Spread the love

ଅନେକ ଦିନର ବୁଢ଼ା ବରଗଛ ଟିଏ ଅକସ୍ମାତ୍ ଏକ ବାତ୍ୟାରେ ଉପୁଡ଼ି ଯାଏ। ବାତ୍ୟାର ପ୍ରକୋପ ସେତେବେଳେ ବେଶ୍ ଆଲୋଚନା ହୁଏ ଜନ ମାନସରେ। ଲୋକେ ଗୁଣି ହୁଅନ୍ତି ସେଇ ବୁଢ଼ା ବରଗଛର ସାହାଯ୍ୟ ସବୁକୁ। ଅନେକ ଲୋକ ସେଇ ଗଛ ତଳେ ଆଶ୍ରୟ ନିଅନ୍ତି। ଅନେକ ଜୀବଜନ୍ତୁ ବି। ଅନେକ ଚଢ଼େଇ ବସା କରନ୍ତି। ଅନେକ ଲୋକ ଗଛର ଡାଳ ପତ୍ର କାଟି ନିଅନ୍ତି। ଅନେକ ଶତ୍ରୁ ଲୋକ ଗଛ ମୂଳ ଛାଇରେ ଆଶ୍ରୟ ନେବା ବାହାନାରେ ଗଛ ମୂଳେ ଲୁଣ ପାଣି ଢ଼ାଳନ୍ତି। କାରଣ ସେଇ ଗଛ ତାଙ୍କୁ ଭାରି ଅଡ଼ୁଆ କରେ। ସେଇ ଲାଗି ଭିତରେ ଭିତରେ ଗଛ କେମିତି ମରିଯିବ, ସେଇକଥା ଗୁଣି ହୁଅନ୍ତି। ଏମିତି ବି ବେଳେବେଳେ ହୁଏ, ଗଛ ପାଖରେ ରହୁଥିବା

ଲୋକମାନେ,ଦୂରରୁ ଆସୁଥିବା ବାଟୋଇ ମାନଙ୍କୁ ଗଛ ଛାଇରେ ବସେଇ ଦିଅନ୍ତନି। ଆମ ଗଛ କହି ସେମାନଙ୍କୁ ହଇରାଣ ହରକତ କରନ୍ତି। ଏମିତି ଅନେକ ଘଟଣା ଘଟେ। ଆଉ ସବୁଠୁ ବଡ଼ କଥା ହେଲା, ଯେତେବେଳେ ଅନ୍ୟ କେହି ଜଣେ ସାଧୁ ଆସି ସେଇ ଗଛତଳେ ଛାଇରେ ବସନ୍ତି,ସେତେବେଳେ ଅନେକ ଭିଡ଼ ହୁଏ। କାଳକ୍ରମେ ସେଇ ସାଧୁ ଯେତେବେଳେ ସେଇ ଗଛର ଯତ୍ନ ନେଇ ଆହୁରି ସେଇ ପରିବେଶକୁ ସଫା ସୁତୁରା କରିବାକୁ ଚାହାନ୍ତି,ସେତେବେଳେ ଅନେକ କଡା ସ୍ୱର ଗୁଞ୍ଜୁରି ଗୁଞ୍ଜୁରୀ ଉଠେ। ଅନେକ ଲୋକକଥା ଶୁଣା ଯାଏ। କେହି କେହି କୁହନ୍ତି ଏଇ ଭଣ୍ଡ ସାଧୁ ଜଣଙ୍କ ଛଳ କରି ବାହାରୁ ଆସିଛି ଏଇ ଆମ ବୁଢ଼ା ବରଗଛକୁ କାଟି ବିକି ଦେବ। ଚାଲ ତାକୁ ଏଠୁ ବାହାର କରି ଦେବା। ଆଉ କିଛି ଲୋକେ କୁହନ୍ତି, ନାଇଁ ରେ ଏଇ ସାଧୁ ଜଣଙ୍କ ବହୁତ୍ ଭଲ ଲୋକ। ସେ ପା ଆସିଛନ୍ତି ଏଇ ଗଛ ମୂଳ ସଫା କରି ତାର ନବୀକରଣ କରାଇବେ। ଏଇ ଗଛ ମୂଳ ଆହୁରି ଭଲ ଭାବରେ ସଫା ହେବ। ଗଛ ତଳେ କେମିତି ଅନେକ ଲୋକ ଆଶ୍ରୟ ନେଇ ପାରିବେ ତାର ବି ହିସାବ ହୁଏ। ଏଇ ସବୁ କଥା ଦେଖି ବୁଢା ବରଗଛ କିଛି ବୁଝି ପାରେନି। ସେ ତା ସେବା କିନ୍ତୁ ସମସ୍ତକୁ ଦେଇ ଚାଲିଥାଏ। ବୁଢ଼ା ବରଗଛ ଯେତେ ତାର ଶାଖା ପ୍ରଶାଖା ମେଲି ବଢେ, ତା ତଳେ ସେତେ ଛାଇ ଯାଗା ହୁଏ। ଆଉ ଯେତେ ଛାଇ ଯାଗା ହୁଏ, ସେତେ ଲୋକଙ୍କର ଭିଡ଼ ହୁଏ ।

ଅନେକ ଭିଡ଼ ଭିତରେ କିଛି ମତାନ୍ତର ଆଉ ମନାନ୍ତର ହୁଏ। ତେଣୁ ସାଧୁ ଜଣଙ୍କ ସେ ସବୁ କୁ ସୁଧାର ଆଣିବାକୁ ଚେଷ୍ଟା କରେ। ବୁଲି ବୁଲି ଲୋକଙ୍କୁ ବୁଢ଼ା ବରଗଛର କାହାଣୀ ଶୁଣାଏ। ତାର ଉପକାର କଥା କୁହେ, କେତେ ଝଡ଼,ବାତ୍ୟା,ବନ୍ୟା ଏଇ ବୁଢା ବରଗଛ ସାହି ଲୋକଙ୍କୁ ସାହାଯ୍ୟ କରିଛି, ସେଇ କଥା ପ୍ରତିଦିନ ଗାଈ ବୁଲେ। ସେଇ କଥା ଶୁଣି ଅନେକ ଲୋକେ ଭାବ ପ୍ରବଣ ହୁଅନ୍ତି ଆଉ କିଛି ବାଟୋଇ ହସରେ ଉଡେଇ ଦିଅନ୍ତି। କାଳକ୍ରମେ ବୁଢ଼ା ବରଗଛର ସଫଳତା ଅନେକ ଲୋକଙ୍କୁ କଷ୍ଟ ଦିଏ,ହିଂସା ଭାବ ଆଣେ। ତେଣୁ ପ୍ରଚ୍ଛଦ ପଟରେ କିଛି ବାହୁବଳୀ ଲୋକେ ମିଶି କିପରି ସେଇ ବୁଢ଼ା ବାରଗଛକୁ ଉପାଡ଼ି ସଫା କରି ଦେବେ,ସେଇ ପାଇଁ ଉପାୟ ମାନ ବାହାର କରନ୍ତି। ଉପାୟ ଆଳରେ ଅନେକ ଦାନ ଧର୍ମ ଆଉ ସେବା କରି ଚାଲନ୍ତି। ବିଚରା ବୁଢା ବରଗଛ କିଛି ବୁଝି ପାରେନି। ତା ସହ ହେଉଥିବା ଛଳନା କୁ ସେ ବୁଝି ପାରେନା। ହଠାତ୍ ଦିନେ ଦେଖାଗଲା, ସେଇ ସାଧୁ ଅସାଧୁ ର କାର୍ଯ୍ୟ କରୁଛି। ଗଛ ତଳେ ବାସ କରୁଥିବା ଲୋକ ତାର ବିରୋଧ କରୁଛନ୍ତି। କିଏ ଠିକ୍ କିଏ ଭୁଲ୍, ତାହା ଏକ ପ୍ରହେଳିକା ହେଇ ରହି ଯାଉଛି। ଗଛ ଛାଇରେ ଆରାମ ନ କରି ଜାଗା ପାଇଁ ଗଣ୍ଡଗୋଳ ହେଉଛି। କିଏ କହୁଛି ସେ ସାଧୁ ଆମର ବହୁତ୍ ଭଲ, କିଏ କହୁଛି ସେ ହେଉଛି ଭଣ୍ଡ ସାଧୁ। ସେ ଚାଲାକି କରି