ବିଜୟା ଦଶମୀ
ଆଜି ହେଉଛି ଦିବ୍ଯଜନନୀଙ୍କର ବିଜୟର ମହୋତ୍ସବ । ଏହି ବିଜୟା ଦଶମୀ ଦିବସରେ ସକଳ ଦେବତା ପ୍ରସନ୍ନ ହୁଅନ୍ତି ଓ ମାନବ ଜାତି ଆନନ୍ଦ ବିଭୋର ହୋଇଯାଏ। ଲୋକଙ୍କୁ ପ୍ରତିଶୃତି ମିଳିଯାଏ ଯେ, ଦୁଃଖ ଦୈନ୍ଯରେ ଗ୍ରସ୍ତ ହେଲେ, ସେମାନେ ଯେ ପର୍ଯ୍ଯନ୍ତ ମାତାଙ୍କ ପାଦରେ ଆଶ୍ରୟ ଲୋଡି ଚାଲିଥିବେ, ମାତାଙ୍କ କୃପାରୁ ସେମାନଙ୍କୁ ସେ ପର୍ଯ୍ଯନ୍ତ ଶକ୍ତି ଓ ଆଶ୍ରୟ ନିଶ୍ଚୟ ମିଳି ଚାଲିଥିବ। ମାତା ହେଉଛନ୍ତି ଆଶ୍ରୟ ଲୋଡୁଥିବା ଜୀବଙ୍କ ନିମନ୍ତେ ଅସୀମ ଶକ୍ତି – ମହାଶକ୍ତି।
ତାଙ୍କ କୃପାରୁ ଆମେ ଅଜ୍ଞାନ, ଅବିଦ୍ଯା ଉପରେ ଗୌରବମୟ ବିଜୟଲାଭ କରିବା ଏବଂ ଦିବ୍ଯମାତାଙ୍କ ସହିତ ବିଜୟର, ଆନନ୍ଦ ଉଲ୍ଲାସର ଅଂଶୀଦାର ହୋଇଯିବା। ବିଜୟା ଦଶମୀ ହେଉଛି ସମସ୍ତ ସାଧକଙ୍କ ନିମନ୍ତେ ସୁଦୃଢ ବିଶ୍ବାସ, ଶକ୍ତି ଓ ସାହସର ଶ୍ରେଷ୍ଠତମ ବିଜୟ।
ପରମ ଦିବ୍ଯମାତାଙ୍କର ନବ ଦିବସୀୟ ପୂଜାର ଶେଷରେ ବିଜୟା ଦଶମୀର ମହୋତ୍ସବରେ, ଆସନ୍ତୁ ଆମେ ତାହାଙ୍କୁ ପ୍ରାର୍ଥନା କରିବା ଯେ, ସେ ଆମ ଅନ୍ତରକୁ ବୁଦ୍ଧି ଓ ସ୍ମୃତି ରୂପରେ ସମୁଜ୍ଜ୍ବଳିତ କରନ୍ତୁ। ଆସନ୍ତୁ ଆମେ ତାଙ୍କୁ ପ୍ରାର୍ଥନା କରିବା ଯେ, ମହାନ୍ ସତ୍ଯଗୁଡିକୁ ସେ ଆମ ସ୍ମୃତିରେ ସଂଜୀବିତ କରି ରଖିଦିଅନ୍ତୁ, ଯାହା ଫଳରେ କି ଆମେ ଆମର ସମଗ୍ର ଜୀବନ ଓ ଆଚରଣକୁ ସେସବୁ ଉପରେ ଆଧାରିତ କରିଦେବୁ, ସେସବୁର ଛାଞ୍ଚରେ ନିଜକୁ ଗଢିଦେବୁ ଏବଂ ସେହିସବୁ ସତ୍ଯର ନିର୍ମଳ ଚେତନାକୁ ଆଧାର କରି ଆମର ସମଗ୍ର ଜୀବନ ଯାପନ କରିବୁ। କାରଣ -
ସେହି ମାତାଙ୍କର ଭ୍ରାନ୍ତି ଓ ମାୟା ରୂପକ ଶକ୍ତି ବଡ ବିସ୍ମୟକର ବୋଲି ଜାଣିଛୁ ; ତାହା ବାରମ୍ବାର ଶୁଣିଛୁ ଏବଂ ତାହା ମନେ ରଖିବାକୁ ଉଦ୍ଯମ କରୁଛୁ ସତ , କିନ୍ତୁ ମାତାଙ୍କ ଶକ୍ତି ଆଖି ପିଛୁଳାକେ ସେସବୁ ପାସୋରାଇ ଦେଉଛନ୍ତି ;
