାଦଶୀ ବ୍ରତ ରଖି ଏହାର ପୁଣ୍ୟ ଆପଣଙ୍କ ପିତା ଙ୍କୁ ଦାନ କର । ଏହା ଶୁଣି ରାଜା ମୋକ୍ଷଦା ଏକାଦଶୀ ର ବ୍ରତ ରଖିଲେ ଏବଂ ଏହା ର ପୁଣ୍ୟ ବଳ ରେ ରାଜା ଙ୍କ ପିତା ସ୍ବର୍ଗ ଗମନ କଲେ ।

ll ମୋକ୍ଷଦା ଏକାଦଶୀର ମହତ୍ତ୍ବ ll :-
ମୋହ,ମାୟା ସବୁ ରୋଗର ମୂଳ କାରଣ ।ଏହା ଦ୍ୱାରା ମଣିଷ ର ଭିତର ଅଂଶ ରେ ଥିବା ଅନେକ ରୋଗ ସୃଷ୍ଟି ହୋଇଥାଏ । ମୋକ୍ଷଦା ଏକାଦଶୀ ବ୍ରତ ରଖିଲେ ଅନେକ ପ୍ରକାରର ମାନସିକ ରୋଗ ଦୂର ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି । ପଦ୍ମ ପୁରାଣରେ କୁହାଯାଇଛି ଯେ ମୋକ୍ଷଦା ଏକାଦଶୀ ପାପକୁ ନାଶ କରିଥାଏ ।ଧାର୍ମିକ ମାନ୍ୟତା ଅନୁଯାୟୀ, ଏକାଦଶୀ ଅତ୍ୟନ୍ତ ଶୁଭଫଳଦାୟୀ ହୋଇଥାଏ। ମାନ୍ୟତା ରହିଛି ଯେଉଁ ଲୋକମାନେ ସମସ୍ତ ବିଧି-ବିଧାନର ସହ ଭଗବାନ ବିଷ୍ଣୁଙ୍କ ପୂଜା-ଅର୍ଚ୍ଚନା ଏବଂ ଉପବାସ କରିଥାନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହିକାରଣରୁ ଏହାକୁ ମୋକ୍ଷଦା ଏକାଦଶୀ କୁହାଯାଇଥାଏ।

ll ମୋକ୍ଷଦା ଏକାଦଶୀ ଵ୍ରତ ପାଳନର ବିଧି ll :-

    ଏକାଦଶୀ ଦିନ ସକାଳ ସମୟରେ ନିତ୍ୟ କର୍ମ ସମାପ୍ତ ପରେ ବ୍ରତ ଧାରଣ କରିପାରିବ । ଏହା ପରେ ମୋକ୍ଷଦା ଏକାଦଶୀ ଵ୍ରତ ଧାରଣ କରିବାର ସଂକଳ୍ପ ନିଅନ୍ତୁ । ।ପୂଜା ସ୍ଥାନ ରେ ଭଗବାନ ବିଷ୍ଣୁ ଙ୍କର ପ୍ରତିମା ସ୍ଥାପନ କରନ୍ତୁ । ଏହା ପରେ ଵିଧି ପୂର୍ବକ ପୂଜାର୍ଚ୍ଚନା କରିବେ । ଏଇ ଦିନରେ ଗୀତା ଜୟନ୍ତୀ ମଧ୍ୟ ପାଳନ କରା ଯାଇଥାଏ ।
 ଏହି ଦିନ ରେ ଗୀତା ପାଠ କରିଲେ ଉତ୍ତମ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସକାଳୁ ସ୍ନାନ ଆଦି ଶେଷ କରି ପୂଜା ସ୍ଥଳ କିମ୍ବା ମନ୍ଦିରର ସଫେଇ କରନ୍ତୁ । ଏହାପରେ ଘର ଅଥବା ମନ୍ଦିରକୁ ଗଙ୍ଗାଜଳ ଛିଞ୍ଚି ପବିତ୍ର କରନ୍ତୁ ଅଥବା ଭଗବାନଙ୍କୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ । ତାପରେ ଭଗବାନଙ୍କୁ ଚନ୍ଦନ, ଅକ୍ଷତ ଆଦି ଅର୍ପଣ କରି, ଫୁଲରେ ଶୃଙ୍ଗାର କରିବା ପରେ ଭୋଗ ଲଗାନ୍ତୁ । ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅବଶ୍ୟ ଚଢାନ୍ତୁ । ତାପରେ ଭଗବାନ ଗଣେଶଙ୍କ ଆରତୀ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ଆରତୀ କରନ୍ତୁ । ଏହାପରେ ପ୍ରସାଦ ବଣ୍ଟନ କରନ୍ତୁ ।

