ଖରାବେଳ
କାହିଁ କେଉଁଠି ତ ନାହିଁ ଶବ୍ଦର ଗୁଁଜରଣ
ସବୁଠି ନିଃଶବ୍ଦ ଓ ନିରବତାର ରାଜୁତି
ଚେତନା ହଜି ଯାଉଛି
ଶୁଷ୍କ ମସ୍ତିଷ୍କରୁ
ଏଥିରେ କବିତା ପାଇଁ
ଭାବ ଓ ଭାବନା ଯୋଡି ହେବ କେମିତି
ବିମୋହିତ ଶବ୍ଦ, ଲଳିତ ଛନ୍ଦ ଆସିବ କେଉଁଠୁ
ଚାରିଆଡ଼େ ନିଛାଟିଆ, ଶୂନ୍ ଶାନ୍
ଖାଁ ଖାଁ, ଡହଳବିକଳ
ନିଆଁନାଚରେ ଜଳୁଛି ପ୍ରକୃତି, ପରିବେଶ
ଗଛଲତା, ଜୀବଜନ୍ତୁ
ଦଗ୍ଧିଭୂତ କ୍ରୁଷ୍ନଚୂଡା ସ୍ବପ୍ନ
ବିବର୍ଣ୍ଣ ପଳାଶ ମନ
ଜୀବନ କ୍ଲାନ୍ତ
ଦହନ, ଜ୍ବଳନ ଏବଂ ସ୍ଫଳନରେ
ଆକାଶୁ ଖସୁଛି ଖଣ୍ଡ ଖଣ୍ଡ ନିଆଁ
ମଳିନ ପଡିଯାଏ ମଳୟ
ବସନ୍ତ ବିବର୍ଣ୍ଣ ଓ ବିଦଗ୍ଧ
ଫଗୁଣର ଫଗୁ ରଙ୍ଗ ସବୁ ଫିକାଫିକା
ଶୁଖିଲା ମାଟିରୁ ବାସ୍ନା ଝରିବ କେଉଁଠୁ
ବୈଶାଖର ହୁତ୍ ହୁତ୍ ଖରାରେ
ସଜେଇ ହେଉଥିବା ଫୁଲ
ଝାଁଜି ପବନର ନାଁ ଶୁଣି ନାକ ଟେକେ,
ମୁହଁ ମୋଡେ
ମାଟି ଧୂସରିତ, ବ୍ୟାକୁଳିତ ଓ ତ୍ରୁଷିତ ପ୍ରାଣ
ମନ ଜଳେ, ଦେହ ଜଳେ, ଜଳେ ଛାତିରେ ଲୁଚିଥିବା ପ୍ରୀତି, ମନ ମଧୁବନ
ନିଜ ଗୋଡକୁ ନିଜେ ହାଣିଛ
ଭୋଗିବ କିଏ
ଗଛ ଥିଲେ ସିନା ପାଣି, ପବନ ଓ ବର୍ଷା
ସଜୀବ, ସତେଜ ଓ ସବୁଜ ଗଛ ସବୁ
ନିର୍ଜୀବ ଏବଂ ମୂର୍ଛିତ
ସବୁ ଯେମିତି ସ୍ଥାଣୁ
ଚାରିଆଡ଼ ହାହାକାର
ଢୋକେ ପାଣି ପାଇଁ, ମୁନ୍ଦେ ବର୍ଷା ପାଇଁ
** ସରାଟ, ଚଣାହଟ୍ଟା ବାଲିପାଟଣା ଖୋର୍ଦ୍ଧା- ୭୫୨୧୦୨