Spread the love

ଆଜିର ଭାଗବତ ବାଣୀ

ଏ ସଂସାରରେ କେହି ବି କେବେହେଲେ କାହା ସହିତ ଚିରଦିନ ରହିପାରିବ ନାହିଁ । ମନୁଷ୍ୟ ଆଜି ଯେଉଁମାନଙ୍କ ସହିତ ମିଶି ରହିଛି, ତାକୁ ଦିନେ ନା ଦିନେ ସେମାନଙ୍କ ଠାରୁ ବିଚ୍ଛିନ୍ନ ହୋଇଯିବାକୁ ପଡିବ ।

ଏ କଥା ସତ । ଯଦି କାହାର ନିଜ ଶରୀର ମଧ୍ୟ ସର୍ବଦା ରହିପାରିବ ନାହିଁ, ତେବେ ସ୍ତ୍ରୀ, ପୁତ୍ର, ଧନ ପ୍ରଭୃତିଙ୍କ ସଙ୍ଗରେ କେହି କିପରି ରହିପାରିବ ? ଜୀବ ଏକାକୀ ଜନ୍ମ ହୁଏ ଏବଂ ଏକାକୀ ମରେ ।

ନିଜ କୃତକର୍ମର ଓ ପାପପୁଣ୍ୟର ଫଳ ମଧ୍ୟ ତାକୁ ଏକାକୀ ଭୋଗିବାକୁ ପଡେ । ଜୀବ ଯେଉଁ ପ୍ରାଣ, ଧନ ଓ ପୁତ୍ର ଆଦିଙ୍କୁ ନିଜର ବୋଲି ଭାବି ଅଧର୍ମମାର୍ଗ ଧରି ପାଳନପୋଷଣ ବା ବର୍ଦ୍ଧନ କରେ , ସେମାନେ ଜୀବକୁ ଅସନ୍ତୁଷ୍ଟ ଅବସ୍ଥାରେ ଛାଡିଦେଇ ପଳାନ୍ତି ।

ଯେଉଁମାନଙ୍କ ପାଇଁ ସେ ଅଧର୍ମ କରେ, ସେମାନେ ତାକୁ ଛାଡ଼ି ଚାଲିଯାଆନ୍ତି । ସେ କେବେ ବି ସନ୍ତୋଷ ଲାଭ କରିପାରେନା ; ଶେଷରେ ସେ ପାପବୋଝ ମୁଣ୍ଡାଇ ଘୋର ନରକକୁ ଯାଏ । ତେଣୁ ଜାଣିରଖିବା ଉଚିତ ଯେ,ଏହି ସଂସାରଟା ହେଉଛି ଚାରିଦିନର ଖେଳ । ଏହା ଏକ ସ୍ବପ୍ନ ପରି ଓ ଜାଦୁବିଦ୍ୟାର ମାୟା ପରି ।

ଏହା ହେଉଛି ଏକ ମନଗଢା ରାଜ୍ୟମାତ୍ର । ଏଣୁ ମମତାର ମୋହରେ ପଡି ପକ୍ଷପାତ ଜୀବନ ନ ଜୀଇଁ ସମତ୍ବରେ ସ୍ଥିତ ହୋଇ ସଂସାରମୋହରୁ ନିବୃତ୍ତ ରହି ସେହି ପରମାତ୍ମାଙ୍କ ଚରଣକମଳରେ ମନ ନିବେଶ କରି ପ୍ରଶାନ୍ତଚିତ୍ତରେ ଜୀବନ ବିତାଇବାକୁ ଉଦ୍ୟମ କରିବା ଉଚିତ।

Leave a Reply

Your email address will not be published. Required fields are marked *