ଜୟ ଗୁରୁଦେବ
ବ୍ରହ୍ମ ଦେଶ, କାଳ ଓ କାରଣର ଅତୀତ :
ଗୁରୁ ଭଗବାନ ସ୍ବାମୀ ଶିବାନନ୍ଦ।
ବ୍ରହ୍ମ ସିଦ୍ଧାନ୍ତ ଦ୍ବାରା ସିଦ୍ଧ ହୁଅନ୍ତି ନାହିଁ। ସେ ପ୍ରମାଣର ଅତୀତ। ସେ ହେଉଛନ୍ତି ପ୍ରମାଣର ଆଧାର। ସେ ସ୍ବତଃସିଦ୍ଧ, ସ୍ବତଃପ୍ରମାଣିତ।
ବ୍ରହ୍ମ ବା ସନାତନ ଦେଶ, କାଳ ଓ କାରଣର ଉର୍ଦ୍ଧ୍ବରେ। କାଳ ହେଉଛି ସମୟର ପ୍ରବାହ। ସମୟ ହେଉଛି ମନର ଏକ ସୃଷ୍ଟି। ନିତ୍ଯତା ଭିତରେ ସମୟର ସୀମା ଆସିବ କିପରି ? ଦୁଇଟି ବସ୍ତୁ ମଧ୍ଯରେ ଦୂରତାକୁ ଦେଶ ବା ସ୍ଥାନ କହନ୍ତି। କିନ୍ତୁ ଆପଣ ଯଦି ସେହି ଏକ ଆତ୍ମାଙ୍କୁ ସର୍ବତ୍ର ବିଦ୍ଯମାନ ଥିବା ଦେଖି ପାରୁଛନ୍ତି ବା ଅନୁଭବ କରିପାରୁଛନ୍ତି, ତେବେ ସେ ଭିତରେ ଦେଶ ବା ସ୍ଥାନ ରହିଲା କେଉଁଠି ? ଜଗତରେ ପ୍ରତ୍ଯେକ ବିଷୟର କିଛି ନା କିଛି କାରଣ ରହିଛି, ଯେପରି ବୀଜ ହେଉଛି ବୃକ୍ଷର କାରଣ। କିନ୍ତୁ ଯେଉଁ ବ୍ରହ୍ମ କାରଣାତୀତ, ଯେ କୌଣସିଠାରୁ ଉଦ୍ଭବ ନୁହନ୍ତି, ଯେ ସ୍ବୟମ୍ଭୁ, ତାଙ୍କର କାରଣ ବୋଲି କିଛି ରହିବ କିପରି ?
ବ୍ରହ୍ମଙ୍କୁ ବର୍ଣ୍ଣନା କରିବା ଅସମ୍ଭବ। ତାଙ୍କୁ କେବଳ 'ଏହା ନୁହେଁ, ଏହା ନୁହେଁ' ଅର୍ଥାତ୍ 'ନେତି, ନେତି' ପ୍ରଣାଳୀ ଦ୍ବାରା ବର୍ଣ୍ଣନା କରାଯାଇପାରେ। ସେ ଏପରି ନୁହନ୍ତି, ସେପରି ମଧ୍ଯ ନୁହନ୍ତି, ସେ ହିଁ କେବଳ ବ୍ରହ୍ମ ବା ନିତ୍ଯ ସନାତନ। ନେତି ନେତି ପ୍ରଣାଳୀ ଦ୍ବାରା ବ୍ରହ୍ମ ନିରୂପଣ କଲେ ଦେଖିବେ, ସକଳ ନାମ, ସମସ୍ତ ରୂପ ପରିହାର୍ଯ୍ଯ ହୋଇଯାଉଛନ୍ତି। କିନ୍ତୁ ପ୍ରମାଣର ଆଧାର ବ୍ରହ୍ମ ବା ପରମାତ୍ମାଙ୍କୁ ପରିହାର କରିପାରିବ ନାହିଁ। ଅସ୍ବୀକାର ବା ପରିହାର କରି କରି ଯେଉଁ ଶେଷ ବା ଅପରିହାର୍ଯ୍ଯ ତତ୍ତ୍ବ ରହିଯିବ, ସେ ହେଉଛନ୍ତି ବ୍ରହ୍ମ ବା ନିତ୍ଯତତ୍ତ୍ବ ସନାତନ।
ଏ ଜଗତରେ ଆତ୍ମା ବ୍ଯତୀତ ଅନ୍ଯ କିଛି ନାହିଁ। ଯାହା କିଛି ଅଛି, ସବୁ କେବଳ ବ୍ରହ୍ମ। 'ମୁଁ', 'ତୁମେ', 'ସେ", 'ତାହା', 'ଏହା', 'ଏଠାରେ', 'ସେଠାରେ', 'ଏବେ', 'ତେବେ', ଇତ୍ଯାଦିର କୌଣସି ଅର୍ଥ ନାହିଁ।
🕉🕉🙏🙏🕉🕉