ll ମୋକ୍ଷଦା ଏକାଦଶୀ ମାହାତ୍ମ୍ୟ ll :-

ଯୁଧିଷ୍ଠିର କହିଲେ – “ ହେ ଦେବଦେବେଶ ! ହେ କୃଷ୍ଣ ! ମୁଁ ଆପଣଙ୍କୁ ବନ୍ଦନା କରୁଅଛି । ଆପଣ ତ୍ରିଲୋକର ସୁଖଦାୟକ , ବିଶ୍ଵେଶ୍ଵର , ବିଶ୍ଵକର୍ତ୍ତା ଓ ପୁରୁଷୋତ୍ତମ । ମୋର ଗୋଟିଏ ସନ୍ଦେହ ଅଛି । ଲୋକହିତାର୍ଥ ଓ ପାପକ୍ଷୟ ନିମିତ୍ତ ଆପଣଙ୍କୁ ନିବେଦନ କରୁଅଛି ଅଗ୍ରହାୟଣ ମାସର ଶୁକ୍ଳ ପକ୍ଷରେ ଯେଉଁ ଏକାଦଶୀ ତାହାର ନାମ କ’ଣ , ତାହାର ବିଧି ମଧ୍ୟ କ’ଣ ଓ କେଉଁ ଦେବତା ଏହି ଏକାଦଶୀରେ ପୂଜିତ ହୁଅନ୍ତି , ତାହା ମୋ ନିକଟରେ ବର୍ଣ୍ଣନା କରନ୍ତୁ ।

” ଶ୍ରୀକୃଷ୍ଣ କହିଲେ – “ ହେ ମହାରାଜ ! ତୁମେ ଉତ୍ତମ ପ୍ରଶ୍ନ ଜିଜ୍ଞାସା କରିଅଛି । ଏହାଦ୍ୱାରା ତୁମର ଯଶ ଚତୁର୍ଦ୍ଦିଗରେ ବିସ୍ତୁତ ହେବ । ବର୍ତ୍ତମାନ ଅଗ୍ରହାୟଣୀ ଏକାଦଶୀର କଥା କହୁଛି । ଏହା ଶ୍ରବଣ କରିବା ମାତ୍ରେ ବାଜପେୟ ଯଜ୍ଞର ଫଳଲାଭ ହୋଇଥାଏ । ହେ ଯୁଧୁଷ୍ଠିର ! ଏହି ଏକାଦଶୀ ମୋକ୍ଷଦା ନାମରେ କଥିତ ହୋଇଅଛି ।

ଏହା ସର୍ବପାପ ବିନାଶିନୀ ଓ ବ୍ରତ ମଧ୍ୟରେ ସର୍ବଶ୍ରେଷ୍ଠ ଅଟେ । ଏହାର ଦେବତା ହେଉଛନ୍ତି ଶ୍ରୀ ଦାମୋଦର । ତୁଳସୀ , ତୁଳସୀ ମଞ୍ଜରୀ , ଧୂପ , ଦୀପ ପ୍ରଭୃତିଦ୍ୱାରା ଶାସ୍ତ୍ରବିଧି ଅନୁସାରେ ଶ୍ରୀଦାମୋଦରଦେବଙ୍କର ପୂଜା କରିବ । ଦଶମୀ ଓ ଏକାଦଶୀ ଦିବସର କୃତ୍ୟାଦି ପୂର୍ବରୁ କୁହାଯାଇଥିବା ଏକାଦଶୀ ପରି କରିବେ । ଏହି ଉପବାସ ଦିନ ସ୍ତବ , ଗୀତାଦି ସହିତ ରାତ୍ରି ଜାଗରଣ ବିଧେୟ । ହେ ମହାରାଜ ! ଏହି ଏକାଦଶୀର ପ୍ରସଙ୍ଗକ୍ରମେ ଗୋଟିଏ ଅଲୌକିକ କାହାଣୀ ବର୍ଣ୍ଣନା କରୁଅଛି , ତାହା ଶ୍ରବଣ କର । ଏହାକୁ ଶ୍ରବଣ କରିବା ଦ୍ଵାରା ସର୍ବପାପ କ୍ଷୟ ହୋଇଥାଏ । ଯାହାଙ୍କର ପିତୃଗଣ ସ୍ୱ ସ୍ୱ ପାପନିମିତ୍ତ ଅଧୋଗତିକୁ ନିମ୍ନ ( ନୀଚ ) ଯୋନି ପ୍ରାପ୍ତ ହୋଇଛନ୍ତି ଏହି ବ୍ରତାଚରଣର ବିନ୍ଦୁମାତ୍ର ପୁଣ୍ୟଫଳ ବିନ୍ଦୁମାତ୍ର ସେମାନଙ୍କୁ ମୋକ୍ଷଲାଭ କରିବାରେ ସାହାଯ୍ୟ କରନ୍ତୁ । ଏଥିରେ କୌଣସି ସନ୍ଦେହ ନାହିଁ ।

  କୌଣସି ଏକ ସମୟରେ ମନୋରମ ଚମ୍ପକ ନଗରରେ ବୈଷ୍ଣବ ସଦ୍‌ଗୁଣରେ ବିଭୂଷିତ ବୈଖାନସ ନାମକ ଜଣେ ନୃପତି ବା ରାଜା ଥିଲେ । ସେ ପ୍ରଜାମାନଙ୍କୁ ପୁତ୍ରପରି ପାଳନ କରୁଥିଲେ । ତାଙ୍କର ରାଜ୍ୟରେ ବେଦ ବେଦାଙ୍ଗ ପାରଙ୍ଗମ ବହୁତ ବ୍ରାହ୍ମଣ ବାସ କରୁଥିଲେ ।
 ତାଙ୍କର ରାଜ୍ୟରେ ସମସ୍ତେ ସମୃଦ୍ଧିଶାଳୀ ଥିଲେ । ଏହିପରି ସୁଶୃଙ୍ଖଳିତଭାବେ ରାଜ୍ୟ ଶାସନକାରୀ ସେ ରାଜା ଦିନେ ରାତ୍ରି ସମୟରେ ସ୍ୱପ୍ନରେ ତାଙ୍କର ପିତୃଗଣଙ୍କୁ ଅଧୋଯୋନି ବା ନିମ୍ନଯୋନି ପ୍ରାପ୍ତ ହୋଇଥିବାର ଦର୍ଶନ କଲେ । ପିତୃଗଣଙ୍କ ନର୍କଭୋଗ ଦର୍ଶନରେ ବିସ୍ମୟାବିଷ୍ଟ ଚିତ୍ତରେ ତତ୍ପର ଦିବସ ବ୍ରାହ୍ମଣମାନଙ୍କ ନିକଟରେ କହିବାକୁ ଲାଗିଲେ- ହେ ବ୍ରାହ୍ମଣଗଣ ! ଗତ ରାତ୍ରିରେ ସ୍ୱପ୍ନରେ ନରକ ଯନ୍ତ୍ରଣାକ୍ଳିଷ୍ଟ ପିତୃଗଣଙ୍କୁ ଦର୍ଶନ କରି ମୋର ହୃଦୟ ବିଦୀର୍ଣ୍ଣ ହୋଇଅଛି । ସେମାନେ ମୋତେ ଲକ୍ଷ୍ୟ କରି କହିବାକୁ ଲାଗିଲେ – “ ହେ ପୁତ୍ର ! ତୁମେ ଆମ୍ଭମାନଙ୍କୁ ଏହି ନର୍କସମୁଦ୍ରରୁ ଉଦ୍ଧାର କର । ” ସେମାନଙ୍କର ଏ ପ୍ରକାର ଅବସ୍ଥା ଦର୍ଶନରେ ମୋ ଅନ୍ତରରେ ସୁଖ ନାହିଁ । ମୋର ଏହି ବିଶାଳ ରାଜ୍ୟ , ସ୍ତ୍ରୀ , ପୁତ୍ର ପ୍ରଭୃତି ଏବଂ ଅଶ୍ୱ  , ହସ୍ତୀ ,କୌଣସିଟିରେ ମୁଁ ଶାନ୍ତି ପାଉ ନାହିଁ । କ’ଣ କରିବି , କେଉଁଠାକୁ ଯିବି , କିଛି ଦେଖିପାରୁ ନାହିଁ ବା ଚିନ୍ତା କରିପାରୁ ନାହିଁ । ଯଦ୍ବାରା ମୋର ପିତୃପୁରୁଷଗଣ ମୁକ୍ତିଲାଭ କରିପାରିବେ ; 
ସେପରି କୌଣସି ବ୍ରତ , ତପସ୍ୟା ଓ ଯୋଗର କଥା ମୋତେ ଉପଦେଶ କରନ୍ତୁ । ମୁଁ ତାହା ଆଚରଣ କରିବି । ମୋ ପରି ଶକ୍ତିଶାଳୀ ପୁତ୍ର ଥାଇ ମଧ୍ୟ ଯଦି ପିତା , ମାତା - ପୂର୍ବପୁରୁଷଗଣ ଘୋର ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି , ତାହାହେଲେ ସେ ପୁତ୍ରର କିପ୍ରୟୋଜନ ? ବ୍ରାହ୍ମଣଗଣ କହିଲେ , ହେ ମହାରାଜ ! ଆପଣଙ୍କ ରାଜ୍ୟରେ ଖୁବ ନିକଟରେ ପର୍ବତ ମୁନିଙ୍କର ମହାନ୍ ଆଶ୍ରମ ଅଛି । ସେ ତ୍ରିକାଳଜ୍ଞ , ତାହାଙ୍କ ନିକଟରୁ ଆପଣ ସେମାନଙ୍କର ମୁକ୍ତିର ଉପାୟ ଅବଗତ ହୋଇ ପାରିବେ । 