ସେ ଆମକୁ ଏହି ଇନ୍ଦ୍ରିୟ ପରତନ୍ତ୍ର ଜଗତର ବାହ୍ଯବସ୍ତୁ ଗୁଡିକ ବିଷୟରେ ହିଁ ସଚେତ କରାଇ ରଖୁଛନ୍ତି। ମାଆଙ୍କର ଛଳନା ଆମ ଚେତନାକୂ ବିହ୍ବଳ କରିଦେବା ମାତ୍ରେ , ଆମେ ଜୀବନର ସେହି ମହାନ୍ ଲକ୍ଷ୍ଯକୁ ଭୁଲି ଯାଉଛୁ। ଆମେ ସାଂସାରିକ ବିଷୟରେ ଓ କ୍ଷଣିକ ସୁଖରେ ହିଁ ବୁଡି ଯାଉଛୁ ଏବଂ ନାମରୂପର ବାହ୍ଯଜଗତରେ ବାନ୍ଧି ହୋଇଯାଉଛୁ। ତେଣୁ *"ହେ ମାଆ ! ତୁମେ ଆମ ଆଗରେ ବିଦ୍ଯାମାୟା ରୂପରେ ପ୍ରକଟିତ ହୁଅ। ଆମ ଚେତନା ଓ ଜ୍ଞାନ ତୁମ ବିଦ୍ଯାରୂପରେ ଝଲସି ଉଠୁ। ଏପରି ଆମକୁ ବାରମ୍ବାର ପ୍ରାର୍ଥନା କରିବାକୁ ପଡିବ।
ହେ ମାତା ! ତୁମେ ତୁମର ଉଦ୍ଭାସିତ ରୂପରେ ଦର୍ଶନ ଦିଅ ଏବଂ ତୁମ ଅବିଦ୍ଯା ମାୟାର ଜାଲରୁ ମୋତେ ଉଦ୍ଧାର କର। ତୁମେ ହିଁ ଶ୍ରଦ୍ଧା। ତୁମେ ହିଁ ସମ୍ବେଦନା। ତୁମେ ହିଁ ଜ୍ଯୋତି।ତୁମେ ହିଁ ମୁକ୍ତି। ତୁମେ ହିଁ ଜନନୀ। ହେ ମାତା ! ଆମକୁ ଟିକିଏ ସହର୍ଷ ବଦନରେ ଚାହଁ ଏବଂ ତୁମ ଅବିଦ୍ଯା ମାୟାର ଅନ୍ଧକାର ଦୂର କରିଦିଅ। "* ସେହି ପ୍ରାର୍ଥନାରେ ସେ ପ୍ରସନ୍ନ ହୋଇଯିବେ ; ସେ ସନ୍ତୁଷ୍ଟ ହୋଇଯିବେ ଏବଂ ହସହସ ବଦନରେ ନିଜର ଉଜ୍ଜ୍ବଳ ନୟନରେ ଆମକୁ ଚାହିଁଦେବେ। ତା' ଫଳରେ ଆମର ସକଳ ମୋହ , ସମସ୍ତ ଦୁଃଖଶୋକ, ସବୁ ଅଜ୍ଞାନଅନ୍ଧକାର ଦୂର ହୋଇଯିବ ଏବଂ ଆମେ ତାହାଙ୍କୁ ସଚ୍ଚିଦାନନ୍ଦ ପରଂବ୍ରହ୍ମ ରୂପରେ ଦର୍ଶନ କରିପାରିବା।
ଗୁରୁଦେବଙ୍କ ଦିବ୍ଯ ଚରଣତଳେ ଆଶ୍ରିତ ଆମ ପ୍ରତ୍ଯେକ ସାଧକଙ୍କ ଉପରେ ଆତ୍ମଜ୍ଞାନ ରୂପ ଜ୍ଯୋତି ଓ ସଚ୍ଚିଦାନନ୍ଦଙ୍କର ଅକ୍ଷୟ ଆନନ୍ଦ ଢାଳିଦିଅ ମାଆ !
ପରାଶକ୍ତି ମହାରାଣୀ କି ଜୟ