ଆସିଛି ଆମ ଗଛକୁ ବିକି ଦେବ ଆଉ କାହା ହାତରେ। ଏମିତି ପ୍ରତି ଦିନ ଛକା ପଞ୍ଝା ରେ ଦିନ ସବୁ ପଳାଏ। କିନ୍ତୁ ସେଇ ବୁଢ଼ା ବରଗଛ ନିର୍ବାକ, ସ୍ଥିର, ଧୀର ହେଇ ସେମିତି ଲୋକଙ୍କୁ ଛାଇ ପ୍ରଦାନ କରି ଚାଲିଥାଏ। ସେ ଏସବୁ କିଛି ବୁଝି ପାରେନି। ବେଳେବେଳେ , ତା ମନ ଖୁସି ହେଲେ ଦଲକାଏ ଥଣ୍ଡା ପବନ ବହି ଦିଏ ତା ତଳେ ବାସ କରୁଥିବା ଲୋକ ମାନଙ୍କ ପାଇଁ। ପବନ ଟିକେ ପାଇ ଲୋକେ ମାନେ ଭାରି ଖୁସି ହୁଅନ୍ତି ପୁଣି। ଦିନ ଗଡି ଚାଲେ। ବୁଢ଼ା ବରଗଛ ଆହୁରି ଆହୁରି ଥଣ୍ଡା ପବନ ଦେଇ ଚାଲେ । ତାର ନାଲି ଗୁଲୁଗୁଲୂ ଫଳ ସବୁ ଚଢ଼େଇ ମାନଙ୍କୁ ଦେଇ ଚାଲେ। କିନ୍ତୁ ସେଇ ଗଛ ତଳେ ବାସ କରୁଥିବା କିଛି ବାହୁବଳୀ ଲୋକେ ସେଇ ସୁନ୍ଦର ଫଳ କୁ ସବୁ ଚଢ଼େଇ ଙ୍କୁ ଦିଅନ୍ତନି। ତାଙ୍କ ମନପସନ୍ଦର ଲୋକଙ୍କୁ ଦେଇ କିଛି ଲୋକଙ୍କ ସହ ଖେଳନ୍ତି। ବିଦ୍ରୋହ ହେବା ଆରମ୍ଭ ହୁଏ। ଚଢ଼େଇଙ୍କ କିଚିରିମିଚିରି ଶବ୍ଦରେ ସେଇ ଗଛ ତଳ କମ୍ପି ଉଠେ। ବୁଢ଼ା ବରଗଛ ତଥାପି ନୀରବ ନିଶ୍ଚଳ। ବ୍ୟକ୍ତିଗତ ରାଗ ଦିନକୁ ଦିନ ବଢି ଚାଲେ। କିନ୍ତୁ କେହି ବୁଝନ୍ତିନି ଯେ ଗଛ ତ ଆମର। ସେଇ ଗୋଟିଏ ଗଛ ତଳେ ସବୁ ତ ଆମେ। ଏମିତି ଦିନ ଗଡି ଚାଲେ। ନାଲି ଗୁଲୁଗୁଲୁ ଫଳ ଯୋଉ ଚଢ଼େଇ କୁ ଦିଆଗଲାନି,ସେମାନେ ଭିତରେ ଭିତରେ କଷ୍ଟ ପାଇ ଗୁମୁରି ଉଠିଲେ। ହେବା ବି ସ୍ଵାଭାବିକ। ବୁଢ଼ା ବରଗଛ ତ ସମସ୍ତିଙ୍କର। ତେଣୁ କଣ ପାଇ, କିଛି ଚଢ଼େଇ ଫଳ ଖାଇବେ ଆଉ କିଛି ଚଢ଼େଇ ଖାଇବେ ନାହିଁ। ସବୁ ଚଢ଼େଇ ତ ସେଇ ବୁଢା ବରଗଛର। ଏମିତି ବି ହେଲା, ସେଇ ମିଠା ଫଳ ଅନ୍ୟ ଗଛର ଚଢ଼େଇ କୁ ଦିଆଗଲା। ଏଇ ସବୁ ଦେଖି ବିଦ୍ରୋହର ବହନି ଜଳିବାକୁ ଆରମ୍ଭ ହେଲା। ଏତେ ସବୁ ହେଲାଣି, ତଥାପି ବୁଢ଼ା ବରଗଛ କୁ ଅଜଣା। ସେ ବା କାହୁଁ ଜାଣିବ? ସେ ତ ସମସ୍ତଙ୍କ ପାଇଁ ତାର ଛାଇ,ଫଳ,ପତ୍ର , ଡାଳ ସବୁ ସମର୍ପି ଦେଇଛି। ଦିନ ପୁଣି ଗଡି ଚାଲିଲା, ବିଦ୍ରୋହର ଗତି ବଢ଼ି ଚାଲିଲା। ମେଳି ହେଲା। ଗଛ ତଳେ ବାସ କରୁଥିବା ଲୋକେ ଦଳ ଦଳ ହେଇ ରହିଲେ। ଗଛରେ ଚଢ଼େଇ ମାନେ ତଳ ଉପର ହେଇ ରହିଲେ। ଦୀର୍ଘ ବର୍ଷ ଧରି ଶାନ୍ତ ହେଇ ରହୁଥିବା ବୁଢ଼ା ବରଗଛର ତଳେ ଅଶାନ୍ତିର ଝଡ ବହିଲା। ଦିନେ ହଠାତ୍, ଦେଖାଗଲା କାହିଁ ଅଦୂର ବଣରୁ କିଛି ଶକ୍ତ ଚଢ଼େଇ ଆସି ଏଇ ବୁଢ଼ା ବରଗଛର ଚଢ଼େଇ ସହ ମିଶି ଗଲେ। ଧିରେ ଧିରେ ସେଇ ଗଛରେ ବାସ କରିବାକୁ ଲାଗିଲେ। ସେମାନେ ଏ ଘର ମାଉସୀ ସେ ଘର ପିଉସୀ ହେଇ କାହିଁ କେତେ ଦିନରୁ ଏକାଠି ହେଇ ରହୁଥିବା ଚଢ଼େଇ ମାନେ ନିଜ ନିଜ ଭିତରେ ଝଗଡା ଲାଗିଲେ। ଏଇ ଝଗଡା ଦେଖି ସାଧୁ ଜଣଙ୍କ ବହୁତ୍ ଚେଷ୍ଟା କଲେ ସବୁ କିଛି ସଜାଡିବାକୁ। କିନ୍ତୁ ଚଢ଼େଇ ମାନେ ଆଉ ସେ ସାଧୁ ଉପରେ ଖୁସି ନଥିଲେ। ବୁଢ଼ା ବରଗଛ ଆହୁରି ବୁଢ଼ା ହେବାକୁ ଲାଗିଲା। ଏଇ ସୁଯୋଗ ନେଇ ସବୁ ବିଦ୍ରୋହୀ ଚଢ଼େଇ ମାନେ ମେଳି କରି ବୁଢ଼ା ବରଗଛକୁ ଉପାଡ଼ି ନୂଆ ଗଛଟିଏ ପୋତିବେ ବୋଲି ସ୍ଥିର କରିନେଲେ। ସେମାନଙ୍କୁ ସାହାଯ୍ୟ କରିବାକୁ ଅନେକ ଆଡୁ ନୂଆ ନୂଆ ଚଢ଼େଇ ଆସି ପହଞ୍ଚିଗଲେ। ଏମିତି ବି ଦେଖାଗଲା ସାଧୁ ବି ସେଇ ବିଦ୍ରୋହର ପେଶି ହେଇ ଗଲେ। ଯୋଉ ସାଧୁ କୁ ସମସ୍ତେ ଭାବୁଥିଲେ ଯେ ଏଇ ଆମ ବୁଢ଼ା ବରଗଛ ର ଯତ୍ନ ନେବ, ତାକୁ ବି ଚଢ଼େଇମାନେ ଅବିଶ୍ବାସ କରି ଭଣ୍ଡ ସାଧୁ କହି ଗୌଡାଇଲେ। ତଥାପି ବୁଢ଼ା ବର ଗଛ ଶାନ୍ତ, ଧୀର ଆଉ ସ୍ଥିର। ଦିନେ ଏମିତି ଏକ ସକାଳୁ ଏକ ଶକ୍ତ ଝଡ଼ ଆସି ବୁଢ଼ା ବରଗଛକୁ ଦୋହଲେଇ ଦେଲା। ତଥାପି ବୁଢ଼ା ବରଗଛ ନିର୍ବାକ। ଗଛ ତଳେ ଆଉ ଉପରେ ବାସ କରୁଥିବା ସମସ୍ତିଙ୍କ ଭିତରେ ଏକ ଚାପା ଗୁଞ୍ଜରଣ ଖେଳିଗଲା। କଣ ହେବ ଏବେ? କେହି କେହି କହିଲେ ଏଥର ଆଉ ବୁଢ଼ା ବରଗଛ ରହିବନି,ଏଇ ଯୋଉ ମାଡ଼ ଲାଗିଛି , ଏଇଥର ଟଳି ପଡ଼ିବ । ଆଉ କିଛି କହିଲେ ଏତେ ପୁରୁଣା ଗଛ,କୋଉ ଝଡ଼ କି ପବନ ଏଇ ବୁଢ଼ା ବରଗଛ ର କିଛି କରି ପାରିବନି। ୟେ ଆମ ପାଇଁ ଦେବତା। କେତେ ଯେ ଛାଇ,ଫଳ,ପତ୍ର ,ଡାଳ ଆମକୁ ଦେଇ ଛୋଟ ଟୁ ବଡ଼ କରିଛି। ତାର ବିନାଶ କେବେ ଆମେ କରିବାକୁ ଦେବୁନି। ଏମିତି ହୋ ହାଲ୍ଲା ଅନେକ ହେଲା। ଯେତେ ହୋ ହାଲ୍ଲା ହେଲେ ବି ବୁଢ଼ା ବରଗଛ ସେମିତି ନୀରବ।

ସକାଳ ଯାଇଁ ସଞ୍ଜ ହେଲାଣି। ସମସ୍ତେ ନିଜ ନିଜ ବସା କୁ ଫେରି ଆସିଲେଣି। ତୃତୀୟା ଚାନ୍ଦ ଉଙ୍କି ମାରିବ ମାରିବ ହେଉଛି। ନୀରବ ଦକ୍ଷିଣା ପବନ ନୀରବି ନିରବୀ ବହୁଛି। ମୁଁହ ସଞ୍ଜ ହେବା ପୂର୍ବରୁ ରଡ୍ କରି ମୂଳରୁ ଉପୁଡ଼ିଗଲା କାହିଁ କେଉ କାଳର ପୁରୁଣା ସେଇ ବରଗଛଟି। ସ୍ତମ୍ଭିଭୂତ ହେଇଗଲେ ସମସ୍ତେ। କେହି ବି ଭାବିନଥିଲେ ଏମିତି ହେବ ବୋଲି। ସକାଳେ ଝଡ଼ ହେଇଥିଲା ସତ। କିନ୍ତୁ ଗଛର ତ କିଛି କ୍ଷତି ହେଇ ନଥିଲା। ଏମିତି କେତେ ଯେ ଝଡ଼ ସେ ସହି ସହି ଆସିଛି, ତାର ହିସାବ ନାହିଁ। କିନ୍ତୁ ଆଜିର ଝଡ଼ ଯେ ଏତେ ଶକ୍ତ ,ଏକାଥରେ ମୂଳରୁ ଶେଷ। ପ୍ରକୃତରେ ସେଇ ବୁଢ଼ା ବରଗଛ କୁ ଭଲ ପାଉଥିବା ଚଢ଼େଇ ମାନେ ବେଶ୍ ପରିଷ୍କାର ଭାବରେ ମନେ ପକାଇ ପାରୁଥିଲେ, କିଏ କିଏ ଗଛ ତଳେ ମାଟି ଦେଇ ସଜାଡୁ ଥିଲେ, ଆଉ କିଏ ଲୁଣ ପାଣି ଢ଼ାଳି ଗଛକୁ ମାରିବାକୁ ଚାହୁଁଥିଲେ ଆଉ କେହି ମିଛି ମିଛିକା ଗଛକୁ ଭଲ ପାଇବାର ବାହାନା କରୁଥିଲେ। ମନେ ପକେଇ ଲାଭ ବା କଣ? ଗଛ ତ ଆଉ ନାହିଁ। ଆହୁରି ବି ସେମାନେ ମନେ ପକାଉଥିଲେ ସେମାନେ କେତେ ଯେ ସେବା ସୁବିଧା ପାଇଛନ୍ତି