ଶ୍ରୀକୃଷ୍ଣ କହିଲେ – ହେ ମହାରାଜ ଯୁଧିଷ୍ଠିର ! ବ୍ରାହ୍ମଣଗଣଙ୍କ ବାକ୍ୟ ଶ୍ରବଣ କରି ମହାତ୍ମା ବୈଖାନସ ରାଜା ତତକ୍ଷଣାତ୍ ସେହି ପର୍ବତମୁନିଙ୍କ ଆଶ୍ରମକୁ ଗଲେ । ବ୍ରାହ୍ମଣଗଣ ଓ ସଭାସ୍ଥଳୀରେ ଥିବା ପ୍ରଜାବର୍ଗ ମଧ୍ୟ ତାଙ୍କର ଅନୁଗମନ କଲେ । ସେଠାକୁ ଯିବା ପରେ ଦୂରରୁ ଋଷିବରଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ନିକଟସ୍ଥ ହୋଇ ତାଙ୍କର ଚରଣଦୟ ସ୍ପର୍ଶକରି ପ୍ରଣତି ଜ୍ଞାପନ କଲେ ।ବେଦାଧ୍ୟୟନକାରୀ ମୁନିଗଣଙ୍କ ଦ୍ବାରା ପରିବେଷ୍ଟିତ ହୋଇ ଦ୍ବିତୀୟ ବ୍ରହ୍ମାଙ୍କ ପରି ସେ ଉପବିଷ୍ଟ ହୋଇଥିଲେ । ମୁନିବର ରାଜାଙ୍କର ସପ୍ତାଙ୍ଗର କୁଶଳ , ରାଜ୍ୟର ନିଷ୍କଣ୍ଟକତ୍ୱ ଓ ରାଜ୍ୟସୁଖ ଅବ୍ୟାହତ ଅଛି କି ନାହିଁ ଇତ୍ୟାଦି ବୃତ୍ତାନ୍ତ ଜିଜ୍ଞାସା କଲେ ।

ରାଜା କହିଲେ – “ ହେ ପ୍ରଭୁ ! ଆପଣଙ୍କ ଅନୁଗ୍ରହରୁ ମୋର ସପ୍ତାଙ୍ଗର କୁଶଳ । ବିଷ୍ଣୁ – ଭକ୍ତି ପରାୟଣ ଆପଣଙ୍କ ପରି ମହାଜନଙ୍କର ଯେଉଁମାନେ ଭକ୍ତ ସେମାନଙ୍କର କେତେବେଳେ ହେଲେ ବିଘ୍ନ ଉପସ୍ଥିତ ହୁଏ ନାହିଁ । ତେବେ ମୁଁ ଗୋଟିଏ ଦିନ ରାତ୍ରିକାଳରେ ସ୍ଵପ୍ନରେ ପିତୃ ପୁରୁଷଗଣଙ୍କ ନର୍କ ଯନ୍ତ୍ରଣା ଓ କାତର ଆର୍ତ୍ତନାଦ ଦର୍ଶନରେ ବ୍ୟଥିତ ଓ ଚିନ୍ତାଗ୍ରସ୍ତ ହୋଇଛି । ହେ ଋଷିବର !

କୌଣସି ପୁଣ୍ୟଫଳରେ ସେମାନେ ଏ ପ୍ରକାର ଦୁର୍ଦ୍ଦଶାରୁ ମୁକ୍ତି ପାଇବେ , ତାହାର ଉପାୟ ନିର୍ଣ୍ଣୟ ପାଇଁ ଆପଣଙ୍କ ଶ୍ରୀଚରଣରେ ଉପସ୍ଥିତ । ରାଜାଙ୍କ କଥାଶୁଣି ବ୍ରହ୍ମତୁଲ୍ୟ ତପସ୍ବୀ ପର୍ବତ ମୁନିରାଜ ପିତୃଗଣଙ୍କ ନର୍କ ଯନ୍ତ୍ରଣାର କାରଣ ଅବଗତ ହେବା ନିମିତ୍ତ ଚକ୍ଷୁନିମୀଳନ କରି ଧ୍ୟାନସ୍ଥ ହେଲେ । ଏକ ମୁହୂର୍ତ୍ତ ସମୟ ଧ୍ୟାନ କରିବା ପରେ

ରାଜାଙ୍କୁ କହିଲେ – ପୂର୍ବ ଜନ୍ମରେ ତୁମର ପିତା ରାଜ୍ୟ ଗର୍ବରେ ଗର୍ବିତ କ୍ଷତ୍ରିୟ ରାଜା ଥିଲେ । ସେ ସ୍ତ୍ରୀଙ୍କର ଋତୁକାଳରେ ଋତୁଦାନ ନକରି ରାଜଧର୍ମର ପ୍ରେରଣାରେ ସ୍ଥାନାନ୍ତରକୁ ଗମନ କଲେ । ସେହି ପାପ ଫଳରେ ପୂର୍ବପୁରୁଷଗଣଙ୍କ ସହିତ ଅତିଶୟ ନର୍କ ଭୋଗ ଘଟିଅଛି । ଏହି ପାପରୁ ମୁକ୍ତିର ଉପାୟ କହୁଛି , ଶ୍ରବଣ କର – ଅଗ୍ରହାୟଣ ମାସର ଶୁକ୍ଳ ପକ୍ଷ ମୋକ୍ଷଦା ଏକାଦଶୀ ବ୍ରତ ପାଳନ କରିବାଦ୍ୱାରା ଯେଉଁ ପୁଣ୍ୟଫଳ ଲାଭ ହେବ , ତାହାକୁ ତୁମର ପିତାଙ୍କୁ ଦାନକର । ସେହି ପୁଣ୍ୟ ପ୍ରଭାବରେ ତୁମର ପିତାଙ୍କର ମୋକ୍ଷଲାଭ ହେବ ।

ରାଜା ମୁନିବାକ୍ୟ ଶ୍ରବଣ କରି ନିଜ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ଅନେକଦିନ ପରେ ସେହି ପବିତ୍ରାତିଥିର ଆବିର୍ଭାବରେ ସ୍ତ୍ରୀ , ପୁତ୍ରାଦି ଓ ରାଜ ଅନ୍ତଃପୁରବାସୀଗଣଙ୍କ ସହିତ ଯଥାବିଧି ମୋକ୍ଷଦା ଏକାଦଶୀବ୍ରତ ପାଳନ କରି ” , ବ୍ରତର ପୁଣ୍ୟଫଳ ପିତାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କଲେ । ଏହି ପୁଣ୍ୟଫଳ ଦାନ ସଙ୍ଗେ ସଙ୍ଗେ ଆକାଶରୁ ପୁଷ୍ପ ବୃଷ୍ଟି ହେବାକୁ ଲାଗିଲା । ଏହାପରେ “ ହେ ପୁତ୍ର ! ତୁମର ମଙ୍ଗଳ ହେଉ , ତୁମର ମଙ୍ଗଳ ହେଉ ” । ଏହା କହି କହି ବୈଖାନସ ରାଜାଙ୍କର ପିତା ନରକରୁ ମୁକ୍ତହୋଇ ପୂର୍ବପୁରୁଷଗଣଙ୍କ ସହିତ ସ୍ଵର୍ଗକୁ ଗମନ କଲେ ।

ଭଗବାନ୍ ଶ୍ରୀକୃଷ୍ଣ କହିଲେ – ହେ ମହାରାଜ ଯୁଧିଷ୍ଠିର ! ଏହି ପ୍ରକାରେ ଯେଉଁ ବ୍ୟକ୍ତି ଏହି ମଙ୍ଗଳଦାୟିନୀ ମୋକ୍ଷଦା ଏକାଦଶୀବ୍ରତ ପାଳନ କରନ୍ତି , ତାହାଙ୍କର ସମସ୍ତ ପାପ ବିନଷ୍ଟ ହୁଏ ଏବଂ ମୃତ୍ୟୁପରେ ସେ ମୋକ୍ଷ ଲାଭ କରନ୍ତି । ଏହି ବ୍ରତର ପୁଣ୍ୟ ସଂଖ୍ୟା ମୁଁ ମଧ୍ୟ ଜାଣିନାହିଁ । ଏହି ବ୍ରତ କଥା ଯେ ପାଠକରେ ଓ ଯେ ଏହା ଶ୍ରବଣ କରେ , ସେମାନେ ଉଭୟ ବାଜପେୟ ଯଜ୍ଞର ଫଳପ୍ରାପ୍ତ ହୁଅନ୍ତି ।

Related Post

Leave a Reply

Your email address will not be published. Required fields are marked *

You Missed