ସେଇ ବୁଢା ବର ଗଛରୁ। ନିୟତି ଆଜି କଣ କଲା! ନୂଆ ନୂଆ ଉଡ଼ି ଆସିଥିବା ଚଢ଼େଇ ଆଉ ନୂଆ କରି ଆସି ଗଛର ଯତ୍ନ ନେଉଥିବା ସେଇ ସାଧୁ କଣ ସବୁ ବଦଳି ଗଲେ? ସମସ୍ତେ ନିଜ ସ୍ବାର୍ଥ ଦେଖି ବିଚରା ଏହି ବୁଢ଼ା ଗଛ ତାକୁ ବଳି ପକେଇ ଦେଲେ! କେହି ବି ବୁଝିଲେନି ବୁଢା ବର ଗଛର ଉପକାର,ସାହାଯ୍ୟ ଆଉ ସହାନୁଭୂତି କୁ। ଏକଦମ୍ ମୂଳରୁ ଉପାଡ଼ି ଫିଙ୍ଗିଦେଲେ କେଉଁ ଗୋଟେ କୋଣକୁ। ସମୟର ଖେଳ ଶଗଡ଼ ଚକା ପରି। କେତେବେଳେ କେଉଁ ପହି ଉପରେ ତ କେତେବେଳେ ସେହି ପହି ତଳେ। କିନ୍ତୁ ଶଗଡ଼ ଚକା କିନ୍ତୁ ବୁଲି ଚାଲେ। ପୁଣି ସେଇ ବିରାଟ ଗର୍ତ୍ତ ରେ ସେମାନେ ଏକ ନୂଆ ଗଛ ପୋତିବେ, ସେ ଏହି ବୁଢ଼ା ବରଗଛ ପରି ଶାଖା ପ୍ରଶାଖା ମେଲି ସମସ୍ତଙ୍କ କାମରେ ,ସେବାରେ, ସାହାଯ୍ୟରେ ଆସିବ ତ? ନା ବିଷ ଫଳ ଦେଇ ସବୁ ନଷ୍ଟ କରିବ ତାହା ସମୟ କହିବ କିନ୍ତୁ ଆଜି ସବୁ ଧୀର,ସ୍ଥିର, ଶାନ୍ତ,କେହି ନ ଆସ। ସେ ତଥାପି ନିର୍ବାକ। ବେଶ୍ ଶାନ୍ତ। ଆଜି ସିନା ମୂଳରୁ ଉପୁଡ଼ି ଯାଇଛି ସତ, କିନ୍ତୁ ତା ମନରେ ଦୁଃଖ ନାହିଁ। ଆଜି କେହି ଆଉ ତା କଥା ଭାବୁ ବି ନାହାନ୍ତି। ନୂଆ ଗଛ ସନ୍ଧାନରେ ଅନେକ ପାଗଳ ।ମୂଳରୁ ଉପୁଡ଼ି ଗଲେ ବି ସେ ପୁଣି ଛାଇ ଦେବ, ତା ଶୁଖିଲା କାଠ, ଡାଇ ପତ୍ର ଫଳ ପୁଣି କାମରେ ଲାଗିବ ଅନ୍ତତଃ କିଛି ଦିନ ପାଇଁ। ସେବା କହିଲେ ଏଇଆ। ସେ ଦେଇ ଚାଲିବ ତା ଜୀବନର ଶେଷ ବିନ୍ଦୁ ଯାଏ ଆଉ ସ୍ୱାର୍ଥପର ଏଇ ଦୁନିଆ ନେଇ ଚାଲିବ ତା ଜୀବନର ଶେଷ ଯାଏଁ। ଗୋଟେ ଯୁଗର ଶେଷ। ଗୋଟେ କିମ୍ବଦନ୍ତୀ ର ଶେଷ। ଗୋଟେ ବୁଢ଼ା ବରଗଛର କାହାଣୀ ଶେଷ।

©️ ଜିତେନ୍ଦ୍ର ସାହୁ

Leave a Reply

Your email address will not be published. Required fields are marked *